ଏକେ-୪୭ ବନ୍ଧୁକ ସହ ନିଖୋଜ ଏସ୍ପିଓ ଆତଙ୍କବାଦୀ ସଂଗଠନରେ ସାମିଲ!
ଜାମ୍ମୁ : ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ଯବାନ ଆଉରଙ୍ଗଜେବ୍ଙ୍କ ଅପହରଣ ଓ ହତ୍ୟା ଘଟଣା ପରେ ଆତଙ୍କବାଦୀମାନେ ସମ୍ପ୍ରତି ରାଜ୍ୟର ଜଣେ ସ୍ୱତନ୍ତ୍ର ପୁଲିସ ଅଧିକାରୀ (ଏସ୍ପିଓ)ଙ୍କ ଅପହରଣ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ ବ୍ୟାପକ ଅନୁସନ୍ଧାନ ଜାରି ରଖିଥିବା ବେଳେ ସମ୍ପୃକ୍ତ ଏସ୍ପିଓ ଇତିମଧ୍ୟରେ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିବା ହିଜିବୁଲ୍ ମୁଜାହିଦ୍ଦିନ୍ ପକ୍ଷରୁ କୁହାଯାଇଛି। ପୁଲୱାମାର ନେହାମା କାକାପୋରା ନିବାସୀ ଏସ୍ପିଓ ଇର୍ଫାନ୍ ଅହମ୍ମଦ ଦାର୍ ଏକ ଏକେ -୪୭ ବନ୍ଧୁକ ଓ ବ୍ୟାପକ ଗୁଳି ଧରି ମଙ୍ଗଳବାର ସନ୍ଧ୍ୟାରେ ପାମ୍ପୋର ଥାନାରୁ ବାହାରିଥିଲେ। ଏହା ପରେ ତାଙ୍କର କୌଣସି ସୂଚନା ମିଳି ନ ଥିଲା। ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଏବଂ ଭାରତୀୟ ସେନା ରାତି ତମାମ୍ ତାଙ୍କ ସନ୍ଧାନରେ ଲାଗିପଡିଥିଲା। ମାତ୍ର ଏକେ -୪୭ ବନ୍ଧୁକ ସହିତ ଫେରାର୍ ହୋଇଯାଇଥିବା ଇର୍ଫାନ୍ ହିଜିବୁଲ୍ ମୁଜାହିଦ୍ଦିନରେ ଯୋଗ ଦେଇଛନ୍ତି ବୋଲି ସଂଗଠନର ମୁଖପାତ୍ର ବୁରହାନ-ଉ-ଦିନ୍ ଟେଲିଫୋନ୍ ଯୋଗେ ସ୍ଥାନୀୟ ଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଘଟଣାର ତଦନ୍ତ ଜାରି ରହିଛି ବୋଲି ଅୱନ୍ତିପୋରା ଏସ୍ଏସ୍ପି ଜାହିଦ ମାଲିକ କହିଛନ୍ତି। ଉଲ୍ଲେଖ ଯେ ଆତଙ୍କବାଦୀଙ୍କ ମୁକାବିଲା ନିମନ୍ତେ ଜାମ୍ମୁ କାଶ୍ମୀର ପୁଲିସ ପକ୍ଷରୁ ଏସ୍ପିଓଙ୍କୁ ନିଯୁକ୍ତି ଦିଆଯାଇଥାଏ। ଏ ନେଇ ସେମାନଙ୍କୁ ମାସିକ ଭତ୍ତା ପ୍ରଦାନ କରାଯାଏ। ସେମାନଙ୍କୁ ଅସ୍ତ୍ରଚାଳନା ନେଇ କୌଣସି ପ୍ରଶିକ୍ଷଣ ଦିଆଯାଇ ନ ଥାଏ କି ସର୍ଭିସ୍ ବନ୍ଧୁକ ମଧ୍ୟ ଯୋଗାଇ ଦିଆଯାଇ ନ ଥାଏ। ଇଦ୍ ଅବ୍ୟବହିତ ପୂର୍ବରୁ ଜୁନ୍ ୧୪ରେ ଭାରତୀୟ ସେନାର ରାଷ୍ଟ୍ରୀୟ ରାଇଫଲ୍ସ ୪୪ର ଯବାନ ଆଉରଙ୍ଗଜେବ୍ଙ୍କୁ ଆତଙ୍କବାଦୀମାନେ ଅପହରଣ ପରେ ହତ୍ୟା କରିଥିଲେ।