www.samajalive.in
Friday, December 12, 2025
14.1 C
Bhubaneswar

ପିତାମାତାଙ୍କ ଭରଣପୋଷଣ ହିଁ ପ୍ରକୃତ ପିତୃଶ୍ରାଦ୍ଧ

ଆଧୁନିକ ଜୀବନ ଶୈଳୀ, ବ୍ୟକ୍ତିକୈନ୍ଦ୍ରିକ ପାରିବାରିକ ଜୀବନ ସମାଜରେ ଅସାମାଜିକ ପରିବେଶ ସୃଷ୍ଟି କରିଛି। ସନ୍ତାନମାନଙ୍କ ପାଇଁ ପିତାମାତା ଅର୍ଥ, ସର୍ବସ୍ୱ ତ୍ୟାଗ ହିଁ କର୍ତ୍ତବ୍ୟ ମନେ କରୁଛନ୍ତି। ଉପଦେଶାତ୍ମକ ଗପ କହିବା, ଚରିତ୍ର ଗଠନରେ ସହାୟକ ହେବା ଆଦିରେ ଅଭିଭାବକ ସମୟ ଦେଉ ନାହାନ୍ତି। ସ୍ତ୍ରୀ,ପୁରୁଷ ଉଭୟ ଅର୍ଥ ପଛରେ ଗୋଡ଼ାଇ ନିଜ ସଦାଚାରକୁ ଭୁଲି ଯାଉଛନ୍ତି। କର୍ତ୍ତବ୍ୟ ଓ ସଦାଚାର ଦୁଇଟି ଅଲଗା ପଦ ଓ କର୍ତ୍ତବ୍ୟ ଠାରୁ ସଦାଚାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସଦାଚାର ସୁସଂହତି କରି ସମାଜ ଓ ବ୍ୟକ୍ତିକୁ ଗଢ଼େ। କର୍ତ୍ତବ୍ୟ କହିଲେ ନିଜେ ହସ୍ତଗତ କରିଥିବା ନିର୍ଦ୍ଦିଷ୍ଟ ସୀମିତ କାର୍ଯ୍ୟକୁ ଶୃଙ୍ଖଲିତ ଭାବେ ସମ୍ପାଦନା କରିବା। ସଦାଚାର କହିଲେ ଦୈନନ୍ଦିନର ଶାସ୍ତ୍ରସମ୍ମତ, ଶୃଙ୍ଖଳିତ କାୟିକ ଓ ସାମାଜିକ କାର୍ଯ୍ୟ ସମ୍ପାଦନ କରିବା।

ଆଜିର ସମାଜରେ ତାହାର ବ୍ୟତିରେକ ଦେଖାଯାଉଛି। ଶିଶୁଟି ଜନ୍ମ ନେବାର ତିନିରୁ ପାଞ୍ଚବର୍ଷ ବୟସରେ ଆବାସିକ ବିଦ୍ୟାଳୟରେ ଛାଡିଦେଇ ସ୍ତ୍ରୀ-ପୁରୁଷ ଅର୍ଥ ଉପାର୍ଜନରେ ଚାଲି ଯାଉଛନ୍ତି ବା ଘରେ ଚାକରାଣୀଟିଏ ରଖି ତାହାର ଦାୟିତ୍ୱରେ ଘରର ଗୋଟିଏ କୋଠରି ଖୋଲି ଚାଲି ଯାଉଛନ୍ତି। ଏମିତି ବି ନିଷ୍ଠୁର ପିତାମାତା ଅଛନ୍ତି ଶିଶୁକୁ ଗୋଟିଏ କୋଠରିରେ କିଛି ଖାଦ୍ୟ ପାନୀୟ, ଖେଳନା ରଖି ବନ୍ଦ କରି ଚାଲିଯାଉଛନ୍ତି ପାଳିତ ପଶୁ ପକ୍ଷୀ ପରି। ଶିଶୁଟି ନିଃସଙ୍ଗ ବନ୍ଦୀଜୀବନ ବିତାଇ ମାନସିକ ଅବସାଦରେ ବାଳ କାଳ ବିତାଉଛି। ଯେତେବେଳେ ଶିଶୁଟି କୌଣସି ଆବାସିକ ବିଦ୍ୟାଳୟରେ ପ୍ରବେଶ କରେ ନିଜେ ଗଠନାତ୍ମକ ଜୀବନ ବିତାଉଛି କି ନାହିଁ ଜାଣି ପାରେନାହିଁ। ସାଙ୍ଗସାଥୀଠୁ ଯାହା ଦେଖେ ତାହା ଶିଖେ। ଅନୁଷ୍ଠାନରେ କଠୋର ଶୃଙ୍ଖଳା ଥିଲେ ସେ ଲୁଚାଇ କରେ, ନଥିଲେ ଆହାର ବିହାରରେ ବ୍ୟତିକ୍ରମ ଆସିଯାଏ। ଅନେକ ଶିକ୍ଷା ଅନୁଷ୍ଠାନ ବ୍ୟାବସାୟିକ ହୋଇଯାଇଛି। ଶିଶୁର ଧ୍ୱଂସାତ୍ମକ ଆଚରଣକୁ ନିୟନ୍ତ୍ରିତ କଲେ ଛାତ୍ର ସତ ମିଛ ମିଶାଇ ଅଭିଭାବକଙ୍କ ଠାରେ ଉପସ୍ଥାପନ କରେ। ବିଶୃଙ୍ଖଳିତ ସମାଜ, ପରିବାର ଓ ମାନସିକ ଚାପରେ ଥିବା ଅବିଭାବକ କିଛି ବିଚାର ନକରି ଅନୁଷ୍ଠାନ ଉପରେ ଅସନ୍ତୋଷ ବ୍ୟକ୍ତ କରନ୍ତି। ଅନୁଷ୍ଠାନକୁ ଆବଶ୍ୟକ ଲାଭ। ହିସାବ କେବଳ କ୍ୟାଟେରିଂରୁ କେତେ ପ୍ରତିଶତ ମିଳିଲା। ସହରରେ ଶସ୍ତା ଡାକ୍ତର କିଏ। ବହି ଦୋକାନିଆ କେତେ ପ୍ରତିଶତ ଦେବ ଇତ୍ୟାଦି ଇତ୍ୟାଦି।

- Advertisement -

ପିତା ବିଦ୍ୟାଳୟ ବ୍ୟାଙ୍କ ଖାତାକୁ ଅନ୍‍ଲାଇନରେ ଟଙ୍କା ପଠାଇ ଦାୟିତ୍ୱ ସାରି ଦିଅନ୍ତି। ମା’ କିଛି ପକେଟମନି ଶିଶୁକୁ ଲୁଚାଇ ଦେଇ ମାତୃତ୍ୱ ଦାୟିତ୍ୱ ସାରି ଦିଅନ୍ତି। ଅନୁଷ୍ଠାନ ସନ୍ତାନର କେତେ ଦାୟିତ୍ୱ ନେଲା ବୁଝିବାକୁ ସମୟ ନାହିଁ। ପକେଟ ମନି କେଉଁ ବାବଦରେ ଖର୍ଚ୍ଚ ହେଲା ମା’ ବୁଝେନି। ଚପଳ କିଶୋର ବା ଯୁବ ବୟସ ସଂସ୍କାରଶୀଳ ହେଲେ ଭବିଷ୍ୟତ ଉଜ୍ଜ୍ୱଳମୟ ହୁଏ; ବିପରୀତ ବିପଥଗାମୀ ହୋଇଯାଏ। ଶେଷରେ ବାର୍ଦ୍ଧକ୍ୟ ଅବସ୍ଥାରେ ପିତାମାତା ବିପଥଗାମୀ ସନ୍ତାନ ଉପରେ ଅସନ୍ତୋଷ ବ୍ୟକ୍ତ କରନ୍ତି। ତେଣୁ ‘ପିତା ମାତା ବରିଷ୍ଠ ନାଗରିକଙ୍କ ଭରଣ ପୋଷଣ ଓ କଲ୍ୟାଣ ଅଧିନିୟମ -୨୦୦୭’ ଉପରୋକ୍ତ ଭାବରେ ପିଲାଙ୍କୁ ଗଢିତୋଳିଥିବା ବାପା ମା ବା ବରିଷ୍ଠ ନାଗରିକଙ୍କୁ ଲାଗୁ ହେବା ଉଚିତ ହେବ ନାହିଁ। ପିତା ମାତାଙ୍କୁ ଅବହେଳା କଲେ ୫ ହଜାର ଟଙ୍କା ଜୋରିମାନା ଓ ତିନିମାସ ଜେଲ ହେବା ଉଚିତ ନ୍ୟାୟ ହେବନାହିଁ। ପ୍ରତି ମାସରେ ଦଶ ହଜାର ଟଙ୍କା ଯାଏ ଭରଣ ପୋଷଣ ପାଇଁ ପୁଅ, ବୋହୂ, ନାତି ନାତୁଣୀ ଦେବା ଠିକ ଜଣା ଯାଉନାହିଁ। ବର୍ତ୍ତମାନର ପିଲାଙ୍କ ସଂସ୍କାର ବା ବାପା ମା’ଙ୍କ ଠାରୁ ଯାହା ଶିଖିଛନ୍ତି ତାହା ସମାଜ ପାଇଁ କେଉଁ ବାର୍ତ୍ତା ଦେଉଛି ତାହାର ବିଶ୍ଳେଷଣ କରିବା ସମୟ ଆସିଛି। ହୁଏତ ଯୁବ ସମାଜ ଦାବି କରି ପାରନ୍ତି ନିୟମ ଗଢ଼ିବା ପାଇଁ ବାପା, ମା ୬୦ ବର୍ଷ ପରେ ସକ୍ଷମ ଥିବା ଯାଏ ଘର କାମ କରନ୍ତୁ, ଆମେ ଉଭୟେ ଚାକିରିକୁ ଗଲେ ଘର ଜଗନ୍ତୁ, ପୋଷା ଜୀବଜନ୍ତୁଙ୍କ ସେବା କରନ୍ତୁ, ପିଲାଙ୍କ ସେବା କରନ୍ତୁ। ତେବେ ଯାଇ ଭରଣପୋଷଣ ପାଇବେ।

କେବଳ ପାରିବାରିକ ଜୀବନ ପାଇଁ ଆଇନ ସମ୍ବିଧାନକୁ ଗୁରୁତ୍ୱ ଦେଲେ ସଫଳ ହେବ ନାହିଁ; ସାମାଜିକ, ଆଧ୍ୟାତ୍ମିକ, ପରମ୍ପରାକୁ ସମ୍ମାନ ଦେବାର ଆବଶ୍ୟକତା ରହିଛି। ସନ୍ତାନମାନେ ଉପାର୍ଜନକ୍ଷମ ହେବା ପରେ ପିତାମାତା, ଅବିଭାବକଙ୍କ ଠାରୁ ଯାହା ଆର୍ଥିକ, ମାନସିକ, ଶାରୀରିକ ସେବା ପାଇଛନ୍ତି ତାହା ଅନେକ ଗୁଣରେ ଫେରାଇଲେ ହିଁ ପିତୃଶ୍ରାଦ୍ଧ ହେବ। ନତୁବା ସ୍ୱାର୍ଥପର, କୃତଘ୍ନ ବିଶେଷଣ ନେଇ ବଞ୍ଚିବେ। ତୁମେ ବୁଣିଥିବା ଶସ୍ୟ କାଲି ତୁମେ ହିଁ କାଟିବ।

(ଡା.ନକୁଳ ସାହୁ, ମୋ-୯୮୬୧୪୫୦୬୧୨)

Hot this week

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

Related Articles

Popular Categories