www.samajalive.in
Sunday, December 7, 2025
23.1 C
Bhubaneswar

ବଲାଙ୍ଗିର କେନ୍ଦୁପତ୍ର ସର୍କଲରେ ସବୁଜ ହୀରାରୁ ହରିଲୁଟ. ଗୋଚ୍ଛାକଟାରେ ବାବୁମାନଙ୍କ ପକେଟକୁ ଯାଉଛି ୫୦ ପ୍ରତିଶତ!

ବଲାଙ୍ଗିର: ପୂର୍ବରୁ ଗୋଚ୍ଛା କଟାଳିଙ୍କ ମଜୁରୀ ନଗଦ ଆକରରେ ଦିଆଉଥିବା ବେଳେ ଏଥିରେ ହେଉଥିବା ଦୁର୍ନିତୀକୁ ରୋକିବାକୁ ସରକାର ଶ୍ରମିକଙ୍କ ମଜୁରୀ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଦେବାର ବ୍ୟବସ୍ଥା କଲେ। କିନ୍ତୁ ସେଥିରେ ମଧ୍ୟ ବିଭାଗୀୟ କର୍ମଚାରୀମାନେ ତାଙ୍କର କଳାକାରନାମା ଦେଖାଉଛନ୍ତି। ବହୁ ସ୍ଥାନରେ ଗୋଚ୍ଛା କଟାଯାଇନଥିବା ବେଳେ ଜଙ୍ଗଲ ଜମିରେ ନିଆଁ ଲଗାଇ ଦେଉଥିବା ଅଭିଯୋଗ ହୋଇ ଆସୁଛି। ଫଳରେ ଜଙ୍ଗଲ ଏଥି ପାଇଁ ଧ୍ୱଂସ ହେଉଛି। ସେପଟେ ଗୋଚ୍ଛା କଟେଇ କରିଥିବା ଦର୍ଶାଯାଇଥିବା ଶ୍ରମିକଙ୍କ ସ୍ଥାନରେ ମୁନସି ଓ ଚେକର ନିଜ ଲୋକଙ୍କ ନାମ ଭର୍ତ୍ତି କରିଦେଇ ମଜୁରୀ ହଡପ କରାଯାଉଛି। ଏଭଳି ଅଭିଯୋଗ ଆସିଲା ପରେ ବର୍ତ୍ତମାନ କେନ୍ଦୁପତ୍ର ବିଭାଗରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ,ପ୍ରତିବର୍ଷକୁ ପ୍ରାୟ ୫୦% ଗୋଚ୍ଛା କଟେଇ ଟଙ୍କାକୁ ବିଭାଗୀୟ ଅଧିକାରୀମାନେ ହିଁ ଚଳୁ କରିଦେଉଛନ୍ତି। ଏଥିରେ ତଳୁ ଉପର ସମସ୍ତେ ସାମିଲ ହେଉଛନ୍ତି। ଫରେଷ୍ଟର ,ରେଞ୍ଜର ଓ ଡିଏଫଓଙ୍କର ଏଥିରେ ୧୦% ପ୍ରତିଶତ ଲେଖାଏଁ ରହିଥିବା ବେଳେ ବାକି କର୍ମଚାରୀଙ୍କ ଭାଗରେ ବାକି ୧୦% ରହିଥିବା ଜଣେ କର୍ମଚାରୀ ତାଙ୍କ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଏହା ସବୁ ବିଭାଗୀୟ ଅଧିକାରୀଙ୍କ ଜାଣତରେ ହେଉଥିବା ଅଭିଯୋଗ ହେଉଛି। ବଲାଙ୍ଗିର ଡିଭିଜନରେ ଚଳିତ ବର୍ଷ ୧କୋଟି ୬୨ଲକ୍ଷ ୮୨ ହଜାର ୮୧୨ ଟଙ୍କା ଗୋଚ୍ଛା କଟେଇରେ ଖର୍ଚ୍ଚ ହୋଇଥିବା ମିଳିଥିବା ତଥ୍ୟରୁ ଜଣାପଡିଛି। ସେକସନ ପିଛା ପ୍ରାୟ ୧୬ ଲକ୍ଷରୁ ଆରମ୍ଭ କରି ୨୨ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ସେଥି ମଧ୍ୟରୁ ସୋନପୁର ଜିଲାର ଖଲିଆପାଲି ରେଞ୍ଜରେ ସର୍ବାଧିକ ୨୬,୧୮,୬୫୫ ଟଙ୍କା,ବଲାଙ୍ଗିର ରେଞ୍ଜରେ ୨୨,୮୯,୧୦୫ ଟଙ୍କା,ତରଭା ରେଞ୍ଜରେ ୨୪,୦୪,୫୩୨ଟଙ୍କା ଓ ଲୋଇସିଂହା ରେଞ୍ଜରେ ୨୧,୨୪,୪୯୯ ଟଙ୍କା ଦର୍ଶାଯାଇଛି। ଡିଭିଜନରେ ମୋଟ ୧୮,୦୬୦ ଶ୍ରମିକ ନିୟୋଜିତ ହୋଇଥିବା ଓ ୨୪,୨୪୬ ହେକ୍ଟର ଜମିର ଗୋଚ୍ଛା କଟାଯାଇଥିବା ଦର୍ଶାଯାଇଛି। ବଲାଙ୍ଗିର ରେଞ୍ଜ ଓ ସିଙ୍ଗବାହାଲି ରେଞ୍ଜରେ ଗତ ମାର୍ଚ୍ଚ ୪ ତାରିଖରୁ ଓ ଅନ୍ୟ ରେଞ୍ଜମାନଙ୍କରେ ୧୨ ତାରିଖରୁ ଗୋଚ୍ଛା କଟେଇ କରାଯାଇଥିଲା ବୋଲି ଦର୍ଶାଯାଇଛି। ମୋଟ ୪୮,୧୭୪ ଶ୍ରମ ଦିବସ ସୃଷ୍ଟି କରାଯାଇଥିବା ଦର୍ଶାଯାଇଥିବା ବେଳେ ଏଥିରେ ବ୍ୟାପକ ଅନିୟମିତତା କରାଯାଇଥିବା ବିଭାଗୀୟ ସ୍ତରରେ ଅଭିଯୋଗ ଉଠୁଛି।
ତେବେ ନିୟମ ଅନୁସାରେ,ଫଡି କମିଟି ଗୋଚ୍ଛାକଟା ବିଷୟ ନେଇ କମିଟି ହିଁ ବୈଠକରେ ନିଷ୍ପତ୍ତି ନେଇଥାଏ। କିନ୍ତୁ ବିଭାଗ ତାହା କେବଳ କାଗଜ କଲମରେ ସାରି ଦେଉଥିବା ବେଳେ ନିଜେ ହିଁ ସବୁକିଛି ନିଷ୍ପତ୍ତି ନେଉଥିବା ଅଭିଯୋଗ ହେଉଛି। ଅନେକ ସ୍ଥାନରେ ଫଡି କମିଟିର ସଦସ୍ୟମାନେ ନିଷ୍ପତ୍ତି ସମ୍ପର୍କରେ ଆଦୌ ଜାଣି ନଥିବା କଥା କହୁଛନ୍ତି। ରେଞ୍ଜରମାନଙ୍କ ନିର୍ଦ୍ଦେଶରେ ଫରେଷ୍ଟର,ଚେକର ଓ ମୁନସିମାନଙ୍କୁ ଧରି ସବୁ କଳାକାରନାମା ଚଳାଉଛନ୍ତି। ସେଥିରେ ସମସ୍ତଙ୍କର ମିଳିଭଗତ ରହୁଛି। ଏପରିକି ଯିଏ ଅଭିଯୋଗ କଲେ ସେହି ଅଭିଯୋଗ ପତ୍ରକୁ ଅଫିସ କିରାଣୀମାନେ ଡଷ୍ଟବିନକୁ ଫିଙ୍ଗିଦେଉଛନ୍ତି ବୋଲି ମଧ୍ୟ ଅଭିଯୋଗ ହେଉଛି। ସରକାର ସବୁ ବିଭାଗରେ ସ୍ୱଚ୍ଛତା ରକ୍ଷା ପାଇଁ ବିଭାଗୀୟ ତଥ୍ୟଗୁଡିକ ସରକାରୀ ପୋର୍ଟାଲରେ ସର୍ବସାଧାରଣଙ୍କ ଅବଗତି ପାଇଁ ଅପଲୋଡ କରିବା ପାଇଁ ଘୋଷଣା କରିଛନ୍ତି। କିନ୍ତୁ ଯେଉଁ କେନ୍ଦୁଲିଫ ବିଭାଗରେ ବର୍ଷକୁ ଶହଶହ କୋଟି ଟଙ୍କାର କାରବାର ହେଉଥିଲେ ହେଁ ସେହି ବିଭାଗର କୌଣସି ତଥ୍ୟ ପୋର୍ଟାଲରେ ଉପଲବଧ ନାହିଁ।
ଅନ୍ୟପକ୍ଷରେ ବିଭାଗୀୟ ବିଭାଗୀୟ କାର୍ୟ୍ୟାଳୟକୁ ତଥ୍ୟ ମାଗିଲେ ସେଠାରେ ଥିବା ଜନୈକ କିରାଣୀ ଜଣକ ଲୋକଙ୍କୁ ହଇରାଣ ହରକତ କରୁଥିବା ବେଳେ କୌଣସି ତଥ୍ୟ ଦେଉନାହାଁନ୍ତି। ଚଳିତ ବର୍ଷ କୋଭିଡ ସମୟରେ ବେଶି ପରିମାଣରେ ଶ୍ରମିକଙ୍କ ମଜୁରୀରେ ହେରଫେର କରିଥିବା ଅଭିଯୋଗ ହେଉଛି। ଏହି ଅଭିଯୋଗ ନେଇ ବଲାଙ୍ଗିର ଡିଏଫଓ ରଞ୍ଜିତ କୁମାର ମଲ୍ଲିକ ଏହାକୁ ଅସ୍ୱୀକାର କରିବା ସହ ମୋ ନଜରକୁ ସେଭଳି ଅଭିଯୋଗ ଆସି ନାହିଁ। ଗୋଚ୍ଛାକଟା ପାଇଁ ଯେଉଁ ଶ୍ରମିକମାନେ ରହିଛନ୍ତି ମଜୁରୀ ସବୁ ବ୍ୟାଙ୍କ ଜରିଆରେ ପ୍ରଦାନ କରାଯାଉଛି। ତେଣୁ ସେଭଳି ଅନିୟମିତତା ହେବାର ପ୍ରଶ୍ନ ଉଠୁ ନାହିଁ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଅନ୍ୟପକ୍ଷରେ ଗୋଚ୍ଛା କଟେଇରେ ସାମିଲ କରାଯାଉଥିବା ଶ୍ରମିକଙ୍କ ନାମ ଓ ପାଇଥିବା ମଜୁରୀର ତଥ୍ୟ ସର୍ବସାଧାରଣ ପୋର୍ଟାଲରେ ଦେଲେ ଅନେକ ରହସ୍ୟ ଜଣାପଡିବ। ଏହାର ଉଚ୍ଚସ୍ତରୀୟ ତଦନ୍ତ କଲେ କେନ୍ଦୁପତ୍ର ବିଭାଗର ଅନେକ ଅନିୟମିତତାର ଗୁମର ଫିଟିବ ବୋଲି ସାଧାରଣରେ ଦାବି ହେଉଛି।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories