ସତ୍ୟାନାଶୀ ସି ଝେଙ୍ଗ୍ଲି
ନୂଆଦିଲ୍ଲୀ: ପରମାଣୁ ବୋମା ତିଆରି କରି ରବର୍ଟ ଓପେନ୍ହେମର୍ ଯେମିତି ବିଶ୍ବବାସୀଙ୍କ ଚକ୍ଷୁରେ ଧ୍ବଂସକାରୀ ଭାବେ ଉଭା ହୋଇଥିଲେ ଏବେ ଚୀନ୍ର ‘ବ୍ୟାଟ୍ ଲେଡି’ ଭାବେ ପରିଚିତ ଭୂତାଣୁ ବିଜ୍ଞାନୀ ସି ଝେଙ୍ଗ୍ଲି ସେଭଳି ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ତୃତୀୟ ବିଶ୍ବଯୁଦ୍ଧକୁ ଲକ୍ଷ୍ୟରଖି ଚୀନ୍ ଯେଉଁ ଜୈବିକ ଅସ୍ତ୍ର ପ୍ରସ୍ତୁତି ଯୋଜନା ଚଳାଇଥିଲା ତାହାର ଜନନୀ ହେଉଛନ୍ତି ଝେଙ୍ଗ୍ଲି। ୨୦୧୫ରେ ସେ ଉହାନ୍ସ୍ଥିତ ଭୂତାଣୁ ଗବେଷଣା ପ୍ରତିଷ୍ଠାନରେ କରୋନା ଭୂତାଣୁକୁ ସୃଷ୍ଟି କରିଥିଲେ। ତାଙ୍କୁ ଏଥିରେ ସହାୟତା କରିଥିଲେ ଆରେମିକାର ୟୁନିଭର୍ସିଟି ଅଫ ନର୍ଥ କରୋଲିନାର ଗବେଷକ ରାଲ୍ଫ୍ ଏସ୍ ବାରିକ୍। ଆହୁରି ବିସ୍ମୟର ବିଷୟ ହେଉଛି; ଏବେ କରୋନା ଭୂତାଣୁ ପାଇଁ ଚୀନ୍କୁ ଦୋଷ ଦେଉଥିବା ଆମେରିକା ହିଁ ଏହାର ସୃଷ୍ଟି ପାଇଁ ଚାଲିଥିବା ଗବେଷଣାକୁ ଆର୍ଥିକ ସହାୟତା ଯୋଗାଇଥିଲା। ସମ୍ପ୍ରତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା କରୋନା ଭୂତାଣୁର ଉତ୍ପତ୍ତି ଅନୁଧ୍ୟାନ ପାଇଁ ଉହାନ୍ ଯାଇଥିବା ବିଶେଷଜ୍ଞ ଦଳର ଅନ୍ୟତମ ସଦସ୍ୟ ତଥା ଆମେରିକୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀ ପିଟର ଡାସ୍ଜାକ୍ ଏହି ଆର୍ଥିକ ଅନୁଦାନର ମୁଖ୍ୟ କାର୍ପଟଦାର ଥିଲେ। ତାଙ୍କୁ ଏହି ପ୍ରକଳ୍ପର ଠିକାଦାର ବୋଲି କୁହାଯାଉଥିଲା। ତାଙ୍କ ମାଧ୍ୟମରେ ୨୦୦୫ରୁ ୨୦୧୯ ପର୍ଯ୍ୟନ୍ତ ଆମେରିକା ପ୍ରବଳ ଅର୍ଥ ବ୍ୟୟ କରିଛି।
ବର୍ତ୍ତମାନ ସେ ଭୂତାଣୁର ଉତ୍ପତ୍ତି ନେଇ ଚାଲିଥିବା ବିବାଦକୁ ଚାପିବାର ଠିକା ନେଇଥିବା ଆନ୍ତର୍ଜାତିକ ମହଲରେ ଚର୍ଚ୍ଚା ହେଉଛି। ଝେଙ୍ଗ୍ଲି ଯଦି କରୋନା ମହାମାରୀର ମୁଖ୍ୟ ଖଳନାୟିକା ବା ‘ସତ୍ୟାନାଶୀ’ ହୁଅନ୍ତି; ତେବେ ଡାସ୍ଜାକ୍ ମାମଲାକୁ ଚପାଇଦେବା ପାଇଁ ଅନ୍ୟତମ ଖଳନାୟକ ସାଜିଛନ୍ତି। ମଣିଷ ଦ୍ବାରା ପରୀକ୍ଷାଗାରରେ ଯୋଜନାବଦ୍ଧ ଭାବେ ଏହି ବିନାଶକାରୀ ଭୂତାଣୁ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏହା ବାଦୁଡ଼ି ଦ୍ବାରା ଉହାନ୍ର ମାଂସ ବଜାରରେ ଜନ୍ମ ନେଇଥିବା ଓ ସଂକ୍ରମିତ ହୋଇଥିବା ମିଛ ପ୍ରଚାର କରାଯାଉଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ବାସ୍ତବ ତଥ୍ୟ ମିଳୁ ନାହିଁ’ ବୋଲି କହି ମିଛକୁ ପ୍ରଶ୍ରୟ ଦେଉଛି।
ଏହି ଷଡ଼ଯନ୍ତ୍ର ଉପରୁ ପରଦା ହଟାଇଛନ୍ତି ପ୍ରଖ୍ୟାତ ବିଜ୍ଞାନ ଲେଖକ ତଥା ସାମ୍ବାଦିକ ନିକୋଲାସ୍ ୱାଡେ। ‘ନେଚର’ ଓ ‘ସାଇନ୍ସ’ ଭଳି ପତ୍ରିକା ସହ ‘ନ୍ୟୁ ୟର୍କ ଟାଇମ୍ସ’ର ସାମ୍ବାଦିକ ଥିବା ୱାଡେ ଏକ ନିବନ୍ଧରେ ଲେଖିଛନ୍ତି ଯେ ୨୦୦୨ରେ ବ୍ୟାପିଥିବା ‘ସାର୍ସ’ ଭୂତାଣୁଠାରୁ ଅଧିକ ମାରାତ୍ମକ ଭୂତାଣୁ ସୃଷ୍ଟି ପାଇଁ ଚୀନ୍ ସେନା ‘ପିପୁଲ୍ସ ଲିବରେସନ୍ ଆର୍ମି’ ଅଧୀନ ଉହାନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜିରେ ଉଦ୍ୟମ ଆରମ୍ଭ ହୋଇଥିଲା। ଏହାର ନେତୃତ୍ବ ନେଇଥିଲେ ‘ବ୍ୟାଟ୍ ଲେଡି’। ସାର୍ସ ଭୂତାଣୁ ବାଦୁଡ଼ି ମାଧ୍ୟମରେ ବ୍ୟାପିଥିଲା ବୋଲି କୁହାଯାଇଥିଲା। ଉହାନ୍ରେ ମଧ୍ୟ ବାଦୁଡ଼ି ନାହାନ୍ତି। ସେ ଉହାନ୍ରୁ ୧୫୦୦କିମି ଦୂର ଉନ୍ନାନ ପ୍ରଦେଶକୁ ଯାଇ ପରୀକ୍ଷା ଉଦ୍ଦେଶ୍ୟରେ ଶତାଧିକ ବାଦୁଡ଼ି ଆଣିଥିଲେ। ବାରିକ୍ଙ୍କ ସହ ମିଶି ଝେଙ୍ଗ୍ଲି ମଣିଷର ଶରୀର କୋଷକୁ ସିଧାସଳଖ ଆକ୍ରମଣ କଲା ଭଳି ମାରାତ୍ମକ ଭୂତାଣୁ ସୃଷ୍ଟି ପାଇଁ ବୈଷୟିକ ଉପାୟରେ ଉଦ୍ୟମ କଲେ। ସାର୍ସ ଭୂତାଣୁର ମେରୁଦଣ୍ଡକୁ ନେଇ ଜିନ୍ ପରିବର୍ତ୍ତନ ମାଧ୍ୟମରେ ଓ ରାସାୟନିକ ଉପାୟରେ ୨୦୧୫ ନଭେମ୍ବରରେ ସେ ଯେଉଁ ଭୂତାଣୁ ସୃଷ୍ଟିକଲେ ତାହା ବାୟୁ ମାଧ୍ୟମରେ ବ୍ୟାପିବା ସହ କୌଣସି ଟିକା ଓ ଔଷଧ ଯେମିତି ଏହାର ମୁକାବିଲା କରି ନ ପାରିବ ସେଭଳି ଭାବରେ ଏହାକୁ ମାରାତ୍ମକ ରୂପ ଦେଲେ।
ପ୍ରଥମେ ଏହାର ପରୀକ୍ଷା ବାଦୁଡ଼ି ଓ ମନୁଷ୍ୟକୃତ ମୂଷା ଶରୀରରେ କରାଯାଇ ସଫଳତା ଲାଭ କରିଥିଲା। ‘ଏହା ଆଦୌ ପ୍ରାକୃତିକ ନୁହେଁ; ବରଂ ସମ୍ପୂର୍ଣ୍ଣ ରୂପେ ମଣିଷକୃତ ଭୂତାଣୁ। ଏହାର ଧ୍ବଂସକାରୀ ଭୂମିକା କେହି କଳନା କରିବା ସମ୍ଭବ ନୁହେଁ’ ବୋଲି ଭୂତାଣୁ ବିଜ୍ଞାନୀମାନେ ମତ ଦେଲେ। ଡାସ୍ଜାକ୍ କରୋନା ସଂକ୍ରମଣର ଅବ୍ୟବହିତ ପୂର୍ବରୁ, ୨୦୧୯ ଡିସେମ୍ବର ୯ରେ ଦେଇଥିବା ଏକ ସାକ୍ଷାତ୍କାରରେ ଭୂତାଣୁର ମାରାତ୍ମକ ରୂପ ସମ୍ପର୍କରେ ସ୍ବୀକାର କରିଥିଲେ। ଉହାନ୍ ଗବେଷଣାଗାରରେ ଏହା କେତେକଙ୍କ କୋଷକୁ ଆକ୍ରାନ୍ତ କରିଥିବା ସେ କହୁକହୁ କହିଦେଇଥିଲେ। ଏହି ଭୂତାଣୁ ଥରେ ପରୀକ୍ଷାଗାର ବାହାରକୁ ଖସି ଗଲେ ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ ବୋଲି ସେ କହିଥିଲେ। ଏହି ଭୂତାଣୁର ନାମକରଣ ପାଇଁ ଚୀନ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ନାନା ଉଦ୍ୟମ କରିବା ପରେ ‘କୋଭିଡ୍-୧୯’ ରଖିଲେ।
କରୋନା ଭୂତାଣୁ ବାୟୁବାହିତ ଏବଂ ମଣିଷଙ୍କୁ ପ୍ରତ୍ୟକ୍ଷ ଭାବେ ସଂକ୍ରମିତ କରେ। ଏହା ବାଦୁଡ଼ି କିମ୍ବା କୌଣସି ଜୀବଜନ୍ତୁଙ୍କ ଦ୍ବାରା ବ୍ୟାପେ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେବା ସତ୍ତ୍ବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁଧ୍ୟାନ ନାମରେ ଚୀନ୍ ପ୍ରରୋଚନାରେ ବିଶ୍ବବାସୀଙ୍କୁ ଦେଢ଼ ବର୍ଷ ଧରି ଭୂଆଁ ବୁଲାଇଚାଲିଥିବା କ୍ରମଶଃ ସ୍ପଷ୍ଟ ହୋଇଛି। ୱାଡେଙ୍କ ମତରେ ସର୍ବାଧିକ ୫୦କିମି ଉଡ଼ିବା ଶକ୍ତି ରଖିଥିବା ବାଦୁଡ଼ି ଉନ୍ନାନ୍ରୁ ୧୫୦୦କିମି ଦୂର ଉହାନ୍କୁ ଆସି କେବଳ ମାଂସ ବଜାରରେ ପ୍ରାଣୀଙ୍କୁ ସଂକ୍ରମଣ କରିବା କେବଳ ଗପ। ଚୀନ୍ବାସୀ ମଧ୍ୟ ଏହାକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନାହାନ୍ତି। ଏହି ପରିପ୍ରେକ୍ଷୀରେ ଭୂତାଣୁ ଉତ୍ସ ଠାବ ପାଇଁ ଉଦ୍ୟମ ଯେତିକି ଗୁରୁତ୍ବପୂର୍ଣ୍ଣ; ଏହାର ପ୍ରତିକାର ବିଧାନ ମଧ୍ୟ ବିଶ୍ବବାସୀଙ୍କ ପାଇଁ ତତୋଽଧିକ ମହତ୍ତ୍ବପୂର୍ଣ୍ଣ। ଚୀନ୍ ଏହି ଜୈବିକ ଅସ୍ତ୍ର ପ୍ରସ୍ତୁତିରେ ସଫଳ ହେବା ପରେ ଈର୍ଷାନ୍ବିତ ଆମେରିକା ରାଜନୈତିକ କାରଣରୁ ଚୀନ୍ର ପିଛା ପଡ଼ିଥିବା କୁହାଯାଉଛି। ସୂଚନାଯୋଗ୍ୟ ଯେ ବ୍ୟାଟ୍ ଲେଡି ଝେଙ୍ଗ୍ଲିଙ୍କୁ ଚୀନ୍ ସରକାର ଦେଶର ଶୀର୍ଷ ସମ୍ମାନରେ ସମ୍ମାନିତ କରିଛନ୍ତି।
Comments are closed.