ପୁରୀର ମିଶ୍ର ଦମ୍ପତି କଲେ ଗିନିଜ୍ ବୁକ୍ ଅଫ ଓ୍ୱାର୍ଲଡ ରେକର୍ଡ
ପୁରୀ: ପୁରୀ ସହରରେ ବସବାସ କରୁଥିବା ଦୂର୍ଗା ଚରଣ ମିଶ୍ର ଓ ତାଙ୍କର ପତ୍ନୀ ଜ୍ୟୋସ୍ନା ମିଶ୍ର ଅବିରାମ ଭାବେ ରେଳ ଓ ବିଭିନ୍ନ ରାଜ୍ୟ ପରିବହନ ବସ୍ରେ ଯାତ୍ରା କରି ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲଡ ରେକର୍ଡ କରିଛନ୍ତି । ଏହି ଦମ୍ପତି ୪୦ ଦିନ ଧରି ୨୯,୧୧୯ କିଲୋମିଟର ଯାତ୍ରା କରିଥିଲେ ।
ସେମାନେ ଚଳିତ ବର୍ଷ ଫେବ୍ରୁଆରୀ ୧୮ ତାରିଖରେ ପୁରୀରୁ ସକାଳ ୯ଟା ୧୫ରେ ରେଳ ଯୋଗେ ଯାତ୍ରା ଆରମ୍ଭ କରିଥିଲେ । ମାର୍ଚ୍ଚ ୩୦ ତାରିଖରେ ସେମାନେ ପୁଣି ପୁରୀରେ ପହଞ୍ଚିଥିଲେ ।
ପୂର୍ବରୁ ଏହି ରେକର୍ଡ ରୋମାନିଆର ସିପ୍ରିନ ଗୋହିଓସିଆ ଦମ୍ପିତିଙ୍କ ନାମରେ ଥିଲା । ୨୦୧୭ ମସିହାରେ ସେମାନେ ୯୨୬୧ କିଲୋମିଟର ଏହିପରି ଯାତ୍ରା କରିଥିଲେ । ମିଶ୍ର ଦମ୍ପତି ଏହି ରେକର୍ଡକୁ ଅତିକ୍ରମ କରିଛନ୍ତି । ଅଗଷ୍ଟ ଏକ ତାରିଖରେ ଗିନଜ୍ ବୁକର କର୍ତ୍ତୃପକ୍ଷ ତାଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି । ଯାତ୍ରା ସମୟରେ କେବଳ ରେଳ ଓ ରାଜ୍ୟ ପରିବହନ ବସ୍ରେ ଯାତ୍ରା କରିବେ ବୋଲି ସର୍ତ୍ତ ରହିଥିଲା । କୌଣସି ସ୍ଥାନକୁ ଦୁଇଥର ଯାଇ ପାରିବେ ନାହିଁ କଟକଣା ରହିଥିଲା । ସେମାନଙ୍କୁ ଜିପିଆର୍ଏସ୍ ସିଷ୍ଟମ ଦ୍ୱାରା ଟ୍ରାକ କରାଯିବା ସହ, ଗିନଜ୍ ବୁକ୍ ଅଫ୍ ଓ୍ୱାର୍ଲ୍ଡ ରେକର୍ଡର ୩ ଜଣ ସଦସ୍ୟ ତାଙ୍କ ଉପରେ ନଜର ରଖିଥିଲେ ।
ପୂର୍ବରୁ ଦୂର୍ଗା ଚରଣ ମିଶ୍ର ୨୦୧୪ ମସିହାରେ ଆଉ ଏକ ଗିନଜ୍ ବୁକ୍ ଅଫ୍ ଓ୍ୱାର୍ଲ୍ଡ ରେକର୍ଡ କରିଥିଲେ । ସେ କାରରେ ନିଜ ପତ୍ନୀଙ୍କ ସହ ଦୀର୍ଘତମ ୧୮,୪୫୮ କିଲୋମିଟର ଯାତ୍ରା କରିଥିଲେ । ଏହା ପୂର୍ବୁର ସେ ନିଜ ବୁଲେଟ୍ରେ ୨୧,୧୪୬ କିଲୋମିଟର ଯାତ୍ରା କରିଥିଲେ ।
ଚଳିତ ବର୍ଷ ଯାତ୍ରା ବେଳେ ମିଶ୍ର ଦମ୍ପତି ଆସାମ,ତ୍ରିପୁରା, ଗୁଜୁରାଟ, ଜମ୍ମୁ-କାଶ୍ମୀର ଓ କେରଳ ଯାତ୍ରା କରିଥିଲେ ।