କାର୍‌ ଦୁର୍ଘଟଣା: ସୁନ୍ଦରଗଡ଼ ଜିଲା ଯୁବ ବିଜେଡି ଉପସଭାପତିଙ୍କ ସମେତ ଦୁଇ ମୃତ, ୨ ଗୁରୁତର

0

ପରଜଙ୍ଗ : ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପିତିରି ଛକ ଦେଇ କଣ୍ଟିଆପଶି ଯାଇଥିବା ଜାତୀୟ ରାଜପଥ ନଂ ୫୩ ଉପରେ ବିଛାନାଳୀ ଛକ ନିକଟରେ ଭାରସାମ୍ୟ ହରାଇ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଭୁବନେଶ୍ୱରରୁ ରାଉରକେଲା ଫେରୁଥିବା ସୁନ୍ଦରଗଡ଼ ଜିଲା ଉପସଭାପତି ଅନିଲ ସାଗରଙ୍କ ସମେତ ଦୁଇ ଜଣ ପ୍ରାଣ ହରାଇଥିବାବେଳେ ଗାଡ଼ିଚାଳକ ସମେତ ଦୁଇଜଣ ଆହତ ହୋଇଛନ୍ତି।
ପ୍ରକାଶ ଯେ, କୌଣସି ଏକ କାର୍ଯ୍ୟରେ ଭୁବନେଶ୍ୱର ଯାଇ ରାଉରକେଲାକୁ ଫୋର୍ଡ଼ ଇକୋସ୍ପୋର୍ଟ୍ସ କାର୍‌ ଯୋଗେ ଫେରିବା ରାସ୍ତାରେ ସୁନ୍ଦରଗଡ଼ ଜିଲା ଯୁବ ବିଜେଡ଼ି ଜିଲା ଉପସଭାପତି ଅନିଲ ସାଗର, ତା’ଙ୍କ ସାଙ୍ଗ ଉମେଶ ନନ୍ଦ, ଜସ୍ମିନ ସିଂ ଜାତୀୟ ରାଜପଥ ନଂ ୫୩ର. ଆଖୁଆପାଳ ପଞ୍ଚାୟତର ବିଚ୍ଛାନାଳୀ ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । କାରଟି ଭାରସାମ୍ୟ ହରାଇ ରାସ୍ତାର ବାମ ପାର୍ଶ୍ବରେ ଥିବା ଖାଲ ମଧ୍ୟରେ ପଡ଼ି ଏକ ଢ଼ିପକୁ ଉଠିଯିବା ଦ୍ୱାରା କାର୍‌ଟିର ବାମ ପାର୍ଶ୍ବ ଭାଙ୍ଗିରୁଜି ଘଟଣାସ୍ଥଳରେ ଉମେଶ ନନ୍ଦ ମୃତ୍ୟୁ ଘଟିଥିଲା । ଗୁରୁତର ଅବସ୍ଥାରେ ଅନିଲ ସାଗରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ତାଳଚେର ମଣ୍ଡାପାଳ ଡ଼ାକ୍ତରଖାନାକୁ ନିଆଯାଇଥିଲା; ଅନିଲଙ୍କ ସ୍ଥିତି ସଂକଟାପନ୍ନ ଥିବାରୁ ତା’ଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅନିଲଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ବୟସ ୩୦ରୁ ୩୨ ବର୍ଷ ହେବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଉମେଶଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି। ଅନ୍ୟପକ୍ଷରେ ଗାଡ଼ିଚାଳକ ଦୀପକ ରଥ ଏବଂ ଜସ୍ମିନ ସିଂ ଗୁରତର ଭାବେ ଆହତ ହୋଇଛନ୍ତି । ଗାଡ଼ିଚାଳକଙ୍କ ସୂଚନାନୁଯାୟୀ କାରଟି ପ୍ରାୟ ୧୦୦କିମି ବେଗରେ ଥିବାବେଳେ ସମ୍ମୁଖରେ ବସିଥିବା ଯାତ୍ରୀଟି ହଠାତ ଭାରସାମ୍ୟ ହରାଇ ଷ୍ଟିଏରିଂ ଧରିନେବାରୁ ଗାଡ଼ିଟି ନିୟନ୍ତ୍ରଣ ହରାଇଥିଲା ।

Leave A Reply