ମୁଣା ଭିତରର ମଣି
ଅଭିରାମ ବିଶ୍ବାଳ
ଯେକୌଣସି ଆଧୁନିକ ଗଣତାନ୍ତ୍ରିକ ରାଜ୍ୟ ଓ ରାଷ୍ଟ୍ରର ସର୍ବସାଧାରଣ ଜୀବନରେ ବଜେଟର ଏକ ପ୍ରମୁଖ ଓ ନିର୍ଣ୍ଣାୟକ ଭୂମିକା ଥାଏ। ଏଠାରେ ସୂଚେଇଦେବା ଉଚିତ ହେବ ଯେ ଆମ ଦେଶର ସମ୍ବିଧାନରେ ବଜେଟ୍ ଶବ୍ଦର ଉଲ୍ଲେଖ ନାହିଁ, ବରଂ ସମ୍ବିଧାନର ଧାରା- ୧୧୨(୧)ରେ ବାର୍ଷିକ ଆର୍ଥିକ ବକ୍ତବ୍ୟ କଥା କୁହାଯାଇଛି। ତାହା ସତ୍ତ୍ବେ ବଜେଟ କହିଲେ ଲୋକେ ବାର୍ଷିକ ଆର୍ଥିକ ବକ୍ତବ୍ୟର ଅନ୍ତର୍ନିହିତ ଅର୍ଥ ଠଉରେଇ ଦିଅନ୍ତି। ଯେଉଁ ମୂଳ ଫରାସୀ ଶବ୍ଦରୁ ବଜେଟରୁ ଜନ୍ମ, ତାହା ହେଲା ‘ବୁଗେ’। ଆଉ ତା’ର ମାନେ ହେଲା ଚମଡ଼ା ଥଳି ବା ମୁଣା। ତେଣୁ ବଜେଟ ଉପସ୍ଥାପନ କରାଗଲେ ଏକଦା ଅନ୍ୟତ୍ର କୁହାଯାଉଥିଲା ବଜେଟ୍ ଖୋଲିଲେ ଯାଇ ମୁଣା ଭିତରୁ ମଣି ବାହାରିବ। ବଜେଟକୁ ମୋଟାମୋଟି ବାର୍ଷିକ ଆୟବ୍ୟୟ ଅଟକଳ ଭାବେ ଅନେକ ବୁଝିଥାନ୍ତି। ହେଲେ ତାହା ଖାଲି ଦେଣାପାଉଣା ଓ ଲାଭକ୍ଷତିର ଶୁଷ୍କ ହିସାବ ଫର୍ଦ ନୁହେଁ। ବଜେଟ୍ ବରଂ ଲୋକଙ୍କ ଓ ରାଜ୍ୟର ସର୍ବାଙ୍ଗୀଣ ହିତ, ମଙ୍ଗଳ ଓ ବିକାଶ ସକାଶେ ଉଦ୍ଦିଷ୍ଟ ନୀତି, ନିଷ୍ପତ୍ତି, ଯୋଜନା ଓ ଲକ୍ଷ୍ୟ ଆଧାରିତ ବିଧିବଦ୍ଧ ଓ ଚଳଚଞ୍ଚଳ ଅର୍ଥନୀତିକ ଖସଡ଼ା। ଟଙ୍କା କଥା ବଜେଟରେ ଉଠେ; ମାତ୍ର ସେ ଟଙ୍କା ଏକାସାଙ୍ଗରେ ଅର୍ଥ, ଧନ, ବିତ୍ତ, ପୁଞ୍ଜି, ପାଣ୍ଠି ଓ ସଂପତ୍ତିର କାହାଣୀ ବି କହେ। ଟଙ୍କାକୁ ମୂଲ୍ୟଯୁକ୍ତ ସାମୂହିକ ସଂପଦରେ ପରିଣତ କରେ ବଜେଟ୍। ସେ ବଜେଟ୍ କେତେବେଳେ ନିଅଣ୍ଟିଆ ତ ଆଉ କେତେବେଳେ ବଳକା ତ ପୁଣି କେତେବେଳେ ସମତୁଲ। ଅସଲରେ ବଜେଟ୍ ସରକାରଙ୍କ ଅାର୍ଥନୀତିକ ପ୍ରତିବଦ୍ଧତା ଓ ବିକାଶ ସଂକଳ୍ପର ଏକ ଦର୍ପଣ ସଦୃଶ।
ଏଇ ଏଗାର ତାରିଖ ଦିନ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ତରଫରୁ ପ୍ରକାଶିତ ‘ଏଇଟି ଇୟର୍ସ ଅଫ୍ ଓଡ଼ିଶା ବଜେଟ: ଏ କମେମୋରେଟିଭ ଭଲ୍ୟୁମ୍’ ନାମକ ଉପାଦେୟ ଓ ଗୁରୁତ୍ବପୂର୍ଣ୍ଣ ଗ୍ରନ୍ଥ ଲୋକାର୍ପିତ ହୋଇଛି। ପୁସ୍ତକଟିରେ ଓଡ଼ିଶାର ୮୦ଟି ବଜେଟର ଯାତ୍ରା ଓ ମାଇଲ୍ଖୁଣ୍ଟ ବାବଦରେ ପରିସଂଖ୍ୟାନ ସାଙ୍ଗକୁ ସାରାଂଶ ଲିପିବଦ୍ଧ ହୋଇଛି। ତଥ୍ୟ ଓ ସଂଖ୍ୟା ସହିତ ସ୍ବତନ୍ତ୍ର ଓଡ଼ିଶା ଗଠନ ନିମନ୍ତେ ଆନ୍ଦୋଳନ, ବିଲାତି ଶାସନ ସମୟରେ ବଜେଟ ବ୍ୟବସ୍ଥାର ଅଭ୍ୟୁଦୟ, ଓଡ଼ିଶାର ବିତ୍ତୀୟ ପ୍ରକ୍ରିୟାର ବାସ୍ତବତାଶ୍ରିତ ବିଶ୍ଳେଷଣ ଓ ଆଗକୁ କ’ଣ ଏବଂ ଓଡ଼ିଶାର ଇତିହାସ- ସଂସ୍କୃତି-ରାଜନୀତି-ଶିଳ୍ପାୟନ-ସାହିତ୍ୟ-ଭାଷା-ଶିକ୍ଷାନୁଷ୍ଠାନ ନିର୍ମାଣ- ଜଳସେଚନ ପ୍ରକଳ୍ପ-ସ୍ବାସ୍ଥ୍ୟସେବା ଭିତ୍ତିଭୂମି ସଂରଚନା- ନୂଆନୂଆ ଜିଲା ସୃଷ୍ଟି ଆଦି ବାବଦରେ ଉପାଖ୍ୟାନ ଅବତାରଣା ଓ ବର୍ଣ୍ଣନା ପୁସ୍ତକଟିକୁ ସରସ ଓ ସୁଖପାଠ୍ୟ କରିପାରିଛି।
୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟଭାବେ ଓଡ଼ିଶା ଗଠିତ ହେବା ପରେ ରାଜ୍ୟର ପ୍ରଥମ ବଜେଟ୍ ଉପସ୍ଥାପିତ ହୋଇଥିଲା ସେଇ ବର୍ଷ ମେ ୮ତାରିଖରେ ପୁରୀର ଟାଉନ ହଲଠାରେ ମୁଖ୍ୟ ଶାସନ ସଚିବ ପି.ଟି.ମାନ୍ସ୍ଫିଲଡଙ୍କ ଦ୍ବାରା। ସେଇ ବଜେଟଟିର ବ୍ୟୟବରାଦ ଥିଲା ମାତ୍ର ୧.୭୭ କୋଟି ଟଙ୍କାର। ସେଥିରେ ଜଳସେଚନ, ପୁଲିସ, ଶିଳ୍ପ, କୃଷି, ଶିକ୍ଷା ଓ ଜନସ୍ବାସ୍ଥ୍ୟ ପ୍ରସଙ୍ଗମାନ ଗୁରୁତ୍ବ ପାଇଥିଲା। ପୁଣି ସେଇ ଏକାବର୍ଷ ଏକା ସହର ପୁରୀର ଲକ୍ଷ୍ମୀ ଟକିଜ୍ରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ ପ୍ରଥମେ ଆତ୍ମପ୍ରକାଶ କରି ଖେଳିଥିଲା ୨୮ ଏପ୍ରିଲ୍ରେ। ତାହା ଥିଲା ୧୨ ରିଲ୍ର।
ଆମ ରାଜ୍ୟର ୮୦ ତମ ବଜେଟ୍ ଉପସ୍ଥାପିତ ହୋଇଥିଲା ୨୦୧୫-୧୬ ଆର୍ଥିକ ବର୍ଷରେ ଏବଂ ତାହା ଥିଲା ୮୪୪ ୮୭.୭୭ କୋଟି ଟଙ୍କାର। ଚଳିତ ଆର୍ଥିକ ବର୍ଷ ୨୦୧୮-୧୯ରେ ଉପସ୍ଥାପିତ ହୋଇଥିବା ୮୩ତମ ବଜେଟଟି ହେଉଛି ୧୨୯୦୦୨୮ କୋଟି ଟଙ୍କାର ଯାହାକି ପ୍ରଥମ ବଜେଟଠାରୁ ୭୦,୦୦୦ ଗୁଣା ଅଧିକ। ପ୍ରଥମଥର ପାଇଁ ବଜେଟ୍ର ପରିମାଣ ଛ’ ଅଙ୍କ କୋଟିଟଙ୍କା ଟପିଥିଲା ୨୦୧୭-୧୮ରେ। ଅଠରବର୍ଷ ତଳେ ୨୦୦୦ ମସିହାର ବଜେଟଟି ଥିଲା ୧୩୬୦୪.୫୮ କୋଟି ଟଙ୍କାର। ଏକଦା ଅର୍ଥନୀତିଜ୍ଞ ଓ ଜନସଂଖ୍ୟା ବିଶାରଦ ଆଶିଷ ବୋଷ ‘ବିମାରୁ’ ତତ୍ତ୍ବ ବାଢ଼ିଥିଲେ ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତରପ୍ରଦେଶ ଭଳି ଚାରିଟି ରାଜ୍ୟର ସ୍ଥିତିକୁ ବିଚାରକୁ ନେଇ। ପରେ କେହିକେହି ସେ ଚାରି ରାଜ୍ୟ ସହ ଓଡ଼ିଶାର ନାଁ ଯୋଡ଼ି ଦେଇଥିଲେ। ହେଲେ ଏବେ କିନ୍ତୁ ବିକାଶର ଧାରା ଓଡ଼ିଶାକୁ ସେ ଅଲୋଡ଼ା ବିଶେଷଣ କବଳରୁ ମୁକ୍ତ କରିପାରିଛି।
ଗ୍ରାମ୍ୟ ଅର୍ଥନୀତି ଓ ଜୀବନଜୀବିକାର ମେରୁଦଣ୍ଡ କୃଷିର ଗୁରୁତ୍ବକୁ ବିଚାରକୁ ନେଇ ୨୦୧୩-୧୪ରେ ଓଡ଼ିଶାରେ ପୃଥକ କୃଷି ବଜେଟ୍ ଅଣାଯାଇଥିଲା। ପୁଣି ୨୦୧୬-୧୭ରେ ଗଠିତ ହୋଇଥିଲା କୃଷି କ୍ୟାବିନେଟ୍। ୪୩୫+ ପୃଷ୍ଠା ବିଶିଷ୍ଟ ପୁସ୍ତକଟିର ଠାଏ କୁହାଯାଇଛି- ଚାଷ ଜମି ଖଣିଠାରୁ େଢର୍ ଉପକାରୀ; କାରଣ ଖଣି ଖାଲି କୋଷାଗାର ଭରେ; ହେଲେ ଜମି ଭରେ ଉଭୟ କୋଷାଗାର ଓ ଭଣ୍ଡାର। ୨୦୧୬-୧୭ ଆର୍ଥିକ ବର୍ଷଠାରୁ ଓଡ଼ିଶା ବଜେଟ୍ କେନ୍ଦ୍ର ବଜେଟ୍ ଉପସ୍ଥାପନା ପରେ ଉପସ୍ଥାପିତ ହେଉଛି। ସେଇ ବର୍ଷଠାରୁ ପୁଣି ବଜେଟକୁ ଆହୁରି ବ୍ୟାପକ ଜନପରାମର୍ଶ ଓ ଅଂଶଗ୍ରହଣଭିତ୍ତିକ କରିବାପାଇଁ ୱେବ୍, ଇ-ମେଲ୍ ଓ ଏସ୍ଏମ୍ଏସ୍ ଜରିଆରେ ମତାମତ ଲୋଡ଼ାଯାଉଛି।
୧୯୩୭ ମସିହାରୁ ଚଳିତବର୍ଷ ଯାଏ ଅର୍ଥ ବିଭାଗର ଦାୟିତ୍ବରେ ଥିବା ମନ୍ତ୍ରୀମାନଙ୍କ ସଂଖ୍ୟା ୩୧। ସେମାନଙ୍କ ଭିତରୁ କିଏ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ତ କିଏ କ୍ୟାବିନେଟ ମନ୍ତ୍ରୀ ତ ଆଉ କିଏ ରାଷ୍ଟ୍ରମନ୍ତ୍ରୀ ତ ପୁଣି କିଏ ଉପମନ୍ତ୍ରୀ। ଅର୍ଥ ବିଭାଗର ଦାୟିତ୍ବରେ ମଧ୍ୟ କୃଷ୍ଣଚନ୍ଦ୍ର ଗଜପତି, ବିଶ୍ବନାଥ ଦାସ, ହରେକୃଷ୍ଣ ମହତାବ, ନବକୃଷ୍ଣ େଚୗଧୁରୀ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ବିଜୁ ପଟ୍ଟନାୟକ, ବିରେନ୍ ମିତ୍ର, ସଦାଶିବ ତ୍ରିପାଠୀ, ବିନାୟକ ଆଚାର୍ଯ୍ୟ, ଜାନକୀ ବଲ୍ଲଭ ପଟ୍ଟନାୟକ ଓ ନବୀନ ପଟ୍ଟନାୟକ ଥିଲେ। ଏମାନେ ସମସ୍ତେ ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ। ଏବେ ତ ଶଶିଭୂଷଣ ବେହେରା ଅର୍ଥମନ୍ତ୍ରୀ ଅଛନ୍ତି। ୨୦୦୦ରୁ ୨୦୧୮ ଏଇ ଅବଧି ଭିତରେ ଓଡ଼ିଶାର ୧୯ଟି ବଜେଟ୍ ସାମାଜିକ ବର୍ଗ, ବିଭିନ୍ନ ଅଞ୍ଚଳ, ବିଶେଷକରି ଅଧିକ ଅସୁବିଧାଯୁକ୍ତ ଅଞ୍ଚଳ, ଅଭିଳାଷୀ ଗୋଷ୍ଠୀ, ଆପଦଗ୍ରସ୍ତ ବ୍ୟକ୍ତି ଓ ସମୂହ ଏବଂ ଚିନ୍ତାଚେତନାର ଅନୁଷ୍ଠାନାଦି ବାବଦରେ ଦରକାରୀ ସୁବିଧାସୁଯୋଗ ଯୋଗାଇ ଦେବାପାଇଁ ଭୁଲି ନାହିଁ। ଓଡ଼ିଶାର ଲୋକପ୍ରତିମା- ଏଇ ଯେମିତି ମଧୁବାବୁ, ଗୋପବନ୍ଧୁ, ଭୀମଭୋଇ, ଗଙ୍ଗାଧର ମେହେର, ରଘୁନାଥ ମୁର୍ମୁ, ଲକ୍ଷ୍ମଣ ନାୟକ, ବକ୍ସି ଜଗବନ୍ଧୁ, ବିଜୁବାବୁ ଓ ପାର୍ବତୀ ଗିରି ପ୍ରମୁଖଙ୍କ ନାଁରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ଅନୁଷ୍ଠାନ ଗଣଯାଇଛି।
ବଜେଟ୍ର କେତେକ ନୂଆନୂଆ ସୂତ୍ର ହେଲା ସାମାଜିକ ନିରାପତ୍ତା ଉପରେ ପ୍ରାଧାନ୍ୟ; ପରିଣାମ-ଫଳାଫଳ ମନସ୍କ ବଜେଟ୍ ତିଆରି; ଖୋଲାପଣ; ଏକାୟନ ଓ ସଂଯୋଜନା ବହୁବର୍ଷ ବ୍ୟାପୀ ଖର୍ଚ୍ଚ ପରିପାଟୀ ଓ ମହିଳା ପ୍ରସଙ୍ଗ ପ୍ରତି ସମ୍ବେଦନଶୀଳତା। ଏସବୁର ଆଭାସ ପୁସ୍ତକଟିରେ ରହିଛି। ଆଉ ଅଠର ବର୍ଷ ପରେ ଓଡ଼ିଶାକୁ ଶହେ ପୂରିବ। ସେତେବେଳେ ନିଶ୍ଚୟ ଏପ୍ରିଲ ୧ ଓ ଶହେତମ ବଜେଟ୍ ସମୁଚିତ ମର୍ଯ୍ୟାଦାରସହ ଯଥାକ୍ରମେ ପାଳିତ ଓ ପ୍ରସ୍ତୁତ ହେବ। ଆଉ ସେ ସମୟରେ ୧୦୦x୧୦୦ ପୃଷ୍ଠାର- ଅତିକମ୍ରେ ଶହେ ବର୍ଷର ଓଡ଼ିଶା ବଜେଟ୍ ସମ୍ପର୍କିତ ଏକ ଏକାଧିକ ପୁସ୍ତକ ପ୍ରକାଶିତ ହେଲାବେଳେ ଆେଲାଚ୍ୟ ପୁସ୍ତକଟି ପୃଷ୍ଠଭୂମି ଓ ଆଧାରବିନ୍ଦୁ ଗ୍ରନ୍ଥଭାବେ ବ୍ୟବହୃତ ହେବ।
ବେହୁରିଆ ଭବନ, ଗୌରୀନଗର,
ଭୁବନେଶ୍ବର-୨