ଭାରତରେ ବାର୍ଷିକ ୧ ଲକ୍ଷ କର୍ଣ୍ଣିଆ ପ୍ରତିରୋପଣ ପାଇଁ ଚାରି ଗୁଣା ଅଧିକ ଚକ୍ଷୁ ଦାତା ଆବଶ୍ୟକ
ଭୁବନେଶ୍ୱର: ସାରା ବିଶ୍ୱରେ ଦୃଷ୍ଟି ହୀନତା ହେଉଛି ଏକ ପ୍ରମୁଖ ଚିନ୍ତାର ବିଷୟ। ଭାରତରେ କର୍ଣ୍ଣିଆ, ଆଖିର ସ୍ୱଚ୍ଛ ବାହ୍ୟ ସ୍ତରରେ କ୍ଷତି କାରଣରୁ ୨୦ ଲକ୍ଷ ଲୋକ ଦୃଷ୍ଟିହୀନତା ସମସ୍ୟାରେ ପୀଡ଼ିତ ଥିବା ଏକ ଆକଳନରୁ ଜଣାଯାଇଛି। ଯଦି ଚକ୍ଷୁର ପ୍ରତିରୋପଣକୁ ସଠିକ୍ ସମୟରେ କରାଯାଏ ତେବେ ଏହି କର୍ଣ୍ଣିଆ ଜନିତ ସମସ୍ୟାର ଏକ ଚତୁର୍ଥାଂଶକୁ ହ୍ରାସ କରାଯାଇପାରିବ। ଶରୀରର ଅନ୍ୟ ଅଙ୍ଗ ପରି ଆଖିର କର୍ଣ୍ଣିଆକୁ ମୃତ୍ୟୁ ପରେ ଦାନ କରାଯାଇପାରେ। ପୂର୍ବରୁ ରହିଥିବା ସଂଖ୍ୟା ସହିତ ପ୍ରତି ବର୍ଷ ଦଶ ହଜାର ନୂଆ କର୍ଣ୍ଣିଆ ଜନିତ ଦୃଷ୍ଟିହୀନତା ସମସ୍ୟା ଏଥିରେ ଯୋଗ ହେଉଛି। ଏହି ସମସ୍ୟାକୁ ଦୂର କରିବା ପାଇଁ କର୍ଣ୍ଣିଆ ପ୍ରତିରୋପଣର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଜନସାଧାରଣ ଚକ୍ଷୁ ଦାନ ସମ୍ପର୍କରେ ସଚେତନ ହେବା ଆବଶ୍ୟକ। ଚଳିତ ଜାତୀୟ ଚକ୍ଷୁ ଦାନ ପକ୍ଷରେ ସମସ୍ତେ ଚକ୍ଷୁ ଦାନ କରିବାର ଗୁରୁତ୍ୱ ବିଷୟରେ ଜାଣିବା ଆବଶ୍ୟକ ବୋଲି ଡା. ଅଗ୍ରୱାଲ୍ସ ଆଇ ହସ୍ପିପିଟାଲ, ଓଡ଼ିଶାର କନ୍ସଲଟାଂଟ ଅପଥାଲମୋଲୋଜିଷ୍ଟ ଡାକ୍ତର ଆର ଏନ୍ ଭି ରଘୁନାଥ ରାଓ କହିଛନ୍ତି।
ତାଙ୍କ ମତରେ ଜଣେ ଚକ୍ଷୁ ଦାତା ଯେକୌଣସି ଲିଙ୍ଗ ବା ବୟସର ହୋଇପାରନ୍ତି। ଅନ୍ୟପକ୍ଷରେ କିଛି ଘଟଣା ରହିଛି ଯେଉଁ କ୍ଷେତ୍ରରେ ରୋଗୀମାନେ ଚକ୍ଷୁ ଦାନ କରିପାରିବେ ନାହିଁ ଯଥା ଏଡସ, ହେପାଟାଇଟିସ୍ ବି ଓ ସି, ରାବିସ୍, ସେପ୍ଟିକାଏମିଆ, ଆକ୍ୟୁଟ ଲ୍ୟୁକେମିଆ (ରକ୍ତ କର୍କଟ), ଟିଟାନସ୍, କଲେରା ଓ ସଂକ୍ରାମକ ରୋଗ ଯଥା ମେନିନ୍ଜାଇଟିସ୍ ଓ ଏନସିଫାଲିଟିସ୍। ଚକ୍ଷୁ ଦାନ ନିମନ୍ତେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁର ଛଅରୁ ଆଠ ଘଂଟା ମଧ୍ୟରେ ତାଙ୍କ ଚକ୍ଷୁ ସଂଗ୍ରହ କରାଯିବା ଉଚିତ। ଚକ୍ଷୁ ସଂଗ୍ରହ କରିବା ପରେ ଏହାକୁ ମୂଲ୍ୟାୟନ ଓ ପରବର୍ତି ଆବଂଟନ ପାଇଁ ଚକ୍ଷୁ ବ୍ୟାଙ୍କକୁ ପଠା ଯାଇଥାଏ। ଏହି ଚକ୍ଷୁକୁ ତାଲିମପ୍ରାପ୍ତ ଟେକ୍ନିସିଆନଙ୍କ ଦ୍ୱାରା ଆନ୍ତର୍ଜାତିକ ମାନକ ଅନୁସାରେ ମୂଲ୍ୟାୟନ କରାଯାଇଥାଏ। ଯୋଗ୍ୟ ଦୃଷ୍ଟିହୀନ ରୋଗୀଙ୍କୁ ସେମାନଙ୍କର ଅପେକ୍ଷା ତାଲିକା ହିସାବରେ ଡକା ଯାଇଥାଏ। ଚକ୍ଷୁ ଦାନର ଗୁରୁତ୍ୱ ସମ୍ପର୍କରେ ଡାକ୍ତର ରଘୁନାଥ ରାଓ କହିଛନ୍ତି ଯେ, ଖୁବ୍ କମ୍ ବା ସଚେତନତାର ଅଭାବ, ସାମାଜିକ ବା ଧାର୍ମିକ ସଂରକ୍ଷଣ ଓ ଆହୁରି ଅନେକ କାରଣ ହେତୁ ଚକ୍ଷୁ ଦାନ ଏବେ ମଧ୍ୟ ଆମ ଦେଶରେ ଆବଶ୍ୟକୀୟ ଗୁରୁତ୍ୱ ଲାଭ କରିପାରି ନାହିଁ। ସେ କହିଛନ୍ତି ଯେ ଏବେ ଭାରତରେ ବର୍ଷକୁ ମାତ୍ର ୫୦,୦୦୦ ଚକ୍ଷୁ ଦାନ କରାଯାଉଛି। ଅନ୍ୟ ଶବ୍ଦରେ କହିବାକୁ ଗଲେ ଗୋଟିଏ ବର୍ଷରେ ମୃତ୍ୟୁବରଣ କରିଥିବା ୧ କୋଟି ଲୋକଙ୍କ ମଧ୍ୟରୁ ମାତ୍ର ୦.୫% ବ୍ୟକ୍ତିଙ୍କ ଠାରୁ ଚକ୍ଷୁ ସଂଗ୍ରହ କରାଯାଉଛି। ତେଣୁ ଚକ୍ଷୁ ଦାନ କରିବା ସମ୍ପର୍କରେ ସଚେତନତାର ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଏହା ସହିତ ଚକ୍ଷୁ ବ୍ୟାଙ୍କ ଓ ଗବେଷଣା କେନ୍ଦ୍ରର ବିକାଶ କରାଯିବାର ଆବଶ୍ୟକତା ରହିଛି ଯଦ୍ୱାରା ଅଧିକ ଚକ୍ଷୁ ସଂଗ୍ରହ କରାଯାଇପାରିବ।
Comments are closed.