ନୂଆଦିଲ୍ଲୀ: ୨୦୨୧ ବର୍ଷର ଏନଇଇଟି ପିଜି କାଉନସେଲିଂ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ । ସୁପ୍ରିମକୋର୍ଟ ଏହି ମାମଲାରେ ଶୁକ୍ରବାର ତାଙ୍କର ରାୟ ଶୁଣାଇଛନ୍ତି । ଏଥିରେ ଏନଇଇଟି ପିଜି କାଉନସେଲିଂ ପ୍ରକ୍ରିୟା ଆରମ୍ଭ କରିବାକୁ ମାନ୍ୟବର ସର୍ବୋଚ୍ଚ ଅଦାଲତ ଅନୁମତି ପ୍ରଦାନ କରିଛନ୍ତି । ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ଏ ଏସ ବୋପାନ୍ନାଙ୍କୁ ନେଇ ଗଠିତ ପୀଠ ଏହି ରାୟ ଦେଇଛନ୍ତି । ଏଥିସହିତ ଓବିସି ଏବଂ ଇଡବ୍ଲୁଏସ୍ ନିମନ୍ତେ ପ୍ରଚଳିତ ଆରକ୍ଷଣ ବ୍ୟବସ୍ଥାକୁ ଚଳିତ ବର୍ଷ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶରେ ଅପରିବର୍ତ୍ତିତ ରଖିଛନ୍ତି । ସୁପ୍ରିମକୋର୍ଟଙ୍କ ଦ୍ୱାରା ପ୍ରଦତ୍ତ ଅନ୍ତରୀଣ ଆଦେଶରେ କୁହାଯାଇଛି ଯେ ଓବିସି ବର୍ଗଙ୍କ ନିମନ୍ତେ ୨୭% ଏବଂ ଇଡବ୍ଲ୍ୟୁଏସଙ୍କ ନିମନ୍ତେ ୧୦% ଆରକ୍ଷଣ ବ୍ୟବସ୍ଥା ଚଳିତ ଶିକ୍ଷା ବର୍ଷ ନିମନ୍ତେ ଅପରିବର୍ତ୍ତିତ ରହିବ । ଏହି ଅନ୍ତରୀଣ ଆଦେଶର ଆବଶ୍ୟକତା ରହିଥିଲା ବୋଲି ପ୍ରକାଶ କରି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ କହିଛନ୍ତି ଯେ ପରିସ୍ଥିତି ଦୃଷ୍ଟିରୁ ଏଭଳି ତ୍ୱରିତ ନିଷ୍ପତ୍ତି ଆବଶ୍ୟକ ଥିଲା । ଆରକ୍ଷଣ ସାମ୍ବିଧାନିକ ଦୃଷ୍ଟିରୁ ବୈଧ ବୋଲି ମଧ୍ୟ ସେ ଦର୍ଶାଇଛନ୍ତି ।
ଆସନ୍ତା ବର୍ଷଠାରୁ ସର୍ତ୍ତାବଳୀ ଲାଗୁ କରିବାକୁ ପାଣ୍ଡେ କମିଟିର ସୁପାରିଶକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି । ମାନ୍ୟବର ସର୍ବୋଚ୍ଚ ଅଦାଲତ କହିଛନ୍ତି, ଓଏମ ଆରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରି କାଉନସେଲିଂ କରାଯିବ । ଇଡବ୍ଲୁଏସ କ୍ଷେତ୍ରରେ ମାନ୍ୟବର ଶୀର୍ଷ ଅଦାଲତ କହିଛନ୍ତି ଯେ ଏହାକୁ ଅପରିବର୍ତ୍ତିତ ରଖାଯାଇଛି, ଯଦ୍ଦ୍ୱାରା ଚଳିତ ଶିକ୍ଷା ବର୍ଷରେ ନାମଲେଖା ପ୍ରକ୍ରିୟା ବିଳମ୍ବିତ ହେବନାହିଁ । ଚଳିତ ଶିକ୍ଷା ବର୍ଷ ପାଇଁ ୧୦% ଇଡବ୍ଲୁଏସ ଆରକ୍ଷଣ ବ୍ୟବସ୍ଥା ପ୍ରଯୁଜ୍ୟ ହେବ । ତେବେ ମାନ୍ୟବର ସର୍ବୋଚ୍ଚ ଅଦାଲତ ଏହା ଉପରେ ମାର୍ଚ୍ଚ ତୃତୀୟ ସପ୍ତାହରେ ଚୂଡାନ୍ତ ଶୁଣାଣି କରିବେ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ ସର୍ବଭାରତୀୟ ସ୍ତରରେ ସ୍ନାତକୋତ୍ତର ଡାକ୍ତରୀ ନାମଲେଖାରେ ଅନ୍ୟ ପଛୁଆ ବର୍ଗ (ଓବିସି) ଏବଂ ଆର୍ଥିକ ପଛୁଆ ବର୍ଗ (ଇଡବ୍ଲ୍ୟୁଏସ)ଙ୍କ ନିମନ୍ତେ କେନ୍ଦ୍ର ସରକାର ଆରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେବା ପରେ ତାହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ଆବେଦନ ଦାଏର କରାଯାଇଥିଲା । ସେଥିପାଇଁ ସମୁଦାୟ କାଉନସେଲିଂ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା ।
ଏନଇଇଟି ପିଜି କାଉନସେଲିଂ ପାଇଁ ପଥ ପରିଷ୍କାର କଲେ ସୁପ୍ରିମକୋର୍ଟ: ଆରକ୍ଷଣ ବ୍ୟବସ୍ଥା ଅପରିବର୍ତ୍ତିତ ରହିବ
Popular Categories



