ସାପ ସମ୍ବନ୍ଧରେ ଧାରଣା ଓ ବାସ୍ତବତା
ନଦୀୟାଚାନ୍ଦ କାନୁନ୍ଗୋ
ସାପ ଶବ୍ଦ କହିଲେ ଆମ୍ଭେମାନେ ଭୟଭୀତ ହୋଇଥାଉ। ଏଣୁ ସାପ ଦେଖିଲାମାତ୍ରେ ଆମ୍ଭେମାନେ ନିର୍ବିଚାରରେ ସେହି ପ୍ରାଣୀକୁ ଜୀବନରେ ମାରିଦେବାକୁ ପଛାଇ ନ ଥାଉ ଯାହା ଅନୁଚିତ। ସାପ ପ୍ରାଣୀଜଗତରେ ଏକ ମୂଲ୍ୟବାନ ଜୀବ। ସାପ ଏକ ସରୀସୃପ ଯିଏ ନିଜ ପେଟରେ ଭରାଦେଇ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାଏ। ମାଟି ଉପରେ ପ୍ରାଣୀ ଶରୀର ଅଙ୍କାବଙ୍କା ଗତିର ଚିହ୍ନ ହିଁ ଆମ୍ଭମାନଙ୍କୁ ଏହା ଏକ ସାପର ଉପସ୍ଥିତିକୁ ବୁଝାଇଥାଏ। ବର୍ତ୍ତମାନ ସାରା ବିଶ୍ବରେ ପାଞ୍ଚପ୍ରକାର ସରୀସୃପ ଦେଖିବାକୁ ମିଳିଥାଆନ୍ତି। ସେଥିମଧ୍ୟରେ ୬୦୦୦ ପ୍ରକାର ସରୀସୃପ ଥିବାର ଦେଖିବାକୁ ହୋଇଥାଏ ଯେଉଁମାନଙ୍କୁ ପଚିଶ ପ୍ରଜାତିେର ମଣିଷ ବିଭକ୍ତ କରିଅଛି। ସେମାନଙ୍କ ଶାରୀରିକ ଗଠନକୁ ଭିତ୍ତିକରି ଏବଂ ପ୍ରାଣୀତତ୍ତ୍ବକୁ ଆଧାରକରି ଏପରି କରାଯାଇଅଛି। ସେ ସବୁ ମଧ୍ୟରେ ଆସୁଛନ୍ତି କ୍ରକୋଡାଇଲିଆ ବା କୁମ୍ଭୀର ସମ୍ବନ୍ଧୀୟ ; ଯଥା କ୍ରକୋଡାଇଲସ, ଆଲିଗେଟରସ ଏବଂ ଘଡିଆଲସ୍। ଆମ ଭାରତବର୍ଷରେ କ୍ରକୋଡାଇଲସ୍ ଏବଂ ଘଡିଆଲ ଦେଖିବାକୁ ମିଳୁଥିବାବେଳେ ଆଲିଗେଟରମାନେ ଦକ୍ଷିଣ ଆମେରିକା ଏବଂ ଚୀନଦେଶରେ ଦେଖିବାକୁ ମିଳିଥାଆନ୍ତି। ଦକ୍ଷିଣ ଆମେରିକାରେ ବଡ଼ବଡ଼ ଆଲିଗେଟରମାନେ ଦେଖାଯାଉଥିବାବେଳେ ଚୀନ୍ ଦେଶରେ ଛୋଟ ଧରଣର ଆଲିଗେଟର ଦେଖିବାକୁ ମିଳିଥାଏ। ଏମାନେ ସମସ୍ତେ ମାଛ ସହିତ ଅନ୍ୟ ଜଳଜୀବମାନଙ୍କୁ ଭକ୍ଷଣ କରି ପ୍ରାଣରକ୍ଷା କରିଥା’ନ୍ତି। ଏମାନେ ଅଭ୍ୟାସତଃ ମଣିଷ କିମ୍ବା ଗୃହପାଳିତ ପଶୁମାନଙ୍କୁ ମାରି ଖାଆନ୍ତି ନାହିଁ। ପ୍ରାକୃତିକ ଖାଦ୍ୟାଭାବ ଏବଂ ଶାରୀରିକ ଅକ୍ଷମତା ପ୍ରକାଶ ପାଇଲେ ଏମାନେ ମଣିଷ ଏବଂ ମଣିଷର ପାଳିତ ପଶୁମାନଙ୍କୁ ମାରି ଖାଇଥାଆନ୍ତି। ଦ୍ବିତୀୟ ଶ୍ରେଣୀର ସରୀସୃପ ହେଲେ ଚେଲୋନିଆ ବା କଇଁଛ ଶ୍ରେଣୀର ପ୍ରାଣୀ। ବିଶ୍ବରେ ଏହି ପ୍ରାଣୀ ୨୫୦ ଶ୍ରେଣୀର ଦେଖିବାକୁ ମିଳିଥାଆନ୍ତି। ଏମାନଙ୍କ ମଧ୍ୟରେ ଆସୁଛନ୍ତି ଟରଟୋୟେଜ ବା ମାଟିଉପରେ ବାସ କରୁଥିବା ସ୍ଥଳବାସୀ କଇଁଛ। ଦ୍ବିତୀୟ ହେଲା ସମୁଦ୍ର ଜଳ ମଧ୍ୟରେ ବସବାସ କରୁଥିବା ସାମୁଦ୍ରିକ କଇଁଛ ବା ଟର୍ଟ୍ଲସ। ତୃତୀୟରେ ମଧୁର ଜଳ, ଅର୍ଥାତ ନଦୀ, ପୋଖରୀ ଏବଂ ହ୍ରଦ ମଧ୍ୟରେ ବସବାସ କରୁଥିବା କଇଁଛମାନଙ୍କୁ ବୁଝାଇଥାଏ। ଯେଉଁମାନଙ୍କୁ ଟେରାପିଜ ଭାବେ ଆଖ୍ୟାୟିତ କରାଯାଇଅଛି। ଏମାନେ ସମସ୍ତେ ମଣିଷର ଭକ୍ଷ ହୋଇଥିବାରୁ ଏମାନଙ୍କ ବଂଶ ଦ୍ରୁତଗତିରେ ଲୋପ ପାଇବାରେ ଲାଗିଛି। କୁମ୍ଭୀରଙ୍କ ଚମଡ଼ା ସେମାନଙ୍କ ନିମେନ୍ତ କାଳ ହୋଇଅଛି। ଏମାନଙ୍କ ଚମଡ଼ା ମଣିଷ ପାଇଁ ଅତ୍ୟନ୍ତ ମୂଲ୍ୟବାନ। ତୃତୀୟ ଶ୍ରେଣୀ ମଧ୍ୟରେ ଆସୁଛି ‘ଲାସେରଟାଲିଆ’। ଲାସେରଟାଲିଆ ମଧ୍ୟରେ ଆସୁଛନ୍ତି ତିନିହଜାର ପ୍ରକାରର ପ୍ରାଣୀ। ସେମାନଙ୍କ ମଧ୍ୟରେ ଆସୁଛନ୍ତି ‘ଲିଜାଡ଼’ ବା ଏଣ୍ଡୁଅ ଓ ଝିଟିପିଟି ଶ୍ରେଣୀର ପ୍ରାଣୀ। ଦୁଇରେ ‘େଜକୋ’। ଏମାନେ ବାଲି ଉପରେ ପ୍ରାୟ ବାସ କରନ୍ତି। ରାଜସ୍ଥାନ ଏବଂ ଚିଲିକା ପରି ବାଲୁକା ପୃଷ୍ଠଭୂମିରେ ଏମାନେ ବାସ କରିବାକୁ ବିଶେଷ ଭଲ ପାଆନ୍ତି। କାନ୍ଥରେ ଚଢ଼ି ବୁଲୁଥିବା ଝିଟିପିଟି ଏହି ଶ୍ରେଣୀର। ତିନିରେ ‘ମନିଟରସ’। ମନିଟର୍ସମାନେ ଗୋଧି ଶ୍ରେଣୀର ପ୍ରାଣୀ। ଗୋଧିମାନେ ସ୍ଥଳରେ ବସବାସ କରନ୍ତି ଏବଂ ଜଳମଧ୍ୟରେ ମଧ୍ୟ ବସବାସ କରନ୍ତି। ଜଳ ମଧ୍ୟରେ ଯେଉଁ ଗୋଧିମାନେ ବସବାସ କରନ୍ତି ସେମାନେ ସ୍ଥଳଭାଗର ଗୋଧି ଅପେକ୍ଷା ଦେଖିବାକୁ ବୃହଦାକାର। ସ୍ଥଳଭାଗର ଗୋଧିମାନଙ୍କୁ ଅନେକ ଶ୍ରେଣୀର ମଣିଷ ଅଛନ୍ତି ଯେଉଁମାନେ ମାରି ଖାଇ ଥାଆନ୍ତି । ଏମାନଙ୍କର ଚମଡ଼ା ମଧ୍ୟ ମଣିଷ ପାଖରେ ମୂଲ୍ୟବାନ। ଏଣୁ ଏମାନଙ୍କ ସଂଖା ଦ୍ରୁତ ଗତିରେ ଲୋପପାଇବାରେ ଲାଗିଛି। ଏହାଛଡ଼ା ସରୀସୃପମାନଙ୍କ ବାସସ୍ଥଳିର ଦ୍ରୁତକ୍ଷୟ ସାଙ୍ଗକୁ ଖାଦ୍ୟାଭାବ ମଣିଷ ପ୍ରତି ବିପଦ ସୃଷ୍ଟି କରି ଚାଲିଛି, ଯାହାକୁ ମଣିଷ ବୁଝି ମଧ୍ୟ ବୁଝିପାରୁନାହିଁ।
ଚତୁର୍ଥ ଶ୍ରେଣୀରେ ଆସୁଛି ‘ଟୁଆଟାରା’ ଯାହା ଏକ ଅଦ୍ଭୁତ ସରୀସୃପ ଏବଂ ଯାହାର ତୃତୀୟ ଆଖି ରହିଥାଏ। ଟୁଆଟାରା ପ୍ରାଣୀ ଜଗତର ଏକ ମାତ୍ର ପ୍ରାଣୀ ଯିଏ ଏହି ଶ୍ରେଣୀଭୁକ୍ତ ଏବଂ କେବଳ ନ୍ୟୁଜିଲାଣ୍ଡରେ ହିଁ ଦେଖିବାକୁ ମିଳିଥାଏ।
ପଞ୍ଚମ ଶ୍ରେଣୀଭୁକ୍ତ ସରୀସୃପ ହେଲେ ‘ଓଫିଡିଆ’। ଓଫିଡିଆରେ ବିଶ୍ବରେ ଯେତେ ସାପ ଅଛନ୍ତି ସମସ୍ତେ ଅନ୍ତର୍ଭୁକ୍ତ। ସରୀସୃପମାନେ ପ୍ରାୟ ପ୍ରତ୍ୟେକ ସ୍ଥଳ ଏବଂ ଜଳରେ ବସବାସ କରନ୍ତି। କିନ୍ତୁ ‘ଡ୍ରୋକୋଭାଲାନ୍ସ’ ନାମକ ପ୍ରାଣୀ ଜଗତର ଏକ ସରୀସୃପ ଏ ଗଛରୁ ସେ ଗଛକୁ ଏବଂ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଡ଼ିଯିବାର ଦୃଶ୍ୟ ଦେଖିବାକୁ ମିଳିଥାଏ। ୧୯୯୯ ଅଗଷ୍ଟ ମାସ ୧୮ରେ ଦୈନିକ ‘ସମାଜ’ରେ ପ୍ରକାଶ ପାଇଥିବା ସମ୍ବାଦରୁ ଯାହା ଜାଣିବାକୁ ମିଳେ ଏହିପରି ଏକ ଉଡ଼ିପାରୁଥିବା ବା ଡେଇଁ ପାରୁଥିବା ସାପକୁ ଅାନନ୍ଦପୁର ବାସିନ୍ଦା ଜଣେ ଅବସରପ୍ରାପ୍ତ ଶିକ୍ଷକ ଧରିଥିଲେ। ଏଣୁ ଏହି ବିଷୟରେ ବିଶେଷ ଗବେଷଣା ଆବଶ୍ୟକ। ଏହି ସରୀସୃପର ଗୋେଲଇ ଥିଲା ବୁଢ଼ା ଆଙ୍ଗୁଠି ମୋଟ। ସରୀସୃପ ଜୈବ ବିଜ୍ଞାନ ଉପରେ ବିଶେଷ ଗବେଷଣା ଆବଶ୍ୟକ।
ଓଫିଡିଆନ କହିବା ଅର୍ଥ ସମଗ୍ର ସର୍ପ ସାମ୍ରାଜ୍ୟକୁ ବୁଝାଇଥାଏ। ସାରା ବିଶ୍ବରେ ୨୦୦୦ ପ୍ରକାର ସାପ ଦେଖିବାକୁ ମିଳିଥାଆନ୍ତି। ବିଶେଷକରି ବିଷୁବ ମଣ୍ଡଳୀୟ ଜଳବାୟୁରେ ବିଶେଷ ଶ୍ରେଣୀର ସାପ ଦେଖିବାକୁ ମିଳନ୍ତି। ସନ୍ତସନ୍ତିଆ ସ୍ଥାନମାନଙ୍କରେ ଉଷ୍ଣ ଜଳବାୟୁରେ ସାପମାନେ ବଂଶ ବିସ୍ତାର କରନ୍ତି। ବିଶେଷ ଥଣ୍ଡା ସ୍ଥାନ, ଯଥା ଉତ୍ତର ମେରୁଅଞ୍ଚଳ, ନ୍ୟୁଜିଲାଣ୍ଡ ଏବଂ ଆୟାର୍ଲ୍ୟାଣ୍ଡ ପରି ଅଞ୍ଚଳମାନଙ୍କରେ ସାପ ଦେଖିବାକୁ ମିଳନ୍ତି ନାହିଁ। ଆମ ଭାରତବର୍ଷରେ ୨୧୬ ପ୍ରକାର ସାପ ଦେଖିବାକୁ ମିଳନ୍ତି। ସେଥିମଧ୍ୟରୁ ୫୨ ପ୍ରକାର ସାପ ବିଷଧର। ସାପ ବିଷ ମାଧ୍ୟମରେ ଯେ କୌଣସି ପ୍ରାଣୀ ମୃତ୍ୟୁବରଣ କରି ପାରିବ। ଏହି ଭୟରେ ଲୋକମାନେ ସାପକୁ ଦେଖିଲା ମାତ୍ରେ ମାରିଥାଆନ୍ତି; ସେ ବିଷଧର ସାପ ହେଇଥାଉ କିମ୍ବା ବିଷହୀନ ସାପ ହୋଇଥାଉ। ସାପ ଦେଖିପାରେ ନାହିଁ କିମ୍ବା ତାହାର ଶରୀରର ଉତ୍ତାପ ବାୟୁମଣ୍ଡଳ ଉତ୍ତାପ ସହିତ ସାମଞ୍ଜସ୍ୟ ରକ୍ଷା କରି କାର୍ଯ୍ୟ କରେନାହିଁ। ଏଣୁ ଏହି ପ୍ରାଣୀ ଅତ୍ୟନ୍ତ ଥଣ୍ଡା କିମ୍ବା ଗରମ ସ୍ଥାନରେ ବସବାସ କରିବାକୁ ପସନ୍ଦ କରେନାହିଁ। ଏହି ପ୍ରାଣୀର ଅାଖି କାର୍ଯ୍ୟ କରୁନଥିଲେ ମଧ୍ୟ ଏହାର ସ୍ପର୍ଶ ଇନ୍ଦ୍ରିୟ ଅତ୍ୟନ୍ତ ପ୍ରଖର। ଯେ କୌଣସି ପ୍ରାଣୀର ଶାରୀରିକ ସ୍ଥିତିରୁ ସେ ତାହାର ଖାଦ୍ୟ, ଅଖାଦ୍ୟ ଏବଂ ଶତ୍ରୁକୁ ଚିହ୍ନିପାରିଥାଏ। କେବଳ ମନୁଷ୍ୟର ଅସାବଧାନତା କାରଣରୁ ବର୍ଷକୁ ହଜାରହଜାର ଲୋକ ସର୍ପ ଦଂଶନରେ ମୃତ୍ୟୁବରଣ କରିଥାଆନ୍ତି। ସାପ କେବେହେଲେ କାହାରିକୁ ଉଦ୍ଦେଶ୍ୟମୂଳକ ଭାବେ ଆକ୍ରମଣ କରି ପ୍ରାଣ ନେଇ ନଥାଏ। ଓଡ଼ିଶାର ପବ୍ଲିକ୍ ହେଲ୍ଥ ଡିପାର୍ଟମେଣ୍ଟ କହିପାରିବ ବାର୍ଷିକ କେତେ ଲୋକ ସର୍ପାଘାତରେ ପ୍ରାଣ ହରାଉଛନ୍ତି। ଆମ ପ୍ରଦେଶରେ କେଉଁକେଉଁ ଅଞ୍ଚଳରେ କେଉଁ ଶ୍ରେଣୀର କେତେକେତେ ସାପ ଅଛନ୍ତି ତାହା ଏପର୍ଯ୍ୟନ୍ତ ଆକଳନ କରାଯାଇ ନାହିଁ। ସାପମାନଙ୍କର ସଂଖ୍ୟା ଆକଳନ କରିବାକୁ ରାଜ୍ୟ ବନ୍ୟପ୍ରାଣୀ ବିଭାଗ ରହିଅଛି। ବିଶେଷକରି ମାଟି ଉପରେ ବସବାସ କରୁଥିବା ବିଷଧର ସାପମାନଙ୍କ ମଧ୍ୟରେ ଆସୁଛନ୍ତି ଅହିରାଜ, ନାଗ ବା ତମ୍ପ। ଏମାନେ ସାମୁଦ୍ରିକ, ନଦୀ, ଝରଣା ଇତ୍ୟାଦି ଥଣ୍ଡା ସ୍ଥାନମାନଙ୍କରେ ବସବାସ କରିବାକୁ ପସନ୍ଦ କରନ୍ତି। ଆମ ପ୍ରଦେଶରେ ଓ ଆମ ପ୍ରଦେଶ ପରି ସାମୁଦ୍ରିକ ବେଳାଭୂମି ଅଞ୍ଚଳରେ ଅହିରାଜ ଏବଂ ନାଗମାନଙ୍କ ସଂଖ୍ୟା ଅଧିକ। ବିଶେଷକରି ଭିତର କନିକା, ଚିଲିକା, ବିଭିନ୍ନ ଶ୍ରେଣୀର ଝରଣା, ନଦୀପଠା ପରି ଆର୍ଦ୍ରଭୂମି ଅଞ୍ଚଳରେ ଏମାନେ ବିଶେଷଭାବେ ଦେଖିବାକୁ ମିଳନ୍ତି। କାରଣ ଏହି ଅଞ୍ଚଳର ଜଳବାୟୁ ଏମାନଙ୍କୁ ଅତ୍ୟନ୍ତ ସହଯୋଗ କରିଥାଏ। ଏହି ଅଞ୍ଚଳରେ ଏମାନଙ୍କ ପାଇଁ ଏବଂ ଏମାନଙ୍କ ଶାବକମାନଙ୍କ ପାଇଁ ପ୍ରଚୁର ଖାଦ୍ୟ ମିଳିଥାଏ। ସାପମାନଙ୍କର ପ୍ରଧାନ ଖାଦ୍ୟ ହେଲା ବେଙ୍ଗ, ମୂଷା, ଛୋଟଛୋଟ ସରୀସୃପ, ଯଥା- ଏଣ୍ଡୁଅ ଏବଂ ଭୂମି ଉପରେ ବାସ କରୁଥିବା ଚଢ଼େଇ। ବିଶେଷ କରି ମୂଷାମାନେ ମନୁଷ୍ୟର ଧନ, ସମ୍ପତ୍ତି ବହୁଳଭାବେ କ୍ଷତିଗ୍ରସ୍ତ କରିବା ସାଙ୍ଗକୁ ରୋଗ ମଧ୍ୟ ବିସ୍ତାର କରିଥାଆନ୍ତି। ସାପମାନେ ମୂଷା ଏବଂ ବେଙ୍ଗମାନଙ୍କ ସଂଖ୍ୟା ଉପରେ ନିୟନ୍ତ୍ରଣ ରଖିଥାଆନ୍ତି। ପ୍ଲେଗ ରୋଗ ମୂଷାମାନଙ୍କ ମାଧ୍ୟମରେ ବିସ୍ତାରିତ ହୋଇଥାଏ। ମୂଷା କାମୁଡ଼ିଲେ ଏକ ପ୍ରକାର ଜ୍ବର ମଧ୍ୟ ହୋଇଥାଏ। ମୂଷାମାନଙ୍କ ଦ୍ବାରା ବହୁ ପ୍ରତିଶତ ଖାଦ୍ୟଶସ୍ୟ ନଷ୍ଟ ହେବା ସାଙ୍ଗକୁ ଚାଷ କରାଯାଇଥିବା ଉଦ୍ଭିଦ ମଧ୍ୟ ନଷ୍ଟ ହୋଇଯାଇଥାଏ।
ସାପମାନଙ୍କର ନିଜର ପରିବାର ନଥାଏ କିମ୍ବା କୌଣସି ସରୀସୃପର ନିଜ ଗୃହ ପରିବାର ନଥାଏ। ସାପ ଅନ୍ୟ ଜୀବର ଗାତ ମଧ୍ୟରେ ବାସ କରିଥାଏ। ବିଶେଷକରି ଉଈ ହୁଙ୍କାରେ ରହିଥାଏ କିଛି ସମୟ ପାଇଁ, କିନ୍ତୁ ପୂର୍ଣ୍ଣ ଜୀବନ ପାଇଁ ନୁହେଁ। ଆମ୍ଭେମାନେ ବିଶେଷକରି ନାଗସାପ ଅଥବା ତମ୍ପ ବା ଗୋଖର ସାପ ଆମ୍ଭମାନଙ୍କ ବାସସ୍ଥଳୀମାନଙ୍କରେ ଦେଖିବାକୁ ପାଉଥାଉ। ଏହା କାହିଁକି ହୋଇଥାଏ, ଏଣୁ ଏହାର ଜୈବ ଜୀବନ ସମ୍ବନ୍ଧରେ ଆମ୍ଭମାନଙ୍କୁ ଜ୍ଞାନଅର୍ଜନ କରିବାକୁ ହିଁ ପଡ଼ିବ। ସାପ ବିଷୟରେ ଆମ୍ଭମାନଙ୍କର ଅନେକ ଭ୍ରାନ୍ତ ଧାରଣା ରହିଛି। ନାଗ ସାପକୁ ଆମ ରାଷ୍ଟ୍ରରେ ବିଭିନ୍ନ ଭାଷାରେ ବିଭିନ୍ନ ନାମରେ ନାମିତ କରାଯାଇଛି। ନାଗ, ତମ୍ପ ବା ଗୋଖର ଏହା ଏକ ଓ ଅଭିନ୍ନ ପ୍ରାଣୀ ଯାହାକୁ ଇଂରାଜୀରେ କୋବ୍ରା ଏବଂ ଯାହାର ବୈଜ୍ଞାନିକ ନାମ ‘ନାଜାନାଜା’ ବୋଲି କୁହାଯାଇଥାଏ। ଏହି ସାପକୁ ନାଗ କହିଲେ ପ୍ରାୟ ଆମ ରାଷ୍ଟ୍ରର ପ୍ରତ୍ୟେକ ଲୋକ ବୁଝିବାକୁ ସକ୍ଷମ ହେବେ। ଏହି ସାପ ସାରା ଭାରତବର୍ଷରେ ଦେଖିବାକୁ ମିଳିଥାଏ ସବୁ ଅଞ୍ଚଳରେ। ଏହାର ଲମ୍ବ ୧୫୦ରୁ ୧୮୦ସେଣ୍ଟିମିଟର ମଧ୍ୟରେ। ଏହା ଥରକେ ୧୭୫-୨୦୦ ମିଲିଗ୍ରାମ ବିଷ ଦଂଶିତ ପ୍ରାଣୀ ଶରୀର ମଧ୍ୟକୁ ଛାଡ଼ିଥାଏ ଯାହା ଦ୍ବାରା ଜଣେ ସାଧାରଣ ମଣିଷର ମୃତ୍ୟୁ ଘଟିଥାଏ। ସର୍ପଦଂଶନରେ ଅନ୍ୟ ପ୍ରାଣୀ ମଧ୍ୟ ମୃତ୍ୟୁବରଣ କରିଥାଆନ୍ତି। ଜଣେ ମଣିଷର ମୃତ୍ୟୁ ପାଇଁ ୧୨ରୁ ୧୫ ମିଲିଗ୍ରାମ ବିଷ ଯଥେଷ୍ଟ। ନାଗ ସାପ କେବଳ ଭାରତବର୍ଷ କାହିଁକି, ଶ୍ରୀଲଙ୍କା, ବର୍ମା, ଫିଲିପାଇନ୍ସ, ଇଣ୍ଡୋଚାଇନା, ଇତ୍ୟାଦି ଦ୍ବୀପପୁଞ୍ଜ ଏବଂ ରାଷ୍ଟ୍ରରେ ଦେଖିବାକୁ ମିଳି ଥାଆନ୍ତି। ନାଗ ନାଗୁଣୀ ଠାରୁ ଅଧିକ ଲମ୍ବ ରହିଥାଏ।
ନାଗ ସାପମାନଙ୍କର ମିଳନ ଋତୁ ହେଲା ବର୍ଷାଦିନ। ସ୍ତ୍ରୀ ଏବଂ ପୁରୁଷ ନାଗ ନିଜନିଜ ମଧ୍ୟରେ ଗୁଡ଼ାଇ ହୋଇ ମିଳନଜନିତ ପ୍ରକ୍ରିୟା ପାଳନ କରିଥାଆନ୍ତି। ଅନ୍ୟ ଜାତିର ସାପମାନେ ମଧ୍ୟ ଏହି ପ୍ରକାରରେ ମିଳନ ଧର୍ମ ପାଳନ କରିଥାଆନ୍ତି। ଦୁଇ ପୁରୁଷ ସାପ ମଧ୍ୟ ନିଜନିଜ ମଧ୍ୟରେ ଏକ ସ୍ତ୍ରୀ ସାପକୁ ନିଜ ପକ୍ଷକୁ ଆଣିବା ନିମନ୍ତେ ଯୁଦ୍ଧରେ ବ୍ୟସ୍ତ ରୁହନ୍ତି। ମିଳନର ନଅରୁ ଦଶମାସ ପରେ ମାଈ ନାଗ ସାପ ଅଣ୍ଡା ଦେଇଥାଏ। ପ୍ରାୟ ଏପ୍ରିଲ ମାସ ବେଳକୁ ନାଗ ସାପମାନେ ଅଣ୍ଡା ଦେଇଥାଆନ୍ତି। ସର୍ପ ବିଶେଷଜ୍ଞ ପିଜି ଦେଓରସଂକ ଅନୁସାରେ ଗୋଟିଏ ମା’ ସାପ ତିନି ଦିନ ମଧ୍ୟରେ ୫୬ ଅଣ୍ଡା ଦେଇଥିବାର ସେ ଦେଖିଛନ୍ତି। ମା’ ସାପ ଅଣ୍ଡାମାନଙ୍କ ଉପରେ ବସି ରହିଥାଏ ଅଣ୍ଡା ଫୁଟିବା ପର୍ଯ୍ୟନ୍ତ। ଅଣ୍ଡା ନଫୁଟିବା ପର୍ଯ୍ୟନ୍ତ ମା’ ସାପ ଅଣ୍ଡାଛାଡ଼ି କୁଆଡ଼େ ଯାଏ ନାହିଁ। ୫୮ ଦିନ ପରେ ଅଣ୍ଡାଗୁଡ଼ିକ ଫୁଟିବାକୁ ଆରମ୍ଭ କରନ୍ତି। ଜୁନ୍ ମାସ ବେଳକୁ ନାଗ ସାପମାନଙ୍କ ଅଣ୍ଡାରୁ ଛୁଆ ଜାତ ହୋଇଥାଏ। ଛୁଆଗୁଡ଼ିକ ଅଣ୍ଡାରୁ ବାହାରିବା ବେଳକୁ ୮ରୁ ୧୦ଇଞ୍ଚ ଲମ୍ବ ହୋଇଥାଆନ୍ତି। ଏେବ ଯେଉଁ ଭଦ୍ରଖ ଅଞ୍ଚଳରେ ନାଗ ସାପଛୁଆ ଏକଶହରୁ ଊର୍ଦ୍ଧ୍ବ ସଂଖ୍ୟାରେ ଦେଖିବାକୁ ମିଳୁଥିଲା ସେ ସବୁ ଦୁଇ ଗୋଟି ମାଆ ସାପ ଛୁଆ ନିଶ୍ଚୟ ହୋଇଥିବେ। ଦୁଇଟି ନାଗସାପ ଏକତ୍ର ଗୋଟିଏ ସ୍ଥାନରେ ଅଣ୍ଡା ଦେବା ବିରଳ। ଏମାନେ ପରିସ୍ଥିତିରେ ପଡ଼ି ଏପରି କରିବାକୁ ବାଧ୍ୟ ହୁଅନ୍ତି। ସାପମାନେ କୌଣସି ଗାତ ମଧ୍ୟରେ ଅଣ୍ଡା ଦିଅନ୍ତି ନାହିଁ। ଏମାନେ ଏକ ଖାଲୁଆ ସ୍ଥାନରେ ଶୁଖିଲା ପତ୍ର ପଡ଼ି ରହିଥିବା, ଲୋକ ଚଳପ୍ରଚଳ ନହେଉଥିବା ସ୍ଥାନରେ ଅଣ୍ଡା ଦେଇଥାଆନ୍ତି। ଊଈହୁଙ୍କା ସ୍ଥାନ ଏମାନଙ୍କ ପାଇଁ ଅତ୍ୟନ୍ତ ନିରାପଦ। ସାପର କୌଣସି ଗାତ କରିବାର କ୍ଷମତା ନାହିଁ। ମାଆ ସାପ ଏପରି ସ୍ଥାନ ବାଛେ ଯେଉଁଠାରେ ତା’ର ଅଣ୍ଡାଗୁଡ଼ିକ ନିରାପଦରେ ଫୁଟିବା ପର୍ଯ୍ୟନ୍ତ ରହିପାରିବ। ସେହିସ୍ଥାନ ଅତ୍ୟନ୍ତ ଥଣ୍ଡା ହୋଇନଥିବ କିମ୍ବା ଅତ୍ୟନ୍ତ ଗରମ ହୋଇ ନଥିବ। ଅତ୍ୟନ୍ତ ଥଣ୍ଡା ହେଲେ ଅଣ୍ଡାଗୁଡ଼ିକ ଫୁଟନ୍ତି ନାହିଁ କିମ୍ବା ଅତ୍ୟନ୍ତ ଗରମ ହେଲେ ଅଣ୍ଡାଗୁଡ଼ିକ ନଷ୍ଟ ହୋଇଯାଆନ୍ତି। ଅଣ୍ଡାଗୁଡ଼ିକ ଫୁଟିଗଲେ ମାଆର ଦାୟିତ୍ବ ସରିଯାଏ। ନାଗ ନାଗୁଣୀ କେବଳ ମିଳନର ଋତୁରେ ଏକତ୍ର ହୁଅନ୍ତି ଏବଂ ପରେ ଏମାନଙ୍କର ବିଚ୍ଛେଦ ଘଟିଥାଏ। ଜନ୍ମ ହେବାର କିଛିଦିନ ପର୍ଯ୍ୟନ୍ତ ଏହି ସାପଛୁଆମାନେ କିଛି ଖାଇ ନଥାନ୍ତି, କିନ୍ତୁ ପରେ ଏମାନେ ଛୋଟଛୋଟ ଛୁଆ ବେଙ୍ଗ, ମୂଷା ଏବଂ ଏଣ୍ଡୁଅ ମାନଙ୍କୁ ଶିକାର କରି ବଞ୍ଚନ୍ତି।
ଜି.ଏ. ୪୭୯, ଶୈଳଶ୍ରୀ ବିହାର, ଭୁବନେଶ୍ବର,