କ୍ୟାମେରାମ୍ୟାନ ମାନସ ସ୍ବାଇଁଙ୍କୁ ବାଉଁଶ ଓ କାଠ ଫାଳିଆରେ ପିଟି ପିଟି ହତ୍ୟା

୪ଟି ବାଉଁଶ ଫାଳିଆ ଓ ଗୋଟିଏ କାଠ ଫାଳିଆ ଜବତ

ଭୁବନେଶ୍ବର: କ୍ୟାମରାମ୍ୟାନ ମାନସ ହତ୍ୟା ମାମଲାର ନୂଆ ତଥ୍ୟା ସାମ୍ନାକୁ ଆସିଲା। ମାନସକୁ ବାଉଁଶ ଫାଳିଆ ଓ କାଠ ଫାଳିଆରେ ପିଟି ପିଟି ମାରିଥିଲେ। ହତ୍ୟାରେ ବ୍ୟବହୃତ ବାଉଁଶ ଓ କାଠ ଫାଳିଆ ଜବତ କଲା କ୍ରାଇମବ୍ରାଞ୍ଚ। କେୟାରଟେକର ସୂଚନା ଅନୁସାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦୟାଲ ଆଶ୍ରମରୁ ୪ଟି ବାଉଁଶ ଫାଳିଆ ଓ ଗୋଟିଏ କାଠ ଫାଳିଆ ଜବତ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ଚାପରେ କେୟାରଟେକର ତାହା ଫିଙ୍ଗିଦେଇଥିଲା। ଜବତ ୪ ବାଉଁଶ ଫାଳିଆ ଓ ଗୋଟିଏ କାଠ ଫାଳିଆକୁ ପରୀକ୍ଷା ପାଇଁ ପଠାଯାଇଥିଲା। ମାନସଙ୍କୁ ସମ୍ଭବତଃ ଏଥିରେ ମରାଯାଇଥିବା ମତ ଦେଲେ କଟକ ଏସିବି ମେଡ଼ିକାଲ ଏଫଏମଟି ବିଭାଗ ପ୍ରଫେସର।
ଶର୍ମିଷ୍ଠା ରାଉତଙ୍କ ୱେବ୍‌ ପୋର୍ଟାଲ ‘ସମ୍ପୂର୍ଣ୍ଣ’ ଅଫିସ୍‌ରେ କ୍ୟାମେରାମ୍ୟାନ୍‌ ଭାବେ କାମ କରୁଥିଲେ ମାନସ ସ୍ୱାଇଁ। ପରବର୍ତ୍ତୀ ସମୟରେ ମାନସ ଚାକିରି ଛାଡ଼ି ଦେଇଥିଲେ। ସେ ଫେବ୍ରୁଆରୀ ୬ ତାରିଖରେ ବିବାହ ଶୁଟିଂ ପାଇଁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାଶପୁର ଗାଁକୁ ଯାଇଥିଲେ। ତା’ପର ଦିନ ଅର୍ଥାତ ୭ ତାରିଖରେ ସେ ସାଙ୍ଗଙ୍କ ସହ ଭୁବନେଶ୍ୱର ଫେରୁଥିଲେ। ହେଲେ ଅଧା ରାସ୍ତାରୁ ୱେବ୍‌ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀମାନେ ତାଙ୍କୁ ଅପହରଣ କରିନେଇଥିଲେ। ସେମାନେ ସେଠାରୁ ମାନସଙ୍କୁ ସିଧା ଭୁବନେଶ୍ୱର ସ୍ଥିତ ଦୟାଲ୍‌ ଆଶ୍ରମକୁ ନେଇ ଆସିଥିଲେ। ସେଠାରେ ତାଙ୍କୁ ବାଉଁଶ ଓ କାଠ ଫାଳିରେ ପ୍ରବଳ ପିଟିଥିଲେ। ପିଟୁଥିବା ବେଳେ ମାନସଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ମୃତଦେହକୁ ନୟାଗଡ଼ରେ ଏକ ପାହାଡ଼ ପାର୍ଶ୍ୱରେ ପୋତି ଦେଇଥିଲେ ଏବଂ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଚଣ୍ଡିଖୋଲରେ ଫିଙ୍ଗି ଦେଇଥିଲେ।

kalyan agarbati

Comments are closed.