ଭୁବନେଶ୍ବର : ଦେଶ ଏବଂ ରାଜ୍ୟରେ କରୋନା ମହାମାରୀକୁ ମୁକାବିଲା କରିବା କ୍ଷେତ୍ରରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ଚରମ ବିଫଳତାକୁ ଟାର୍ଗେଟ କରି ଗୁରୁବାର ଓଡ଼ିଶାର ୧୨ ଟି ବିରୋଧୀ ରାଜନୈତିକ ଦଳ ଏକାଠି ହୋଇ ମିଳିତ କାର୍ଯ୍ୟ କ୍ରମ କରିବାର ନିଷ୍ପତ୍ତି ନେଇଛନ୍ତି । କଂଗ୍ରେସ, ସିପିଆଇ, ସିପିଆଇ(ଏମ), ସିପିଆଇଏମ (ଲିବରେସନ), ସିପିଆଇଏମଏଲ (ରେଡ଼ ଫ୍ଲାଗ), ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ଫରୱାର୍ଡ଼ ବ୍ଲକ, ଆମ ଆଦମି ପାର୍ଟି, କଳିଙ୍ଗ ସେନା, ଏନସିପି ପ୍ରଭୃତି ବିରୋଧୀ ରାଜନୈତିକ ଦଳର ନେତୃତ୍ୱ ଆଜି ଏକାଠି ହୋଇ କେନ୍ଦ୍ର ଏବଂ ରାଜ୍ୟ ସରକାର କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ଯେଉଁ ନିଷ୍ପତ୍ତି ଏବଂ ପଦକ୍ଷେପ ଗୁଡ଼ିକ ନେଇଛନ୍ତି ତାହା ଅପରିଣାମ ଦର୍ଶିତା ଏବଂ ଦୁରଦୃଷ୍ଟି ହୀନତା ବୋଲି ଅଭିହିତ କରିଛନ୍ତି। ଠିକ ସମୟରେ କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଲେ ନାହିଁ ଫଳରେ କରୋନା ସଂକ୍ରମଣ ଆମ ଦେଶରେ ବଢ଼ିଲା ସଂକ୍ରମଣକୁ ରୋକିବା କ୍ଷେତ୍ରରେ କୋଭିଡ଼ ଟେଷ୍ଟିଙ୍ଗକୁ ଗୁରୁତ୍ୱ ନ ଦେଇ ଲକଡାଉନ ଶଟଡାଉନ ଇତ୍ୟାଦିରେ ଗୁରୁତ୍ବ ଦେଲେ । ଆମ ଦେଶରେ କୋଭିଡ଼ ଟେଷ୍ଟିଙ୍ଗ ହାର ବହୁତ କମ୍ । ହଜାରେ ଲୋକ ସଂଖ୍ୟାରେ ମାତ୍ର ୩.୮ ଜଣଙ୍କର କୋଭିଡ଼ ଟେଷ୍ଟିଙ୍ଗ ବର୍ତ୍ତମାନ ହେଉଛି କ୍ଷ ଯାହାର ଫଳସ୍ୱରୂପ ସଂକ୍ରମଣ ବ୍ୟାପକ ହେଉଛି ଏବଂ ପୃଥିବୀର କୋଭିଡ଼ ସଂକ୍ରମିତ ଦେଶ ମାନଙ୍କ ଭିତରେ ଭାରତ ଚତୁର୍ଥ ସ୍ଥାନ ଅଧିକାର କରିଛି । କୋଭିଡ଼ର ପରିଚାଳନାଗତ ତ୍ରୁଟି ଏବଂ ବିଫଳତା ସେଥିପାଇଁ ଦାୟୀ ବୋଲି ଆଜି ଅନୁଷ୍ଠିତ ବୈଠକରେ ବିରୋଧୀ ଦଳର ନେତାମାନେ ଅଭିଯୋଗ ଆଣିଛନ୍ତି ।
ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଢାଞ୍ଚାରେ କରୋନା ମହାମାରୀର ପରିଚାଳନା କରି ରାଜ୍ୟ ଏବଂ ଓଡ଼ିଶାବାସୀଙ୍କୁ ମଧ୍ୟ ଦୁର୍ଦ୍ଦିନ ଭିତରକୁ ଠେଲି ଦେଇଛନ୍ତି । କୋଭିଡ଼ କବଳରୁ ଜୀବନକୁ ରକ୍ଷା କରିବାର ଆହ୍ୱାନ ଦେଇଥିବା ମୁଖ୍ୟମନ୍ତ୍ରୀ ବାସ୍ତବରେ ମହାମାରୀକୁ ମୁକାବିଲା କରିବା କ୍ଷେତ୍ରରେ ଆନ୍ତରିକତା ଦେଖାଉନାହାନ୍ତି ବୋଲି ବୈଠକରେ ବିରୋଧୀ ଦଳମାନେ ଅଭିଯୋଗ ଆଣିଛନ୍ତି । ଏପ୍ରିଲ ୨୮ ତାରିଖରେ ଦିନକୁ ୧୫ ହଜାର ଟେଷ୍ଟିଙ୍ଗ କରିବାର ଘୋଷଣା ମୁଖ୍ୟମନ୍ତ୍ରୀ କରିଥିଲେ ମଧ୍ୟ କିନ୍ତୁ ଏବେ ଦିନକୁ ୩ ହଜାର ମଧ୍ୟ କୋଭିଡ଼ ଟେଷ୍ଟିଙ୍ଗ ହେଉନାହିଁ । ଅନ୍ୟ ରାଜ୍ୟରୁ ଫେରିଥିବା ପ୍ରବାସୀ ଓଡ଼ିଆ ବିଶେଷ କରି ପ୍ରବାସୀ ଶ୍ରମିକ ମାନଙ୍କର କୋଭିଡ଼ ଟେଷ୍ଟିଙ୍ଗକୁ ଅଣଦେଖା କରାଯାଉଛି । ସେମାନେ ଟେଷ୍ଟିଙ୍ଗ ପାଇଁ ଅନୁରୋଧ କଲାପରେ ମଧ୍ୟ ତାହା ନ କରି ସେମାନଙ୍କୁ ଘରକୁ ପଠାଇ ଦିଆଯାଉଛି । ଫଳରେ ଗୋଷ୍ଠୀ ସଂକ୍ରମଣ ରାଜ୍ୟରେ ଆରମ୍ଭ ହୋଇଗଲାଣି । ଏହା ରାଜ୍ୟ ସରକାରଙ୍କର ଚରମ ଅବହେଳା ଓ ଧର୍ତ୍ତବ୍ୟ ଅପରାଧ ବୋଲି ବୈଠକରେ ମତ ପ୍ରକାଶ ପାଇଛି କ୍ଷ । ୨୦୦୦ ଟଙ୍କା ଲେଖାଏଁ ସଙ୍ଗନିରୋଧ ପରେ ଲୋକଙ୍କୁ ନ ଦେବା, ଟିଏମସି ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା, ସରପଞ୍ଚ ମାନଙ୍କ ମୁଣ୍ଡରେ ଅଠା ବୋଳିବାର ଯୋଜନା ଇତ୍ୟାଦିକୁ କଡା ସମାଲୋଚନା ବିରୋଧୀ କରିଛନ୍ତି ।
ଏହିଭଳି ମହାମାରୀ ସମୟରେ ରାଜ୍ୟ ସରକାର ମହାଦୁର୍ନୀତିରେ ଲିପ୍ତ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ । ମାସ୍କ, ପିପିଇ, ଟେଷ୍ଟିଙ୍ଗ କିଟ, ମେସିନ ଓ ଯନ୍ତ୍ରପାତି କିଣାରେ ଓଡ଼ିଶା ଔଷଧ ନିଗମ ଦୁର୍ନୀତି ଏବଂ କେଳେଙ୍କାରୀରେ ବୁଡ଼ି ରହିଛି । ରାଜ୍ୟବାସୀ ଏସବୁର ଦୃଢ ପ୍ରତିବାଦ କରିବା ପାଇଁ ଆଜି ବୈଠକରେ ନିଷ୍ପତ୍ତି ହୋଇଛି । ଆସନ୍ତା ଜୁନ ୨୬ ତାରିଖରେ ଏହାକୁ ନେଇ ରାଜଧାନୀରେ ପ୍ରତିବାଦ ପ୍ରଦର୍ଶନ କରାଯିବାର ନିଷ୍ପତ୍ତି ହୋଇଛି ।
ଆଜିର ଏହି ବୈଠକରେ ନିରଞ୍ଜନ ପଟ୍ଟନାୟକ, ରାମଚନ୍ଦ୍ର ଖୁଣ୍ଟିଆ, ପଞ୍ଚାନନ କାନୁନଗୋ, ଜନାର୍ଦ୍ଦନ ପତି, ଅଳିପ୍ କିଶୋର ପଟନାୟକ, ଆଶିଷ କାନୁନଗୋ, ରାମକୃଷ୍ଣ ପଣ୍ଡା, ଯୁଧିଷ୍ଠିର ମହାପାତ୍ର, ହରିଶ ମହାପାତ୍ର, ତାରାପ୍ରସାଦ ବାହିନୀପତି, ସୁଦର୍ଶନ ଦାସ, ଜ୍ୟୋତି ପ୍ରକାଶ ମହାପାତ୍ର, ନିଶିକାନ୍ତ ମହାପାତ୍ର, ଅଶୋକ ପ୍ରଧାନ, ରାଧାକାନ୍ତ ସେଠି, ମହେନ୍ଦ୍ର ପରିଡ଼ା, ସୁଦର୍ଶନ ପ୍ରଧାନ, ଜ୍ୟୋତିରଂଜନ ମହାପାତ୍ର, ସତୀଶ ରଞ୍ଜନ ସାହୁ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ



