www.samajalive.in
Monday, December 15, 2025
24.1 C
Bhubaneswar

ଭୋଟରଙ୍କୁ ହାତେଇବାପାଇଁ ଶାସକଦଳ ମିଥ୍ୟା ପ୍ରତିଶୃତି ଦେଉଛି – ବିଜେପି

ପିପିଲି : ପିପିଲି ଓ ଡେଲାଙ୍ଗ ବ୍ଲକ ଏବେ ବିକାଶ ଠାରୁ ବହୁ ଦୂରରେ । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ଅଞ୍ଚଳ ଦୀର୍ଘ ୪୦ବର୍ଷ ଧରି ଅବହେଳିତ ହୋଇରହିଛି । ଦୁଇ ବ୍ଳକରେ ଆଜି ପର୍ଯ୍ୟନ୍ତ ଆଦର୍ଶ ସ୍କୁଲ ନିର୍ମାଣ ହୋଇପାରିନଥିବା ବେଳେ ଏଠାକାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଅଭାବ ପୂରଣ ହୋଇପାରିନି । ପିପିଲି ଉପନିର୍ବାଚନ ପୂର୍ବରୁ ଶାସକ ଦଳ ବିକାଶ ନାମରେ ମିଥ୍ୟା ପ୍ରତିଶୃତି ଦେଇ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଜର ଉଦ୍ୟମ ଜାରି ରଖିଛି ବୋଲି ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି ।

ପିପିଲି ଠାରେ ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ପୁରୀ ଜିଲା ସଭାପତି ଆଶ୍ରୀତ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ସୁଫଳ ପାଇବାରୁ ଅଞ୍ଚଳର ହିତାଧିକାରୀମାନେ ବଞ୍ଚିତ ହେଉଛନ୍ତି । ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ସାମଗ୍ରିକ ବିକାଶ ହୋଇଛି ବୋଲି ଶାସକ ଦଳ ଡେଙ୍ଗୁରା ପିଟୁଥିବା ବେଳେ ବାସ୍ତବରେ ଏହି ଅଞ୍ଚଳ ବିକାଶ ଠାରୁ ବହୁ ଦୂରରେ । ସାମଗ୍ରିକ ବିକାଶ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷିକ୍ଷେତ୍ରକୁ ଦେଖିଲେ ଗତ ୪୦ବର୍ଷ ମଧ୍ୟରେ ଏହି ତିନୋଟିର ବିକାଶ ଶୂନ । ଆଜି ପର୍ଯ୍ୟନ୍ତ ନିର୍ବାଚନମଣ୍ଡଳୀରେ ଗୋଟିଏ ଭଲ ସ୍କୁଲ ନଥିବା ବେଳେ ଭଲଶିକ୍ଷା ପାଇଁ ଏଠାକାର ଛାତ୍ରଛାତ୍ରୀମାନେ ଭୁବନେଶ୍ୱର ଉପରେ ନିର୍ଭର କରନ୍ତି । ଏଠାକାର ସରକାରୀ ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଯୋଗୁଁ ରୋଗୀମାନେ ଭୁବନେଶ୍ୱର ଉପରେ ନିର୍ଭର କରୁଛନ୍ତି । ଏଠାକାର ଏକମାତ୍ର ଶୀତଳଭଣ୍ଡାର ଏବେ ଅଚଳ ହୋଇପଡିଥିବା ବେଳେ କୃଷକମାନେ ଅବହେଳିତ । ଉପନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଏହି ନିର୍ବାଚନମଣ୍ଡଳୀ ପାଇଁ ସ୍ପେଶାଲ ପ୍ରୋବ୍ଲେମ ଫଣ୍ଡ (ଏସ୍‍ପିଏଫ୍‍)ରୁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରାୟ ୧୨କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଏହି ଟଙ୍କାକୁ ଖର୍ଚ୍ଚ କରିବା ପାଇଁ ରାତାରାତି ପ୍ରକଳ୍ପଗୁଡିକର ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ଗୋଟିଏ ରାସ୍ତାକୁ ଭିନ୍ନ ଭିନ୍ନ ନାମ ଦେଇ ଅର୍ଥ ହଡପ କରିବା ପାଇଁ ଯୋଜନା କରାଯାଇଥିବା ଶ୍ରୀପଟ୍ଟନାୟକ ଅଭିଯୋଗ କରିଛନ୍ତି । ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ହେବା ପାଇଁ ଆଉ ମାତ୍ର କେତୋଟି ହାତଗଣତି ଦିନ ବାକି ରହିଥିବା ବେଳେ ମଙ୍ଗଳବାର ପିପିଲି ଓ ଡେଲାଙ୍ଗରେ ଦୁଇଟି ଭର୍ଚୁଆଲ ସଭାରେ ମୁଖ୍ୟମନ୍ତ୍ରୀ ଅଞ୍ଚଳବାସୀଙ୍କୁ ଉଦ୍‍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସଭାରେ ପିପିଲି ବିକାଶ ପାଇଁ ବଡ ଘୋଷଣା କରାଯିବାର ଚର୍ଚ୍ଚାକୁ ନେଇ ବିଜେପି ପ୍ରଶ୍ନ କରିଛି ଯେ “ପିପିଲିରେ ଯଦି ଆଗରୁ ବିକାଶ ହୋଇସାରିଛି, ତେବେ ଉପନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ପୁଣି କି ବିକାଶ’ ।

- Advertisement -

ବିଶ୍ୱପ୍ରସିଦ୍ଧ ପିପିଲି ଚାନ୍ଦୁଆ ଶିଳ୍ପର ବିକାଶ ପାଇଁ ୧୩ବର୍ଷ ତଳେ ୨୦କୋଟି ଟଙ୍କା ବ୍ୟୟରେ ନିର୍ମତ ଇକୋ- ଟୁରିଜିମ୍‍ ସେଣ୍ଟର ଉଦ୍‍ଘାଟନ ହୋଇନପାରି ଏବେ ଭୂତକୋଠିରେ ପରିଣତ ହୋଇଥିବା ବେଳେ ଦୁଇ ଦୁଇ ଥର ଶିଳାନ୍ୟାସ କରାଯାଇ ମଧ୍ୟ ପିପିଲି ବସ୍‍ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ପିପିଲି ପୌରାଞ୍ଚଳରେ କମ୍ୟୁନିଟି ହଲ୍‍, ଲାଇବ୍ରେରୀ ନଥିବା ବେଳେ ନିର୍ବାଚନମଣ୍ଡଳୀର ଅନେକ ଗ୍ରାମରେ ପାନୀୟ ଜଳ, ରାସ୍ତାଘାଟ, ଖେଳପଡିଆ ଆଦିର ସମସ୍ୟା ରହିଛି । ଅଞ୍ଚଳର ପୁରାତନ ଐତିହ୍ୟ, କୀର୍ତ୍ତିରାଜୀ ଗୁଡିକ ଅବହେଳିତ ଅବସ୍ଥାରେ ରହିଛି। ଡେଲାଙ୍ଗ ବ୍ଲକର ବେନୁପଡା ମଠ ଠାରୁ ଆରମ୍ଭ କରି ବେରବୋଇ ଗାନ୍ଧୀ ପୀଠ ପର୍ଯ୍ୟନ୍ତ କୌଣସି ଐତିହ୍ୟକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିନାହିଁ । ଏବେବି ଅନେକ ଗାଁକୁ ସ୍ଥାୟୀ ରାସ୍ତା ନଥିବା ବେଳେ ଲୋକେ ବିଲ ହିଡରେ ଯିବାଆସିବା କରୁଛନ୍ତି । ଗତ ଫଣି’ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଅନେକ ବାସହରା ପରିବାରକୁ ଅଦ୍ୟାବଧି ସରକାରୀ ସହାୟତା ମିଳିନଥିବା ବେଳେ ଫଣି’ ଅନିୟମିତତାକୁ ରୋକିବା ପାଇଁ ଅନେକ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଜ୍‍ କରାଯାଇଛି । ଫଳରେ ହିତାଧିକାରୀମାନେ ଆର୍ଥିକ ନେଣଦେଣରୁ ବଞ୍ଚିତ ହୋଇ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଭଳି ପରିସ୍ଥିତିରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଏହି ନିର୍ବାଚନମଣ୍ଡଳୀର ଭୋଟରଙ୍କୁ ହାତେଇବା ପାଇଁ ଶାସକ ବିଜେଡି ଦଳ ବିକାଶ ନାମରେ ମିଥ୍ୟା ପ୍ରତିଶୃତି ଦେଉଥିବା ନେଇ ଶ୍ରୀପଟ୍ଟନାୟକ ଗୁରୁତର ଅଭିଯୋଗ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କୌଶଲ୍ୟାଗଙ୍ଗ ମଣ୍ଡଳ ସଭାପତି ପର୍ଶୁରାମ ମହାପାତ୍ର, ଘୋରଡିଆ ମଣ୍ଡଳ ସଭାପତି ଲଡୁକିଶୋର ରାୟ,  ଦାଣ୍ଡମୁକୁନ୍ଦପୁର ମଣ୍ଡଳ ସଭାପତି ସୁଧୀର ବିଶ୍ୱାଳ, ବରିଷ୍ଠ ନେତା ସୁବୋଧ ମହାନ୍ତି, ପୂର୍ବତନ ସରପଞ୍ଚ ପ୍ରଦୀପ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories