www.samajalive.in
Sunday, December 7, 2025
14.1 C
Bhubaneswar

ମେଗା ପ୍ରକଳ୍ପ ପେଟି ଠିକାଦାରଙ୍କ ଦାଦାଗିରି; ବକେୟା ପାଉଣା ମାଗିବାରୁ ଶ୍ରମିକଙ୍କୁ ମାରିଦେବାକୁ ଧମକ ଅଭିଯୋଗ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ତିରଡଠାରେ ନିର୍ମାଣାଧିନ ବୃହତ ଉଠାଜଳସେଚନ ପ୍ରକଳ୍ପ ପେଟି ଠିକାଦାରଙ୍କ ଦାଦାଗିରି ଯୋଗୁଁ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ବକେୟା ପାଉଣା ପାଇବାରୁ ବଂଚିତ ହୋଇଥିବା ଜଣାପଡିଛି। ବକେୟା ପାଉଣା ମାଗିଲେ ପେଟି ଠିକାଦାର ଶ୍ରମିକଙ୍କୁ ମାରିଦେବାକୁ ଧମକ ଦେବାଭଳି ସାଂଘାତିକ ଅଭିଯୋଗ ଶ୍ରମିକ, ମିସ୍ତ୍ରୀମାନଙ୍କ ପକ୍ଷରୁ ହରଭଙ୍ଗା ଥାନାରେ ଲିଖିତଭାବେ କରାଯାଇଛି।

ସେମାନଙ୍କ ଅଭିଯୋଗ ଅନୁସାରେ, ତିରଡ ଗ୍ରାମର ସଂଜୟ ଦେହୁରୀ, ଉପେନ୍ଦ୍ର ନାଏକ, ବିପିନ ନାଏକ, ଦାଶରଥି ବେହେରା, ଅକ୍ଷୟ ଦେହୁରୀ, ବିଜୟ ଡାଳୁଆ, ପ୍ରଫୁଲ ସାହୁ, ସରୋଜ ସ୍ୱାଇଁ, ଅପୁ ଡାଳୁଆ, ବାବୁଲା ଡାଳୁଆ, ଦିଗାମ୍ବର ବେହେରା, ଗୋବର୍ଦ୍ଧନ କୁଦେଇ, ଅନିଲ ଦାସ, ବିଭୁତି ବେହେରା ଭଳି କୋଡିଏରୁ ଅଧିକ ଲୋକ ଏହି ପ୍ରକଳ୍ପ କାର୍ଯ୍ୟରେ ଦୀର୍ଘ ଏକ ମାସହେଲା ଶ୍ରମିକ, ମିସ୍ତ୍ରୀ, ରଙ୍ଗମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଶ୍ରମିକ ମଜୁରୀ ପାଇଁ ବାରମ୍ବାର କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଗୁହାରୀ କଲେ ମଧ୍ୟ ମଜୁରୀ ପ୍ରଦାନରେ ଅହେତୁକ ବିଳମ୍ବ ଯୋଗୁଁ ଗତ ୧୬ତାରିଖ ସମସ୍ତେ କାମ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ । କାମ ବନ୍ଦ ପରେ କମ୍ପାନୀ ଇନଚାର୍ଜ ଦାୟିତ୍ୱରେ ଥିବା ଫିଦୋଶ ସେମାନଙ୍କୁ ୨୩ତାରିଖ ସୁଦ୍ଧା ବକେୟା ପାଉଣା ପ୍ରଦାନ କରିବା ପାଇଁ କହିଥିଲେ।ମାତ୍ର ଏହାପରେ ବି ପାଉଣା ପ୍ରଦାନ କଲେନାହିଁ। ମଜୁରୀ ପଇସା ମାଗିଲେ ଆକ୍ରମଣର ଧମକ ଦେବା ସହ ବେଶି କଥା କହିଲେ ସମସ୍ତଙ୍କୁ ନଦୀରେ ମାରି ଭସାଇ ଦେବି ବୋଲି ଓଲଟି ଧମକ ଦେଇଥିଲା। ଗତ ୨୪ ତାରିଖରେ ସେମାନଙ୍କୁ ଏକ ଲୁହାରଡ ଧରି ଆକ୍ରମଣ କରିବାକୁ ଗୋଡେଇଥିଲା ବୋଲି ଅଭିଯୋଗରେ ଶ୍ରମିକମାନଙ୍କ ପକ୍ଷରୁ ଦର୍ଶାଯାଇଛି। ପ୍ରକଳ୍ପ ପେଟି ଠିକାଦାରଙ୍କ ଏଭଲି ଦାଦାଗିରି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୯ନଂ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ ଦାବୀ କରିଛନ୍ତି। ଏ ନେଇ ଶ୍ରମିକମାନଙ୍କ ପକ୍ଷରୁ ଶୁକ୍ରବାର ଜିଲ୍ଲା ଶ୍ରମଅଧିକାରୀଙ୍କ ନିକଟରେ ଅଭିଯୋଗ ମଧ୍ୟ କରାଯାଇଥିବା ଜଣାପଡିଛି। ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ ପ୍ରଧାନ ମଧ୍ୟ ଘଟଣାକୁ ଗୁରୁତର ସହ ଗ୍ରହଣ କରି ଆସନ୍ତା ୩୦ ତାରିଖ ସୁଦ୍ଧା ସେମାନଙ୍କ ପାଉଣା ପ୍ରଦାନ ପାଇଁ ବନ୍ଦୋବସ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏ ସଂର୍ପକରେ ହରଭଙ୍ଗା ଥାନା ଏଏସଆଇ ପ୍ରାଣବନ୍ଧୁ ସାହୁଙ୍କୁ ପଚାରିବାରୁ ଶ୍ରମିକମାନଙ୍କ ପକ୍ଷରୁ ଏକ ଲିଖିତ ଅଭିଯୋଗ ଉପରେ ତଦନ୍ତ ଚାଲିଥିବା କହିଛନ୍ତି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories