www.samajalive.in
Monday, December 15, 2025
24.1 C
Bhubaneswar

ପ୍ରତ୍ୟକ୍ଷ ଭୋଟରେ ମେୟର, ପୌରାଧ୍ୟକ୍ଷ

ଭୁବନେଶ୍ୱର : ମହାନଗର ନିଗମ ମେୟର, ପୌର ପରିଷଦ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ପଦ ପାଇଁ ଏଣିକି ପ୍ରତ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଓଡ଼ିଶା ମ୍ୟୁନିସିପାଲ ଆଇନ ୧୯୫୦ ଏବଂ ଓଡ଼ିଶା ମ୍ୟୁନିସିପାଲ ଆଇନ ୨୦୦୩ର କିଛି ଧାରାରେ ସଂଶୋଧନ ଅଣାଯିବ। କ୍ୟାବିନେଟରେ ଏଭଳି ପ୍ରସ୍ତାବକୁ ମଞ୍ଜୁରି ମିଳିଛି।
ସୂଚନାଯୋଗ୍ୟ ଯେ ଏବେ ଓଡ଼ିଶା ମ୍ୟୁନିସିପାଲ ଆଇନ ୧୯୫୦ ଅନୁସାରେ ମ୍ୟୁନିସିପାଲିଟି ଓ ଏନଏସି ଅଧ୍ୟକ୍ଷ କାଉନସିଲରଙ୍କ ଦ୍ୱାରା ନିର୍ବାଚିତ ହେଉଛନ୍ତି। ଅନୁରୂପ ଭାବେ ମହାନଗର ନିଗମ ପଦ ପାଇଁ ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ ଆଇନ ୨୦୦୩ରେ ଥିବା ବ୍ୟବସ୍ଥା ଅନୁସାରେ ମେୟର ପରୋକ୍ଷ ଭାବେ ନିର୍ବାଚିତ ହେଉଛନ୍ତି।
ସମ୍ବିଧାନର ଧାରା ୨୪୩-ଆର ଅନୁସାରେ ମ୍ୟୁନିସିପାଲିଟିର ଅଧ୍ୟକ୍ଷଙ୍କ ନିର୍ବାଚନ ପ୍ରଣାଳୀ ରାଜ୍ୟ ବ୍ୟବସ୍ଥାପକ ସଭା ଦ୍ୱାରା ଧାର୍ଯ୍ୟ ବ୍ୟବସ୍ଥା ଅନୁସାରେ କରାଇବାର ବ୍ୟବସ୍ଥା ରହିଛି। ନିଗମର ମେୟର ତଥା ମ୍ୟୁନିସିପାଲିଟି ଓ ଏନଏସିର ଅଧ୍ୟକ୍ଷ ହେଉଛନ୍ତି ନଗରାଞ୍ଚଳ ପରିଷଦର ମୁଖ୍ୟ ଯେଉଁମାନଙ୍କର ସହରାଞ୍ଚଳ ପ୍ରଶାସନରେ ପ୍ରମୁଖ ଭୂମିକା ରହିଛି। ସମ୍ବିଧାନର ୭୪ତମ ସଂଶୋଧନ ପରେ ଏବଂ ପରବର୍ତ୍ତୀ ନିର୍ବାଚନଗୁଡ଼ିକରେ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ଗୁରୁତ୍ୱ ବଢ଼ିଛି। ଉକ୍ତ ସଂସ୍ଥା ପ୍ରତି ଜନସାଧାରଣଙ୍କ ଆଶା ଓ ଆସ୍ଥା ବଢ଼ିଥିବାରୁ ବ୍ୟବସ୍ଥାରେ କିଛି ସଂସ୍କାର ଅଣାଯିବାର ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ବ୍ୟବସ୍ଥାକୁ ଆପଣାଇବାକୁ ଯାଉଛନ୍ତି।
ପ୍ରଚଳିତ ବ୍ୟବସ୍ଥାରେ ମେୟର ବା ଅଧ୍ୟକ୍ଷମାନେ ଜନସାଧାରଣଙ୍କ ଦ୍ୱାରା ସିଧାସଳଖ ନିର୍ବାଚିତ ନହୋଇ ପରୋକ୍ଷ ଭାବେ କର୍ପୋରେଟର ବା କାଉନସିଲରଙ୍କ ଦ୍ୱାରା ନିର୍ବାଚିତ ହେଉଛନ୍ତି। ଏହାଦ୍ୱାରା ସେମାନଙ୍କ ପଦବୀର ଗୁରୁତ୍ୱ କମିବା ସହିତ ବିଭିନ୍ନ କାରଣରୁ ସେମାନେ ସର୍ବଦ ଅସ୍ଥିରତା ଭିତରେ ରହୁଛନ୍ତି। ଦୁର୍ବଳ ନେତୃତ୍ୱ ଯୋଗୁଁ ସେମାନେ ପୌରସଂସ୍ଥାଗୁଡ଼ିକରେ ଠିକଣା
ନିଷ୍ପତ୍ତି ନେଇପାରୁ ନାହାନ୍ତି। ଅଧିକାଂଶ ସମୟରେ ସ୍ୱାୟତ୍ତ ଶାସନ ସଂସ୍ଥାର ସାମଗ୍ରିକ ବିକାଶ ଅପେକ୍ଷା ସେମାନେ ନିର୍ବାଚିତ ହୋଇ ଆସୁଥିବା ନିର୍ଦିଷ୍ଟ ୱାର୍ଡ଼ଗୁଡ଼ିକର ବିକାଶ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ମହାନଗର ନିଗମର ମେୟର ଓ ପୌରସଂସ୍ଥା ଏବଂ ଏନଏସିଗୁଡ଼ିକର ଅଧ୍ୟକ୍ଷ ପଦ ସିଧାସଳଖ ନିର୍ବାଚନ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହାଦ୍ୱାରା ସେମାନଙ୍କ କାର୍ଯ୍ୟଧାରା, ଦୃଷ୍ଟିଭଙ୍ଗୀ ବଦଳିବା ସହିତ ସହରାଞ୍ଚଳର ବାସ୍ତବ ବିକାଶ ସାଧିତ ହେବାର ଆଶା ରହିଛି।
ଏବେ ମଧ୍ୟପ୍ରଦେଶ, ଛତିଶଗଡ଼, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ଝାଡ଼ଖଣ୍ଡ ଭଳି ଅଧିକାଂଶ ରାଜ୍ୟରେ ମେୟର ଓ ଅଧ୍ୟକ୍ଷ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଓ ମହାନଗର ନିଗମର ମେୟର ଏଣିକି ପରୋକ୍ଷ ଭାବେ ନିର୍ବାଚିତ ନହୋଇ ପ୍ରତ୍ୟକ୍ଷ ଭାବେ ଭୋଟରଙ୍କ ଦ୍ୱାରା ନିର୍ବାଚିତ ହେବେ। ପ୍ରତ୍ୟକ୍ଷ ନିର୍ବାଚନ ଦ୍ୱାରା ମେୟର ବା ଅଧ୍ୟକ୍ଷ ଅଧିକ ଦକ୍ଷତାର ସହିତ କାର୍ଯ୍ୟକରିବେ ଏବଂ ବିନା ଭୟ ବା ଅନୁଗ୍ରହରେ ବିକାଶ ଲକ୍ଷ୍ୟ ପୂରଣରେ ଦକ୍ଷତା ପ୍ରଦର୍ଶନ କରିପାରିବେ।
ତେବେ କାଉନସିଲର, କର୍ପୋରେଟର, ମେୟର ଓ ଅଧ୍ୟକ୍ଷ ପଦରେ ନିର୍ବାଚନ ଲଢ଼ିବା ପାଇଁ ଥିବା ପ୍ରତିବନ୍ଧକ ନୂଆ ବ୍ୟସ୍ଥାରେ ହଟାଇ ଦିଆଯାଇଛି। ସୁସ୍ଥ ମସ୍ତିଷ୍କ ନଥିବା ତଥା କୁଷ୍ଠ ଭଳି ବ୍ୟାଧିରେ ଆକ୍ରାନ୍ତ ବ୍ୟକ୍ତି ପୂର୍ବରୁ ଉପରୋକ୍ତ ପଦ ପାଇଁ ନିର୍ବାଚନ ଲଢ଼ିବାର ସୁଯୋଗରୁ ବଞ୍ଚିତ ହେଉଥିଲେ। ଏବେ କୁଷ୍ଠ ରୋଗର ନିରାକରଣ ହୋଇପାରୁଥିବାରୁ ଏହି କଟକଣାକୁ ହଟାଇ ଦିଆଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories