କର୍ଣ୍ଣାଟକ ସରକାରକୁ ସିଦ୍ଧରାମେୟା ବିପଦ!

0

ବେଙ୍ଗାଲୁରୁ: ବହୁ ବାଦବିବାଦ ଓ ନାଟକର ଅବସାନ ପରେ କର୍ଣ୍ଣାଟକରେ ଗଠିତ ଜେଡିଏସ୍‍-କଂଗ୍ରେସ ମେଣ୍ଟ ସରକାର ପାଇଁ ପୁଣି ଥରେ ବିପଦ ଆଶଙ୍କା ଦେଖାଦେଇଛି। ଏକଦା ସଂକଟମୋଚନ ସାଜିଥିବା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମେୟା ଏବେ ସଂକଟ ସୃଷ୍ଟିକାରୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ରାଜନୈତିକ ବିଶାରଦମାନେ ମତ ଦେଇଛନ୍ତି। ସିଦ୍ଧରାମେୟାଙ୍କ ପରିବର୍ତ୍ତିତ ଆଭିମୁଖ୍ୟ କେବଳ ଜେଡିଏସ୍‍ ବିଧାୟକଙ୍କୁ ଅସନ୍ତୁଷ୍ଟ କରିନାହିଁ ବରଂ କଂଗ୍ରେସ ବିଧାୟକଙ୍କୁ ମଧ୍ୟ ଅଡ଼ୁଆରେ ପକାଇଛି।
କର୍ଣ୍ଣାଟକରେ ଝୁଲା ବିଧାନସଭା ସମ୍ଭାବନା ସୃଷ୍ଟି ହେବା ପରେ ସିଦ୍ଧରାମେୟାଙ୍କ ସମୟୋଚିତ ନିଷ୍ପତ୍ତି ଯୋଗୁଁ ଜେଡିଏସ୍‍ ସହିତ କଂଗ୍ରେସ ମେଣ୍ଟ କରି ସରକାର ଗଠନ କରିପାରିଥିଲା। ସେହି ସମୟରେ କୌଣସି ସର୍ତ୍ତ ନ ରଖି କଂଗ୍ରେସ ଜେଡିଏସ୍‍କୁ ସରକାର ଗଠନ ପାଇଁ ସମର୍ଥନ କରିବ ବୋଲି ସିଦ୍ଧରାମେୟା ପ୍ରତିଶ୍ରୁତି ଦେବା ସହିତ କୁମାରସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ଯାଚିଥିଲେ।
ସମନ୍ୱୟ କମିଟିର ଅଧ୍ୟକ୍ଷ ଥିବା ସିଦ୍ଧରାମେୟା କିନ୍ତୁ ଏବେ କର୍ଣ୍ଣାଟକ ସରକାରଙ୍କ ବଜେଟ୍‍କୁ ନେଇ ଗଣମାଧ୍ୟମରେ ଆଗରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆସନ୍ତା ୫ ତାରିଖରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଏଚ୍‍ ଡି କୁମାରସ୍ୱାମୀ ପୂର୍ଣ୍ଣକାଳୀନ ବଜେଟ୍‍ ଉପସ୍ଥାପନ କରିବାକୁ ଯାଉଛନ୍ତି। କିନ୍ତୁ ଏହାକୁ ବିରୋଧ କରୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ସିଦ୍ଧରାମେୟା। ପୂର୍ଣ୍ଣକାଳୀନ ବଜେଟ୍‍ ବଦଳରେ କାମଚଳା ବଜେଟ୍‍ ସପକ୍ଷରେ ସିଦ୍ଧରାମେୟା ଯୁକ୍ତି କରି ଆସୁଛନ୍ତି।
ଏଥିସହିତ ମେଣ୍ଟ ସରକାରର ସ୍ଥାୟୀତ୍ୱକୁ ନେଇ ମଧ୍ୟ ସିଦ୍ଧରାମେୟା ପ୍ରଶ୍ନ ଉଠାଇଛନ୍ତି। ଆଗାମୀ ୨୦୧୯ରେ ସାଧାରଣ ନିର୍ବାଚନ ପରେ ମେଣ୍ଟ ସରକାରର ଭବିଷ୍ୟତ ଜଣାପଡ଼ିବ ବୋଲି କିଛି ସାମ୍ବାଦିକଙ୍କୁ କହୁଥିବା ଏକ ଭିଡିଓ ଭାଇରାଲ୍‍ ହେବା ପରେ ତାହାକୁ ନେଇ ଚର୍ଚ୍ଚା ଓ ବିବାଦ ସୃଷ୍ଟି ହୋଇଛି।
ମେଣ୍ଟ ଚୁକ୍ତି ଅନୁଯାୟୀ, ଜେଡିଏସ ପକ୍ଷରୁ ଦଳର ମହାସଚିବ ଦାନିସ୍‍ ଅଲି ଓ କଂଗ୍ରେସ ପକ୍ଷରୁ ଏଆଇସିସି ମହାସଚିବ କେ ସି ବେଣୁଗୋପାଳ କେବଳ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାର କ୍ଷମତା ପ୍ରାପ୍ତ ହୋଇଛନ୍ତି। କିନ୍ତୁ ସିଦ୍ଧରାମେୟା ଗଣମାଧ୍ୟମ ସାମ୍ନାରେ ସରକାର ଓ ବଜେଟ୍‍ ବିଷୟରେ କହିଛନ୍ତି। ଏ ପ୍ରସଙ୍ଗକୁ ସେ ସମନ୍ୱୟ କମିଟରେ ମଧ୍ୟ ଉପସ୍ଥାପନ କରିପାରିଥାନ୍ତେ ବୋଲି ଜଣେ ଜେଡିଏସ୍‍ ନେତା କହିଛନ୍ତି।
ଏହି ଭିଡିଓ ଦକ୍ଷିଣ କର୍ଣ୍ଣାଟକ ଅଞ୍ଚଳରେ ଥିବା ଏକ ନେଚରପାଥି ସେଣ୍ଟରରେ ରେକର୍ଡିଂ ହୋଇଥିବା ଜଣାପଡ଼ିଛି। ଜଣେ କଂଗ୍ରେସ ବିଧାୟକଙ୍କ କହିବା ଅନୁଯାୟୀ କଂଗ୍ରେସ କରିଥିବା ପରିଶ୍ରମର ଫଳ ଏବେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଓ ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର ଭୋଗ କରୁଛନ୍ତି। ତେଣୁ ସେମାନଙ୍କୁ ସତର୍କ କରାଇବା ପାଇଁ ସିଦ୍ଧରାମେୟା ଏପରି କହି ଥାଇପାରନ୍ତି। ଏହାର ପ୍ରତିକ୍ରିୟାରେ ଜି ପରମେଶ୍ୱର କହିଛନ୍ତି ଯେ ମେଣ୍ଟ ସରକାର ପୂର୍ଣ୍ଣ ୫ ବର୍ଷ ସରକାରରେ ରହିବ। ମେଣ୍ଟ ପ୍ରତି କୌଣସି ବିପଦ ନାହିଁ। ସେହିପରି ସବୁକିଛି ଠିକ୍‍ଠାକ୍‍ ଅଛି ବୋଲି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ କହିଥିଲେ।

Leave A Reply