ବୃକ୍ଷର ଶ୍ରୀ ବଢ଼ାଉଛନ୍ତି ଶ୍ରୀନାଥ, ପେନ୍ସନ ଟଙ୍କାରେ କରୁଛନ୍ତି ବୃକ୍ଷର ରକ୍ଷଣାବେକ୍ଷଣ
କପ୍ତିପଦା: ଦୁଇ ନିଆଁ ମଧ୍ୟରେ ବନ୍ଧା ଏ ମଣିଷ। ଜନ୍ମବେଳର ଏନ୍ତୁଡ଼ି ନିଆଁ, ଆଉ ମୃତ୍ୟୁବେଳର ଜୁଇର ନିଆଁରେ ଲାଗେ ବୃକ୍ଷର ଅଂଶ। ଏକଥା ବୁଝିଛନ୍ତି ବୃକ୍ଷଙ୍କ ନାଥ ଶ୍ରୀନାଥ। ଶ୍ରୀନାଥ ସାଦାସିଦା ମଣିଷ। ଜନ୍ମ ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍ ଜଡ଼ିଦା ଗ୍ରାମରେ। ପିତା କନ୍ଦିଆ ପାତ୍ର ଓ ମାଆ ରାଣୀ ପାତ୍ର। ଜନ୍ମ ୧୯୫୬ ମସିହା। ବୟସ ହାରରେ ମୁଣ୍ଡ ନଇଁ ନାହିଁ ତଳକୁ। ମନରେ ଅନେକ ଆଶା। ଭିଡ଼ ଭିତରେ କିଛି ଭିନ୍ନ କରିବା। ନିଜକୁ ନିଆରା ଭାବରେ ପରିଚିତ କରିବାର ପଣ ରଖିଛନ୍ତି ଶ୍ରୀନାଥ। ପିଲାଟି ଦିନରୁ ଗଛ ପ୍ରତି ଥିଲା ଅହେତୁକ ଦୁର୍ବଳତା। ଘର ପାଖ ରାଇକାଳିରେ ନିଜ ଜମିକୁ ଲାଗି ରହିଥିବା ସଂରକ୍ଷିତ ଜଙ୍ଗଲରେ କେବଳ ଥିଲା ଶାଳଗଛ। ଏବେ ଜଙ୍ଗଲକୁ ଭିଡ଼ି ରହିଥିବା ନିଜସ୍ୱ ୬ମାଣ ଜମିରେ ବହୁ ଗଛମାନଙ୍କର ଭିଡ଼। ଲଗାଇଛନ୍ତି ୫ହଜାରରୁ ଅଧିକ ଗଛ। କେବଳ ସେତିକି ନୁହେଁ ଘରପାଖ ଦେଢ଼ମାଣ ଜମିରେ ଲଗାଇଛନ୍ତି ୫୦୦ରୁ ଊର୍ଦ୍ଧ୍ବ ଶାଗୁଆନ ଗଛ। ବିଦ୍ୟୁତ୍ ବିଭାଗରେ ଚାକିରି କରିଥିଲେ ମଧ୍ୟ ମନ ଥାଏ ଗଛ ପାଖରେ। ସମୟ ପାଇଲେ ଗଛ ପାଖକୁ ଯାଇ ତାର ରକ୍ଷଣାବେକ୍ଷଣରେ ଲାଗିଯାଆନ୍ତି। ଏକ୍ଷେତ୍ରରେ ସହଯୋଗର ହାତ ବଢ଼ାନ୍ତି ତାଙ୍କର ପତ୍ନୀ ଅନୁପମା ଓ ବଡ଼ପୁଅ ଅମରେଶ। ଚାକିରି ପରେ ପେନ୍ସନ୍ ପାଉଥିବା ଅର୍ଥକୁ ନିଜେ ଚଳିବା ସହିତ ନିଜ ଗଛରୂପୀ ପୁଅଝିଅଙ୍କ ପାଇଁ ଖର୍ଚ୍ଚ କରିଚାଲିଛନ୍ତି ଶ୍ରୀନାଥ। ବାଡ଼ ଘେରିବାଠାରୁ ଗଛର ସମସ୍ତ ଦାୟିତ୍ୱ ନେଇ ସେହି ପୁଅଝିଅଙ୍କୁ ବଡ଼ କରାଉଛନ୍ତି। ଗଛରେ ଉଇ ମାଡ଼ିଆସିଲେ ଚରଖା ଧରି ତାର ପରିସ୍କାର କରିବାରେ ନିଜକୁ ନିୟୋଜିତ କରିଛନ୍ତି। ଘର ପାଖ ସଂରକ୍ଷିତ ଜଙ୍ଗଲକୁ କେହି ନଷ୍ଟ କରିବାକୁ ଗଲେ ସହି ପାରନ୍ତିନି ଶ୍ରୀନାଥ। ତା’ ପାଇଁ ପାଟି ଖୋଲିବାକୁ ପଛାନ୍ତି ନାହିଁ। ତାଙ୍କର ଏହି ନିଶା ପ୍ରକୃତିକୁ ସବୁଜିମା ଚାଦରରେ ଘୋଡ଼ାଇ ରଖି ତାଙ୍କର ନାମକୁ ସେହି ଚାଦର ଉପରେ ଲେଖିଦେଇଥିବ।
ଶ୍ରୀନାଥଙ୍କ ସମ୍ପର୍କରେ ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ କୃଷ୍ଣଚନ୍ଦ୍ର ମିଶ୍ର କହନ୍ତି ପୃଥିବୀ ପୃଷ୍ଠରେ ମଣିଷ ସମାଜ ବଞ୍ଚିବା ପାଇଁ ହେଲେ ଜଙ୍ଗଲର ସୁରକ୍ଷା ନିତାନ୍ତ ଜରୁରୀ। ଆଧୁନିକତା ଏବଂ ବିକାଶ ନାମରେ ଦିନକୁ ଦିନ ଜଙ୍ଗଲ କ୍ଷୟ ହେବା ଫଳରେ ପରିବେଶ ବର୍ତ୍ତମାନ ଅସନ୍ତୁଳିତ ଅବସ୍ଥାରେ। ତେବେ ସମସ୍ତେ ମିଳିମିଶି ଅଧିକରୁ ଅଧିକ ଜଙ୍ଗଲ ସୃଷ୍ଟି କରି ପରିବେଶ ପ୍ରତି ଧ୍ୟାନ ଦେବା ଆବଶ୍ୟକ।
Comments are closed.