www.samajalive.in
Monday, December 15, 2025
16.1 C
Bhubaneswar

ରାଜ୍ୟରେ ସାଇବର ଅପରାଧ ଉଦ୍‌ବେଗଜନକ

ଭୁବନେଶ୍ବର: ରାଜ୍ୟରେ ସାଇବର ଅପରାଧ ହାର ଉଦବେଗଜନକ ରହିଛି। ଗୋଟିଏ ମାତ୍ର କ୍ଲିକରେ ବର୍ଷ ବର୍ଷର ସଞ୍ଚିତ ଧନକୁ ହରାଉଛନ୍ତି ଲୋକେ। ସାଧାରଣ ଲୋକଟିଏ ହେଉକି ପଦାଧିକାରୀ କିଛି ବୁଝିବା ପୂର୍ବରୁ ଶିକାର ହେଉଛନ୍ତି ସାଇବର ଠକାମିର। ଠକଙ୍କ ଲୋଭନୀୟ ପ୍ରସ୍ତାବ ଭ୍ରମିତ ହେଉଛନ୍ତି ଅନେକ। ୨୦୨୦ର ପୁଲିସ ତଥ୍ୟ ରାଜ୍ୟରେ ଚିନ୍ତାଜନକ ଭାବେ ବୃଦ୍ଧି ପାଉଥିବା ସାଇବର ଠକାମିକୁ ସ୍ପଷ୍ଟ କରୁଛି। ଗତବର୍ଷ ୧୯୩୧ଟି ସାଇବର ଅପରାଧିକ ମାମଲା ରୁଜୁ ହୋଇଥିବାବେଳେ ମାସକ ଭିତରେ କମିସନରେଟ ପୁଲିସ ନିକଟରେ ୩୫୦ର ଊର୍ଦ୍ଧ୍ବ ମାମଲା ରୁଜୁ ହୋଇଛି। ସାଇବର ଠକାମିକୁ ରୋକିବାରେ ରାଜ୍ୟ ପୁଲିସର ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଠକାମିର ଶିକାର ଲୋକଙ୍କୁ ତୁରନ୍ତ ଅଭିଯୋଗ କରିବାର ଆବଶ୍ୟକତା ରହିଥିବାବେଳେ ପୁଲିସ ଏପର୍ଯ୍ୟନ୍ତ ହେଲ୍ପ ଲାଇନ ନମ୍ବରଟିଏ ଜାରି କରିପାରିନି।

ଓଡ଼ିଶା ପୁଲିସର ତଥ୍ୟ ଅନୁଯାୟୀ ୨୦୨୦ରେ ୧୯୩୧ଟି ସାଇବର ଅପରାଧ ମାମଲା ରୁଜୁ ହୋଇଥିଲା। ଯାହାକି ଗତବର୍ଷ ତୁଳନାରେ ୩୧% ଅଧିକ। କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ସିହ୍ନାଙ୍କ କହିବା ଅନୁଯାୟୀ ଗତବର୍ଷ କୋଭିଡ ସମୟରେ ଲୋକମାନେ ନେଟ ବ୍ୟାଙ୍କିଙ୍ଗ ଉପରେ ଅଧିକ ନିର୍ଭର କରିଥିଲେ। ଏହାରି ସୁଯୋଗରେ ସକ୍ରିୟ ହୋଇ ଉଠିଥିଲେ ସାଇବର ଠକ। ତେବେ କ୍ରାଇମବ୍ରାଞ୍ଚ କେତେକ ମାମଲାରେ ଲୋକଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରିପାରିଛି। କ୍ରାଇମବ୍ରାଞ୍ଚ ୩ ଲକ୍ଷରୁ ଅଧିକ ଓ କମିସନ‌େ‌ରଟ ପୁଲିସ ୫୦ ହଜାରରୁ ଅଧିକ ଟଙ୍କା ଫେରସ୍ତ କରିପାରିଛି। ଠକାମିର ଶିକାର ଲୋକମାନେ ଯେପରି ତ୍ବରିତ ଅଭିଯୋଗ କରିପାରିବେ ସେଥିପାଇଁ ଆଗାମୀ ଦିନରେ ଏକ ହେଲ୍ପ ଲାଇନ ନମ୍ବର ଜାରି କରିବାକୁ ପୁଲିସ ଚିନ୍ତା କରୁଛି। କାରଣ ତ୍ବରିତ ଅଭିଯୋଗଦ୍ବାରା ପୁଲିସ ଅଧିକରୁ ଅଧିକ ସଫଳତା ପାଇ ପାରୁଛି। ଅନେକ ସମୟରେ ଠକାମିର ଶିକାର ହୋଇଥିବା ଲୋକ ଏ ନେଇ କେଉଁଠାରେ ଅଭିଯୋଗ କରିବ ଜାଣି ନ ଥାଏ। ଅଭିଯୋଗ କରିବାବେଳକୁ ବହୁ ସମୟ ବିତି ଯାଇଥାଏ, ସେପରି ଅଭିଯୋଗକାରୀଙ୍କ ଟଙ୍କା ଫେରି ପାଇବା ସହଜ ହୋଇ ନ ଥାଏ ବୋଲି ସେ କହିଛନ୍ତି।

- Advertisement -

ଜାନୁଆରୀ ୭ ତାରିଖରେ କମିସନରେଟ ପୁଲିସ ସାଇବର ଅପରାଧ ଜନିତ ଅଭିଯୋଗ ଗ୍ରହଣ କରିବାକୁ ହେଲ୍ପ ଲାଇନ ନମ୍ବର ଜାରି କରିଥିଲା। ମାତ୍ର ମାସକ ଭିତରେ ଏହି ନମ୍ବରକୁ ୩୫୦ରୁ ଊର୍ଦ୍ଧ୍ବ ଅଭିଯୋଗ ଆସିଛି। ଏହି ହେଲ୍ପ ଲାଇନ ନମ୍ବରଟି କମିସନରେଟ ଅଞ୍ଚଳର ଲୋକଙ୍କ ପାଇଁ ଉଦିଷ୍ଟ ହୋଇଥିଲେ ମଧ୍ୟ ରାଜ୍ୟର ଅନ୍ୟ ସ୍ଥାନରୁ ମଧ୍ୟ ଅନେକ ଅଭିଯୋଗ ଏହି ନମ୍ବରକୁ ଆସିଥିଲା। ଜାତୀୟ ଅପରାଧିକ ରେକର୍ଡ଼ ବ୍ୟୁରୋ(ଏନସିଆରବି) ତଥ୍ୟ ଅନୁଯାୟୀ ୨୦୧୯ରେ ରାଜ୍ୟରେ ୧୪୭୫ଟି ସାଇବର ମାମଲା ରାଜ୍ୟରେ ପଞ୍ଜିକୃତ ହୋଇଥିବାବେଳେ ୨୦୧୮ରେ ୮୪୩ଟି ମାମଲା ରୁଜୁ ହୋଇଥିଲା। ତେବେ ଏହି ସବୁ ମାମଲାର ସମାଧାନରେ ପୁଲିସ ବହୁ କ୍ଷେତ୍ରରେ ବିଫଳ ହୋଇଥିବା ଏନସିଆରବି ତଥ୍ୟରୁ ଜଣାପଡ଼ିଥିଲା। ସାଇବର ଅପରାଧ ରୋକିବାକୁ ରାଜ୍ୟ ପୁଲିସକୁ ଅଧିକ କ୍ରିୟାଶୀଳ ହେବାର ଆବଶ୍ୟକତା ରହିଛି। ଠକଙ୍କୁ ଧରିବା ପାଇଁ ଅଧିକ ପ୍ରଶିକ୍ଷଣର ଆବଶ୍ୟକତା ରହିଛି।ଗତବର୍ଷ କୋଭିଡକୁ ନେଇ ସୋସିଆଲ ମିଡିଆରେ ଫେକ୍ ଭିଡିଓ ଭାଇରାଲ କରାଯିବା ସମ୍ବନ୍ଧୀୟ କେତେକ ଘଟଣା ସାମ୍ନାକୁ ଆସିଥିଲା।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories