www.samajalive.in
Thursday, December 11, 2025
26.1 C
Bhubaneswar

ବ୍ରହ୍ମ ତତ୍ତ୍ୱ ଓ ବିଗ୍ରହ ବିଜ୍ଞାନ

ପୁରୀ ମହୋଦଧି କୂଳରେ ଅବସ୍ଥିତ ନୀଳାଚଳ ଧାମରେ ଅଧିଷ୍ଠିତ ବିଗ୍ରହ ଶ୍ରୀଜଗନ୍ନାଥଙ୍କ ସାନ୍ନିଧ୍ୟ ଏକ ଅଲୌକିକ ଆହ୍ୱାନ, ଯାହାକୁ ଭାଷାରେ ବୁଝେଇବା ସର୍ବଦା ଅସଂପୂର୍ଣ୍ଣ। ଜଗନ୍ନାଥଙ୍କୁ ‘ଦାରୁବ୍ରହ୍ମ’ କୁହାଯାଏ। ‘ଦାରୁ’ ସହ ବୃକ୍ଷର ସଂପର୍କ ରହିଛି, ‘ବ୍ରହ୍ମ’ ଶବ୍ଦର ଅର୍ଥ ବ୍ୟାପକ। ନିମ୍ବବୃକ୍ଷ ଦାରୁ ବା କାଷ୍ଠରେ ବିଗ୍ରହ ଗଠିତ। ଦାରୁସ୍ଥିତ ବ୍ରହ୍ମ ଏ ବିଗ୍ରହଙ୍କୁ ଅଲୌକିକ ଏବଂ ରହସ୍ୟମୟ କରି ଆସିଛି ଯୁଗଯୁଗ ଧରି। କାରଣ ଦର୍ଶକର ଦୃଷ୍ଟିରେ କେବଳ କାଷ୍ଠ ନୁହେଁ, ବରଂ ବିଗ୍ରହ ଆୟତ ଉପରାନ୍ତ ଆଉ କିଛି ମନକୁ ଆନ୍ଦୋଳିତ କରିଥାଏ। ବ୍ରହ୍ମପୁରାଣରେ ପ୍ରଜାପତି ବ୍ରହ୍ମାଙ୍କ ଅନୁସାରେ “ସକୃତ ଦୃଷ୍ଟଜଗନ୍ନାଥ ବିନା ଯୋଗେନ ଜ୍ଞାନେନ ନ ମାତୁଃ ସ୍ତନପୋ ଭବେତ୍‍”। ଜଗନ୍ନାଥଙ୍କ ଦର୍ଶନ ମାତ୍ରେ ହିଁ ଯୋଗ ଜ୍ଞାନାଦି ସାଧନା ବିନା ମାନବ ମାତୃଗର୍ଭ ସ୍ତନାଦି ଚକ୍ରରେ ପ୍ରବେଶ କରେନାହିଁ। ଏପରି ପ୍ରାଚୀନ ଗ୍ରନ୍ଥ, ଶାସ୍ତ୍ର, ପୁରାଣ ଆଦିରେ ବିଗ୍ରହ ଅଲୌକିକତା ବିଷୟରେ ବର୍ଣ୍ଣନା କରାଯାଇଛି ଏବଂ ସେ ବିଷୟରେ ଅଧିକରୁ ଅଧିକ ଜାଣିବା ପାଇଁ ମଣିଷର ଅନୁସନ୍ଧିତ୍ସୁ ମନ ସର୍ବଦା ଆଗ୍ରହୀ – କିଏ ଭକ୍ତି ମାର୍ଗରେ ସବୁ ଗ୍ରହଣ କରିଯାଉଛି ତ’ ଆଉ କିଏ ଜ୍ଞାନ ମାର୍ଗରେ ବୁଝି ବୁଝାଇବା ପାଇଁ ଚେଷ୍ଟିତ, ତ’ ଆଉ କିଏ ସେବା ଓ କର୍ମ ମାଧ୍ୟମରେ ନିଜକୁ ଉତ୍ସର୍ଗ କରିଚାଲିଛି। ସତ୍ୟାନୁସନ୍ଧାନ ଓ ଆନନ୍ଦପ୍ରାପ୍ତି ପାଇଁ ଯେକୌଣସି ମାର୍ଗ ଅବଲମ୍ବନ କରାଯାଇପାରେ, କାରଣ ଏଥିସହ ମଣିଷର ଦୃଷ୍ଟି ଓ ରୁଚି ସଂଶ୍ଳିଷ୍ଟ। ଜୀବନକୁ ବିଶ୍ୱମୟ କରିବାକୁ ଯତ୍ନବାନ ହେଲେ ହିଁ ବହୁ ରହସ୍ୟ ଅନୁଭବ କରିହେବ, କେବଳ ସୀମିତ ପରୀକ୍ଷା ନିରୀକ୍ଷା ମାଧ୍ୟମରେ ନୁହେଁ।

କାର୍ଯ୍ୟକାରଣ ଅନୁସନ୍ଧାନ କରୁକରୁ ଅନୁମାନ, ଅନୁଧ୍ୟାନର ଅସମର୍ଥତା ସ୍ତର ଆସିଲାପରେ ସେହି ଅଚିନ୍ତ୍ୟ ଅପ୍ରକାଶ୍ୟ କାରଣକୁ ‘ବ୍ରହ୍ମ’ ବା ପରମ କାରଣରେ ନାମିତ କରାଗଲା। ତେଣୁ ଅଣୁ-ପରମାଣୁର କାରଣ ତଥା ଜଗତ ଅନ୍ତରୀକ୍ଷ ପରିବ୍ୟାପ୍ତିର କାରଣକୁ ‘ବ୍ରହ୍ମ’ କୁହାଗଲା। ଜ୍ଞାନର ସୂକ୍ଷ୍ମତମ ଓ ବୃହତ୍ତମ ତତ୍ତ୍ୱ ହିଁ ବ୍ରହ୍ମ। ସର୍ବବ୍ୟାପକତା ଓ ସର୍ବଶ୍ରେଷ୍ଠତାକୁ ଅନୁଭବ କରିବା ହିଁ ମନନ ଏବଂ ଏପରି ନିରନ୍ତର ମନନ ହିଁ ବ୍ରହ୍ମଚିନ୍ତନ। ବ୍ରହ୍ମ ସର୍ବତ୍ର ପରିବ୍ୟାପ୍ତ, ଅବ୍ୟକ୍ତ, ଆକାରହୀନ କିନ୍ତୁ ପଦାର୍ଥ ସାକାର, ଏକ ବସ୍ତୁ ବିଗ୍ରହ ମାତ୍ର ଯଦିଓ ଅଭ୍ୟନ୍ତରରେ ଓ ବାହାରେ ନିରାକାର ବ୍ରହ୍ମ ପରିବ୍ୟାପ୍ତ, ପଦାର୍ଥଟି କଠିନ ହେଉ ଅବା ତରଳ ବା ଗ୍ୟାସୀୟ, କ୍ଷୁଦ୍ର ବା ବୃହତ। ଶୈବ ମାହେଶ୍ୱର ସଂପ୍ରଦାୟ “ରସେଶ୍ୱର ସିଦ୍ଧାନ୍ତ”ରେ ବର୍ଣ୍ଣିତ ପାରଦର (ମରକ୍ୟୁରି) ବ୍ୟବହାର ଶରୀରର ସ୍ୱାଭାବିକ କ୍ଲେଶ କବଳରୁ ମୁକ୍ତି ତଥା ଜରା ଓ ମରଣ ଉଭୟ ବିକୃତିରୁ ମୁକ୍ତ ହୋଇ ଦିବ୍ୟତା ପ୍ରଦାନ କରିଥାଏ। ବିଗ୍ରହ ନିହିତ ବ୍ରହ୍ମ ପଦାର୍ଥ କ’ଣ ‘ପାରଦ’? ଧରାଯାଉ ବିଗ୍ରହ ମଧ୍ୟରେ ବୁଦ୍ଧଦନ୍ତ, ଲୌହଶଳାକା, ପରଶମଣି, ପାରଦ, ହୀରା ମଣିମାଣିକ୍ୟ ରତ୍ନାଦି ଥାଇପାରେ। ଧରାଯାଉ ଆଜି କୌଣସି ଏକ ସ୍ଥୂଳ ପଦାର୍ଥ ସାର୍ବଜନୀନ ହେଲା, ତା’ପରେ କ’ଣ? ହୋଇପାରେ କିଛି ନଥାଇପାରେ।

- Advertisement -

ହୋଇପାରେ ବ୍ରହ୍ମ ଏକ ପ୍ରତୀକ, ଏକ ସାଂକେତିକ ଅନୁଘଟଣା ମାତ୍ର। ଆଜିର ଆଧୁନିକ ବିଜ୍ଞାନ ମଧ୍ୟ ତାତ୍ତ୍ୱିକ ସ୍ତରରେ ପ୍ରତୀକାତ୍ମକ ହୋଇସାରିଛି। ପ୍ରସର(ସ୍ପେଶ୍‍) ସର୍ବବ୍ୟାପୀ ପଦାର୍ଥର ଅଭ୍ୟନ୍ତରରେ ଓ ବାହାରେ ପରିବ୍ୟାପ୍ତ। ଏହା ଅଦୃଶ୍ୟ ବିଶ୍ୱାଧାର। ଯାହାସବୁ ଜଗତରେ ଦେଖୁଅଛୁ, ଯାହା ଦେଖିବାକୁ ଇଚ୍ଛା କରୁଅଛୁ ସେସବୁ ପ୍ରସରରେ ବିଦ୍ୟମାନ। ଠିକ୍‍ ସେପରି କାଳ(ଟାଇମ୍‍)। ସ୍ଥିରକାଳ, ସଂକୁଚିତକାଳ, ସଂପ୍ରସାରିତ କାଳ କେବଳ ଏକ ଆପାତତଃ ଅନୁଭବ – ଏକପ୍ରକାର ଆପେକ୍ଷିକ ସଂପର୍କ ଜାଲରୁ ସଂଭୂତ। ପ୍ରସର ଓ କାଳ ଅଜୀବ ଓ ଅଚେତନ। ଉଭୟ ସୂକ୍ଷ୍ମ ଓ ସ୍ଥୂଳ ସ୍ତରରେ ବିଦ୍ୟମାନ। ଠିକ୍‍ ବ୍ରହ୍ମପରି ଉଭୟ ପ୍ରସର ଓ କାଳ ସଂସାର ଦ୍ୱାରା ପ୍ରଭାବିତ ହୁଏନା। ସର୍ବତ୍ର ବିସ୍ତୃତି ଭରି ରହିଛି। ବିଶ୍ୱରେ ଶୂନ୍ୟ ନାହିଁ ବୋଲି କୁହାଯାଏ। ଯେଉଁଠି ପୂର୍ଣ୍ଣତା ସେଇଠି ଶୂନ୍ୟତା ଅସ୍ୱୀକାର କରିହେବ ନାହିଁ। ଏପ୍ରକାର ମନନ ଉଭୟ ପରିମାଣ ଜ୍ଞାନ ଏବଂ ଅପରିମାଣ ଜ୍ଞାନର ସୀମା ବହିର୍ଭୂତ। ସୂକ୍ଷ୍ମାତିସୂକ୍ଷ୍ମ ସ୍ତରରେ ସବୁକିଛି ସଠିକ୍‍ ଭାବରେ ନିରୂପଣ କରିହେବ ନାହିଁ – ଯାହାକି ସ୍ଥୂଳଜଗତ ବିଷୟରେ ମଧ୍ୟ ପ୍ରଯୁଜ୍ୟ। ଉପନିଷଦରେ ମଧ୍ୟ ଏହି ବିଷୟରେ ସୂଚନା ରହିଛି ଯାହା ଷ୍କ୍ରଡିଞ୍ଜରଙ୍କ ପରି ମୁର୍ଦ୍ଧନ୍ୟ ପଦାର୍ଥବିଜ୍ଞାନୀଙ୍କୁ ମଧ୍ୟ ପ୍ରଭାବିତ କରିଥିଲା ଏବଂ ସେ ୱେଭ୍‍ମେକାନିକ୍ସ ତତ୍ତ୍ୱରେ ପ୍ରଦାନ କରିଥିଲେ। ବ୍ରହ୍ମ ମଧ୍ୟ ଏହିବର୍ଗରେ ଅନ୍ତର୍ଭୁକ୍ତ ବୋଲି ବିଚାର କରାଯାଇପାରେ।

ଜଗନ୍ନାଥ ବିଗ୍ରହ ଏକ ଆରୋପିତ ବିଗ୍ରହ। ବିଭିନ୍ନ ସମୟରେ ବିଭିନ୍ନ ଘଡ଼ିସନ୍ଧିରେ ଧର୍ମ, ବିଶ୍ୱାସ ଧାରଣା ଆଦିରେ ଆରୋପିତ। ପ୍ରସ୍ତ ପ୍ରସ୍ତ ଆବରଣର ଏ ଏକ ଅନନ୍ୟ ବିଗ୍ରହ। ତେଣୁ ନିର୍ଦିଷ୍ଟ ଆକଳନ ଅସଂଭବ। ଶ୍ରୀକୃଷ୍ଣ ଉପାସନା, ଶ୍ରୀଗୋପାଳାର୍ଚ୍ଚନା ପଦ୍ଧତି, ଗୀତାରେ ବିଷ୍ଣୁଙ୍କ ବିରାଟ ରୂପ, ସର୍ବେଶ୍ୱର, ସର୍ବଜ୍ଞ, ସର୍ବଶକ୍ତିମାନର ମହିମା ଜଗନ୍ନାଥ ବିଗ୍ରହକୁ ଏକ ‘ଗଣଦେବତା’ର ଆସନ ପ୍ରଦାନ କରିଛି। ଏ ପ୍ରସଙ୍ଗରେ ଭାଗବତ ନବ ଯୋଗୀଶ୍ୱରଙ୍କ ବିଷୟ ଉଲ୍ଲେଖ କରାଯାଇପାରେ, ସେମାନେ ଥିଲେ ସନ୍ନ୍ୟାସୀ ଓ ଦିଗମ୍ବର। ସେମାନଙ୍କର ନାମ ଥିଲା- କବି, ହରି, ଅନ୍ତରୀକ୍ଷ, ପ୍ରବୁଦ୍ଧ, ପପ୍ପଳାୟନ, ଆର୍ବିହୋତ୍ର, ଦ୍ରୁମିଳ, ଚମସ ଓ କରଭଞ୍ଜନ। ସେମାନଙ୍କର ସ୍ଥୂଳ ଓ ସୂକ୍ଷ୍ମ, ବାକ୍ତ ଅବ୍ୟକ୍ତ ଜଗତରେ ଅବାଧ ସ୍ଥିତି ଓ ଗତି ଥିଲା। କରଭଂଜନଙ୍କ ଉପଦେଶ ଅନୁସାରେ ସତ୍ୟ ତ୍ରେତୟା ଦ୍ୱାପର ଓ କଳି ଯୁଗରେ ଈଶ୍ୱର (ସ୍ରଷ୍ଟା) ବିଭିନ୍ନ ରଂଗରେ ପ୍ରତିଭାତ ହୁଅନ୍ତି; ସତ୍ୟ (ଶ୍ୱେତ), ତ୍ରେତୟା (ରକ୍ତ), ଦ୍ୱାପର (ନୀଳ), କଳି (କୃଷ୍ଣ)। ସୃଷ୍ଟିକୁ ଏକ ମଙ୍ଗଳମୟ କେନ୍ଦ୍ର ବା ବିନ୍ଦୁ ଭାବରେ ବର୍ଣ୍ଣନା କରାଯାଇଛି। ଜଗନ୍ନାଥ ମନ୍ଦିରରେ ଉପାସିତ ବିଗ୍ରହମାନଙ୍କ ସହ ଏହି ରଙ୍ଗ ଓ ଯୁଗର ସଂପର୍କ ରହିଛି।

ଏହି ମନ୍ଦିର ପ୍ରବେଶ ମାତ୍ରେ ମଣିଷ ଚିନ୍ତାମୁକ୍ତ, କ୍ଲେଶ ମୁକ୍ତ ଓ ଦୁଃଖମୁକ୍ତ ହେବାର ଅନୁଭବ ରହିଛି। ମନୁଷ୍ୟଗଣ ବିଭିନ୍ନ ପ୍ରକାରର ଜ୍ଞାନ, ପାରଦର୍ଶିତା, ଅନୁଭୂତି, ବିଚାର କ୍ଷମତା ଓ ଯେକୌଣସି ମାନସିକ ସ୍ତରର ହୋଇଥାନ୍ତୁ ନା କାହିଁକି ଏକ ସକାରାତ୍ମକ ଊର୍ଜାର ବିକିରଣ ମନ୍ଦିରର ଅକ୍ଷାଂଶ ଦ୍ରାଘିମାରେ ନହେଉଥିଲେ ଏ ପ୍ରକାର ସାମୂହିକ ପ୍ରଭାବ ରହନ୍ତା ନାହିଁ। ହୋଇପାରେ ଏହି ନିର୍ଦିଷ୍ଟ ସ୍ଥାନର ସ୍ଥାପତ୍ୟ ଓ କଳା ପାଇଁ ଏସବୁ ଘଟେ। ଏହି ମନ୍ଦିର ପରିସରରେ ଉପଲବ୍‍ଧ ମହାପ୍ରସାଦ କଣିକାର ଚିନ୍ମୟ ବିଭୂତି ମଣିଷ ଚିତ୍ତରେ ଅଲୌକିକ ଆଗ୍ରହ ଓ ପ୍ରଶାନ୍ତି ଦେବା ଅନୁଭବ ସିଦ୍ଧ। ଏପରିକି ଏହି କଣିକା ମୋକ୍ଷ, କୈବଲ୍ୟ ପ୍ରଦାନରେ ସମର୍ଥ। ଅବଶ୍ୟ ଏସବୁ ବିଶ୍ୱାସର କଥା, ଏହାର କୌଣସି ବୈଜ୍ଞାନିକ କାରଣ ବା ପ୍ରମାଣ ନାହିଁ।
ମନ୍ଦିରରେ ଥିବା ଗରୁଡ଼ସ୍ତମ୍ଭ ପଥର ତିଆରି ନା’ କାଠ ତିଆରି ସେ ବିଷୟରେ କେବଳ ଅନୁମାନ କରାଯାଉଛି। ଅବଶ୍ୟ ମାନ୍ଦ୍ରାଜରେ ଥିବା ସାପ ବଗିଚାରେ ପୋତା ଯାଇଥିବା ଏକ ବୃକ୍ଷର ଜୀବାଶ୍ମ (ଫସିଲ୍‍) ପ୍ରାୟ ଏହି ଖମ୍ବ ପରି ଶ୍ୱେତବର୍ଣ୍ଣ। ଏହାକୁ ଚାହିଁଲେ କାଠ ପରି, ଛୁଇଁଲେ ମାର୍ବଲ ପରି କଠିନ ଓ ଥଣ୍ଡା! ମାନ୍ଦ୍ରାଜର ସାପ ବଗିଚାରେ ଥିବା ବୃକ୍ଷ ଜୀବାଶ୍ମର କାର୍ବନ୍‍ ଡେଟିଂ କରି ଏହା ୨ ଲକ୍ଷ ବର୍ଷ ପୁରୁଣା ବୋଲି କୁହାଯାଏ। କିନ୍ତୁ ‘ଗରୁଡ଼-ଖମ୍ବ’ର ବୈଜ୍ଞାନିକ ପରୀକ୍ଷା ଓ କାଳ ନିରୂପଣ କରିବା ଅନ୍ୟ ଏକ ପ୍ରସଙ୍ଗ। ସ୍ୱାଭାବିକ ପ୍ରଶ୍ନ ଆସେ ତାହା କ’ଣ ସେହି ଭାସି ଆସିଥିବା ପ୍ରଥମ ଦାରୁ? ସୁଦର୍ଶନ ବିଗ୍ରହ ମଧ୍ୟ ଖମ୍ବାକୃତି, କିନ୍ତୁ ତା’ର ଅନ୍ତର୍ନିହିତ ଭାବ ହେଲା ‘ଚକ୍ରତତ୍ତ୍ୱ’, ଯଦିଓ ସେ ଚକ୍ରାକୃତିରୁ ଭିନ୍ନ। ସାଂକେତିକ ଭାବରେ ଗତିଶୀଳ ଜୀବନଚକ୍ର, ଋତୁଚକ୍ର, ଖାଦ୍ୟଚକ୍ର, ଗତିଚକ୍ର ଆଦିକୁ ଇଙ୍ଗିତ କରିଥାଏ।

ଆମ ମନରେ ପ୍ରଶ୍ନ ଆସେ କିଏ ଏହି ଜଗନ୍ନାଥ? ବିଗ୍ରହ କ’ଣ ଜଗନ୍ନାଥ? ରୂପ କ’ଣ ଜଗନ୍ନାଥ? ଜଗନ୍ନାଥଙ୍କ ସ୍ୱରୂପ କ’ଣ ଅଛି? ଏପ୍ରକାର ଅନୁସନ୍ଧାନ ଯେପରି ଅନନ୍ତ ସେପରି ଅପ୍ରମେୟ। ତେଣୁ ଅନିର୍ବଚନୀୟ। ଜଗନ୍ନାଥଙ୍କ ବିଷୟରେ ଏ ପର୍ଯ୍ୟନ୍ତ ଯାହାବି ଲେଖାଯାଇଛି ତାହା ଅସଂପୂର୍ଣ୍ଣ। ଶ୍ରୀଜଗନ୍ନାଥ ତତ୍ତ୍ୱଦର୍ଶନ, ବିଗ୍ରହଶିଳ୍ପ ବିଜ୍ଞାନରେ ଶେଷକଥା ବୋଲି କିଛି ନାହିଁ। ମଣିଷର ଜ୍ଞାନ ସୀମିତ, ଅଜ୍ଞାନ ଅସୀମ। ମାନବ ଅସ୍ଥିର ମନଯାତ୍ରାର ପଥିକ ମାତ୍ର। ନିଜକୁ ନିଜେ ଦଗ୍ଧ କରି ଜଗନ୍ନାଥଙ୍କ ସୀମାହୀନ ତତ୍ତ୍ୱକୁ ଜାଣିବାର ପ୍ରୟାସ ମାତ୍ରେ ହିଁ ପ୍ରତ୍ୟେକଙ୍କୁ ଏକ ଅଭିନବ ଉନ୍ମୋଚନ ହିଁ ମିଳିବ, ଯାହାକି ଆଉ ଏକ ଆରମ୍ଭ ମାତ୍ର।

Hot this week

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

Related Articles

Popular Categories