ମୃତ୍ୟୁକୁ ଅପେକ୍ଷା
ଗୋରେଖନାଥ ସାହୁ
ଜନ୍ମ ହେଲାମାତ୍ରେ ପ୍ରତ୍ୟେକ ଜୀବ ଦ୍ରୁତ ଗତିରେ ମୃତ୍ୟୁ ଆଡ଼କୁ ହିଁ ଧାବମାନ ହୋଇଥାଏ। ମୃତ୍ୟୁ ଧ୍ରୁବ ସତ୍ୟ। କଥାରେ ଅଛି ‘ମର୍ତ୍ତ୍ୟମଣ୍ଡଳେ ଦେହ ବହି, ଦେବତା ହେଲେ ହେଁ ମରଇ।’ ତଥାପି ମୃତ୍ୟୁ ସୁନିଶ୍ଚିତ ଜାଣି ମଣିଷ ଏପରି କାମ କରେ ସତେ ଯେପରି ସେ କେବେ ମରିବ ନାହିଁ। ଧର୍ମ ବକର ପ୍ରଶ୍ନ କିଂ ଆଶ୍ଚର୍ଯ୍ୟମ ର ଏହାହିଁ ଉତ୍ତର ଥିଲା ଧର୍ମରାଜ ଯୁଧିଷ୍ଠିରଙ୍କର। ଅପରପକ୍ଷରେ ମୃତ୍ୟୁ ଏକ ଭୟାନକ ଦୁର୍ଘଟଣାଭାବେ ସମସ୍ତଙ୍କ ମନରେ ଅହେତୁକ ଭୟ ସୃଷ୍ଟି କରିଥାଏ। ମୃତ୍ୟୁ ଜୀବନ ଚକ୍ରରେ ପଦୋନ୍ନତିର ଏକ ପାହାଚ- ଏହା ଜ୍ଞାନୀଜନ ଜାଣି ମଧ୍ୟ ଭୟାତୁର ଜୀବନଯାପନ କରିଥାନ୍ତି। ଭୟ ହେଉଛି ଭୟର ସବୁଠୁ ବଳି ବଡ଼ କାରଣ। ଭୟାତୁର ମଣିଷ ଜୀବନରେ ସଫଳତା ଅର୍ଜନ କରିପାରେ ନାହିଁ। ସେ କେବଳ ଟାକି ବସିଥାଏ କେବେ ମରିବ। ନକାରାତ୍ମକ ମୃତ୍ୟୁ ଚେତନା ତାହାକୁ ଶାରୀରିକ ଓ ମାନସିକ ସ୍ତରରେ ଅବଶ କରିଦିଏ। ବିଷାଦଗ୍ରସ୍ତ ମନ ତା’ର ବିକାରଗ୍ରସ୍ତ ହୋଇଯାଏ। ମନ ବିକାରଗ୍ରସ୍ତ ହେଲେ ବିବେକ ପୋଡ଼ିଜଳି ନଷ୍ଟ ହୋଇଯାଏ। ବିବେକ ନଷ୍ଟ ହେଲେ ଅନ୍ତକାଳରେ ଆତ୍ମା ମଧ୍ୟ ଦିଗହରା ହୁଏ । ଫଳରେ ପୁଣି ସେ ଜୀବନ ଚକ୍ରରେ ଘାଣ୍ଟି ହୁଏ। ‘ପୁନରପି ଜନମଂ ପୁନରପି ମରଣଂ, ଜନନୀ ଜଠରେ ପୁନରପି ଶୟନଂ।’ ଦେହଛାଡ଼ି ଗଲାବେଳେ ଆତ୍ମା କେବଳ ଗୋଟିଏ ଜିନିଷ ନେଇଯାଏ, ତାହା ହେଲା ସଂସ୍କାର। ଯେଉଁ ସଂସ୍କାର ପରବର୍ତ୍ତୀ ଜୀବନରେ ପ୍ରତିଫଳିତ ହୁଏ। ତେଣୁ ତ ଯୋଗେଶ୍ବର ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ଜଣେ ଯୋଗଭ୍ରଷ୍ଟ ହେଲେ ମଧ୍ୟ ପରବର୍ତ୍ତୀ ଜନ୍ମରେ ସେ ତାହାକୁ ଛାଡ଼ିଥିବା ସ୍ଥାନରୁ ପୁଣି ଆରମ୍ଭ କରିବାପାଇଁ ଭଲ ପରିବାର, ଭଲ ପରିବେଶ ଦେବେ।
ଏ ଆଲେଖ୍ୟର ବିଷୟବସ୍ତୁ ହେଉଛି ମୃତ୍ୟୁକୁ ଅପେକ୍ଷା କରିଥିବା ମନୁଷ୍ୟମାନଙ୍କ ସମ୍ପର୍କରେ ସମ୍ୟକ୍ ମନନ କରିବା। ମୃତ୍ୟୁ ସମ୍ପର୍କରେ ଆମେ କିଛିଟା ଜାଣିଲେ। ଏବେ ମୃତ୍ୟୁକୁ ଅପେକ୍ଷା କରିଥିବା ଲୋକଙ୍କ ବିଷୟରେ ଟିକିଏ ଆଲୋଚନା କରିବା। ମୃତ୍ୟୁକୁ ଅପେକ୍ଷା କରିଥିବା ଲୋକ ମୁଖ୍ୟତଃ ଚାରିପ୍ରକାର, ଯଥା- ଦୁରାରୋଗ୍ୟ ବ୍ୟାଧିଗ୍ରସ୍ତ ଲୋକ, ଭୟାନକ ଦୁର୍ଘଟଣାଗ୍ରସ୍ତ ଲୋକ, ଅତୀବ ଜରାଗ୍ରସ୍ତ ଲୋକ ଏବଂ ଅବସରପ୍ରାପ୍ତ ଲୋକ। ଏହି ଚାରିପ୍ରକାର ଲୋକମାନଙ୍କ ମଧ୍ୟରୁ ଶେଷୋକ୍ତ ଲୋକମାନଙ୍କ ସମ୍ପର୍କରେ ବିଚାର ଆଲୋଚନା କରିବା ଏହି ଆଲେଖ୍ୟର ଉଦ୍ଦେଶ୍ୟ।
ଯେଉଁମାନେ ଅବସରପରେ ଜୀବନକୁ ବ୍ୟର୍ଥ ବୋଲି ମନେ କରୁଛନ୍ତି, ଆହାର, ନିଦ୍ରା, ଭୟ, ମୈଥୁନରେ ଜୀବନକୁ ତିଳତିଳ କରି ନଷ୍ଟ କରୁଛନ୍ତି, ଗଛତଳେ, ଘର ପିଣ୍ଡାରେ, ଦାଣ୍ଡରେ ତାସ ଖେଳି, ଗୁଲିଖଟିରେ କାଳକାଟି ମୃତ୍ୟୁକୁ ଅପେକ୍ଷାକରି ରହିଛନ୍ତି, ନିଜ ଦେହ ଓ ମନରେ ଅଫୁରନ୍ତ ଶକ୍ତି ସାମର୍ଥ୍ୟ ଥିଲେ ମଧ୍ୟ ସେମାନେ ଦେଶ ଓ ଦଶର ଉପକାର ସକାଶେ କୁଟା ଖେଣ୍ଡକୁ ଦି’ଖଣ୍ଡ କରିବାକୁ ପ୍ରସ୍ତୁତ ନୁହନ୍ତି, ପରିବାର ଓ ସମାଜପାଇଁ ଆଶୀର୍ବାଦ ପାଲଟିବାସ୍ଥଳେ ଅଭିଶାପ ପାଲଟି ଯାଉଛନ୍ତି ସେମାନେ, ନିଜର ଶକ୍ତିସାମର୍ଥ୍ୟକୁ ଉପଲବ୍ଧି କରିପାରୁ ନାହାନ୍ତି ବାସ୍ତବ କ୍ଷେତ୍ରରେ ସେମାନଙ୍କ ଉପରେ ନିର୍ଭର କରୁଛି ଗୋଟିଏ ସମାଜର ବା ଗୋଟିଏ ରାଷ୍ଟ୍ରର ପ୍ରଗତି। ଦେଶର ଯୁବ, ଛାତ୍ରଛାତ୍ରୀ, କୃଷକ, ଶ୍ରମିକ, କର୍ମଚାରୀ ବା ଅନ୍ୟ ବର୍ଗର ଲୋକମାନଙ୍କ ସମୟର ସ୍ବାଧୀନତା ନଥାଏ। ସେମାନେ ସମସ୍ତେ ନିଜ ଦାୟିତ୍ବ ଓ କର୍ତ୍ତବ୍ୟର ପାଶରେ ବନ୍ଧାହୋଇଥାଆନ୍ତି। ମାତ୍ର ଅବସରପ୍ରାପ୍ତ ବ୍ୟକ୍ତିମାନେ ସେଥିରୁ ମୁକ୍ତ େହାଇ ଚିନ୍ତନ, କଥନୀ ଓ କରଣୀକ୍ଷେତ୍ରରେ ପ୍ରଚୁର ସ୍ବାଧୀନତା ଉପଭୋଗ କରୁଥାନ୍ତି। ସେଥିପାଇଁ ସେମାନେ ବ୍ୟକ୍ତିଗତ ଭାବରେ ବା ଗୋଷ୍ଠୀଗତଭାବରେ ଏକତାବଦ୍ଧ ହୋଇ ଦେଶ ଓ ଜାତିକୁ ଠିକ୍ ମାର୍ଗରେ ଅଗ୍ରସର ହେବାପାଇଁ ନେତୃତ୍ବ ଦେଇପାରନ୍ତି। ସେଥିପାଇଁ ବୋଧହୁଏ ଏବେ ଦେଶ ଓ ରାଜ୍ୟସ୍ତରରେ ବରିଷ୍ଠ ନାଗରିକ ତୁଷ୍ଟିକରଣ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏହା ପଛରେ ଏକ ବଳିଷ୍ଠ ଭୋଟବ୍ୟାଙ୍କ ସୃଷ୍ଟି କରିବାର ରାଜନୈତିକ ମାନସିକତାକୁ ଏଡ଼ାଇ ଦିଆଯାଇ ନପାରେ। ମାତ୍ର ସକାରାତ୍ମକ ଦୃଷ୍ଟିରୁ ଦେଖିବାକୁ ଗଲେ ଏହି ଅବସରପ୍ରାପ୍ତ ଗୋଷ୍ଠୀ ମଧ୍ୟରେ ଲୁକ୍କାୟିତ ଅଛି ଦେଶର ପ୍ରଗତି। କେବଳ ସେମାନେ ଏତିକି ଭାବିବା କଥା ଯେ ଦେଶ ସେମାନଙ୍କ ପାଇଁ କ’ଣ କରିଛି ନ ପଚାରି େସମାନେ ଦେଶପାଇଁ କ’ଣ କରିଛନ୍ତି- ଏ ଭାବନା ବ୍ୟକ୍ତିଗତ ସ୍ତରରୁ ସାମୂହିକ ସ୍ତରରେ ପ୍ରତିଧ୍ବନିତ ହେବା ଦରକାର। ସ୍ବାମୀ ବିବେକାନନ୍ଦଙ୍କ ମତରେ ସେ କେବଳ ବଞ୍ଚେ ଯେ ପରପାଇଁ ବଞ୍ଚେ। ଅବସରପ୍ରାପ୍ତ ବୟସ୍କ ଲୋକଙ୍କୁ ଆଜିର ଆହ୍ବାନ ମୃତ୍ୟୁକୁ ଅପେକ୍ଷା ନକରି ଆସନ୍ତୁ ଦେଶପାଇଁ ଜାତିପାଇଁ ବଞ୍ଚିବା! କିଛି କରି ଦେଖେଇବା।
ସୋନପୁର