www.samajalive.in
Monday, December 15, 2025
16.1 C
Bhubaneswar

ଓଡ଼ିଆ ଅସ୍ମିତା ଓ ସ୍ବାଭିମାନର ପ୍ରତୀକ ମଧୁବାବୁ

ଆମର ଭାଷାଟିଏ ଥିଲା ବୋଲି ଭୂମିଟିଏ ପାଇଛୁ ଏବଂ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟର ମାନ୍ୟତା ପାଇଛି ଓଡ଼ିଶା। ଏହା ନେପଥ୍ୟରେ ଥିଲା ଯାହାଙ୍କର ବଳିଷ୍ଠ ଉଦ୍ୟମ, ସେ ହେଉଛନ୍ତି ଓଡ଼ିଆ ଅସ୍ମିତା ଓ ସ୍ବାଭିମାନର ପ୍ରତୀକ ମଧୁବାବୁ। ଜୀବନର ଅଙ୍କାବଙ୍କା ରାସ୍ତାରେ ବହୁ ଘାତପ୍ରତିଘାତ ଦେଇ ଯାତ୍ରା କରିଥିଲେ ମଧ୍ୟ ଓଡ଼ିଆ ଭାବେ ନିଜର ଆତ୍ମ ପରିଚୟକୁ ସେ କେବେବି ପାସୋରି ନଥିଲେ। ଓଡ଼ିଶାର ପ୍ରଥମ ବି.ଏ., ପ୍ରଥମ ଏମ.ଏ, ପ୍ରଥମ ବି.ଏଲ, ପ୍ରଥମ ଓଡ଼ିଆ ଓକିଲ, ଶିଳ୍ପ ସମୃଦ୍ଧ ରାଜ୍ୟ ତଥା ସ୍ବତନ୍ତ୍ର ପ୍ରଦେଶ ଗଠନର ପ୍ରଥମ ସ୍ବପ୍ନଦର୍ଶୀ ଥିଲେ ସେ। ଆହୁରି ଅନେକ କଥାରେ ସେ ଥିଲେ ନିଜେ ନିଜର ଦୃଷ୍ଟାନ୍ତ। ତାଙ୍କ ଜୀବନର ବହୁବର୍ଣ୍ଣା ଦିଗ-ଦିଗନ୍ତକୁ ଅଳ୍ପ କିଛି ଶବ୍ଦରେ, କାମରେ ସୀମିତ ପରିଧିରେ ତୋଳି ଧରିବା ସମ୍ଭବ ନୁହେଁ। ଗତିଶୀଳତା ଓ ପ୍ରଣପ୍ରାଚୁର୍ଯ୍ୟରେ ଉଚ୍ଛଳ ଥିଲା ଜୀବନ ତାଙ୍କର। ରାଜନୀତିଠୁ ଭାଇଚାରା, କଳାସଂସ୍କୃତି ପ୍ରୀତିଠୁ ଓକିଳାତି ବୃତ୍ତି ପ୍ରତି ନଜର ନିଷ୍ଠା… ସବୁ ଭିତରେ ତାଙ୍କ ଭିତରେ କୁଳୁକୁଳୁ ହୋଇ ପ୍ରବାହିତ ହେଉଥିଲା ନିଜର ମାତୃଭୂମି ଓ ମାତୃଭାଷା ପ୍ରତି ଅଫୁରନ୍ତ ମମତାର ଝର। ଓଡ଼ିଆ ଜାତିପ୍ରୀତି ସାମ୍ନାରେ ତାଙ୍କ ପାଇଁ ଧର୍ମ ଥିଲା ଗୌଣ।

ଇଂରେଜ ସରକାର ପୁରୀ ଠାକୁରରାଜାଙ୍କ ହାତରୁ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ବ କାଢ଼ିନେବା ପାଇଁ ପ୍ରଣୟନ କରିଥିବା ଆଇନକୁ ରଦ୍ଦ କରିବା ପାଇଁ ଲଢ଼ି ସଫଳ ହେବା ସହ ଆମର ସ୍ବାଭିମାନ ଓ ଧର୍ମଧାରଣାକୁ ସୁରକ୍ଷିତ କରିଥିଲେ। ଉତ୍କଳର ହୃତଗୌରବକୁ ଉଜ୍ଜିବୀତ କରିବା ସହ ଅତିପ୍ରାଣତା ଓ ଭାଷାପ୍ରୀତି ସୃଷ୍ଟି କରିବାକୁ ସେ ଉତ୍କଳ ସନ୍ତାନ ଭଳି ଯେଉଁ ସ୍ବଳ୍ପ କେତୋଟି କବିତା ରଚନା କରିଯାଇଛନ୍ତି ତା’ର ପଟ୍ଟାନ୍ତର ନାହିଁ।

- Advertisement -

ସେ ଥିଲେ ଶୈଶବରୁ ଜିଦ୍ଖୋର, ନିର୍ଭୀକ ଓ ପ୍ରତ୍ୟୁତ୍ମନମତି, ଯାହାର ପ୍ରମାଣ ସେ ଦେଇଛନ୍ତି ବାରମ୍ବାର। ଯେତେ ପୋଖତ ଅଭ୍ୟାସଗତ ସାକ୍ଷୀ ହେଉ ପଛେ କଥାର ଚାତୁରୀରେ ତା’ଠୁ ସତ୍ୟ ଆଦାୟ କରି ବଦଳେଇ ଦେଇଛନ୍ତି ଲଢ଼ୁଥିବା ମୋକଦ୍ଦମାର ମୋଡ଼। ପ୍ରଥମ ଓଡ଼ିଆ ଭାବେ ସେ ଇଂଲଣ୍ଡ ଯାତ୍ରା କଲାବେଳେ ସାଙ୍ଗରେ ନେଇଛନ୍ତି କଟକର ତାରକସୀ କାମ ରେଭେନ୍ସା ସାହେବ ପ୍ରମୁଖଙ୍କୁ ଉପହାର ଦେବାକୁ। ଉତ୍କଳ ଟ୍ୟାନେରୀରେ ହଳଟିଏ ଯୋତା ନିକୃଷ୍ଟ ଜଣାପଡ଼ିଲା ପରେ ପ୍ରସ୍ତୁତ ହୋଇଥିବା ମସ୍ତ ଯୋତାକୁ ନଷ୍ଟ କରିବାକୁ ସେ ନିେର୍ଦ୍ଦଶ ଦେଇଛନ୍ତି। ଯାହାର ନେପଥ୍ୟରେ ଥିଲା ଉତ୍କଳର ପ୍ରତିଟି ଦ୍ରବ୍ୟକୁ ଉତ୍କୃଷ୍ଟ କରିବାର ସ୍ବପ୍ନ ଓ ଅଭିପ୍ସା। ସୌଦାମିନୀଙ୍କୁ ପତ୍ନୀ ରୂପେ ପାଇବାକୁ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ ମଧ୍ୟ, ମାତ୍ର ପାଞ୍ଚ ବର୍ଷର ବୈବାହିକ ଜୀବନ ପରେ ପତ୍ନୀଙ୍କୁ ହରାଇଥିଲେ ମଧ୍ୟ ଆଉ ଦ୍ବିତୀୟ ବିବାହ କରିନାହାନ୍ତିି ବା ଗ୍ରହଣ କରିଥିବା ଧର୍ମ ତ୍ୟାଗ କରିନାହାନ୍ତି। ଯଦିଓ ନିଜ ପରିବାର ତଥା ମାଆ ଓ ମାଟିକୁ ଭଲ ପାଇଛନ୍ତି ହୃଦୟ ଦେଇ।

୧୯୧୨ରେ ବାଲେଶ୍ବର ଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ବାର୍ଷିକ ଅଧିବେଶନରେ ପ୍ରାରମ୍ଭିକ ସଙ୍ଗୀତ ଭାବେ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ ପରେ ସବୁ ସମୟ ପାଇଁ ତାହା ସମ୍ମିଳନୀର ପ୍ରାରମ୍ଭିକ ସଙ୍ଗୀତ ଭାବେ ଗୃହୀତ ହୋଇଥିଲା। ୧୯୨୮ ମସିହାର ପ୍ରଥମ ଦିନ ଅଧିବେଶନରେ ‘ଉଡ଼ାଇ ନିଶାଣ ବଜାଇ ଭେରୀ’ ସଙ୍ଗୀତ ଗାନ ପରେ ମଧୁବାବୁ କାନ୍ତକବିଙ୍କୁ ହସି ହସି କହିଥିଲେ, ‘ଛେଲେର୍ ମତନ୍ ଛେଲେ’, ଦ୍ବିତୀୟ ଦିବରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ ପରେ ଅଶ୍ରୁସଜ୍ଜଳ ନେତ୍ରରେ ଆଲିଙ୍ଗନ କରିଥିଲେ କବିଙ୍କୁ। ତାହା ଥିଲା ତାଙ୍କ ଉତ୍କଳ ପ୍ରୀତିର ନମୁନା। ପ୍ରତିଟି କ୍ଷେତ୍ରରେ ସେ ଥିଲେ ଅପ୍ରତିଦ୍ବନ୍ଦ୍ବୀ ଓ ଅପରାଜେୟ। ସେ ବାସ୍ତବରେ ଓଡ଼ିଆ ଅସ୍ମିତା ଓ ସ୍ବାଭିମାନର ସମର୍ଥ ସାରଥୀ, ଶତାବ୍ଦୀର ସୂର୍ଯ୍ୟ, କୁଳବୁଦ୍ଧ, ଉତ୍କଳ ଗୌରବ, ପ୍ରଗତି ପୁରୁଷ ମଧୁବାରିଷ୍ଟର। ସେ ପ୍ରଣମ୍ୟ ଓ ଚିର ଅପାସୋରା।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories