ଜିମ୍ ଖୋଲିବାକୁ ଅନୁମତି ନିମନ୍ତେ ସରକାରଙ୍କୁ ଅନୁରୋଧ କଲା ଜିମ୍ ମାଲିକ ସଂଘ

ଭୁବନେଶ୍ବର: କରୋନା ଭୂତାଣୁ ସଂକ୍ରମଣକୁ ଆଶଙ୍କା କରି ଦେଶରେ ଜିମ୍‌ଗୁଡ଼ିକୁ ବନ୍ଦ ରଖାଯାଇଛି। ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବାରୁ ଦୁଇ ମାସ ହେବ ଜିମ୍‌ଗୁଡ଼ିକ ବନ୍ଦ ରହିଛି। ଜିମ୍‌ ମାଧ୍ୟମରେ ସୁନ୍ଦର ସ୍ବାସ୍ଥ୍ୟ ଓ ନିଜକୁ ନିରୋଗ ରଖିବାକୁ ପ୍ରୟାସ କରୁଥିବା କ୍ରୀଡ଼ାବିତ୍‌ଙ୍କ ସହିତ ବହୁ ବ୍ୟକ୍ତି ସେମାନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ଅଛନ୍ତି। ତେଣୁ ସୁନ୍ଦର ସ୍ବାସ୍ଥ୍ୟ ଓ ନିରୋଗ ଜୀବନ ଯାପନ ପାଇଁ ତୁରନ୍ତ ଜିମ୍‌ ଖୋଲିବାକୁ ଅନୁମତି ଦିଆଯାଉ ବୋଲି ଓଡ଼ିଶା ଜିମ୍‌ ମାଲିକ ସଂଘ ଦାବି କରିଛି।
ଅପରପକ୍ଷରେ ଲକ୍‌ଡାଉନ୍‌ ଯୋଗୁ ଜିମ୍‌ ବନ୍ଦ ରହିଥିବାରୁ ଜିମ୍‌ମାଲିକମାନେ ବ୍ୟାପକ କ୍ଷତି ସହୁଛନ୍ତି ଓ କର୍ମଚାରୀଙ୍କୁ ଦରମା ଦେଇପାରୁ ନାହାନ୍ତି। ତେଣୁ ରାଜ୍ୟରେ ଶୀଘ୍ର ଜିମ୍‌ଗୁଡ଼ିକ ଖୋଲିବା ସହିତ କ୍ଷତିପୂରଣ ପ୍ରଦାନ କରିବା ଦାବିରେ ଓଡ଼ିଶା ଜିମ୍‌ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଓଡ଼ିଶା ଜିମ୍‌ ମାଲିକ ସଂଘ ସଭାପତି ସତ୍ୟଜିତ୍‌ ଦାଶ କହିଛନ୍ତି ଯେ ସରକାରଙ୍କ ଲକ୍‍ଡାଉନ୍‍ ନିୟମକୁ ମାନି ପାଖାପାଖି ତିନି ମାସ କଳା ଜିମ୍‍ଗୁଡ଼ିକ ବନ୍ଦ ରହିଛି। ଜିମ୍‍ ସେଣ୍ଟରର ମାଲିକମାନେ ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛନ୍ତି।  କାମ କରୁଥିବା କର୍ମଚାରୀଙ୍କୁ ଦରମା ଦେବା ପରିସ୍ଥିତିରେ ନାହାନ୍ତି। ଏବେ ରାଜ୍ୟ ସରକାର ଜୁନ୍‍ ୩୦ ପର୍ଯ୍ୟନ୍ତ ଜିମ୍‍କୁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ଜିମ୍‍ ପ୍ରତିଷ୍ଠା କରି ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କୁ ରୋଜଗାରକ୍ଷମ ହେବାରେ ସହାୟତା ପ୍ରଦାନ କରୁଛି। ଏବେ ଜିମ୍‍ଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀଙ୍କ ଜୀବନ ଜୀବିକା ସଂକଟରେ ପଡ଼ିଥିବାବେଳେ ସେମାନେ ଆର୍ଥିକ ଅନଟନରେ ଜୀବନକାଳାତିପାତ କରୁଛନ୍ତି। ଅପରପକ୍ଷରେ ସାମାଜିକ ଦୂରତା ଆଳ ଦେଖାଇ ଜିମ୍‍ ବନ୍ଦ ରଖାଯାଉଛି। ଏହ ଉପରେ ଠିକ୍‍ ଭାବେ ଆଲୋଚନା କରାଯାଉନାହିଁ। ବିଶେଷଜ୍ଞଙ୍କ ଆଲୋଚନାବେଳେ ଜିମ୍‍ ଉପରେ ଆଲୋଚନାକୁ ଗୁରୁତ୍ୱ ଦିଆଯାଉନାହିଁ ବୋଲି ସେ କହିଛନ୍ତି।
ଜିମ୍‍କୁ ବ୍ୟାୟାମ୍‍ ପାଇଁ ଆସୁଥିବା ବ୍ୟକ୍ତିଙ୍କ ଶାରୀରିକ ଅକ୍ଷମତା ଦୂର ହେବା ସହ ସେମାନଙ୍କ ଶରୀର ସୁସ୍ଥ ରହିଛି। ଦୀର୍ଘଦିନ ଧରି ଜିମ୍‍ ବନ୍ଦ ରହିବା ଦ୍ୱାରା ସେମାନଙ୍କ ଶରୀରରେ କୁପ୍ରଭାବ ପଡ଼ିବ। ତେଣୁ ଜୀବନ ଏଭଳି ଦୁଃସ୍ଥିତିରେ ସରକାର ଅନୁକମ୍ପା ମୂଳକ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଜିମ୍‍ ମାଲିକ ସଂଘ ସଭାପତି ସତ୍ୟଜିତ ଦାଶ ନିବେଦନ କରିଛନ୍ତି। କ୍ରୀଡ଼ାବିତ୍‍ଙ୍କ ସହିତ ବହୁ ବ୍ୟକ୍ତି ନିଜ ଶାରୀରିକ ସୁସ୍ଥତା ପାଇଁ ଜିମ୍‍ ଉପରେ ନିର୍ଭର କରିଥାନ୍ତି। ତେଣୁ ଜିମ୍‍ଗୁଡ଼ିକ ଶୀଘ୍ର ଖୋଲିବା ସାଙ୍ଗକୁ କ୍ଷତିପୂରଣ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ସ୍ମାରକପତ୍ର ସଂଘ ପକ୍ଷରୁ ପ୍ରଦାନ କରାଯାଇଛି ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି।

Comments are closed.