ସତ୍ୟଠୁ ଅଧିକ ଆକର୍ଷଣୀୟ ବିଜ୍ଞାପନ
ଶୈଳେନ୍ଦ୍ର ଦ୍ବିବେଦୀ
ମାସକ ତଳେ ଗଣମାଧ୍ୟମରେ ପ୍ରକାଶିତ ସମ୍ବାଦଟି ଥିଲା ଏମିତି: ‘କ୍ଷମତାକୁ ଆସିବା ପରଠୁ ବିଜେପି ନେତୃତ୍ବାଧୀନ ଏନଡିଏ ସରକାର ବିଭିନ୍ନ କାର୍ଯ୍ୟକ୍ରମର ବିଜ୍ଞାପନ/ପ୍ରଚାର ବାବଦରେ ଖର୍ଚ୍ଚ କରିଛନ୍ତି ଟ. ୪୩୪୩.୨୬ କୋଟି ଟଙ୍କା।’ ଏହା ଏକ ରେକର୍ଡ। ମୁମ୍ବଇର ସୂଚନା ଅଧିକାର କର୍ମୀ ଅନୀଲ ଗାଡ଼ଗିଲ ମାଗିଥିବା ତଥ୍ୟର ଉତ୍ତର ରଖିଛନ୍ତି ‘ବ୍ୟୁରୋ ଅଫ୍ ଆଉଟରିଚ୍ ଆଣ୍ଡ କମ୍ୟୁନିକେସନସ୍’। ଉଲ୍ଲେଖଯୋଗ୍ୟ ଯେ ଜୁନ୍ ୨୦୧୪ରୁ ମାର୍ଚ୍ଚ ୨୦୧୫ ଭିତରେ କେନ୍ଦ୍ର ସରକାର ପ୍ରିଣ୍ଟ ମିଡ଼ିଆ ବିଜ୍ଞାପନରେ ୪୪୮.୯୭ କୋଟି ଖର୍ଚ୍ଚ କରିଥିବାବେଳେ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମରେ ବିଜ୍ଞାପନ ବାବଦକୁ ଖର୍ଚ୍ଚ କରିଛନ୍ତି ଟ୪୪୮.୯୭ କୋଟି। ଏହା ବାଦ୍ ଅନ୍ୟାନ୍ୟ ପ୍ରଚାର ପ୍ରସାରରେ (ଲିଫ୍ଲେଟ୍,ବୁକ୍ଲେଟ, ପୋଷ୍ଟର, ହୋର୍ଡିଂ ଇତ୍ୟାଦି) ବ୍ୟୟ ହୋଇଛି ଟ.୭୯.୭୨ କୋଟି ଟଙ୍କା। ୨୦୧୬-୧୭ ଆର୍ଥିକ ବର୍ଷରେ କେନ୍ଦ୍ର ବିଜ୍ଞାପନ ଖର୍ଚ୍ଚ ଥିଲା ଏମିତି: ପ୍ରିଣ୍ଟ ମିଡ଼ିଆ ଟ.୪୬୩,୩୮କୋଟି, ବୈଦ୍ୟୁତିକ ଗଣମାଧ୍ୟମ :ଟ.୬୧୩.୭୮ କୋଟି, ଅନ୍ୟାନ୍ୟ ପ୍ରଚାର:ଟ. ୧୮୫.୯୯। ୨୦୧୫-୧୬ ମୋଟ ଖର୍ଚ୍ଚ ଟ. ୧୧୭୧.୧୧ କୋଟି। ପାଠକେ! ମୋଦି ସରକାରଙ୍କ ଶାସନର ଚାରି ବର୍ଷ ପୂରିଛି ଏବଂ ନିକଟରେ ଅନ୍ୟ ଏକ ବୃହତ୍ ପ୍ରଚାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି: ‘ସାଫ୍ ନିୟତ ସହି ବିକାଶ’। ମୁଖ୍ୟ ଉଦ୍ଦେଶ୍ୟ, ବିଶେଷକରି ଗ୍ରାମାଞ୍ଚଳର ବାସିନ୍ଦା ଜାଣନ୍ତୁ ଗତ ୪୮ ମାସ ଭିତରେ କ’ଣ ସବୁ ସକାରାତ୍ମକ ପରିବର୍ତ୍ତନ/ସଂସ୍କାର ସମ୍ଭବ ହୋଇଛି, ଯାହା କସ୍ମିନ୍କାଳେ ପୂର୍ବରୁ ହୋଇପାରିନଥିଲା ! ସରକାରଙ୍କ ଉଦ୍ଦେଶ୍ୟ ସ୍ବଚ୍ଛ, ମହତ୍ ଏବଂ ତାହାହିଁ କୁଆଡ଼େ ଉଚିତ ମାର୍ଗରେ ବିକାଶ ଆଣିଛି। ୱେବସାଇଟ୍କୁ ଗଲେ (https://48 months.mygov.in) ଆପଣଙ୍କର ସାକ୍ଷାତ କେବଳ ତଥ୍ୟ/ ପରିସଂଖ୍ୟାନ ସହ ହେବ ନାହିଁ, ଖୁବ୍ ଯତ୍ନରେ ପ୍ରସ୍ତୁତ ‘ଇନ୍ଫୋଗ୍ରାଫିକ୍ସ’ ସହିତ ମଧ୍ୟ ହେବ। ଏଣେ ଏକ ଗବେଷଣା ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି ଜୁନ୍ ଶେଷ ସୁଦ୍ଧା ସର୍ଭେ କରି ରିପୋର୍ଟ ଦାଖଲ କରିବା ପାଇଁ ଲୋକଙ୍କୁ ବିକାଶ କେମିତି ଭେଦିଛି।
ପାଠକେ ଜାଣନ୍ତି, କେନ୍ଦ୍ରସରକାରଙ୍କ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ମଧ୍ୟରେ ରହିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗ୍ରାମାଞ୍ଚଳକୁ ବିଦ୍ୟୁତ୍ଯୋଗାଣ, ଊଜ୍ବଳା, ସ୍ବଚ୍ଛ ଭାରତ, ଜନଧନ ଯୋଜନା ଓ ମୁଦ୍ରା। ଏ ସମସ୍ତ ଉପରେ ଏକ ସଂକ୍ଷିପ୍ତ ଆଲୋଚନା (୧) ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ୧୬ା୮ା୨୦୧୮ ସୁଦ୍ଧା ଠିକ୍ ୧କୋଟି ଘର ତିଆରି ସରିଛି ବୋଲି ‘ମାଇଁଗଭ୍ ଡଟ୍ଇନ୍’ ୱେବସାଇଟ୍ରେ ଦର୍ଶାଯାଇଛି। ତେବେ ଅସଲରେ ଯୋଜନାର ଗୁରୁତ୍ବପୂର୍ଣ୍ଣ ଦିଗଟି ସହରାଞ୍ଚଳ ବାସିନ୍ଦାଙ୍କ ପାଇଁ ଘର। ମାର୍ଚ୍ଚ ୨୦୨୨ ସୁଦ୍ଧା ୨୦ ନିୟୁତ ଘର ତିଆରି ହେବ, ଯେଉଁଥିପାଇଁ ଜାତୀୟ ସହରାଞ୍ଚଳ ହାଉସିଂ ପାଣ୍ଠିରେ ୬୦,୦୦୦କୋଟି ଟଙ୍କାର ବ୍ୟବସ୍ଥା ରହିଛି। ତଥ୍ୟ ମୁତାବକ, ଫେବୃଆରୀ ୧୮ ସୁଦ୍ଧା ୩୯.୪ ଲକ୍ଷ ଘର ପାଇଁ ମଞ୍ଜୁରୀ ମିଳିଛି, ତେବେ ଏ ଯାବତ ଦେଶର ସହରାଞ୍ଚଳମାନଙ୍କରେ ଅବିକଳ କେତେ ଘର ତିଆରି ସରିଛି, ସେ ବାବଦରେ ନିର୍ଦିଷ୍ଟ ତଥ୍ୟ ସରକାରୀ ୱେବସାଇଟ୍ରେ ନାହିଁ।
(୨) ପ୍ରଧାନମନ୍ତ୍ରୀ ଜନଧନ ଯୋଜନା: ଆର୍ଥିକ ସାକ୍ଷରତା ତଥା ଅନ୍ତର୍ଭୁକ୍ତୀକରଣ ଲକ୍ଷ୍ୟ ରଖିଥିବା ଏଇ ବହୁଚର୍ଚ୍ଚିତ ଯୋଜନାରେ ୨୦୧୮ ଜୁନ୍ ୧୭ ତାରିଖ ସୁଦ୍ଧା ହିତାଧିକାରୀଙ୍କ ସଂଖ୍ୟା: ୩୧.୭୬ େକାଟି। ମୋଟ ଜମା: ଟ୮୦୯୫୨.୧୪ କୋଟି। ଆପଣଙ୍କର ମନେଥିବ, ୨୦୧୫-୧୬ ଅର୍ଥନୈତିକ ସର୍ଭେରେ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିଲେ ‘ଜାମ୍’ ବିପ୍ଳବ (ଜନଧନ-ଆଧାର-ମୋବାଇଲ) ସଭିଙ୍କ ଆଖିରୁ ଲୁହ ପୋଛିଦେବ! ନିକଟରେ ପ୍ରକାଶିତ ବିଶ୍ବବ୍ୟାଙ୍କ ଗ୍ଲୋବାଲ ଫିନ୍ଡେକ୍ସ ରିପୋର୍ଟ ସୂଚେଇଛି, ଭାରତରେ ଏବେ ୮୦% ନାଗରିକଙ୍କ ଜମାଖାତା ତ ଅଛି, କିନ୍ତୁ ୪୮% କ୍ଷେତ୍ରରେ ବର୍ଷକ ଭିତରେ ଆକାଉଣ୍ଟରେ ନା ଟଙ୍କା ଜମା ହୋଇଛି, ନା ଉଠାଣ ହୋଇଛି। ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁସାରେ ଶୂନ୍ୟ-ଜମା ଆକାଉଣ୍ଟ ଅପବାଦରୁ ରକ୍ଷା ପାଇବା ପାଇଁ ୧୮ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ୧.୦୫ କୋଟି ହିତାଧିକାରୀଙ୍କ ଖାତାରେ ଅନ୍ତତଃ ଏକଟଙ୍କା ଜମା କରିବାର ସୁବନ୍ଦୋବସ୍ତ କରିଛନ୍ତି। ଏକଥା ବି ଜଣାପଡ଼ିଛି। ମୋଟ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୧% ଜନଧନ ଜମାଖାତାରୁ ଓଭରଡ୍ରାଫ୍ଟ ବ୍ୟବସ୍ଥାର ଉପଯୋଗ କରନ୍ତି। ଶୂନ୍ୟ ଜମା(ବାଲାନ୍ସ) ଖାତା ମୋଟ ଜମାଖାତାର ୧୭%। ମୋବାଇଲ ବ୍ୟାଙ୍କିଙ୍ଗ୍ ଫାଇଦା ଭାରତ ଅଦ୍ୟାବଧି ନେଇ ପାରିନାହିଁ। ୨୦୧୭ରେ ମାତ୍ର ୫% ଭାରତୀୟ ଏହାର ଉପଯୋଗ କରିବାରେ ଏବଂ ଆମ ଜନସଂଖ୍ୟାର ମାତ୍ର ୨% ମୋବାଇଲ ‘ମନି ଆକାଉଣ୍ଟ’ ବ୍ୟବହାର କରୁଥିଲେ। ସବ୍ସାହାରା ଆଫ୍ରିକାରେ ଏଇ ହାର ୨୧% ଥିଲା। ଗତ ବର୍ଷ ଡିଜିଟାଲ ନେଣଦେଣ ଦେଶରେ ମାତ୍ର ୨୯% (ମୋଟ ଦେଣନେଣ) ଥିବାବେଳେ ଦକ୍ଷିଣ ଆଫ୍ରିକାରେ ଏହି ହାର ୬୦% ଏବଂ କେନିଆରେ ୯୭% ଥିଲା। ଅର୍ଥାତ୍, ନା ଆଖିଦୃଶିଆ ହୋଇଛି ଜନଧନ ଯୋଜନା, ନା ଚକ୍ଚକ୍ କରୁଛି ଡିଜିଟାଲ ଇଣ୍ଡିଆ। (୩) ପ୍ରଧାନମନ୍ତ୍ରୀ ସହଜ ବିଜୁଳିର ହର ଘର ଯୋଜନାରେ (ସୌଭାଗ୍ୟ)- ଅକ୍ଟୋବର ୨୦୧୭ରୁ ଏଯାଏଁ ବିଜୁଳି ଯୋଗେଇ ଦିଅାଯାଇଛି ୭୨,୮୬,୬୦୭ ପରିବାରକୁ। ବାକି ଅଛନ୍ତି: ୨,୯୩,୧୬,୮୦୯। (୪) ଦୀନ ଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା: ୧ା୪ା୨୦୧୫ ସୁଦ୍ଧା ଦେଶରେ ୧୮,୪୫୨ ଗାଁକୁ ବିଜୁଳି ଯାଇନଥିଲା। ସରକାର ରାଜ୍ୟସଭାରେ ୨୭.୩.୧୮ରେ ଦେଇଥିବା ଉତ୍ତର ଅନୁସାରେ ବାକି ଥିଲା ୮୫୩ ଗାଁ। ଏବେ ୱେବସାଇଟ୍ ଦର୍ଶାଉଛି ଦେଶରେ ବିଜୁଳି ଯାଇନଥିବା ଗାଁ ଆଦୌ ନାହିଁ। (୪) ଉଜ୍ବଳା: ଗତ ୪ ବର୍ଷ ଭିତରେ ଦେଶରେ ୧୦କୋଟି ପରିବାରକୁ ଏଲପିଜି ଗ୍ୟାସ ଯୋଗେଇ ଦିଆଯାଇଛି ଯାହା ଭିତରେ ଅନ୍ତର୍ଭୁକ୍ତ ପ୍ରାୟ ୪କୋଟି ‘ଉଜ୍ବଳା’ ହିତାଧିକାରୀ। ୨୦୧୯ ସୁଦ୍ଧା ଲକ୍ଷ୍ୟ: ଆଉ ୫କୋଟି ପରିବାର। ଏହା ମହିଳାଙ୍କୁ କେବଳ ପ୍ରଦୂଷଣମୁକ୍ତ ପରିବେଶ, ବଳକା ସମୟ ଦେଇନି ସଶକ୍ତୀକରଣରେ ସହାୟକ ହୋଇଛି। ହଁ, ମା’କୁ ସମ୍ମାନ’ ଅବଶ୍ୟ ମିଳିଛି, କିନ୍ତୁ ଇକ୍ନୋମିକ୍ ଟାଇମ୍ସର ରିପୋର୍ଟ ଅନୁସାରେ, ୨୦୧୮ ଆରମ୍ଭରେ ଏଲପିଜି ଥିବା ପରିବାର ସଂଖ୍ୟା ୭୯.୨% ଥିବା ସମୟରେ ସକ୍ରିୟ ବ୍ୟବହାରକାରୀ ଥିଲେ ୫୦%। ୮୩ ପ୍ରତିଶତ ଉପଭୋକ୍ତାଙ୍କ ମତ, ସିଲିଣ୍ଡର ଦାମ୍ ସେମାନଙ୍କ କ୍ରୟ କ୍ଷମତା ବାହାରେ। (୫) ସ୍ବଚ୍ଛ ଭାରତ: ଅକ୍ଟୋବର ୨, ୨୦୧୪ରେ ଆରମ୍ଭ ହୋଇଥିବା ଏଇ ଗୁରୁତ୍ବପୂର୍ଣ୍ଣ ପରିମଳ କାର୍ଯ୍ୟକ୍ରମର ଲକ୍ଷ୍ୟ ଖୋଲା ମଳତ୍ୟାଗରୁ ମୁକ୍ତି, ବ୍ୟବହାରରେ ପରିବର୍ତ୍ତନ, ଆଧୁନିକ ବର୍ଜ୍ୟ ପରିଚାଳନା, ହାତରେ ପାଇଖାନା ସଫା ବନ୍ଦ ଇତ୍ୟାଦି। ସ୍ବୀକାର କରିବାରେ ଦ୍ବିଧା ନାହିଁ ସଂପୂର୍ଣ୍ଣ ପରିମଳ ଲକ୍ଷ୍ୟ ହାସଲ ପାଇଁ ଆହୁରି ଅନେକ ବର୍ଷ ଲାଗିବ; କିନ୍ତୁ ଏବେ ୭୫ ନିୟୁତ ଘରେ ପାଇଖାନା ଅଛି, ଖୋଲା ମଳତ୍ୟାଗମୁକ୍ତ (ଓଡ଼ିଏଫ) ଗାଁ ୩,୮୪,୦୦୦ରେ ପହଞ୍ଚିଥିବା ବେଳେ ୧୭ଟି ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳକୁ ଓଡିଏଫ ମାନ୍ୟତା ମିଳିଛି। ଓଡ଼ିଶା ସେଇ ରାଜ୍ୟମାନଙ୍କ ଭିତରେ ନାହିଁ। ଉଲ୍ଲେଖଯୋଗ୍ୟ ଯେ ସ୍ବଚ୍ଛ ଭାରତ ଅଭିଯାନର ପ୍ରଥମ ୩ବର୍ଷରେ ବିଜ୍ଞାପନ ବ୍ୟୟ ଥିଲା ୫୩୦ କୋଟିଟଙ୍କା। (୬) ମୁଦ୍ରା: ଯୋଜନା ଆରମ୍ଭରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ଅର୍ଥଲଗାଣକାରୀ ସଂସ୍ଥା ୧୨କୋଟି ହିତାଧିକାରୀଙ୍କୁ ମୋଟ ୬ଲକ୍ଷ କୋଟି ଟଙ୍କା ଋଣ ଦେଇଛନ୍ତି- ଅଣୁ ଉଦ୍ୟୋଗ/ଛୋଟ ବ୍ୟବସାୟ ପାଇଁ। ପର୍ଯ୍ୟବେକ୍ଷକଙ୍କ ମତ, ମୁଦ୍ରା ଯୋଜନା ସ୍ବୟଂ ଏକ ଆରମ୍ଭ ନୁହେଁ, କାରଣ ନାବାର୍ଡ ଓ ସିଡ୍ବି ପରି ଋଣ ଆଗରୁ ଉପଲବ୍ଧ ଥିଲା। ‘ମୁଦ୍ରା’ କେବଳ ନୂଆ ପ୍ୟାକେଜିଂ। (୭) ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା। ସରକାରୀ ବିବୃତି: ଗତ ୩ ବର୍ଷରେ ସ୍କିଲ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ତାଲିମ ପାଇଛନ୍ତି: ୨.୫ କୋଟି ଯୁବକଯୁବତୀ। ତେଣୁ ଭାରତରେ ପ୍ରତି ମାସରେ ଅନ୍ତତଃ ଏକ ନିୟୁତ ଯୁବକଯୁବତୀ ଯୋଡ଼ି ହେଉଛନ୍ତି ଶ୍ରମଶକ୍ତିରେ। ସେଇ ତୁଳନାରେ ଦେଶରେ ନୂତନ ନିଯୁକ୍ତି ସୁଯୋଗ: ବାର୍ଷିକ ୫.୫ ନିୟୁତ। ଆମ ଶ୍ରମଶକ୍ତିର ୩ରୁ ୩.୫% କିଛି ନା କିଛି ତାଲିମ ପାଇଛନ୍ତି, ଯାହା ଜାପାନ ଓ ଦକ୍ଷିଣ କୋରିଆରେ ୮୦ରୁ ୯୦%। ଆଉ ନିଜ କଥା । ସରକାର କୃଷକର ଆୟ ଦ୍ବିଗୁଣିତ କରିବା ପାଇଁ ଚାହୁଁଛନ୍ତି, ଅଥଚ ନିରାଟ ସତ ହେଉଛି ଗତ ୪ବର୍ଷ ଧରି କୃଷିର ଅଭିବୃଦ୍ଧି ହାର ବାର୍ଷିକ ୧.୯%। ମନ କୀ ବାତ୍ର ବିଜ୍ଞାପନ/ପ୍ରଚାରରେ ସରକାରଙ୍କ ମାସକୁ ଖର୍ଚ୍ଚ: ୯କୋଟି। କହିବାର ଉଦ୍ଦେଶ୍ୟ, ବେଶ୍ କିଛି କ୍ଷେତ୍ରରେ ଏନ.ଡି.ଏର ପ୍ରଦର୍ଶନ ଉତ୍ସାହଜନକ ନଥିଲେ ହେଁ ବିଜ୍ଞାପନ ପ୍ରବଣତା ବଢ଼ିବଢ଼ି ଚାଲିଛି। ଏହା ଅବଶ୍ୟ ଏକା କେନ୍ଦ୍ରସରକାର କରୁନାହାନ୍ତି, ଦିଲ୍ଲୀ ‘ଆପ୍’ ସରକାର ମଧ୍ୟ ସବୁ ରେକର୍ଡ଼ ଭାଙ୍ଗି ଦେଲେଣି। ଚାରିଚାରି ଥର ଗାଦି ସମ୍ଭାଳିଥିବା କଂଗ୍ରେସ ଶେଷ ପାଞ୍ଚବର୍ଷରେ (୨୦୦୮ରୁ ୨୦୧୩) ସରକାରୀ ବିଜ୍ଞାପନ ନିମନ୍ତେ ବାର୍ଷିକ ହାରାହାରି ୧୭.୪ କୋଟି ଦିଲ୍ଲୀରେ ଖର୍ଚ୍ଚ ହୋଇଥିବା ସମୟରେ ଅରବିନ୍ଦଙ୍କ ଆପ୍ ସରକାର ବର୍ଷକୁ ୭୦.୫ କୋଟି ଖର୍ଚ୍ଚ କରିଛନ୍ତି। ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ରାଜସ୍ଥାନ ମଧ୍ୟ ପଛରେ ନାହାନ୍ତି।
ପାଠକେ, ବିଜ୍ଞାପନ ଜଗତର ଗୁରୁ ଡାଭିଡ଼ ଅଗିଲ୍ଭିଙ୍କର (୧୯୧୧-୧୯୯୯) ରହିଛି ଏକ ଚମତ୍କାର ଉକ୍ତି। ‘ବିଜ୍ଞାପନରେ ତଥ୍ୟ ଉପଭୋକ୍ତାଙ୍କୁ ଭରସା ଦେବ, କିନ୍ତୁ ଆପଣଙ୍କ କହିବା ଉପସ୍ଥାପନ ଶୈଳୀ ହିଁ ନିର୍ଣ୍ଣାୟକ ହେବ ୟା ପ୍ରଭାବର।’ କେନ୍ଦ୍ର ସରକାର ଖୁବ୍ ସମ୍ଭବ ତାହାହିଁ କରୁଛନ୍ତି। କେତୋଟି ବିଜ୍ଞାପନର ଉପସ୍ଥାପନ ଶୈଳୀ/ପ୍ରମୁଖ ବକ୍ତବ୍ୟ (କ୍ୟାଚ୍ ଲାଇନ୍) ଉପରେ ଆଖି ପକାନ୍ତୁ: ‘ମା’କୁ ମିଳିଲା ସମ୍ମାନ’ (ଉଜ୍ବଳା) ‘ଜରୁରତ୍ମନ୍ଦୋ କେ ଲିୟେ ବିତ୍ତୀୟ ମଦଦ’ (ମୁଦ୍ରା) ‘ଆପଣ କ’ଣ ଏମିତି କାହାକୁ ଜାଣନ୍ତି ଯାହାର ବ୍ୟାଙ୍କ ଆକାଉଣ୍ଟ ନାହିଁ?’ (ଜନଧନ)। ‘ଏକ୍ କଦମ୍ ସ୍ବଚ୍ଛତା କୀ ଓର୍’ (ସ୍ବଚ୍ଛ ଭାରତ) । ‘ସବୁ ଘରକୁ ବିଜୁଳି’ (ସୌଭାଗ୍ୟ) ‘ମୁଁ ଏମିତି ଏକ ଭାରତର ସ୍ବପ୍ନ ଦେଖୁଛି, ଯେଉଁଠି ତଥ୍ୟ ପାଇଁ ପ୍ରତିବନ୍ଧକ ନଥିବ’ (ଡିଜିଟାଲ ଇଣ୍ଡିଆ)। ମୁଁ ଆହ୍ବାନ ଦେଉଛି, ସେମାେନ ଶପଥ ନିଅନ୍ତୁ ଭାରତକୁ ବିଶ୍ବର ‘କୌଶଳ ରାଜଧାନୀ’ରେ ପରିଣତ କରିବେ’ (ପ୍ର.ମ.କୌ.ବି.ଯୋ)। ଏସବୁ ସ୍ଲୋଗାନ ସାଙ୍ଗକୁ ଅନ୍ୟାନ୍ୟ ପାରମ୍ପରିକ ତଥା ଅଣପାରମ୍ପରିକ ପ୍ରଚାର ଶୈଳୀ, ନେଟ ଓ ସୋସିଆଲ ମିଡିଆର ଭରପୂର ଉପଯୋଗ ଭାରତରେ ଆଗରୁ ଏତେ ପ୍ରଭାବୀ ଢ଼ଙ୍ଗରେ ଦେଖାଯାଇ ନଥିଲା। ଏବେ ଟଙ୍କା ବିଜ୍ଞାପନ/ ପ୍ରଚାରରେ ପୂର୍ବରୁ ଖର୍ଚ୍ଚ ମଧ୍ୟ ହୋଇନଥିଲା। ସରକାରଙ୍କ ଯୁକ୍ତି: ଏଥିରେ ଅସ୍ବାଭାବିକ କିଛି ନାହିଁ। ଜନତା ସବୁ ଜାଣିବା ଉଚିତ୍।
ପାଠକେ, ଗୋଟିଏ ମତ ହେଉଛି, ପ୍ରଭାବଶାଳୀ କାହାଣୀ କହିବା କିଛି ସହଜ କଥା ନୁହେଁ। ଗପ ତ ସମସ୍ତେ କହନ୍ତି, କିନ୍ତୁ କାହାର କାହାର ଗପ ଶୁଣେଇବାର ଶୈଳୀ ଛୁଇଁଯାଏ। ବିଜ୍ଞାପନଦାତାମାନେ ତାହାହିଁ କରନ୍ତି- ତେଣିକି ବିଜ୍ଞାପନଦାତା ଖୋଦ୍ ସରକାର ହୁଅନ୍ତୁ ପଛକେ । ଯେ କୌଣସି ସମୟରେ ସତ୍ୟଠୁ ଅଧିକ ଆକର୍ଷଣୀୟ ଅର୍ଦ୍ଧସତ୍ୟର ବିଜ୍ଞାପନ।