ଓଡ଼ିଶା ଦୂରସଂଚାର ବଜାରରେ ଜିଓ ସର୍ବାଗ୍ରେ
ଭୁବନେଶ୍ୱର: ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ପ୍ରଭାବ ଜାରି ରଖି ରିଲାଏନ୍ସ ଜିଓ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ରାଜ୍ୟ ଦୂରସଂଚାର ବଜାରର ୫୨.୩% ମୋଟ ରାଜସ୍ୱ ବଜାର ଅଂଶ ସହ ଏହାର ଅଗ୍ରଣୀ ସ୍ଥିତିକୁ ଆହୁରି ସମ୍ପ୍ରସାରିତ କରିଥବା ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଆର୍ଥିକ ରିପୋର୍ଟରୁ ଜଣାପଡ଼ିଛି। ୨୦୨୧ ଜୁନ୍ ୩୦ରେ ଶେଷ ହୋଇଥିବା ତ୍ରୟମାସରେ ଓଡ଼ିଶାରେ ଜିଓ ହାସଲ କରିଥିବା ୫୨.୩% ମୋଟ ରାଜସ୍ୱ ବଜାର ଅଂଶ ହେଉଛି ଭାରତର ସବୁ ଟେଲିକମ୍ ସର୍କଲ୍ଗୁଡ଼ିକ ମଧ୍ୟରେ ଦ୍ୱିତୀୟ ସର୍ବାଧିକ ବୋଲି ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି। ସେହି ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ଏହି କ୍ଷେତ୍ରରେ ମୋଟ ରାଜସ୍ୱ ପୂର୍ବ ତ୍ରୟମାସ ତୁଳନାରେ ଏପ୍ରିଲ୍ ରୁ ଜୁନ୍ ତ୍ରୟମାସରେ ସ୍ଥିର ରହିଥିବା ବେଳେ ରିଲାଏନ୍ସ ଜିଓ ମୋଟ ରାଜସ୍ୱରେ ୪.୯% ଅଭିବୃଦ୍ଧି ହାସଲ କରିଛି। ଏହି ସମୟରେ ଏୟାରଟେଲ୍ ୩.୭% ଅଭିବୃଦ୍ଧି ରହିଥିବା ବେଳେ ଉଭୟ ଭୋଡାଫୋନ୍ ଆଇଡିଆ ଓ ବିଏସ୍ଏନ୍ଏଲ୍ର ମୋଟ ରାଜସ୍ୱ ଏହି ସମୟରେ ହ୍ରାସ ପାଇଛି। ଏଥିସହିତ ଜିଓ ଓଡ଼ିଶାର ଟେଲିକମ୍ କ୍ଷେତ୍ରରେ ୫୨.୩ ପ୍ରତିଶତ ମୋଟ ରାଜସ୍ୱ ବଜାର ଅଂଶ ସହ ନେତୃତ୍ୱ ସ୍ଥାନକୁ ଅଧିକ ସୂଦୃଢ କରିଥିବା ବେଳେ, ଏହା ପଛକୁ ଭାରତୀ ଏୟାରଟେଲ୍ର ରାଜସ୍ୱ ବଜାର ଅଂଶ ୩୮%, ଭୋଡାଫୋନ୍ ଆଇଡିଆର ୪.୮% ଓ ବିଏସ୍ଏନ୍ଏଲ୍ର ୪.୫% ରହିଛି। ଏହି ରିପୋର୍ଟ ଅନୁଯାୟୀ, ଏପ୍ରିଲ୍-ଜୁନ୍ ତ୍ରୟମାସରେ ଓଡ଼ିଶାରେ ଟେଲିକମ୍ କ୍ଷେତ୍ରରେ ମୋଟ ରାଜସ୍ୱ ୧୨୨୮ କୋଟି ଟଙ୍କା ରହିଛି, ଯାହାମଧ୍ୟରୁ ଜିଓର ଭାଗ ସର୍ବାଧିକ ୬୪୨.୭ କୋଟି ଟଙ୍କା ରହିଛି। ଏହା ପଛକୁ ଭାରତୀ ଏୟାରଟେଲ୍ର ୪୬୭.୨ କୋଟି ଟଙ୍କା, ଭୋଡାଫୋନ୍ ଆଇଡିଆର ୫୮.୬ କୋଟି ଟଙ୍କା ଓ ବିଏସ୍ଏନ୍ଏଲ୍ର ୫୪.୭ କୋଟି ଟଙ୍କା ରହିଛି।
Comments are closed.