ବାଲେଶ୍ବର ‘ଶ୍ରେଷ୍ଠ ପ୍ରଦର୍ଶନକାରୀ ସାମୁଦ୍ରିକ ଜିଲା’ ଭାବେ ପୁରସ୍କୃତ

ବିଶ୍ୱ ମତ୍ସ୍ୟ ଦିବସ-୨୦୨୧

ଭୁବନେଶ୍ୱର: ଭୁବନେଶ୍ୱରଠାରେ ଭାରତ ସରକାରଙ୍କର ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଗୋପାଳନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ବିଶ୍ୱ ମତ୍ସ୍ୟ ଦିବସ-୨୦୨୧ ପାଳନ ଅବସରରେ ବାଲେଶ୍ୱର ଜିଲ୍ଲାକୁ ଶ୍ରେଷ୍ଠ ସାମୁଦ୍ରିକ ଜିଲା ଭାବେ ପୁରସ୍କୃତ କରାଯାଇଛି । ଏହା ଫଳରେ ଓଡ଼ିଶା ମତ୍ସ୍ୟକ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରି ଅନ୍ୟ ଏକ ସମ୍ମାନଜନକ ଜାତୀୟସ୍ତରର ମତ୍ସ୍ୟ ସମ୍ପଦ ପୁରସ୍କାର ହାସଲ କରିଛି । ନିୟୁତ ନିୟୁତ ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ ଓ ବିଶ୍ୱବ୍ୟାପୀ ମତ୍ସ୍ୟ ବ୍ୟବସାୟ ସହ ଜଡ଼ିତ ଜନସାଧାରଣଙ୍କ ଅବଦାନକୁ ସ୍ୱୀକୃତି ଦେବା ଲକ୍ଷ୍ୟରେ ପ୍ରତିବର୍ଷ ନଭେମ୍ବର ୨୧ ତାରିଖରେ ବିଶ୍ୱ ମତ୍ସ୍ୟ ଦିବସ ପାଳନ କରାଯାଏ। ବିଶ୍ୱରେ ଏକ ସହନଶୀଳ ମତ୍ସ୍ୟ ସମ୍ପଦର ଅବସ୍ଥିତିକୁ ସୁନିଶ୍ଚିତ କରିବା ସହ ସୁସ୍ଥ ସାମୁଦ୍ରିକ ଓ ଅନ୍ତର୍ଦ୍ଦେଶୀୟ ଜଳୀୟ ଜୈବ-ପରିବେଶକୁ ଏହି ଦିବସ ଗୁରୁତ୍ୱ ପ୍ରଦାନ କରେ। ମତ୍ସ୍ୟଚାଷୀଙ୍କ ରୋଜଗାରକୁ ବହୁଗୁଣିତ, ଜୀବିକାର ଉନ୍ନତିକରଣ, ଲାଭଦାୟକ ନିଯୁକ୍ତି ସୃଷ୍ଟି, ପୁଷ୍ଟି ସୁରକ୍ଷା ଏବଂ ଓଡ଼ିଶାର ରପ୍ତାନୀ ରୋଜଗାର ବୃଦ୍ଧିରେ ମତ୍ସ୍ୟ ଓ ଜଳକୃଷିର ଏକ ପ୍ରମୁଖ ଭୂମିକା ରହିଛି। ଓଡ଼ିଶାର ଅଭିବୃଦ୍ଧିରେ ସହାୟକ ହେଉଥିବା ମତ୍ସ୍ୟକ୍ଷେତ୍ର ପ୍ରତି ରାଜ୍ୟ ସରକାର ବିଶେଷ ଦୃଷ୍ଟି ଦେଉଛନ୍ତି ଓ ୧୫.୮୯ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ଉଦ୍ୟୋଗୀ ଓ ଯୁବଗୋଷ୍ଠୀ ସମ୍ପୃକ୍ତ ଥିବା ମତ୍ସ୍ୟକ୍ଷେତ୍ରର ବିକାଶ ପାଇଁ ଓଡ଼ିଶା ସରକାର ଅଗ୍ରାଧିକାର ଦେଉଛନ୍ତି ।

ଓଡ଼ିଶାର ୪୮୦ କିମି ସୁଦୀର୍ଘ ଉପକୂଳ, ୪.୧୮ ଲକ୍ଷ ହେକଫର ଖାରି ଜଳକ୍ଷେତ୍ର, ୬.୮୬ ଲକ୍ଷ ହେକଫର ମଧୁର ଜଳକ୍ଷେତ୍ର (ନଦୀ, ଜଳଭଣ୍ଡାର ଓ ପୋଖରୀ ଇତ୍ୟାଦି) ଆଦି ଭାରତର ମତ୍ସ୍ୟ ସମ୍ପଦକୁ ସମୃଦ୍ଧ କରୁଛି। ୨୦୨୦-୨୧ ବର୍ଷରେ ୮.୭୩ ଲକ୍ଷ ମେଟ୍ରିକ ଟନ ମାଛ ଉତ୍ପାଦନ ସହ ଓଡ଼ିଶା ସର୍ବଭାରତୀୟ ସ୍ତରରେ ସର୍ବାଧିକ ମାଛ ଉତ୍ପାଦନରେ ୪ର୍ଥ ସ୍ଥାନରେ ପହଞ୍ଚିଛି ଯାହାକି ରାଜ୍ୟ ସମ୍ବଳର ୨.୩୩% ଅଟେ। ବିଗତ ୫ ବର୍ଷରେ ମତ୍ସ୍ୟ କ୍ଷେତ୍ରର ବାର୍ଷିକ ଅଭିବୃଦ୍ଧି ୧୩%। ବିଶେଷ କରି ଅନ୍ତର୍ଦେଶୀୟ ମତ୍ସ୍ୟକ୍ଷେତ୍ରରେ ଏହି ଅଭିବୃଦ୍ଧି ଖୁବ ଅଧିକ ଯାହାକି ଖାଦ୍ୟ ଓ କୃଷିକ୍ଷେତ୍ରରେ ସର୍ବୋତ୍ତମ। ଓଡ଼ିଶାରେ ମାଛର ଚାହିଦା ଅଧିକ। ଶତକଡା ୯୪ ଭାଗ ଲୋକ ମାଛ ଖାଇବାକୁ ଭଲ ପାଇଥାନ୍ତିି। ଓଡ଼ିଶାର ମତ୍ସ୍ୟ ଉତ୍ପାଦ ଅନ୍ତର୍ଜାତୀୟ ବଜାର ଯଥା ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପ, ଜାପାନ, ଚୀନ, ତଥା ଏସୀୟ ଓ ମଧ୍ୟପ୍ରାଚ୍ୟ ଦେଶଗୁଡିକରେ ପ୍ରବଳ ଚାହିଦା ରହିଛି। ବିଗତ ଦୁଇ ଦଶନ୍ଧିରେ ରାଜ୍ୟରେ ସାମୁଦ୍ରିକ ଖାଦ୍ୟ ରପ୍ତାନୀ ୯ ଗୁଣ ବୃଦ୍ଧି ପାଇ ୨୦୨୦-୨୧ ରେ ୬୧୦୦୦ ମେଟ୍ରିକ ଟନରେ ପହଞ୍ଚିଛି, ଯାହାର ମୂଲ୍ୟ ୩୧୦୮ କୋଟି ଟଙ୍କା ଅଟେ।

prayash

ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଉଥିବା ଅନେକଗୁଡିଏ ସବସିଡ଼ି ଭିିତ୍ତିକ ଯୋଜନା ଯୋଗୁଁ ବହୁସଂଖ୍ୟାରେ ଚାଷୀ ଓ ଉଦ୍ୟୋଗୀମାନେ ମଧୁର ଜଳ ଓ ଖାରି ଜଳ ମାଛ ଚାଷ କ୍ଷେତ୍ରକୁ ଆକର୍ଷିତ ହେଉଛନ୍ତି। ନୂତନ ପୋଖରୀ ଖନନ ମାଧ୍ୟମରେ ମଧୁରଜଳ ଓ ଖାରିଜଳ ମତ୍ସ୍ୟଚାଷ କ୍ଷେତ୍ରର ବିକାଶ ନିମନ୍ତେ ରାଜ୍ୟ ସରକାର ଚାଷୀମାନଙ୍କୁ ବାର୍ଷିକ ପ୍ରାୟ ୧୦୦ କୋଟି ଟଙ୍କାର ସବସିଡ଼ି ପ୍ରଦାନ କରୁଛନ୍ତିି। ଗ୍ରାମ ପଂଚାୟତ ପୋଖରୀଗୁଡିକୁ ଦୀର୍ଘମିଆଦି ସୂତ୍ରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ମାଛ ଚାଷ ନିମନ୍ତେ ଲିଜ ପ୍ରଦାନ କରାଯାଉଛି। ସମ୍ପ୍ରତି ମିଶନ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ୮,୩୦୦ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମଧୁରଜଳ ମାଛଚାଷରେ ନିୟୋଜିତ ଅଛନ୍ତି। ଜଳଭଣ୍ଡାରଗୁଡିକରେ ପଞ୍ଜୁରୀ ଭିତରେ ମାଛ ଚାଷ ନିମନ୍ତେ ଏହାର ଜଳଭାଗକୁ ଲିଜ ଦେବା ପାଇଁ ଗତବର୍ଷ ରାଜ୍ୟ ସରକାରଙ୍କ ଦ୍ୱାରା ନୀତି ନିର୍ଦ୍ଧାରଣ କରାଯାଇଛି। ଅନେକ ଉଦ୍ୟୋଗୀ ଓ ଯୁବଗୋଷ୍ଠୀ ଅତି ଆଗ୍ରହପୂର୍ବକ ଏଥିରେ ଆକର୍ଷିତ ହୋଇ ହୀରାକୁଦ ଜଳଭଣ୍ଡାରରେ ପଞ୍ଜୁରୀ ସ୍ଥାପନ କରି ମାଛଚାଷ କରୁଛନ୍ତି। ଜଳଭଣ୍ଡାର ଲିଜରୁ ମିଳୁଥିବା ରୟାଲିଟି ଅର୍ଥ ସ୍ଥାନୀୟ ପ୍ରାଥମିକ ମତ୍ସ୍ୟ ସମବାୟ ସମିତି ଦ୍ୱାରା ମାଛ ଯାଆଁଳ ଛାଡିବା, ଡଙ୍ଗା ଓ ଜାଲ ତଥା ସେ ସମ୍ପର୍କିତ କାର୍ଯ୍ୟ ପାଇଁ ବିନିଯୋଗ ହୁଏ।

 

ପ୍ରଚୁର ମାଛ ଉତ୍ପାଦନ ସମ୍ଭାବନା ସୃଷ୍ଟି କରିଥିବା ଅଭିନବ ଓ ନୂତନ ଜ୍ଞାନ କୌଶଳ ଯୁକ୍ତ ବାୟୋଫ୍ଲକ ବା ଜୈବ ପୁଞ୍ଜ ପଦ୍ଧତି ମାଛଚାଷ ଯୁବଗୋଷ୍ଠୀ ଓ ଚାଷୀମାନଙ୍କୁ ଆକର୍ଷିତ କରୁଛି। ବାୟୋଫ୍ଲକ ମାଛଚାଷକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ସବସିଡଜ୍ଜ ବାବଦରେ ଗତ ଦୁଇବର୍ଷରେ ରାଜ୍ୟ ସରକାର ୪୦ କୋଟିରୁ ଊର୍ଦ୍ଧ୍ୱ ଅର୍ଥ ବ୍ୟୟ ବରାଦ କରିଛନ୍ତି। ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ସହ ସାମୁଦ୍ରିକ ଜୈବବିବିଧତାର ସୁରକ୍ଷା ତଥା ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ଜୀବିକା ସୁରକ୍ଷାକୁ ସମ୍ମାନ ଓ ଗୁରୁତ୍ୱ ପ୍ରଦାନ କରି ରାଜ୍ୟ ସରକାର ଏକ ସହନଶୀଳ ସାମୁଦ୍ରିକ ମତ୍ସ୍ୟକ୍ଷେତ୍ରକୁ ପ୍ରୋତ୍ସାହନ ଦେଉଛନ୍ତି। ସେହିପରି ମତ୍ସ୍ୟଧରା ବନ୍ଦର ଓ ମତ୍ସ୍ୟ ଅବତରଣ କେନ୍ଦ୍ରଗୁଡିକର ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି। ରାଜ୍ୟରେ ଶିଶୁ ଓ ଗର୍ଭବତୀ ମହିଳାଙ୍କ ପୁଷ୍ଟି ବୃଦ୍ଧି ନିମନ୍ତେ ମାଛ ଖାଇବାକୁ ପ୍ରୋତ୍ସାହନ ଦେବାକୁ ମହିଳା ଓ ଶିଶୁ କଲ୍ୟାଣ ବିକାଶ ବିଭାଗ ସହଯୋଗରେ ମତ୍ସ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ପରୀକ୍ଷାମୂଳକ ଭାବେ ମୟୂରଭଞ୍ଜ ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ରଗୁଡିକରେ ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ଶୁଖୁଆ ଓ ମାଛଗୁଣ୍ଡକୁ ସଫଳତାର ସହ ଅନ୍ତର୍ଭୁକ୍ତ କରାଯାଇଛି। ରାଜ୍ୟ ସରକାରଙ୍କର ଏକ ପ୍ରମୁଖ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଉଦ୍ୟୋଗୀ ଓ ଚାଷୀଙ୍କୁ ମତ୍ସ୍ୟ ସମ୍ବନ୍ଧିତ କାର୍ଯ୍ୟକ୍ରମ ଯଥା ବ୍ୟବସାୟିକ ମାଛ/ଚିଙ୍ଗୁଡି/କଙ୍କଡା ଚାଷ, ଯାଆଁଳ ଉତ୍ପାଦନ କେନ୍ଦ୍ର, ମାଛ ପ୍ରକ୍ରିୟାକରଣ କେନ୍ଦ୍ର, ଏକ୍ୱା ସପ୍‌, ମାଛ ଖାଦ୍ୟ ପ୍ରସ୍ତୁତି କାରଖାନା, ପଞ୍ଜୁରୀ ମଧ୍ୟରେ ମାଛ ଚାଷ, ମାଛଧରା ଡଙ୍ଗା ଓ ଜାଲ ଇତ୍ୟାଦି ନିମନ୍ତେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡ଼ି ପ୍ରଦାନ କରାଯାଉଛି। ଉପରୋକ୍ତ କାର୍ଯ୍ୟକ୍ରମ ଓ ଯୋଜନା ମାଧ୍ୟମରେ ରାଜ୍ୟରେ ନୀଳ ବିପ୍ଲବ ପାଇଁ ରାଜ୍ୟ ସରକାର ମତ୍ସ୍ୟ କ୍ଷେତ୍ରର ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେଉଛନ୍ତି।

kalyan agarbati

Comments are closed.