www.samajalive.in
Sunday, December 7, 2025
14.1 C
Bhubaneswar

ହାତ ବାନ୍ଧି ବସିଛନ୍ତି ପ୍ରବାସୀ ଶ୍ରମିକ : ଦକ୍ଷତା ଅନୁସାରେ ମିଳୁନି କର୍ମନିଯୁକ୍ତି

ଭୁବନେଶ୍ବର : କୋଭିଡ଼ ମହାମାରୀ ଏବେ ବେରୋଜଗାରୀ ସମସ୍ୟାକୁ ଉତ୍କଟ କରିଛି। ସଟଡାଉନ ଓ ଲକଡାଉନ ଅବଧିକୁ କୋହଳ କରି ଅର୍ଥନୈତିକ କାର୍ଯ୍ୟକଳାପ ତ୍ବରାନ୍ବିତ ପାଇଁ ସରକାରଙ୍କ ସବୁ ପ୍ରୟାସ ସତ୍ତ୍ବେ ବେରୋଜଗାରୀଙ୍କ ସମସ୍ୟା ବଢ଼ିଚାଲିଛି। କୋଭିଡ଼ ସଙ୍କଟ ସମୟରେ ସରକାରଙ୍କ କୋହଳ ନୀତିର ପ୍ରଭାବରେ କିଛି ମାତ୍ରାରେ ଅର୍ଥନୀତି ଚଳଚଞ୍ଚଳ ହୋଇଛି ସତ ହେଲେ ଏହାର ପ୍ରଭାବ ବିଶେଷ ଭାବେ ବ୍ୟବସାୟିକ କ୍ଷେତ୍ରରେ ସୀମିତ ରହିଛି। ଓଡ଼ିଶା ଭଳି ରାଜ୍ୟରେ ବ୍ୟବସାୟ ଅ‌ପେକ୍ଷା ଚାଷ ଓ ଆନୁଷଙ୍ଗିକ କ୍ଷେତ୍ରରେ ଲୋକେ ଜୀବିକାର୍ଜନ ପାଇଁ ନିର୍ଭର କରୁଥିବାରୁ ସେସବୁ କ୍ଷେତ୍ରରେ ସରକାର ଆଖିଦୃଶିଆ ଅର୍ଥ ବିନିଯୋଗ କରିନାହାନ୍ତି। ତେଣୁ ଶ୍ରମଜୀବୀ ରୋଜଗାର ପନ୍ଥା ପାଇପାରୁ ନାହାନ୍ତି।

ରାଜ୍ୟରେ ଏମଏସଏମଇ ଏବଂ ମନରେଗା ଜରିଆରେ ପ୍ରବାସୀ ଶ୍ରମିକଙ୍କୁ ନିୟୋଜିତ କରିବା, ସେମାନଙ୍କ ପାଇଁ ଆତ୍ମନିଯୁକ୍ତି ବା ଜୀବିକାର୍ଜନର ପନ୍ଥା ବାହାର କରିବା ଲାଗି ସରକରଙ୍କ ସବୁ ପ୍ରୟାସ ସତ୍ତ୍ବେ ଏ ପର୍ଯ୍ୟନ୍ତ ଏହା ଗ୍ରାମାଞ୍ଚଳରେ ଓ ଅର୍ଦ୍ଧ ସହରାଞ୍ଚଳରେ ବିଶେଷ ଫଳପ୍ରଦ ହୋଇପାରିନି। କୌଣସି ଅଞ୍ଚଳରେ ଶିଳ୍ପ, ଏମଏସଏମଇ କିମ୍ବା ମନରେଗାରେ ଆଖିଦୃଶିଆ ନିଯୁକ୍ତି ବା ଆତ୍ମନିଯୁକ୍ତିର ବାଟ ଖୋଲିପାରିନି। ମନରେଗାରେ ଅଧିକ ଶ୍ରମ ଦିବସ ସୃଷ୍ଟିର ସୁଯୋଗ ଥିଲେ ବି ବର୍ଷା ଋତୁରେ ଏହା ଫଳପ୍ରଦ ହୋଇପାରୁନି। ଅଧିକାଂଶ ପ୍ରବାସୀ ଶ୍ରମିକ ପେଟ ପୋଷିବାକୁ ‌ଚାଷ ଦିଗରେ ମୁହାଁଉଥିଲେ ହେଁ ହଠାତ ସେମାନେ ଅନ୍ୟ କ୍ଷେତ୍ରରୁ ଆସି କୃଷିକୁ ଆଦରିପାରୁ ନାହାନ୍ତି। କିଛି ମାତ୍ରାରେ ଲୋକେ ଛୋଟବଡ଼ ବେପାର କରି ପେଟ ପୋଷିବାକୁ ମନ ବଳାଇଲେଣି। କୋଭିଡ଼ ସମୟରେ ସରକାରୀ ପ୍ରୋତ୍ସାହନ ଯେଉଁ ଢ଼ଙ୍ଗରେ ମିଳିବା କଥା ତୃଣମୂଳ ସ୍ତରରେ ଏହା ଏ ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ।

- Advertisement -

ଗତ ପାଞ୍ଚମାସର କୋଭିଡ଼ ଯନ୍ତ୍ରଣା ଭିତରେ ରାଜ୍ୟର ଆର୍ଥିକ କ୍ଷେତ୍ର ପୂରାପୂରି ବିପର୍ଯ୍ୟସ୍ତ ହୋଇପଡ଼ିଛି। ପ୍ରାୟ ୪ ମାସ ଭିତରେ ୧୫ ଲକ୍ଷରୁ ଅଧିକ ପ୍ରବାସୀ ବିଭିନ୍ନ ରାଜ୍ୟରୁ ଓଡ଼ିଶା ଫେରିଛନ୍ତି। କୋଭିଡ଼ ନିୟମାବଳି ପାଳନ ପୂର୍ବକ ୧୪ ଦିନର କ୍ବାରେଣ୍ଟାଇନ ଶେଷ କରି ସେମାନେ ଏବେ ପରିବାର ସହିତ କାଳାତିପାତ କରୁଛନ୍ତି। ହେଲେ ସୁଦୂର ଗୁଜରାଟ, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଭଳି ସହରାଞ୍ଚଳର ବିଭିନ୍ନ ଶିଳ୍ପ ଓ ଏମଏସଏମଇ ସଂସ୍ଥାରେ କାମ କରି ମାସକୁ ମାସ ପରିବାରକୁ ପଇସା ଯୋଗାଉଥିବା ଏହି ଶ୍ରମିକମାନେ ଏବେ ଘରେ ବେକାର ବସିଛନ୍ତି। ପୂର୍ବ ସଞ୍ଚିତ ଅର୍ଥରେ ପରିବାର ଚଳୁଛି। ହେଲେ ଆଗକୁ ‌ସେମାନେ କିପରି ପରିବାର ଚଳାଇବେ ସେଥିନେଇ ପ୍ରମାଦ ଗଣିଲେଣି। ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ହେଉ ବା କୃଷି କ୍ଷେତ୍ର ସେମାନଙ୍କ ପାଇଁ କର୍ମସଂସ୍ଥାନ ଯୋଗାଡ଼ କରିବା ପାଇଁ ରାଜ୍ୟ ସରକାର ବହୁ ପୂର୍ବରୁ ଘୋଷଣା କରିଥିଲେ। ହେଲେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ରହୁଥିବା ଲକ୍ଷାଧିକ ପ୍ରବାସୀ ଶ୍ରମିକ ଏବେ ସରକରଙ୍କ ଘୋଷଣା ମୁତବକ ସହାୟତା ବା ପ୍ରୋତ୍ସାହନ ପାଇବାରୁ ବଞ୍ଚିତ ହୋଇଛନ୍ତି।

ସରକାର ଘୋଷଣା କରିଥିଲେ ସେ ପ୍ରବାସୀ ଶ୍ରମିକଙ୍କ ‌ଦକ୍ଷତା ମ୍ୟାପିଙ୍ଗ କରାଯାଇ ଅଭିଜ୍ଞତା ବା ଦକ୍ଷତା ଆଧାରରେ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଆତ୍ମନିଯୁକ୍ତି ବା କର୍ମନିଯୁକ୍ତି ଜରିଆରେ ଅର୍ଥ ଉପାର୍ଜନର ସୁଯୋଗ ଦିଆଯିବ। ହେଲେ ବାସ୍ତବରେ ବ୍ଲକ କିମ୍ବା ପଞ୍ଚାୟତ ସ୍ତରରେ ଏ ପ୍ରକାର କାର୍ଯ୍ୟକ୍ରମ ଆଖିରେ ପଡ଼ୁ ନାହିଁ। ନିପଟ ଗ୍ରାମାଞ୍ଚଳରେ ରହୁଥିବା ପ୍ରବସୀ ଶ୍ରମିକଙ୍କ ପାଇଁ ଏବେ କିଛି ବିକଳ୍ପ ବାଟ ବି ନାହିଁ। ଅନ୍ୟ ଉପାୟ ନପାଇଁ ଅନେକ ଏବେ ବିଲବାଡ଼ିରେ ପରିଶ୍ରମ କରି, ପରିବା ଓ ଛୋଟବଡ଼ ଦୋକାନ କରି ପରିବାର ପୋଷିବାକୁ ଉଦ୍ୟମ ଚଳାଇଛନ୍ତି। ହେଲେ ପୁଞ୍ଜି ନଥିବାରୁ ସେମାନେ ଏ ଦିଗରେ ବି ଆଗେଇପାରୁ ନାହାନ୍ତି। ବାହାର ରାଜ୍ୟକୁ ପେଟ ପୋଷିବାକୁ ଯାଇ କୋଭିଡ଼ ଭୟରେ ଫେରିଥବା ପ୍ରବାସୀଙ୍କର ବିଶେଷ ଚାଷ ଜମି ନାହିଁ। ତେଣୁ କୃଷି କାର୍ଯ୍ୟକୁ ମୁହଁାଉଥିବା ଶ୍ରମିକ ଏ କ୍ଷେତ୍ରରେ ସଙ୍କଟର ସାମ୍ନା କରୁଛନ୍ତି। ସରକାର ପ୍ରବାସୀ ଶ୍ରମିକଙ୍କ ବାସ୍ତବ ସମସ୍ୟା ପ୍ରତି ସଚେତନ ନହେଲେ ଆଗକୁ ଭୟଙ୍କର ସଙ୍କଟ ଦେଖାଦେବାର ଆଶଙ୍କା ରହିଛି।

କୋଭିଡ଼ ପରିସ୍ଥିତି ଲାଗିରହିଥିବା ସତ୍ତ୍ବେ ଏବେ ବିଭିନ୍ନ ରାଜ୍ୟରେ ବନ୍ଦ ଥିବା ଶିଳ୍ପ ସଂସ୍ଥା ଭିତରୁ କିଛି କଳ କାରଖାନା ପୁନର୍ବାର କାର୍ଯ୍ୟକ୍ଷମ ହେଲାଣି। ଶ୍ରମିକଙ୍କୁ ଫେରାଇ ଆଣିବା ସକାଶେ ଯୋଜନା ପ୍ରସ୍ତୁତ ହେଲାଣି। ଟ୍ରେନ, ବସ ମାଧ୍ୟମରେ ଶ୍ରମିକଙ୍କୁ ‌ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି। ମାତ୍ର ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ଅନେକ ଫେରିବାକୁ ଆଗ୍ରହୀ ଥିଲେ ମଧ୍ୟ ପୁନର୍ବାର ସେମାନେ ପୂର୍ବସ୍ଥିତିରେ ଆତ୍ମନିଯୁକ୍ତି ପାଇବା ନେଇ ସଂଶୟରେ ଅଛନ୍ତି। କାରଣ ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ହରିୟାନା ଓ ମଧ୍ୟପ୍ରଦେଶ ଭଳି ରାଜ୍ୟଗୁଡ଼ିକରେ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କୁ ‌ନିଯୁକ୍ତି ଦେବା ଉପରେ ଏବେ ଅଗ୍ରାଧିକାର ଦିଆଯାଉଛି।

କୋଭିଡ଼ ପରିସ୍ଥିତିରେ ନିଯୁକ୍ତି କ୍ଷେତ୍ର ସଙ୍କୁଚିତ ‌ହୋଇପଡ଼ିଥିବାରୁ ସେସବୁ ରାଜ୍ୟଗୁଡ଼ିକ ନିଜ ରଜ୍ୟର ଲୋକଙ୍କୁ ‌କର୍ମସଂସ୍ଥାନ ଯୋଗାଇବାକୁ ପ୍ରାଥମିକତା ଦେଉଛନ୍ତି। ଏପରିକି ଗୋଆ ଏବଂ ହିମାଚଳ ପ୍ରଦେଶ ଭଳି ରାଜ୍ୟଗୁଡ଼ିକ ମଧ୍ୟ ଅନୁରୂପ ଢ଼ାଞ୍ଚା ଆପଣାଇଛନ୍ତି। ଏଭଳି ସ୍ଥିତିରେ କର୍ମସଂସ୍ଥାନର ନିଶ୍ଚିତ ପ୍ରତିଶ୍ରୁତି ପାଇବା ବି ଶ୍ରମିକଙ୍କ ପାଇଁ ମୁସ୍କିଲ ହୋଇପଡ଼ିଛି। ତଥାପି ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ହରିୟାନା ଏବଂ ତାମିଲନାଡ଼ୁ ଆଦି ରାଜ୍ୟରୁ ଫେରିଥିବା ପ୍ରବାସୀ ଶ୍ରମିକ ପୁନର୍ବାର କର୍ମକ୍ଷେତ୍ରକୁ ଫେରିବା ପାଇଁ ଆଶା ବାନ୍ଧି ରହିଛନ୍ତି। ଏବେ ରାଜ୍ୟ ସରକାର ଅନିଶ୍ଚିତ କର୍ମନିଯୁକ୍ତି ଅପେକ୍ଷାରେ ଥିବା ପ୍ରବାସୀ ଶ୍ରମିକଙ୍କୁ କର୍ମନିଯୁକ୍ତିର ନିଶ୍ଚିତ ଭରସା ଦେଇ ନପାରିଲେ ସେମାନଙ୍କ ଭବିଷ୍ୟତ ଅନିଶ୍ଚିତ ହୋଇପଡ଼ିବାର ଆଶଙ୍କା ରହିଛି। ବିଭିନ୍ନ ବିଭାଗର ମିଳିତ ଉଦ୍ୟମରେ କର୍ମସଂସ୍ଥାନ ପାଇଁ ସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତି ସରିଛି। ମାତ୍ର ପ୍ରବାସୀଙ୍କୁ ଉପାର୍ଜନକ୍ଷମ କରିବା ଦିଗରେ ବାସ୍ତବରେ କି ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ନା ପଞ୍ଚାୟତିରାଜ ନା ଶ୍ରମ ବିଭାଗ କାହା ପାଖରୁ ସ୍ପଷ୍ଟ ଉତ୍ତର ମିଳୁନାହିଁ।

Hot this week

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

Related Articles

Popular Categories