ବେଗୁନିଆ : ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରିଚାଲିଥିବାବେଳେ ପ୍ରକୃତରେ ସମସ୍ତେ ଏହାର ସୁବିଧା ପାଇପାରୁ ନାହାନ୍ତି। ଫଳରେ ନିରୀହ ଗରୀବ ଲୋକମାନଙ୍କର କେହି ସାହା ଭରସା ନଥିବା ଯୋଗୁଁ ସେମାନେ ସରକାରଙ୍କର ସମସ୍ତ ଯୋଜନାରୁ ବଞ୍ଚିତ ହୋଇ ଚୁପ ରହିବାକୁ ବାଧ୍ୟ ହେଉଛନ୍ତି । ମୃତ ବ୍ୟକ୍ତିଙ୍କର ଶବ ସତ୍କାର କରିବା ପାଇଁ ସରକାର ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଲେଖାଏଁ ଯୋଗାଇ ଦେଉଛନ୍ତି ।
ବର୍ତମାନ ସୁଦ୍ଧା ବେଗୁନିଆ ବ୍ଲକର ବିଭିନ୍ନ ପଂଚାୟତରେ ବହୁ ଲୋକ ସେମାନଙ୍କର ଆତ୍ମୀୟ ସ୍ୱଜନଙ୍କର ଶବ ସତ୍କାର କରି ବର୍ଷ ବର୍ଷ ଧରି ସହାୟତା ପାଇଁ ଚାହିଁ ବସିଥିବାବେଳେ ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରୀ ପଞ୍ଚାୟତରେ କିନ୍ତୁ ମୃତ ବ୍ୟକ୍ତି ମାନେ ଦୁଇ ଦୁଇଥର ଏହି ଯୋଜନାରେ ଉପକୃତ ହୋଇଥିବାବେଳେ ଅନେକ ମଧ୍ୟ ୨ ହଜାର ବଦଳରେ ୧ହଜାର ଠାରୁ ଆରମ୍ଭ କରି ୧୫୦୦ ଏବଂ ୨ ହଜାର ଟଙ୍କା ଲେଖାଏଁ ପାଇବା ଘଟଣା ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟରୁ ଜଣାପଡିଛି ।
ସୂଚନା ଅଧିକାର କର୍ମୀ ଏ ସଂକ୍ରାନ୍ତରେ ବିଡ଼ିଓଙ୍କୁ ତଥ୍ୟ ମାଗିବା ପରେ ବିଡ଼ିଓଙ୍କ ନିର୍ଦ୍ଦେଶରେ ବାଘମାରୀ ସରପଞ୍ଚ ସୂଚନା ଅଧିକାର କର୍ମୀଙ୍କୁ ବିଡ଼ିଓ ପ୍ରଦାନ କରିଥିବା ତଥ୍ୟରୁ ଜଣାପଡିବା ପରେ ଜନସାଧାରଣ ଏହି ଘଟଣାରେ ଆଶ୍ଚର୍ୟ୍ୟ ପ୍ରକଟ କରିଛନ୍ତି ।ଏହି ଯୋଜନାରେ ଗତ ୯ ବର୍ଷରେ ମାତ୍ର ୪୨ ହଜାର ଟଙ୍କାର ଅନୁଦାନ ଆସିଥିବାର ଜଣାପଡିଛି । ସୂଚନା ଅଧିକାର ଆଇନ ଅନୁସାରେ ମିଳିଥିବା ତଥ୍ୟରେ ମୃତ୍ୟୁ ବରଣ କରିଥିବା ଅଟ୍ରି ଗ୍ରାମର ପ୍ରଫୁଲ୍ଲ କୁମାର ମହାପାତ୍ର ସେହି ଚିଠିର ଶିରିଏଲ ନଂ୨୯ରେ ସ୍ଥାନ ପାଇ ଉକ୍ତ ଯୋଜନାରେ ୧୫୦୦ ଟଙ୍କା ପାଇଥିବା ବେଳେ ପୁନଶ୍ଚ ସେହି ଚିଠିର ସିରିଏଲ ନଂ୫୩ ରେ ତାଙ୍କର ନାମ ସ୍ଥାନ ପାଇ ୧୫୦୦ଟଙ୍କା ନେଇଥିବାର ଉଲ୍ଲେଖ ରହିଛି । ସେହିପରି ବାଘମାରୀ ଗ୍ରାମର ରମେଶ ମହାକୁଢ଼ଙ୍କ ମୃତ୍ୟୁ ପରେ ସଂପୃକ୍ତ ଚିଠିର ୫୨ ନଂ ସିରିଏଲ ରେ ତାଙ୍କ ନାମ ଉଲ୍ଲେଖ କରାଯାଇ ଶବ ସତ୍କାର ପାଇଁ ୨ହଜାର ଟଙ୍କା ଦିଆଯାଇଥିବା ବେଳେ ପୁନଶ୍ଚ ୫୭ ନଂ ସିରିଏଲରେ ତାଙ୍କ ନାମ ଉଲ୍ଲେଖ କରାଯାଇ ୨ ହଜାର ଟଙ୍କା ପ୍ରଦାନ କରାଯାଇଛି । ବାଘମାରୀ ତଳସାହିର ସ୍ବର୍ଗତ ପରମାନନ୍ଦ ପଣ୍ଡା ଗତ ୨୦୧୯ ମସିହାରୁ ମୃତ୍ୟୁ ବରଣ କରିଥିବାବେଳେ ତାଙ୍କର ବିଧବା ପତ୍ନୀ ନୀଳମଣି ପଣ୍ଡା ଦାରିଦ୍ର୍ୟତା ଯୋଗୁଁ ଉକ୍ତ ଯୋଜନାରେ ୨ ହଜାର ଟଙ୍କା ପାଇବା ପାଇଁ ଲିଖିତ ଅଭିଯୋଗ କରି ମଧ୍ୟ ଆଜି ପର୍ୟ୍ୟନ୍ତ ଏହି ଯୋଜନାରେ ମିଳିବାକୁ ଥିବା ସହାୟତା ପାଇପାରି ନାହାନ୍ତି । ସେହିପରି ବାଘମାରୀ ବ୍ର।ହ୍ମଣସାହିର ମନୋରମା ବେହେରା ଗତ୨୦୧୮ମସିହାରୁ ମୃତ୍ୟୁ ବରଣ କରିଥିବା ବେଳେ ଆଜି ପର୍ୟ୍ୟନ୍ତ ତାଙ୍କ ପରିବାର ଲୋକେ ଉକ୍ତ ଯୋଜନାରୁ ବଞ୍ଚିତ ହୋଇ ରହିଛନ୍ତି । ଏଠାରେ ଲୋକମାନେ ବର୍ଷ ବର୍ଷ ଧରି ଏହି ଯୋଜନାର ସହାୟତା ପାଇପାରୁ ନଥିବା ବେଳେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି କିପରି ଦୁଇ ଦୁଇଥର ସମ୍ପୃକ୍ତ ସହାୟତା ରାଶି ପାଇ ପାରୁଛନ୍ତି ତାହା ସାଧାରଣରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି ।
ମୃତ୍ୟୁ ପରେ ବର୍ଷ ବର୍ଷ ଧରି ଅପେକ୍ଷା କରି ପାଇ ପାରୁନାହାନ୍ତି ହରିଶ୍ଚନ୍ଦ୍ର ଯୋଜନା ସହାୟତା
Popular Categories



