ପରିବେଶ ପ୍ରଭାବ ଆକଳନ ଅଧ୍ୟୟନ ଉପରେ ଗୁରୁତ୍ୱାରୋପ
ଜଳସେଚନ ପ୍ରକଳ୍ପ ନିମିତ୍ତ ଜମି ଅଧିଗ୍ରହଣ ସମସ୍ୟାର ତ୍ୱରିତ ସମାଧାନ ପାଇଁ ବୈଠକ
ଭୁବନେଶ୍ୱର: ଆଜି ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲାର ବିଭିନ୍ନ ଜଳସେଚନ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ସମୀକ୍ଷା ବୈଠକରେ ସମସ୍ତ ରାଜସ୍ୱ ଡିଭିଜନର କମିଶନର, ବିଭାଗର ବରିଷ୍ଠ ଅଧିକାରୀ, ରାଜ୍ୟ ରିହାବିଲିଟେସନ ଓ ରିସେଟଲମେଣ୍ଟ ନିର୍ଦ୍ଦେଶକ, ବିଭିନ୍ନ ଜିଲାର ଅତିରିକ୍ତ ଜିଲାପାଳ, ଜମି ଅଧିଗ୍ରହଣ ଅଧିକାରୀ ଓ ଜଳସେଚନ ବିଭାଗର ପ୍ରମୁଖ ଅଧିକାରୀମାନେ ଯୋଗଦାନ କରିଥିଲେ।
ଏହି ସମୀକ୍ଷା ବୈଠକ ରେ ଅତିରିକ୍ତ ମୁଖ୍ୟ ଶାସନ ସଚବି ବିଭିନ୍ନ ଜମି ଅଧିଗ୍ରହଣ ପ୍ରକଳ୍ପ ପାଇଁ ଜମି ତ୍ୱରିତ ଜମି ଅଧିଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଜମି ଅଧିଗ୍ରହ ଣ ବିଳ ମ୍ବିତ ହେବାରୁ ପ୍ରକଳ୍ପ ସମ୍ପର୍ଣ୍ଣ ହେବାପାଇଁ ରାଜ୍ୟ ସରକାରଙ୍କର ତହବିଲ୍ରୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ। ଏହି ବୈଠକରେ ସୁବର୍ଣ୍ଣରେଖା, ଆନନ୍ଦପୁର ବ୍ୟାରେଜ, କାନପୁର, ଦେଓ, ରେଙ୍ଗାଲୀ ବାମ ଓ ଦକ୍ଷିଣ, ଲୋୟର ସୁକତେଲ, ଛେଳିଗ, ତେଲେଙ୍ଗିରି, ରେତ୍ ଓ ଅନ୍ୟାନ୍ୟ ପ୍ରକଳ୍ପର ସମୀକ୍ଷା ହୋଇଥିଲା। ବିଭିନ୍ନ ଜମି ଅଧିଗ୍ରହଣ ଅଧିକାରୀମାନଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପର ବିଭିନ୍ନ ମାଇଲଖୁଣ୍ଟ ସମ୍ପୂର୍ଣ କରିବାକୁ ତାଗିଦ କରାଯାଇଥିଲା। ଜମି ଅଧିଗ୍ରହଣ ଅଧିକାରୀମାନଙ୍କୁ ଆବଶ୍ୟକ ସମୟରେ ବିଭିନ୍ନ ପ୍ରକାର ସହାୟତା ଯୋଗାଇଦେବାକୁ ଜଳସେଚନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ବିଭିନ୍ନ ପ୍ରକଳ୍ପର ସମୟସୀମା ମଧ୍ୟରେ ସାମାଜିକ ପ୍ରଭାବ ଅଧ୍ୟୟନ ଓ ପରିବେଶ ପ୍ରଭାବ ଆକଳନ ଅଧ୍ୟୟନ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜମି ଅଧିଗ୍ରହଣର କୌଣସି ପ୍ରକାର ବିଳମ୍ବକୁ ବରଦାସ୍ତ ନକରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଜମି ଅଧିଗ୍ରହଣ ସମ୍ବନ୍ଧୀୟ ଆବଶ୍ୟକୀୟ ଦସ୍ତାବିଜ୍କୁ ଭୂମି ଅଧିଗ୍ରହଣ ପୋର୍ଟାଲ୍ ମାଧ୍ୟମରେ ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସମସ୍ତ ଜମି ଅଧିଗ୍ରହଣ ଅଧିକାରୀ, ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଓ ଜୋନ୍ ଅଧିକାରୀମାନଙ୍କୁ ନିୟମିତ ତାଲିମ ପ୍ରଦାନ କରିବା ଉପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ରାଜସ୍ୱ ଡିଭିଜନର ଆଯୁକ୍ତମାନଙ୍କୁ ଏହିପରି ସମୀକ୍ଷା ବୈଠକ ଆୟୋଜନ କରି ଜଳସେଚନ ଅଧିକାରୀ ଓ ଜମି ଅଧିଗ୍ରହଣ ଅଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସବୁ ପ୍ରକାର ସମସ୍ୟାର ତ୍ୱରିତ ଓ ଆଶୁ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
Comments are closed.