ମାଟି ସଲବଲ କ୍ଷମତା ଜାଉ
ବହିଥାକରେ ଥାକ ମରାଯାଇଥିବା ବହିଗୁଡ଼ା ଅଳନ୍ଧୁ ଧଇଲାଣି, ପଛ ପଟୁ ଉଇ ବି ଖାଇଗଲାଣି। କେତେ ଶ୍ରଦ୍ଧାରେ, ଆଗ୍ରହରେ କିଣାଯାଇଥିବା ବହିଟିର ଏ ଅବସ୍ଥା ପ୍ରତି ଅନବହିତ ଭାବ, ମଣିଷର ସ୍ବଭାବତଃ ତୀବ୍ର ଅନ୍ୟମନସ୍କତାର ପ୍ରଭୁ ନିୟନ୍ତ୍ରିତ ଏକ ମାୟିକ ବ୍ୟବସ୍ଥା, କ୍ରିୟା। ଯେଉଁ ବହିଟି ହଜିଗଲା, କିଏ ନେଇ ଥିଲା ତ ଫେରାଇଲା ନାହିଁ, ସେ ବହି କଥାଟା ହଟୁଣୁ ମନକୁ ଆସେ, ବ୍ୟସ୍ତ କରିଦିଏ। ସତିକା ସେ ବହିଟା ବିନା ଏ ପାଠାଗାର, ବହିଥାକ ମୂଲ୍ୟହୀନ। ସବୁବେଳେ ସବୁ ଘଟଣାରେ ମଣିଷର ଏ ଭାବ, କ୍ରିୟା, ପ୍ରତିକ୍ରିୟା। ବହି କଥାଟା ଉଦାହରଣଟାଏ। ବନ୍ଧୁବାନ୍ଧବ କଥା ଦେଖାଗଲେ ବି ସେଇ ସମାନ କଥା। ବାପ, ମା’, ଭାଇ, ବନ୍ଧୁ ଏ ସମ୍ବନ୍ଧର ପଟାନ୍ତର ନାହିଁ। ଭକ୍ତ କବି ମଧୁସୂଦନ ଲେଖିଲେ, ‘‘ଜନକ, ଜନନୀ, ସୁତ ସୁତା ଜାୟାଧବ, ସହୋଦର ସେହାଦରା ଆତ୍ମୀୟ ସମ୍ବନ୍ଧ, ପ୍ରଭୋ, ଏ ସର୍ବ ସମ୍ବନ୍ଧ ତୋର ଦୟା ନିଦର୍ଶନ ଆହେ ଆଦିକନ୍ଦ’’। ଭକ୍ତକବିଙ୍କ ବିଗଳିତ ପ୍ରାର୍ଥନାର ୟେ ଏକ ଭାବ, ଅଂଶ। ଏଇଟା ପ୍ରଭୁର ଗୋଟେ ‘ଦୟା’ ବୋଲି ହଠାତ୍ ବୁଝି ହେଉନି। ଏବେ ତ କେହି ଏକୁ ଆଦୌ ବୁଝୁ ନାହାନ୍ତି। ପାରା, ବଣି, ବତକଠୁ ଆରମ୍ଭ କରି ଗାଈ, ଛେଳି, ଗଧ, ଘୋଡ଼ା, ବାଘ, ହାତୀ ଆଦି ଜୀବସମୂହଙ୍କର କ’ଣ ଜନକ-ଜନନୀ, ଭାଇ-ଭଉଣୀ, ସୁତ-ସୁତା ନାହାନ୍ତି? ପୁରୁଷ ସ୍ତ୍ରୀର କାମଜ ବା ଦୈହିକ ମିଳନର ପରିଣାମ, ପରିଣତି ତ ପୁଅଟେ କି ଝିଅଟିଏ। ଏଥିକୁ ଏତେ ଝମେଲା, ସର୍ତ୍ତ କିଅଁା? ସନା, ସନେଇ ବନିଥିବା ଆଜିର ସନାତନ ସାହେବ ଆମେରିକାରୁ କହିଲେ, ‘‘ମୋ ଜାକି (କୁକୁର)ର ମା’ ଥିଲା। ତା’ର ୩ଟା ଛୁଆକୁ ମୁଁ ତିରିଶ ହଜାର ଟଙ୍କାରେ ବିକି ଦେଲି। କାଇଁ ତା’ର, ତା ପିଲା ପ୍ରତି ଏତେ ଗୋଳ ତ ନାହିଁ? ସେମାନେ ଏକୁ ବା ୟେ ସେମାନଙ୍କୁ ନା ଲୋଡ଼ୁଛି, ନା ଖୋଜୁଛି? ସବୁ ଠିକ୍ଠାକ୍ ଚାଲିଛି। ଅନ୍ୟଠୁ ଫାଇଦା ନେବା, ନିଜ ଦୁର୍ବଳତା ବା ଅପାରଗତାର ବୋଝ ଲଦି ଦେବାର ଏକ ଭୀରୁ ଓ ସ୍ବାର୍ଥାନ୍ଧ ପ୍ରକୃତିରେ ବୁଢ଼ା ବାପ ମା’ର ବୋଝକୁ କର୍ତ୍ତବ୍ୟ ଆଖ୍ୟା ଦିଆଯାଇଛି ବୋଲି ସେ କହିଲେ। ପୁଅଠୁ ସେବା, ସହାୟତା ଆଶା କରୁଥିବା ବୁଢ଼ା ବାପ ମା’ଙ୍କୁ ସନା ସାହେବ ବୁଝେଇ ଦେଇଥିଲେ, ‘‘ତମ କାମପ୍ରବୃତ୍ତି ଓ ସୁଖଭୋଗରୁ ଜାତ ଶିଶୁକୁ ତମେ ଯତ୍ନ କରିବାଟା ତମ ପାଇଁ ବାଧ୍ୟବାଧକତା ଥିଲା। ଉଡ଼ିଗଲା ଶାବକ କୋଉ ମା’ ପାଖୁ ଫେରୁଛି କି ମା’କୁ ଖୋଜୁଛି? କେହି କାହାକୁ ଲୋଡ଼ନ୍ତିନି, ଖୋଜନ୍ତିନି। ମଣିଷର ୟେ ଗୋଟେ ନିର୍ବୋଧ ଦୁର୍ବଳତା’’। ସନେଇ ସାହେବ ତମକୁ ବ୍ରହ୍ମା ବି ବୁଝେଇ ପାରିବେନି। ତମେ ସତରେ ଗୋଟେ ଜାକି ବନି ଯାଇଛ। ସେ ତମଠୁ ଉନ୍ନତ। କାରଣ ତା’ର ତମଠୁ ଅଧିକ ଦି’ଟା ଗୋଡ଼ ଓ ତା କଅଁଳା ପିଲାଙ୍କୁ ତମେ ବିକି ଦେବାପରେ ବି ସେ ତମକୁ କାମୁଡ଼ିଲାନି କି ରାମ୍ପୁଡ଼ିଲାନି। ତମ ସହ ମାଉଁସ ଖିଆରେ ସେ ମସଗୁଲ ହୋଇଗଲା। ଏକୁ ଜାକି ବା ସନେଇ ସାହେବ କେମିତି ବୁଝିବେ, ଯିଏ କହିଥିଲେ, ‘‘ଅବନ୍ଧୁ ଜୀବନ ଅସୂର୍ଯ୍ୟ ମହୀ, ଦେହ ଧରି କିଏ ପାରଇ ରହି?’’ ଆଉ ବନ୍ଧୁ ବିଚ୍ଛେଦରେ ଭାଷାବଣା ହୋଇଯାଇଥିବା ଯିଏ ଜଣେ ତାଙ୍କ ଅବୋଧ୍ୟ ସଖୀକୁ କହିଥିଲେ, ‘‘ସଖି ତୁ ତ ଅନୁଭବୀ ନୋହୁଁ, ବନ୍ଧୁ ଜାତ ସୁଖ, ତା ବିଚ୍ଛେଦେ ଦୁଃଖ, ଯେ ଜାଣେ ସେ ଆସି କହୁ’’ ଶ୍ରେଣୀର ପ୍ରାଣମୟ ମଣିଷଙ୍କ ଟେର ସନେଇ ସାେହବ ପାଇନାହାନ୍ତି କି ଗଜମୁକ୍ତାକୁ ଚକମକି ପଥର ଖଣ୍ଡେ ଭାବି, ଫିଙ୍ଗି ଦେଉଥିବା ଭିଲୀ ମହିଳାର ଅଜ୍ଞତାରେ କବଳିକୃତ ହୋଇପଡ଼ିଛନ୍ତି ସେ। ପିତାମାତାର ସେବାର ଏକ ଯୁଗାନ୍ତକାରୀ ଉଦାହରଣ ସୃଷ୍ଟି କରିଥିବା ଶ୍ରବଣ କୁମାରଟିଏ ବା ପିତାଙ୍କ ସୁଖ ସମ୍ଭୋଗ ପାଇଁ ଜୀବନର ସବୁ ସୁଖ ସମ୍ଭୋଗକୁ ବାଜି ଲଗେଇ ଦେଇଥିବା ଭୀଷ୍ମଟିଏ ଆଜି ଏ ଶହଶହ ସନେଇ ସାହେବଙ୍କ ଆଗରେ କାହାନ୍ତି? ଦିଶନ୍ତିନି ବି। ଜୀବନରେ ଭଲ ବନ୍ଧୁଟିଏ ମିଳିବାରେ ହିଁ ଜଣଙ୍କର, ସ୍ବୀୟ ଅନ୍ତର୍ଗତ ବନ୍ଧୁ ଭାବର ସୂଚନା ମିଳେ। ତାକୁ କେତେ ଦେଇପାରିବି, କେତେ ତା କାମରେ ଆସିପାରିବି, କେତେ ତାକୁ ସୁଖ ଦେଇପାରିବି ସେଥିରେ ଘାରିସାରି ହେବା, ହେଉଥିବା ଲୋକ ପାଖରେ ପୋଷା ବନ୍ଧୁଟିଏ ଜୁଟିଯାଏ। କେେତ ତା ସମ୍ପତ୍ତିରୁ ଓ କ୍ଷମତାରୁ ଆଦାୟ କରିପାରିବି, ଏ ବିଚାରରେ ଲୁବ୍ଧ ବନ୍ଧୁ, ବି ସେମିତି ହିସାବରେ କମ୍ପ୍ୟୁଟରକୁ ଶହେଥର ଖୋଲୁଥିବେ, ବୁଜୁଥିବେ, ଏମାନେ ଆଜିର ବନ୍ଧୁ କୁମ୍ପାନୀ, ତାଙ୍କ ପ୍ରୀତି ହେଲା, ‘‘ଛନ୍ଦ ଜାଣେ କି ମଇତିରୀ ଜାଉ ଖାଇବାକୁ ପତର ଦେଇଛି, ତଳୁ ଦେଇଥିବ କଣା କରି।’’ ମହାଭାରତ ଯୁଦ୍ଧ ପାଇଁ ‘ବନ୍ଧୁ ଖୋଜା’ରେ ଦି’ପକ୍ଷରୁ ଅର୍ଜୁନ ଓ ଦୁେର୍ଯ୍ୟାଧନ ବାହାରିଲେ। କୃଷ୍ଣ ସର୍ତ୍ତ ଦେଲେ, ‘‘ମୁଁ ନିରସ୍ତ୍ର ଏକ ପଟେ, ଆଉ ମୋର ବିଶାଳ ଯାଦବ ବାହିନୀ ଗୋଟେ ପଟେ। କିଏ କାହାକୁ ବାଛିବ, ବାଛନ୍ତୁ’’। କ୍ଷମତାନ୍ଧ ଦୁେର୍ଯ୍ୟାଧନ ଭାବିଲେ, ଯୁଦ୍ଧରେ ସୈନ୍ୟବାହିନୀ ତ ପ୍ରଥମ ଓ ଶ୍ରେଷ୍ଠ ଆବଶ୍ୟକତା। ତେଣୁ ବିଶାଳ ଏ ସୈନ୍ୟବାହିନୀ ନ ନେଇ ଏ ଫୁଙ୍ଗୁଳା ଲୋକଟାକୁ ନେଇ କ’ଣ ପଶା ଖେଳିବି? କହିଲେ, ‘‘ନା, ମୋର ଆପଣଙ୍କ ଯାଦବସେନା ଲୋଡ଼ା’’। ମାତ୍ର କୃଷ୍ଣଙ୍କ ଏ ସର୍ତ୍ତରେ ବିଗଳିତ ହୋଇ ଯାଇଥିଲେ ଅର୍ଜୁନ। କହିଲେ, ‘‘ମୋର ଆପଣ ହିଁ ଲୋଡ଼ା’’। ସେତେବେଳକୁ ଆଖି ଦି’ଟାରୁ ଏ ସମସ୍ତଙ୍କ ଅଲକ୍ଷ୍ୟରେ ଲିଟରେ କି ଦି’ ଲିଟର ଲୁହ ତାଙ୍କ ପାଟିଟା ପିଇ ସାରିଥିଲା। ଜଗତ ଦେଖିଲା, ଭାବର କି ଫଳ। ମହାଭାରତରେ ଅର୍ଜୁନଙ୍କ ସାରଥି କେବଳ ବନି, ଦୁେର୍ଯ୍ୟାଧନ ସାରା ଖେଳକୁ କେମିତି ପଣ୍ଡ କରି ଦେଉଥିଲେ ଓ ସଖା, ବନ୍ଧୁ ପାଇଁ, ଅସ୍ତ୍ର ନ ଧରିବା ପ୍ରତିଜ୍ଞା, ପ୍ରତିଶ୍ରୁତିରୁ ଓହରି ଅସ୍ତ୍ର ଥରକୁ ଥର ଧରି ପକେଇ ଥିଲେ ତା’ ତ ବିଶ୍ବ ଦେଖିଲା। ସେମିତି ବନ୍ଧୁତ୍ବ ପାଇଁ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ବି ବାଇ ହୋଇ ଯାଇଥିଲେ। ନିଜର ଘୋର ଦୁର୍ଦିନରେ ସୁଗ୍ରୀବଙ୍କର, ଅପହୃତା ସ୍ତ୍ରୀ ଖୋଜିବାରେ କାନ୍ଦିକାନ୍ଦି ନୟାନ୍ତ ହୋଇଯାଇଥିବା ରାମଙ୍କ ସହ ସାକ୍ଷାତ ହେଲା। ନିଜ ସ୍ତ୍ରୀ ତାରା ଓ ରାଜ୍ୟ ଭାଇ ଦ୍ବାରା ଅପହୃତ ଦୁଃଖରେ ସେ ମ୍ରିୟମାଣ ହୋଇଯାଇଥିଲେ ବି ଶ୍ରୀରାମଙ୍କ ଦୁଃଖରେ ବିଗଳିତ ହୋଇପଡ଼ିଥିଲେ ସେ। ଏ ଅଝାଡ଼ ଜଙ୍ଗଲରେ ସେ ଶ୍ରୀ ରାମଙ୍କୁ ସହାୟତାର ହାତ ବଢ଼େଇଲେ। ପ୍ରତିଜ୍ଞା ବି କଲେ, ସୀତାଙ୍କୁ ଠାବ କରେଇବେ ଓ ଉଦ୍ଧାର କରିବେ। ଆଶ୍ବସ୍ତ ଓ ବିମୁଗ୍ଧ ରାମ ତାଙ୍କ ସହ ବନ୍ଧୁତା ପ୍ରତିଜ୍ଞା କଲେ। ବାସ୍ ତାପରେ ସବୁ ସମସ୍ୟା ଶେଷ। ଶ୍ରୀରାମ ଜାଣିଲେ ସୁଗ୍ରୀବ ବି ପତ୍ନୀ ଅପହୃତା ଦଶାରେ ଆକ୍ରାନ୍ତ। ପ୍ରତିଜ୍ଞା କଲେ ବାଳିକୁ ମାରି ତାଙ୍କ ସ୍ତ୍ରୀକୁ ଓ ରାଜ୍ୟକୁ ଫେରାଇବେ। ମହାବୀର ବାଳିକୁ, ଲୁଚିଲୁଚି ସେ ଯେତେବେଳେ ଶରମାରି ହତ୍ୟା କଲେ, ତାଙ୍କ ବୀରତ୍ବରେ ବିସ୍ମିତ ହୋଇପଡ଼ିଥିଲେ। ବାଳିକୁ ସୁଗ୍ରୀବ ମାରିନି, ରାମ ମାରିଛନ୍ତି ଜାଣିବା ପରେ ଜୀବନର ଶେଷ ମୁହୂର୍ତ୍ତରେ ସେ ରାବଣ ଦ୍ବାରା ସୀତା ଚୋରି କଥା ବି ଜାଣିଲେ। କହିଲେ, ‘‘ଆପଣଙ୍କର କି ଦୋଷ ମୁଁ କରିଥିଲି? ବିନା ଦୋଷରେ ମୋତେ ମାରିଲେ କିଅଁା? ତା ପରେ ରାବଣ କି ବୀରଟେ! ଏତେ ଯୁଦ୍ଧ ତା ପାଇଁ କ’ଣ ଲୋଡ଼ା? ମୁଁ ତପସ୍ୟା କରୁଥିବାବେଳେ କୈଶୋରରେ ଥିବା ରାବଣ ମୋ ତପସ୍ୟାରେ ବ୍ୟାଘାତ ସୃଷ୍ଟି କରୁଥିଲା। ପିଲାବେଳୁ ସେ ଦୁଷ୍ଟ ଓ ଉଦ୍ଧତ ଥିଲା। ଏଡ଼େ ପିଲାଟାକୁ କ’ଣ ମାରିବି ବୋଲି, ତାକୁ ମୋ କାଖରେ ଜାକି ତପସ୍ୟା କରୁଥିଲି ଓ ତାପରେ ତାକୁ ଛାଡ଼ି ଦେଉଥିବା ବେଳେ ସେ ଦରମରା ହୋଇଯାଉଥିଲା।’’ ଛାଡ଼ନ୍ତୁ, ସେ ସବୁ ପ୍ରାଣଛୁଅଁା ‘‘କେଥାପକଥନ ପ୍ରସଙ୍ଗ ଦି’ବୀରଙ୍କ ମଧ୍ୟରେ। ଏଠି ଆମେ କେବଳ ବନ୍ଧୁ ମଧ୍ୟସ୍ଥ ନିଶା, ନୀତି ଓ ଭାବ କଥା ଆଲୋଚୁଛେ।
ଏ ସବୁର ବିପୁଳ ବା ପର୍ଯ୍ୟାପ୍ତ ଆଲୋଚନାର ଅବସର ଏଠାରେ ନାହିଁ। କାଶ୍ମୀରରେ ବିଜେପି ପଣ୍ଡିତେଙ୍କର ବନ୍ଧୁ ମୋହ ଭଙ୍ଗ ସମ୍ବାଦରୁ ମନକୁ ଏ ସବୁ କଥା, ଧସେଇ ପଶିଲେ। କାଶ୍ମୀର ଏକ ସମସ୍ୟା ଆଜି ନୁହେଁ, ଏକ ବୀଭତ୍ସ ରାଜନୀତି। ସେମିତି ଜଣେ ବାଜିଲଗା, ଅବତାରୀ ନେତାଟିଏ ନ ହେଲେ ଏ ଖେଳକୁ ସମାପ୍ତ କରି ପାରିବେନି। କାଶ୍ମୀରର ଫାରୁକ ଦଳିଆ ହୁଅନ୍ତୁ କି ମୁଫ୍ତି ଦଳିଆ ହୁଅନ୍ତୁ, ସେ ସମସ୍ୟାକୁ ଜଟିଳ କରିବା ବ୍ୟତୀତ ଆଉ କିଛି କରିବେନି, କରି ନାହାନ୍ତି ବୋଲି ପ୍ରମାଣିତ। ଶେଖ ଅବ୍ଦୁଲା, ତାଙ୍କ ପୁଅ ଫାରୁକ୍ ଅବଦୁଲା ଓ ତାଙ୍କ ପୁଅ ଏବର ଓମାର ଅବଦୁଲା ଏବେ ଦର୍ଶନ ଗପୁଛନ୍ତି। ତାଙ୍କ ରକ୍ତ ପରୀକ୍ଷା ହେଲେ ସେଥିରୁ କ’ଣ ବାହାରିବ? ଶେଖ୍ ସାହେବ ତ ସ୍ବାଧୀନତା ପରେ ଅର୍ଦ୍ଧାଧିକ ଦିନ ଜେଲରେ କଟାଇଲେ। ସେମିତି ଏବର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କ ଭଉଣୀ ରୁବିୟା ମୁଫ୍ତି ସନ୍ତ୍ରାସବାଦୀମାନଙ୍କ ଦ୍ବାରା ଅପହୃତା ହୋଇଥିଲେ। ତାଙ୍କ ବାପା କେନ୍ଦ୍ରରେ ମନ୍ତ୍ରୀ, ବିଜେପିର ଅଟଳଜୀ ପ୍ରାଧାନମନ୍ତ୍ରୀ, ଝିଅକୁ ଉଦ୍ଧାରିବା ପାଇଁ ସାରା ଦେଶ ପ୍ରତି ବିପଦ ଏକ ଜଘନ୍ୟ ଆତଙ୍କବାଦୀକୁ ଲଜ୍ଜାଜନକ ଭାବେ ସମର୍ପଣ କରିଦେଇଥିଲେ। ଆଉ ଗୋଟେ ଝିଅ ମୁଖ୍ୟମନ୍ତ୍ରୀ ଥିଲେ। ସାପ କାମୁଡ଼ା ସତ୍ତ୍ବେ ବି ଏକୁ ପାଳଦଉଡ଼ି ଭାବି ଗଣ୍ଠି ପକାପକି ମୋଦିଜୀ କେମିତି ହେଉଥିଲେ? ଏ ପୂରାପୂରି ସାପ, ଏଡ଼େ ବନ୍ଧୁତା ଭାଙ୍ଗିଲା କେମିତି? ଯେଉଁ ପାଞ୍ଚୋଟି କାରଣ ଦର୍ଶାଯାଇଛି ସବୁତକ କାଶ୍ମୀର ସୁରକ୍ଷା ଅନ୍ତର୍ଗତ ଓ ସନ୍ତ୍ରାସବାଦୀ, ବିଚ୍ଛିନ୍ନତାବାଦୀଙ୍କ ପ୍ରତି ମୁଫ୍ତିଙ୍କ ଗଭୀର ରକ୍ତଗତ ଅନୁରକ୍ତିର ଫଳ। ବିଚାରି ମୁଖ୍ୟମନ୍ତ୍ରୀ ଧରା ପଡ଼ିଗଲେନି କେବଳ, ଆଉ ତାଙ୍କୁ ଏ ବିଜେପିବାଲାଏ ସମ୍ଭାଳି ବି ପାରିଲେନି। ନାନା ଜାତିର ଚଢ଼େଇ ଗୋଟିଏ ଗଛରେ ଏକାଠି ହୋଇ ଯାଉଥିଲେ ବି, ‘‘ପ୍ରଭାତେ ତୁ ଦିଶୋଯାନ୍ତି, କାକସ୍ୟ ପରିବେଦନା,’’ ପରି ଏମାନଙ୍କ କ୍ଷମତା-ରାତି ଫସର ଫାଟି ଗଲାପରେ, ଯେ ଯୁଆଡ଼େ ଫୁର୍ର। ଏଥିରେ ନା ଅଛି ଦେଶ ପ୍ରୀତି, ଆଦର୍ଶ ବଦ୍ଧତା। କ୍ଷମତା କମ୍ବଳକୁ ଜାବୁଡୁ ଜାବୁଡୁ କମ୍ବଳ ନ ହୋଇ ଭାଲୁକୁ ଜାବୁଡ଼ିବା ଅବସ୍ଥା ବିଜେପିବାଲାଙ୍କ ହୋଇଛି। ରାଷ୍ଟ୍ରପତି ଶାସନ, ନେଡ଼ିଗୁଡ଼ କହୁଣିକି ବୋହିଲା ବେଳକୁ ହେଉଛି ତିନିବର୍ଷରୁ ବେଶୀ ରକଟି ଗଲାଣି। ନିର୍ବାଚନ ଆର ସନକୁ ହେବ। ବଢ଼ିଲା ନଈ ତ କୂଳ, ଘରଦ୍ବାର ବୁଡ଼େଇ ସାରିଲାଣି, ଗାଧୋଇ ବାହାରିଛ କ’ଣ ବାବୁଏ? ‘‘କ୍ଷମତା ଦଖଲ’’ ନୁହେଁ, ‘‘ରାଷ୍ଟ୍ର ସୁରକ୍ଷା’’ ନୀତି, ଆଦର୍ଶ ହେଲେ ୟାର ସମାଧାନ ସମ୍ଭବ। ନୋହିଲେ ତ ଧପାଡି ମିତ୍ରମାନେ କଣା ପତର ଉପରେ କ୍ଷମତା ଜାଉ କୁଢ଼ୋଉଥିବେ, ନାକରେ କାଠି ପୂରେଇ ଛିଙ୍କୁଥିବେ, ହସି ହସି ଗଡ଼ି ଯାଉଥିବେ। ତମେ ମାଟିରେ ମିଶି ଯାଉଥିବା ଜାଉକୁ ଘାଣ୍ଟୁଥିବ, ଖାଲି ଘାଣ୍ଟୁଥିବ, ମାଟି ସଲବଲ ହେବା ଯାଏ।