www.samajalive.in
Monday, December 15, 2025
24.1 C
Bhubaneswar

ଗଙ୍ଗାନଦୀରେ ଭାସୁଛି ୪୫ରୁ ଅଧିକ ମୃତଦେହ

ପାଟନା: ଉତ୍ତର ପ୍ରଦେଶ ଏବଂ ବିହାର ସୀମାନ୍ତରେ ଗଙ୍ଗାନଦୀରେ ୪୫ରୁ ଅଧିକ ମଣିଷଙ୍କ ମୃତଦେହ ଭାସୁଛି। ସେଗୁଡିକ ପଚିଯାଇ ଏବେ ବିହାର ପଟ ବକ୍ସର ଜିଲାର ଚଉସା ନିକଟରେ ନଦୀ କୂଳରେ ଲାଗିରହିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ ସହିତ ସମଗ୍ର ବକ୍ସର ଜିଲାରେ ଆତଙ୍କ ଖେଳିଯାଇଛି। ଲୋକମାନେ ଗତକାଲି ସକାଳେ ନଦୀ କୂଳରେ ମୃତଦେହଗୁଡିକୁ ଦେଖିବାପରେ ତୁରନ୍ତ ପ୍ରଶାସନକୁ ଜଣାଇଥିଲେ। ପ୍ରଶାସନ ସେଠାରେ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛି। ତେବେ ସେଗୁଡିକ ଉତ୍ତରପ୍ରଦେଶରୁ ନଦୀ ସ୍ରୋତରେ ଭାସିଆସିଥିବା ଅନୁମାନ କରୁଛି ସ୍ଥାନୀୟ ପ୍ରଶାସନ। ସମ୍ଭବତଃ ଉତ୍ତରପ୍ରଦେଶରେ କୋଭିଡରେ ପ୍ରାଣ ହରାଇଥିବା ଏହି ଲୋକମାନଙ୍କ ପରିବାରବର୍ଗ ଓ ସଂପର୍କୀୟମାନେ ସେଗୁଡିକର ଅନ୍ତିମ ସଂସ୍କାର କରିବାକୁ ଅକ୍ଷମ ହେବାପରେ ସେଗୁଡିକୁ ନଦୀରେ ଫିଙ୍ଗି ଦିଆଯାଇଥିବା ଅନୁମାନ କରିଛନ୍ତି ସ୍ଥାନୀୟ ପ୍ରଶାସନ। ଏହା ପୂର୍ବରୁ ଶନିବାର ଦିନ ଯମୁନା ନଦୀରେ ବହୁସଂଖ୍ୟକ ଅଧାପୋଡା ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା।
ଚଉସାର ଜିଲା ଅଧିକାରୀ ଅଶୋକ କୁମାର ଗଙ୍ଗା ନଦୀକୂଳରେ ଥିବା ମହାଦେବ ଘାଟକୁ ଯାଇ ନିଜେ ମୃତଦେହଗୁଡିକ କୂଳରେ ଭାସୁଥିବା ଏବଂ ଆଉକିଛି କୂଳରେ ଲାଗିରହିଥିବା ଦେଖିଥିଲେ। ସ୍ଥାନୀୟ କିଛି ଲୋକଙ୍କ କହିବା ଅନୁଯାୟୀ ପ୍ରାୟ ଶହେଟି ମୃତଦେହ ନଦୀରେ ଭାସୁଛି। ଅନ୍ୟଜଣେ ସ୍ଥାନୀୟ ଅଧିକାରୀ କେ କେ ଉପାଧ୍ୟାୟ କହିଛନ୍ତି ଯେ ସମ୍ଭବତଃ ପାଞ୍ଚରୁ ସାତଦିନ ହେବ ଏହି ମୃତଦେହଗୁଡିକ ପାଣିରେ ଭାସୁଛି। ତେବେ ସ୍ଥାନୀୟ ପ୍ରଶାସନ ସେଗୁଡିକୁ ପାଣିରୁ କାଢି ତାହାର ଅନ୍ତିମ ସଂସ୍କାର କରିବାକୁ ପଦକ୍ଷେପ ନେଉଛନ୍ତି। ଏହି ମୃତଦେହଗୁଡିକୁ ଉତ୍ତରପ୍ରଦେଶର ବାହାରାଇଚ୍‍, ବାରାଣସୀ ଅଥବା ଆଲ୍ଲାହାବାଦରେ ଫିଙ୍ଗାଯାଇଛି, ସେ ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ଅଧିକାରୀ। ଗଙ୍ଗା ନଦୀରେ ଏତେସଂଖ୍ୟକ ମୃତଦେହ ଭାସିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଏହାଦ୍ୱାରା ଉକ୍ତ ଅଞ୍ଚଳରେ କୋଭିଡ ସଂକ୍ରମଣ ବ୍ୟାପିବା ଆଶଙ୍କା ବୃଦ୍ଧିପାଇଛି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଶନିବାର ଦିନ ହମିରପୁର ନିକଟରେ ଯମୁନା ନଦୀରେ ବହୁ ସଂଖ୍ୟକ ଅଧାପୋଡା ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ବିହାର ଓ ଉତ୍ତରପ୍ରଦେଶ ମଧ୍ୟରେ ଟଣା ଓଟରା ଆରମ୍ଭ ହୋଇଯାଇଛି। ଏହିଭଳି ଘଟଣାରୁ କୋଭିଡଜନିତ ପ୍ରକୃତ ମୃତ୍ୟୁସଂଖ୍ୟାକୁ ସରକାର ଲୁଚାଉଥିବା ଏବେ ସର୍ବସମ୍ମୁଖକୁ ଆସିଥିବା କହିଛି କଂଗ୍ରେସ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories