ରାଜ୍ୟରେ ପେଟ୍ରୋଲିୟମ ରିଜର୍ଭକୁ କେନ୍ଦ୍ରର ମ଼ଞ୍ଜୁରୀ
ଭୁବନେଶ୍ୱର: ଯାଜପୁରର ଚଣ୍ଡୀଖୋଲ ନିକଟରେ ପେଟ୍ରୋଲିୟମ ରିଜର୍ଭକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ଏହାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହା ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ହଜାର ହଜାର ନିଯୁକ୍ତି ମିଳିବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚେଷ୍ଟାରୁ ଓଡିଶାକୁ ଏହି ପ୍ରକଳ୍ପ ମିଳିଥିବା ସୂଚନା ମିଳିଛି ।
ଓଡ଼ିଶାର ଚଣ୍ଡିଖୋଲ ଏବଂ କର୍ଣ୍ଣାଟକର ପାଦୁରଠାରେ ଅତିରିକ୍ତ ୬.୫ ନିୟୁତ ମେଟ୍ରିକ ଟନ(ଏମଏମଟି) କ୍ଷମତାବିଶିଷ୍ଟ ରଣନୈତିକ ଭୂତଳ ତୈଳ ଭଣ୍ଡାର (ଏସପିଆର) ପ୍ରତିଷ୍ଠା କରାଯିବ। ଏହାଛଡ଼ା ଏହି ଦୁଇଟି ଏସପିଆର ପାଇଁ ସମର୍ପିତ ଏସପିଏମ (ସିଙ୍ଗଲ ପଏଂଟ ମୁରିଂ) ନିର୍ମାଣ କରାଯିବ। ଏ ସଂକ୍ରାନ୍ତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି। ଚଣ୍ଡିଖୋଲ ଏବଂ ପାଦୁରଠାରେ ନିର୍ମାଣ ହେବାକୁ ଥିବା ଏହି ତୈଳ ଭଣ୍ଡାର ଭୂତଳ ସୁଡ଼ଙ୍ଗ ମଧ୍ୟରେ ରହିବ ଏବଂ ଏଗୁଡ଼ିକର କ୍ଷମତା ଯଥାକ୍ରମେ ୪ ଏମଏମଟି ଏବଂ ୨.୫ ଏମଏମଟି ହେବ।
ସୂଚନାଯୋଗ୍ୟ ଯେ ୨୦୧୭-୧୮ ବଜେଟରେ ଦୁଇଟି ଅତିରିକ୍ତ ତୈଳ ଭଣ୍ଡାର ପ୍ରତିଷ୍ଠା ଲାଗି କେନ୍ଦ୍ର ସରକାର ଘୋଷଣା କରିଥିଲେ।
ଭାରତ ସରକାରଙ୍କ ବଜେଟ ସହଯୋଗ ପରିମାଣ ହ୍ରାସ କରିବା ଲାଗି ଏହି ପ୍ରକଳ୍ପକୁ ପିପିପି ବା ସରକାରୀ-ଘରୋଇ ଭାଗିଦାରୀ ମଡେଲ ଆଧାରରେ ନିର୍ମାଣ କରାଯିବା ଲାଗି ନୀତିଗତ ମଞ୍ଜୁରି ପ୍ରଦାନ କରାଯାଇଛି। ସମ୍ଭାବିତ ନିବେଶକଙ୍କ ସମେତ ବଜାର ଆବଶ୍ୟକତାକୁ ପୂରଣ କରିବା ଲାଗି ରୋଡ-ଶୋ/ପ୍ରଦର୍ଶନୀ ଆୟୋଜନ କରାଯିବା ପରେ ଅର୍ଥମନ୍ତ୍ରଣାଳୟର ପରାମର୍ଶକ୍ରମେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଏହି ପ୍ରକଳ୍ପ ପାଇଁ ଭାଗିଦାରୀର ସର୍ତ ଏବଂ ନିୟମାବଳୀ ନିର୍ଦ୍ଧାରଣ କରିବ।
ଚଣ୍ଡିଖୋଲ ଏବଂ ପାଦୁରରେ ତୈଳ ଭଣ୍ଡାର ନିର୍ମାଣ ସମୟରେ ଓଡ଼ିଶା ଏବଂ କର୍ଣ୍ଣାଟକରେ ଗୁରୁତ୍ୱପୂର୍ଣ୍ଣ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି ହେବ।