କଂଗ୍ରେସ ନିଶାଣରେ କେନ୍ଦ୍ର

0

-ସେନା କାର୍ଯ୍ୟାନୁଷ୍ଠାନ ଏକପ୍ରକାର ଗଣହତ୍ୟା: ଗୁଲାମନବୀ
-କାଶ୍ମୀର ସୁରକ୍ଷାକର୍ମୀଙ୍କ ପାଇଁ ସରକାରଙ୍କ ‘ଫୋର୍‌-ଡି’
-କଂଗ୍ରେସ-ଲସ୍କର-ମୁଶରଫ ସ୍ବର ଏକ କେମିତି: ବିଜେପି

ନୂଆଦିଲ୍ଲୀ  : ନିର୍ବାଚନୀ ପ୍ରତିଶ୍ରୁତି ଅନୁସାରେ ବିଗତ ୪ ବର୍ଷର କାର୍ଯ୍ୟକାଳ ମଧ୍ୟରେ କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀର ସ୍ଥିତିରେ ଉନ୍ନତି ଆଣିପାରି ନ ଥିବା ନେଇ ରାଜନୈତିକ ମହଲରେ ଜୋରଦାର ସମାଲୋଚନା ଚାଲିଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର କାଶ୍ମୀର ଘାଟିରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଉଦ୍ୟମ ଆରମ୍ଭ କରିଛନ୍ତି।
କାଶ୍ମୀର ଉପତ୍ୟକାରେ ସୁରକ୍ଷା କର୍ମୀଙ୍କ ପାଇଁ ସରକାର ‘ଫୋର୍‍-ଡି’ ମନ୍ତ୍ର ଜାରି କରିଛନ୍ତି। ଏହି ଫୋର୍‍-ଡି ବା ଚାରି ‘ଡି’ ହେଉଛି ଡିଫେଣ୍ଡ (ପ୍ରତିରୋଧ), ଡେଷ୍ଟ୍ରୟ (ଧ୍ୱଂସ), ଡିଫିଟ୍‍ (ପରାସ୍ତ) ଓ ଡିନାଏ (ଅସ୍ୱୀକାର)। ପରିସ୍ଥିତି ସମ୍ଭାଳିବା ପାଇଁ ଏହି ଚାରିିଟି ସୂତ୍ରକୁ ନେଇ କାମ କରିବାକୁ ସୁରକ୍ଷା କର୍ମୀଙ୍କୁ ପରାମର୍ଶ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ଅଧିକାରୀ। ସୁରକ୍ଷା କର୍ମୀଙ୍କୁ ଆତଙ୍କବାଦୀ ଓ ପଥର ଫିଙ୍ଗାଳିଙ୍କ ବିରୋଧରେ ପ୍ରତିରୋଧ ଶକ୍ତି ବୃଦ୍ଧି କରିବା, ସେମାନଙ୍କ ଆଡ୍ଡାସ୍ଥଳକୁ ଧ୍ୱଂସ କରିବା, ସେମାନଙ୍କ ଯୋଜନାକୁ ପ୍ରତିହତ କରି ବିଜୟର ସ୍ୱାଦ ଚାଖିବା ଓ ଯୁବ ସମ୍ପ୍ରଦାୟଙ୍କୁ ଆତଙ୍କବାଦୀ ତଥା ବିଚ୍ଛିନ୍ନତାବାଦୀଙ୍କ ପ୍ରଲୋଭନର ଶିକାର ହେବାରୁ
ବଞ୍ଚାଇବା; ଅର୍ଥାତ୍‍ ସେମାନଙ୍କ ଷଡ଼ଯନ୍ତ୍ରକୁ ଯେମିତି କାଶ୍ମୀର ଯୁବକମାନେ ଅସ୍ୱୀକାର କରିବେ ସେଥିପାଇଁ ବୁଝାଇବାକୁ କୁହାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ନିକଟରେ ଅନୁଷ୍ଠିତ ଏକ ବୈଠକରେ ଏହି ପରାମର୍ଶ ଦେବା ପରେ ସୁରକ୍ଷା କର୍ମୀମାନେ ସମ୍ପ୍ରତି ଏହି ଚାରିଟି ସୂତ୍ରାନୁସାରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ବିଶେଷକରି ଜାମ୍ମୁ-କାଶ୍ମୀର ସରକାର ଭାଙ୍ଗିବା ପରଠାରୁ ଏହାକୁ କାର୍ଯ୍ୟକାରୀ କରାଯାଉଛି।
ପାକିସ୍ତାନ ସମର୍ଥିତ ସୀମାପାର ଆତଙ୍କବାଦୀଙ୍କ ମୂଳୋତ୍ପାଟନର ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାମ୍ମୁ -କାଶ୍ମୀରରେ ରାଜ୍ୟପାଳ ଶାସନ ଜାରିଠାରୁ ଆରମ୍ଭ କରି ଅପରେସନ୍‍ ଅଲ୍‍-ଆଉଟ୍‍ ପର୍ଯ୍ୟନ୍ତ ସବୁ ନିଷ୍ପତ୍ତି ଯେଭଳି ତ୍ୱରିତ୍‍ ବେଗରେ ଗ୍ରହଣ କରାଯାଇଛି ତାହା ବିରୋଧୀଦଳଗୁଡିକୁ ଏକପ୍ରକାର ଆଚମ୍ବିତ କରିଦେଇଛି। ‘ରାଇଜିଂ କାଶ୍ମୀର’ର ସମ୍ପାଦକ ସୁଜାତ୍‍ ବୁଖାରୀ ଏବଂ ଭାରତୀୟ ଯବାନ ଆଉରଙ୍ଗଜେବ୍‍ଙ୍କ ହତ୍ୟା ଘଟଣାର ମାତ୍ର ହାତଗଣତି କେତୋଟି ଦିନ ମଧ୍ୟରେ ଭାରତୀୟ ସେନାବାହିନୀ ଜାମ୍ମୁ-କାଶ୍ମୀରରେ ସକ୍ରିୟ ଆତଙ୍କବାଦୀଙ୍କ ଉପରେ ଭାରି ପଡିଛି। ପବିତ୍ର ରମ୍‍ଜାନ୍‍ ମାସରେ ରକ୍ତର ହୋରି ଖେଳିବା ପରେ ଅମରନାଥ ଯାତ୍ରାକୁ ନିଶାଣ କରିବାର ଷଡ଼ଯନ୍ତ୍ର ରଚିଥିବା କିଛି ଆଇଏସ୍‍ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସୁରକ୍ଷା ବାହିନୀ। ରାଜ୍ୟରେ ରାଜ୍ୟପାଳ ଶାସନ ଜାରିି ପୂର୍ବକ କ୍ଷେତ୍ର ପ୍ରସ୍ତୁତ ଦ୍ୱାରା ଆତଙ୍କବାଦୀଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ଦ୍ବାରା ଆଶାନୁରୂପ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ଭବ ହୋଇପାରିଛି। ଜାତୀୟସ୍ୱାର୍ଥ ତଥା କାଶ୍ମୀର ଘାଟିରେ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ବିଜେପି ସରକାର ଓ ସେନା ପକ୍ଷରୁ ଆରମ୍ଭ ହୋଇଥିବା ‘ଅପରେସନ୍‍ ଅଲ୍‍ଆଉଟ୍‍’କୁ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବୋଲି କଂଗ୍ରେସ ଦର୍ଶାଇଛି। ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ଆତଙ୍କବାଦୀଙ୍କୁ କମ୍‍, ସାଧାରଣ ନାଗରିକଙ୍କୁ ବେଶୀ ଏନ୍‍କାଉଣ୍ଟର କରୁଛି ବୋଲି ନିକଟରେ କଂଗ୍ରେସର ବର୍ଷୀୟାନ ନେତା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବି ଆଜାଦ ମନ୍ତବ୍ୟ ଦେଇଛନ୍ତି। ସେହିଭଳି କାଶ୍ମୀରବାସୀଙ୍କୁ ସୁଯୋଗ ପ୍ରଦାନ କରାଗଲେ ସେମାନେ ସ୍ୱାଧୀନ ହେବାକୁ ଇଚ୍ଛା ପ୍ରକାଶ କରିବେ ବୋଲି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‍ ମୁସରଫ୍‍ ଦେଇଥିବା ମନ୍ତବ୍ୟ ବାସ୍ତବରେ ଠିକ୍‍ ବୋଲି ଦଳର ଅନ୍ୟ ଜଣେ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୈଫୁଦ୍ଦିନ୍‍ ସୋଜ୍‍ ମନ୍ତବ୍ୟ ଦେଇ କେନ୍ଦ୍ର ସରକାରକୁ ଘେରିବାର ଉଦ୍ୟମରେ ନିଜେ ଓ କଂଗ୍ରେସକୁ ଫସାଇ ଦେଇଛନ୍ତି। ଦେଶର ସର୍ବପୁରାତନ ରାଜୈନତିକ ଦଳ କଂଗ୍ରେସର ଦୁଇ ଜଣ ବରିଷ୍ଠ ନେତା ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେବା ଘଟଣାକୁ ବିଜେପି ତୀବ୍ର ନିନ୍ଦା କରିଛି। ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ମହଲରେ ଏବେ ଖୋଲାଖୋଲି ବିତର୍କ ଆରମ୍ଭ ହୋଇଛି।
ଆତଙ୍କବାଦୀଙ୍କ ବିରୋଧରେ ବିଜେପିର ‘ଅପରେସନ୍‍ ଅଲ୍‍ଆଉଟ୍‍’ର ଆହ୍ୱାନ ବାସ୍ତବରେ ‘ଗଣହତ୍ୟା’ ଆଡକୁ ଇସାରା କରୁଛି ବୋଲି ଗୁଲାମନବି କହିଥିଲେ। ତାଙ୍କର ଏଭଳି ମନ୍ତବ୍ୟକୁ ପ୍ରମୁଖ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା (ଏଲ୍‍ଇଟି) ସମର୍ଥନ କରିଥିଲା। ସଂଗଠନର ମୁଖପାତ୍ର ଡାକ୍ତର ଅବ୍‍ଦୁଲ୍‍ଲା ଗଜବନୀ କହିଥିଲେ, ଗୁଲାମ ନବିଙ୍କ ସହିତ ଆମେ ଏକମତ। ଜାମ୍ମୁ କାଶ୍ମୀରର ଭିତ୍ତିଭୂମି ବିଧ୍ୱସ୍ତ କରିବା ତଥା ନିରିହ ଜନସାଧାରଣଙ୍କୁ ଗଣହତ୍ୟା ଘଟାଇବା ଉଦ୍ଦେଶ୍ୟରେ ବିଜେପି ରାଜ୍ୟରେ ରାଜ୍ୟପାଳ ଶାସନ ଜାରି କରି ରାଜ୍ୟରେ ପୁନଃ ଜଗମୋହନଙ୍କ ଯୁଗ ଆରମ୍ଭ କରିବାକୁ ଉଦ୍ୟମ କରିଛି। ରାଜ୍ୟରେ ଗଣହତ୍ୟା ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଗଜବନୀ କହିଥିଲେ।
ଆତଙ୍କବାଦୀ ବିରୋଧୀ ଅଭିଯାନକୁ ନେଇ ଦେଶର ଜଣେ ବରିଷ୍ଠ ଜନପ୍ରତିନିଧି ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେବା ତଥା ତାଙ୍କ ମନ୍ତବ୍ୟକୁ ଆତଙ୍କବାଦୀ ସଂଗଠନ ସମର୍ଥନ କରିବା ଘଟଣାର ବିଜେପି ତୀବ୍ର ନିନ୍ଦା କରିଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କଂଗ୍ରେସର ଦୁଇ ବରିଷ୍ଠ ନେତା ସୋଜ୍‌ ଓ ଗୁଲାମନବୀଙ୍କ ମନ୍ତବ୍ୟକୁ ଦାୟିତ୍ବହୀନ ବୋଲି କହିଛନ୍ତି। ଲସ୍କର ସଂଗଠନ ଓ ମୁଶାରଫଙ୍କ ସ୍ବର ସହ କଂଗ୍ରେସ କିଭଳି ସମାନ ସ୍ବର ମିଳାଇଛି ବୋଲି ଅମିତ ଶାହା ପ୍ରଶ୍ନ କରିଛନ୍ତି। ଏହା କଂଗ୍ରେସର ପ୍ରକୃତ ଚେହେରାକୁ ପଦାରେ ପକାଇଛି ବୋଲି କହିବା ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ଜବାବ ଦିଅନ୍ତୁ ବୋଲି ଶ୍ରୀ ଶାହା ଦାବି କରିଛନ୍ତି। ଆଜଦଙ୍କ ଏଭଳି ମନ୍ତବ୍ୟ ନିହାତି ଲଜ୍ଜାଜନକ ଏବଂ ଦୁଃଖଦାୟକ। ନିହାତି ହାୟିତ୍ୱହୀନ ମନ୍ତବ୍ୟ ଦେଇଥିବାରୁ ଗୁଲାମନବିଙ୍କ ବିରୋଧରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍‍ ବୋଲି ବିଜେପି ନେତା ରବିଶଙ୍କର ପ୍ରସାଦ ଦର୍ଶାଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ପ୍ରତି କଂଗ୍ରେସ ମନରେ ଏଭଳି ଘୃଣାଭାବ ଭରି ରହିଛି ଯେ ଦଳୀୟ ନେତାମାନେ ଭାରତୀୟ ସେନାର ସାହସିକତା ଏବଂ ସମ୍ମାନ ସହିତ ସାଲିସ କରିବାକୁ ପଛାଉ ନାହାନ୍ତି। ଏଭଳି ମନ୍ତବ୍ୟକୁ ଲସ୍କର ଆତଙ୍କବାଦୀ ପାକିସ୍ତାନରେ ବସି ସମର୍ଥନ କରିବା କିଛି ଆଶ୍ଚର୍ଯ୍ୟର କଥା ନୁହେଁ; କିନ୍ତୁ ଗୁଲାମନବିଙ୍କ ମନ୍ତବ୍ୟରୁ ଯାହା ଜଣାପଡୁଛି କଂଗ୍ରେସ ଅଧ୍ୟକ୍ଷ ଭାବେ ରାହୁଲଙ୍କ ପଦୋନ୍ନତି ପରେ ଦଳୀୟ ଚିନ୍ତାଧାରା ଏବଂ ଦେଶର ସୁରକ୍ଷା ପ୍ରତି ଏହାର ପ୍ରତିବଦ୍ଧତାରେ ପରିବର୍ତ୍ତନ ଆସିଛି। ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବୀଭତ୍ସ ଏବଂ ବର୍ବର ସଂହାର ଲୀଳାକୁ ଅତି ନିକଟରୁ ଦେଖିଥିବା ଗୁଲାମନବି ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେବା ନେଇ ରବିଶଙ୍କର ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି। ଆତ୍ମସମର୍ପଣ ପାଇଁ ରୋକ୍‍ଠୋକ୍‍ ମନା କରିବା ସହ ସୁରକ୍ଷାବାହିନୀ ଉପରେ ଆକ୍ରମଣ କରୁଥିବା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଗଣହତ୍ୟା ନୁହେଁ; ବରଂ ଆଇନଗତ ପଦକ୍ଷେପ ବୋଲି ରବିଶଙ୍କର ସ୍ପଷ୍ଟ କରିଛନ୍ତି। ଗୁଲାମନବିଙ୍କ ମନ୍ତବ୍ୟ ଉପରେ ରାହୁଲ ଏବଂ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦେଶବାସୀଙ୍କୁ ଜବାବ୍‍ ଦିଅନ୍ତୁ ବୋଲି ସେ କହିଛନ୍ତି।
କଂଗ୍ରେସ ପକ୍ଷରୁ ସୈଫୁଦ୍ଦିନ୍‍ ସୋଜ୍‍ଙ୍କ ମନ୍ତବ୍ୟକୁ ପ୍ରତ୍ୟାଖ୍ୟାନ ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲେ ମଧ୍ୟ ଗୁଲାମନବିଙ୍କୁ ଦଳ ସମର୍ଥନ କରିଛି। ଜାମ୍ମୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏଠାକାର ପରିସ୍ଥିତିର ମୁକାବିଲା ନିମନ୍ତେ ଭାରତୀୟ ସେନା ଯେ ସମ୍ପୂର୍ଣ୍ଣ ଦକ୍ଷ, ଏଥିରେ ଦ୍ୱିମତ ନାହିଁ; ମାତ୍ର ଜାମ୍ମୁ କାଶ୍ମୀରରେ ସାମରିକ କାର୍ଯ୍ୟାନୁଷ୍ଠାନ ବେଳେ ସାଧାରଣ ଜନତାଙ୍କ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଏ ନେଇ ଗୁଲାମନବି ତାଙ୍କ ମନ୍ତବ୍ୟ ଦ୍ୱାରା କେବଳ ନିଜର ଚିନ୍ତା ବ୍ୟକ୍ତ କରିଛନ୍ତି ବୋଲି ଦଳୀୟ ମୁଖପାତ୍ର ରଣଦୀପ ସିଂହ ସୂର୍ଯ୍ୟେୱାଲା ଦର୍ଶାଇଛନ୍ତି।

Leave A Reply