ମ୍ୟାଁମାରରେ ବିକ୍ଷୋଭରତ ଗଣତନ୍ତ୍ର ସପକ୍ଷବାଦୀଙ୍କ ଉପରେ ସାମରିକ ଶାସକ ପକ୍ଷରୁ ଅବିଚାରିତ ସଂହାରଲୀଳା ଦେଖିବାକୁ ମିଳିଛି। ଗତ ଫେବୃଆରୀ ୧ରେ ମ୍ୟାଁମାର୍ ସେନା ସେ ଦେଶର ଶାସନ କ୍ଷମତାକୁ ବଳପୂର୍ବକ ଅକ୍ତିଆର କରିବା ପରଠାରୁ ସେଠାକାର ଜନସାଧାରଣ ଗଣତନ୍ତ୍ରର ପୁନଃପ୍ରତିଷ୍ଠା ପାଇଁ ଆନ୍ଦୋଳନ ଚଳାଇଛନ୍ତି। ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ସମ୍ପୂର୍ଣ୍ଣ ଦମନ କରିବାପାଇଁ ସାମରିକ ଶାସକ ବିକ୍ଷୋଭକାରୀଙ୍କ ଉପରେ ଅବିଚାରିତ ଗୁଳିଚାଳନା କରୁଥିବା ଦେଖିବାକୁ ମିଳୁଛି। କ୍ରମଶଃ ବିକ୍ଷୋଭ ଯେତିକି ତେଜୀୟାନ ହେଉଛି, ସ୍ଥିତି ସେତିକି ଅଣାୟତ୍ତ ହେବାରେ ଲାଗିଛି। ପ୍ରତିଦିନ ସେନା ଗୁଳିରେ ଗଣତନ୍ତ୍ର ସପକ୍ଷବାଦୀ ଲୋକ ପ୍ରାଣ ହରାଉଛନ୍ତି। ଇତିମଧ୍ୟରେ ୧୯୦ରୁ ଅଧିକ ଲୋକଙ୍କୁ ସେଠାକାର ସେନା ଗୁଳିକରି ହତ୍ୟା କରିସାରିଛି ବୋଲି ସ୍ଥିତି ଉପରେ ନଜର ରଖିଥିବା ଏକ ସ୍ଥାନୀୟ ସଂଗଠନ ‘ଆସିଷ୍ଟାନ୍ସ ଆସୋସିଏସନ ଫର୍ ପଲିଟିକାଲ୍ ପ୍ରିଜନର୍ସ’ ସୂଚନା ଦେଇଛି। ଏପରିକି ବିକ୍ଷୋଭରେ ସାମିଲ୍ ନଥିବା ଲୋକଙ୍କ ଉପରକୁ ମଧ୍ୟ ସେନା ପକ୍ଷରୁ ଗୁଳିଚାଳନା କରାଯାଉଥିବାରୁ ସେନା କେତେ ରକ୍ତମୁଖା ହୋଇସାରିଛି, ତାହା ସହଜେ ଅନୁମେୟ। ସହସ୍ରାଧିକ ଲୋକଙ୍କୁ ଜେଲ୍ରେ ବନ୍ଦୀ କରି ରଖାଯାଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ସେଠାକାର ସେନା ଗଣତନ୍ତ୍ରରେ ବିଶ୍ବାସ କରେ ନାହିଁ। ନିର୍ବାଚନରେ ବହୁମତ ହାସଲ କରିଥିବା ସେଠାକାର ସର୍ବୋଚ୍ଚ ନେତ୍ରୀ ତଥା ‘ନେସନାଲ ଲିଗ୍ ଫର୍ ଡେମୋକ୍ରେସି’(ଏନ୍ଏଲ୍ଡି)ର ମୁଖ୍ୟ ଅଙ୍ଗ୍ ସାନ୍ ସୁ କୀଙ୍କୁ ମଧ୍ୟ ବନ୍ଦୀ କରିରଖାଯାଇଛି। ସାମରିକ ଶାସକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ଯେ କୀ ଏବଂ ଏନ୍ଏଲ୍ଡିର ନେତୃବୃନ୍ଦ ଭ୍ରଷ୍ଟାଚାରରେ ଲିପ୍ତ। ବର୍ତ୍ତମାନ ସେଠାରେ ଗଣମାଧ୍ୟମ ଉପରେ ମଧ୍ୟ ଅଙ୍କୁଶ ଲଗାଯାଇଛି ଓ ୧୦ରୁ ଊର୍ଦ୍ଧ୍ବ ସମ୍ବାଦଦାତାଙ୍କୁ ବିନା କାରଣରେ ଜେଲ୍ରେ ରଖାଯାଇଛି।
ଗତ ସପ୍ତାହରେ ଜାତିସଂଘ ସୁରକ୍ଷା ପରିଷଦ ସାମରିକ ଶାସକଙ୍କୁ ଶାନ୍ତି ରକ୍ଷା କରିବାପାଇଁ ପରାମର୍ଶ ଦେଇଥିଲା; କିନ୍ତୁ ତାକୁ ସେଠାକାର ଶାସକଗୋଷ୍ଠୀ ବେଖାତିର୍ କରି ବନ୍ଧୁକ ମୁନରେ ଶାସନ କରିଚାଲିଛନ୍ତି। ଆମେରିକା, ବ୍ରିଟେନ ଓ କାନାଡ଼ା ଯାତାୟାତକୁ ନିଷିଦ୍ଧ କରିଥିବାବେଳେ ମ୍ୟାଁମାର୍ର ସର୍ବୋଚ୍ଚ ସେନାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ୍କୁ ଅଚଳ କରିଦେଇଛନ୍ତି। ସେହିପରି ଦକ୍ଷିଣ କୋରିଆ ମ୍ୟାଁମାର୍ ସହ ସାମରିକ ଯନ୍ତ୍ରପାତି ନଯୋଗାଇବାକୁ ନିଷ୍ପତ୍ତି ନେଇଛି; କିନ୍ତୁ ସାମରିକ ଶାସକଙ୍କ ସହ ସମ୍ବନ୍ଧ ରଖିଥିବା ଚୀନ ଓ ରୁଷିଆ ଏପରି କୌଣସି ପଦକ୍ଷେପ ନେବାର ସମ୍ଭାବନା ନାହିଁ। ଚୀନ ପରେ ମ୍ୟାଁମାରରେ ସବୁଠୁ ବେଶି ପୁଞ୍ଜିନିବେଶ କରିଥିବା ଜାପାନ ସାମରିକ ଶାସନ ପ୍ରତି କିପରି ବ୍ୟବହାର କରିବ, ତାହା ଚିନ୍ତା କରୁଥିବା କହିଛି; ଅର୍ଥାତ୍ ଜାପାନ ଦ୍ବନ୍ଦ୍ବରେ ରହିଥିବା ସ୍ପଷ୍ଟ।
ମ୍ୟାଁମାର୍ରେ ଗଣତନ୍ତ୍ରର ଅଧୋଗତି ଭାରତ ପାଇଁ ମଧ୍ୟ ବଡ଼ ଚିନ୍ତାର କାରଣ ହେବାକଥା; କାହିଁକିନା ଏହାର ସୁଦୂରପ୍ରସାରୀ ପ୍ରଭାବ ରହିଛି। ବିଶ୍ବର ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ସହିତ ଉଭୟ ମ୍ୟାଁମାର୍ ସେନା ଓ ସୁ କୀ ତଥା ତାଙ୍କ ଦଳ ଏନ୍ଏଲ୍ଡିର ଭଲ ସଂପର୍କ ରହିଛି। ସେନାର କ୍ଷମତା ଅକ୍ତିଆର୍ ପରେ ଭାରତ ତାକୁ କେବଳ ଚିନ୍ତାଜନକ କହିଥିଲା ଏବଂ ତା’ପରଠୁ ଏ ପ୍ରସଙ୍ଗରେ ଚୁପ୍ ରହିଥିବା ଦେଖିବାକୁ ମିଳିଛି। ନବେ ଦଶକରେ ସୁ କୀଙ୍କ ସହ ଭାରତର ଉତ୍ତମ ସଂପର୍କ ସୃଷ୍ଟି ହୋଇଥିଲା। ସେହିପରି ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଉଗ୍ରବାଦୀ କାର୍ଯ୍ୟକଳାପ ଚଳାଇଥିବା ଗୋଷ୍ଠୀଗୁଡ଼ିକର ସଦସ୍ୟମାନେ ମ୍ୟାଁମାର୍ରେ ଶରଣାପନ୍ନ ହେଉଥିବା ଜଣାପଡ଼ିବା ପରେ ଭାରତ ସେଠାକାର ସେନା ସହ ମଧ୍ୟ ସଂପର୍କ ସ୍ଥାପନ କରିବାକୁ ବାଧ୍ୟ ହୋଇଥିଲା। ଏକବିଂଶ ଶତାବ୍ଦୀ ପ୍ରାରମ୍ଭରେ ଚୀନର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବକୁ ଦେଖି ମ୍ୟାଁମାର୍ ସେନା ସହ ସଂପର୍କ ଅଧିକ ଦୃଢ଼ କରିବାର ଆବଶ୍ୟକତାକୁ ମଧ୍ୟ ଉପେକ୍ଷା କରାଯାଇନପାରେ। ଏହି କାରଣରୁ ଭାରତ ପାଇଁ ମଧ୍ୟ ଦ୍ବନ୍ଦ୍ବ ବଢ଼ିଯାଇଛି। କି ପଦକ୍ଷେପ ନିଆଯିବ, ତାହା ପ୍ରକୃତରେ ଚିନ୍ତାର ବିଷୟ ହୋଇଛି। ଏପ୍ରିଲ୍ ୧ରେ ଅନୁଷ୍ଠିତ ହେବାକୁ ଥିବା ବିମ୍ଷ୍ଟେକ୍ ବିଦେଶ ମନ୍ତ୍ରୀମାନଙ୍କ ସମ୍ମିଳନୀକୁ ଶ୍ରୀଲଙ୍କା ପକ୍ଷରୁ ମ୍ୟାଁମାର୍କୁ ଆମନ୍ତ୍ରଣ କରାଯିବା ପରେ ଉଭୟ ଦେଶରେ ଏହାକୁ ପ୍ରତିବାଦ କରାଯାଇଛି। ଏହାକୁ ନେଇ ମଧ୍ୟ ଭାରତର ଆଭିମୁଖ୍ୟ କ’ଣ ରହିବ, ତାହା ଦ୍ବନ୍ଦ୍ବ ଭିତରେ ରହିଛି।
ବିଶ୍ବର ପ୍ରତ୍ୟେକ ଗଣତାନ୍ତ୍ରିକ ଦେଶ ସାମରିକ ଶାସକଙ୍କ ସଂହାରଲୀଳାକୁ ନିନ୍ଦା କରିବା ସହ ଗଣତନ୍ତ୍ର ସପକ୍ଷବାଦୀଙ୍କୁ ଆନ୍ଦୋଳନକୁ ସମର୍ଥନ ଯୋଗାଇବାର ଆବଶ୍ୟକତା ରହିଛି। ଏକ ଭିନ୍ନ ପରିପ୍ରେକ୍ଷୀରେ ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ନିକଟରେ କହିଥିଲେ ଯେ ନିଜର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଚିହ୍ନିତ କରିବାପାଇଁ ଭାରତ ପାଶ୍ଚାତ୍ୟର ପ୍ରମାଣପତ୍ର ଆବଶ୍ୟକ କରେ ନାହିଁ। ଏହା ହୁଏତ ଭୁଲ୍ କଥା ନୁହେଁ; କିନ୍ତୁ ଗତ କିଛି ବର୍ଷ ଭିତରେ ଭାରତରେ ମଧ୍ୟ ଗଣତାନ୍ତ୍ରିକ ମୂଲ୍ୟବୋଧ କ୍ରମେ ହ୍ରାସ ପାଉଥିବା ଅଭିଯୋଗ ହେଉଛି, ଯାହାକୁ ସଂପୂର୍ଣ୍ଣ ଅମୂଳକ ବୋଲି କହିହେବ ନାହିଁ। ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଏହାର ଶାସକସମାଜର କେତେ ବିଶ୍ବାସ ରହିଛି, ମ୍ୟାଁମାର୍କୁ ନେଇ ବିବୃତି ଓ ପଦକ୍ଷେପରୁ ମଧ୍ୟ ତାହା ଜଣାପଡ଼ିବ।



