ଓଏନ୍ଜିସିର ୧.୫% ଅଂଶ ବିକ୍ରି
ନୂଆଦିଲ୍ଲୀ : କେନ୍ଦ୍ର ସରକାର ରାଷ୍ଟ୍ରାୟତ ଅଏଲ୍ ଆଣ୍ଡ ନାଚୁରାଲ ଗ୍ୟାସ କର୍ପୋରେସନ (ଓଏନ୍ଜିସି)ର ପ୍ରାୟ ୧.୫% ପର୍ଯ୍ୟନ୍ତ ଅଂଶ ବିକ୍ରି କରିବେ। ଚଳିତ ସପ୍ତାହରେ ଏହି ଅଂଶ ବିକ୍ରି ହେବ ଏବଂ ଏଥିରୁ ପ୍ରାୟ ୩ହଜାର କୋଟି ଟଙ୍କା ସରକାର ସଂଗ୍ରହ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଅଫର୍ ଫର ସେଲ୍ (ଓଏଫଏସ) ସରକାରଙ୍କ ପକ୍ଷରୁ ଚଳିତ ମାସ ୩୦ ଓ ୩୧ରେ ଉନ୍ମୁକ୍ତ କରାଯିବ ବୋଲି ଓଏନ୍ଜିସି ପକ୍ଷରୁ ଷ୍ଟକ ଏକ୍ସଚେଞ୍ଜକୁ ଅବଗତ କରାଯାଇଛି।
ଏହି ରାଷ୍ଟ୍ରାୟତ ଉଦ୍ୟୋଗ ପକ୍ଷରୁ କୁହାଯାଇଛି ଯେ ସରକାର କମ୍ପାନୀର ୯୪,୩୫୨,୦୯୪ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ବିକ୍ରି ଯୋଜନା କରିଛନ୍ତି, ଯାହା କମ୍ପାନୀର ମୋଟ ପେଡ୍ ଅପ ଇକ୍ୱିଟି ସେୟାର କ୍ୟାପିଟାଲ୍ର ପ୍ରାୟ ୦.୭୫%। ଏହି ଇକ୍ୱିଟି ସେୟାର ଅଣ ରିଟେଲ୍ ନିବେଶକଙ୍କୁ ଚଳିତ ମାସ ୩୦ରେ ଏବଂ ରିଟେଲ୍ ନିବେଶକଙ୍କୁ ଚଳିତ ମାସ ୩୧ରେ ବିକ୍ରି କରାଯିବ। ଏଥିସହିତ ଅଧିକ ୯୪,୩୫୨,୦୯୪ ସଂଖଖ ଇକ୍ୱିଟି ସେୟାର ବିକ୍ରି ନିମନ୍ତେ ଐଚ୍ଛିକ ସୁଯୋଗ ରହିବ। ଏହାର ଓଏଫ୍ଏସ୍ର ଫ୍ଲୋର ମୂଲ୍ୟ ସେୟାର ପିଛା ୧୫୯ ଟଙ୍କା ଧାର୍ଯ୍ୟ କରାଯାଇଛି।
ସୂଚନାଯୋଗ୍ୟ ଯେ ଓଏନ୍ଜିସିରେ ସରକାରଙ୍କର ୬୦.୪୧% ଅଂଶ ରହିଛି। ଏହି କମ୍ପାନୀ ଭାରତର ଅର୍ଦ୍ଧେକ ପରିମାଣ ତୈଳ ଓ ଗ୍ୟାସ୍ ଉତ୍ପାଦନ କରୁଛି। ମୋଟ ସେୟାର ମଧ୍ୟରୁ ସର୍ବନିମ୍ନ ୨୫%କୁ ମ୍ୟୁଚୁଆଲ ଫଣ୍ଡ୍ ଏବଂ ବୀମା କମ୍ପାନୀଗୁଡିକ ନିମନ୍ତେ ଏବଂ ୧୦% ରିଟେଲ ନିବେଶକଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଓଏନ୍ଜିସି କର୍ମଚାରୀମାନେ ମଧ୍ୟ ପ୍ରତ୍ୟେକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଇକ୍ୱିଟି ସେୟାର ପାଇଁ ଆବେଦନ କରିବେ।
Comments are closed.