ଅବଶିଷ୍ଟ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ତତ୍ପରତା
୧୭ରୁ ଶିକ୍ଷାନୁଷ୍ଠାନ ଆସିବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶ,ଆଜି ମନ୍ତ୍ରୀଙ୍କୁ ଭେଟିବେ ସବୁ ଅଧ୍ୟାପକ ସଂଘ
ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ଯୁକ୍ତ ଦୁଇ ପାଠ୍ୟକ୍ରମର ଅବଶିଷ୍ଟ ପରୀକ୍ଷାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବହୁ ପରୀକ୍ଷା କେନ୍ଦ୍ରକୁ କ୍ବାରେଣ୍ଟାଇନ୍ ସେଣ୍ଟର କରାଯାଇଥିବାରୁ ପରିଷଦ ପକ୍ଷରୁ ବିକଳ୍ପ ପରୀକ୍ଷା କେନ୍ଦ୍ର ଖୋଜିବା କାର୍ଯ୍ୟ ଆରମ୍ଭ ହୋଇଛି। କେନ୍ଦ୍ର ଚିହ୍ନଟ ପରେ ସରକାରଙ୍କଠାରୁ ଅନୁମତି ଆଣି ପରୀକ୍ଷା କରିବାକୁ ପରିଷଦ ପକ୍ଷରୁ ଯୋଜନା ଚାଲିଛି। ଅପରପକ୍ଷେ ପରିଷଦ କେବେ ପରୀକ୍ଷା କରିବ ସେନେଇ ଘୋଷଣା କରୁ ନଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାପ୍ରକଟ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଚଳିତ ବର୍ଷ ମୋଟ ୧୧୪୨ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା। ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ବିଜ୍ଞାନ ପାଠ୍ୟକ୍ରମର ୨୪ଟି ବିଷୟର ୩୩ଟି ପେପର ପରୀକ୍ଷା କରୋନା ଯୋଗୁଁ ସ୍ଥଗିତ ରହିଛି। ଏହା ବ୍ୟତୀତ ଧନ୍ଦାମୂଳକ ପାଠ୍ୟକ୍ରମର ମଧ୍ୟ କିଛି ବିଷୟର ପରୀକ୍ଷା ହୋଇନି। ସରକାରଙ୍କ ନିର୍ଦେଶକ୍ରମେ ବାକି ଥିବା ୬ ଦିନର ପରୀକ୍ଷା ମାର୍ଚ୍ଚ ୨୩ ତାରିଖରୁ ବନ୍ଦ ରହିଛି। ପରୀକ୍ଷା କେନ୍ଦ୍ରରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଅଧିକ ଶ୍ରେଣୀଗୃହ ଦରକାର। ମୁଖ୍ୟତଃ ଅର୍ଥଶାସ୍ତ୍ର ବିଷୟରେ ସର୍ବାଧିକ ଏକ ଲକ୍ଷ ୨୦ ହଜାର ଓ ବାୟୋଲୋଜିରେ ୮୦ ହଜାର ,ଅନ୍ୟ ବିଷୟରେ ୨୦-୫୦ ହଜାର ମଧ୍ୟରେ ବିଦ୍ୟାର୍ଥୀ ପରୀକ୍ଷା ଦେବେ। ଅର୍ଥଶାସ୍ତ୍ର ଓ ବାୟୋଲୋଜି ପରୀକ୍ଷା କରିବା ପରିଷଦ ପାଇଁ ବଡ଼ ଆହ୍ବାନ ପାଲଟିଛି। କରୋନା ସ୍ଥିତିରେ ଏକାଥରେ ଏକ ଲକ୍ଷ କୋଡିଏ ହଜାର ବିଦ୍ୟାର୍ଥୀଙ୍କ ପରୀକ୍ଷା କରିବାକୁ ନେଇ ପରିଷଦ ପକ୍ଷରୁ ସ୍ବତନ୍ତ୍ର ଯୋଜନା କରାଯାଉଛି। କରୋନା ସ୍ଥିତିରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ନାତକ ଓ ସ୍ନାତକୋତ୍ତର ଚୂଡ଼ାନ୍ତ ସେମିଷ୍ଟର ପରୀକ୍ଷା ବାତିଲ କରାଯାଇଛି। ଯୁକ୍ତ ଦୁଇ କ୍ଷେତ୍ରରେ ରାଜ୍ୟ ସରକାର ଏହି ନିୟମ ଲାଗୁ କରିବେ କି ନାହିଁ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଢେଇ ମାସଧରି ପରୀକ୍ଷା ସ୍ଥଗିତ ଥିବାବେଳେ ଅବଶିଷ୍ଟ ପରୀକ୍ଷା କେବେ ସରିବ ଓ ଫଳ ପ୍ରକାଶ ପାଇବ ତାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଆମେ ସାମାଜିକ ଦୂରତା ବଜାୟ ରଖି ଯୁକ୍ତ ଦୁଇ ପରୀକ୍ଷା କରିବାକୁ ଯୋଜନା କରୁଛୁ। ସବୁ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକଙ୍କୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ମିଳିବା ପରେ ପରୀକ୍ଷା ସମ୍ବନ୍ଧରେ ଆଗାମୀ ପଦକ୍ଷେପ ନିଆଯିବ। ଯେଉଁଠି ପରୀକ୍ଷା କେନ୍ଦ୍ର କ୍ବାରେଣ୍ଟାଇନ୍ ସେଣ୍ଟର ହୋଇଥିବ ସେଠାରେ ନିକଟସ୍ଥ ବିଦ୍ୟାଳୟରେ ପରୀକ୍ଷା କରାଯିବ। ଜୁଲାଇରେ ପରୀକ୍ଷା କରିବା ଦିଗରେ ବିଭାଗ କାମ କରୁଛି ବୋଲି ସେ କହିଛନ୍ତି।
Comments are closed.