ସେବାୟତଙ୍କୁ ଦକ୍ଷିଣା ମନା

0

-ଚାବି ପ୍ରସଙ୍ଗ: କମିଶନ ରିପୋର୍ଟକୁ ଅପେକ୍ଷା, -ଶଙ୍କରାଚାର୍ଯ୍ୟଙ୍କୁ ଫେରାଯିବ ୫ଏକର ଜମି

ପୁରୀ  : ଶ୍ରୀମନ୍ଦିରରେ ସେବକଙ୍କ ଦ୍ୱାରା ଦାନଦକ୍ଷିଣା ଆଦାୟ ବନ୍ଦ ପାଇଁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶକୁ ମାନି ନେଇଛି ପରିଚାଳନା କମିଟି। କଡାକଡି ଭାବେ ନିର୍ଦେଶ କାର୍ଯ୍ୟକାରୀ କରିବାକୁ ଶନିବାର ଅନୁଷ୍ଠିତ ବୈଠକରେ ସ୍ଥିର କରାଯାଇଛି। ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଏଥିରେ ଅଧ୍ୟକ୍ଷତା କରିଥିଲେ। ଛତିଶା ନିଯୋଗ ଦ୍ୱାରା ପ୍ରସ୍ତୁତ ଦେବସ୍ନାନ ପୂର୍ଣ୍ଣିମା ଏବଂ ରଥଯାତ୍ରା ନୀତିନିର୍ଘଣ୍ଟ ଅନୁମୋଦନ କରାଯାଇଛି। ଗତ ୮ତାରିଖର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ସମ୍ପର୍କରେ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଥିଲେ। ଏହା ଉପରେ ଦୀର୍ଘସମୟ ଧରି ଆଲୋଚନା ହୋଇଥିଲା।

ରେକର୍ଡ ଅଫ୍‍ ରାଇଟ୍ସ (ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି)ରେ ସେବକଙ୍କ ଦାନଦକ୍ଷିଣା ନେବା ଅଧିକାର ରହିଥିବା କେତେକ ସେବକ ପ୍ରତିନିଧି ଯୁକ୍ତି ବାଢିଥିଲେ। ସେବକଙ୍କ ପାରମ୍ପରିକ ଓ ପୁରୁଷାନୁକ୍ରମିକ ଅଧିକାର ଯେପରି ଅକ୍ଷୁଣ୍ଣ ନହେବ ତାହାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବାକୁ ସେମାନେ ପରାମର୍ଶ ଦେଇଥିଲେ। ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର କହିଲେ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ପାଇଁ ଜିଲାଜଜ୍‍ଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ସେବକ ନିଯୋଗ ଚାହିଁଲେ ମୋକଦ୍ଦମାରେ ପକ୍ଷଭୂକ୍ତ ହୋଇ ସେମାନଙ୍କ ଯୁକ୍ତି ଉପସ୍ଥାପନ କରିପାରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସତ୍ୟପାଠ ଦାଖଲ କରାଯିବ ବୋଲି ସେ କହିଛନ୍ତି।
ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ୫ଏକର ଜମି ଫେରାଇବା ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିପାଇଁ ରାଜ୍ୟ ସରକାରଙ୍କଠାରୁ ଅନୁମତି ମଗାଯିବାକୁ ସ୍ଥିର କରାଯାଇଛି। ଭବିଷ୍ୟତରେ ଫେରା ହେବାକୁଥିବା ଜମିର ଯେପରି ଦୁରୂପଯୋଗ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କମିଟିର ସଭ୍ୟମାନେ ପରାମର୍ଶ ଦେଇଛନ୍ତି। ଏହି ପ୍ରସ୍ତାବ ଉପରେ ନୀତିନିର୍ଦ୍ଧାରଣ ସମେତ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ ପାଇଁ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ୫ଜଣିଆ କମିଟି ଗଠନ କରାଯାଇଛି। ମୁଖ୍ୟ ପ୍ରଶାସକ, ଜିଲାପାଳ, ଦେବୋତ୍ତର କମିଶନର ଏବଂ ଜଣେ ପ୍ରଶାସକ ସେଥିରେ ସଭ୍ୟ ରହିଛନ୍ତି। ଗୋବର୍ଦ୍ଧନ ପୀଠ ଦଖଲରେ ଥିବା ଜମି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ମାଲିକାନାରେ ରେକର୍ଡ ହୋଇଛି। ଯଦି ଜମି ଫେରାଯାଏ ତେବେ ଜମି ମୂଲ୍ୟ ରାଜ୍ୟ ସରକାର ଦେବେ ନାଁ ଶଙ୍କରାଚାର୍ଯ୍ୟଙ୍କୁ ମଗାଯିବ ସେ ସମ୍ପର୍କରେ ପରବର୍ତ୍ତୀ ବୈଠକରେ ସ୍ଥିର କରାଯିବ।
ଜିଲା ରେକର୍ଡ ରୁମ୍‍ରୁ ମିଳିଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଡୁପ୍ଲିକେଟ ଚାବି ସମ୍ପର୍କରେ କେତେକ ସଭ୍ୟ ପ୍ରଶ୍ନ କରିଥିଲେ। ମୂଳଚାବି କାହା ପାଖରେ ରହିଛି ବୋଲି ସେମାନେ ଜାଣିବାକୁ ଚାହିଁଥିଲେ। ଡୁପ୍ଲିକେଟ ଚାବିରେ ରତ୍ନଭଣ୍ଡାର ଖୋଲାଯିବ କି ନାହିଁ ସେଥିନେଇ ଆଲୋଚନା ହୋଇଥିଲା। ଚାବି ହଜିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଥିବାରୁ ତଦନ୍ତ କମିଶନଙ୍କ ସୁପାରିସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ମୁଖ୍ୟ ପ୍ରଶାସକ ପରାମର୍ଶ ଦେଇଥିଲେ। ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ଆଉ ୩୦ଟି ସିସିଟିଭି ଲଗାଇବାକୁ ସ୍ଥିର କରାଯାଇଛି। ସେବକଙ୍କ ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ବୀମା, ଖାଲିପଡିଥିବା କର୍ମଚାରୀ ପଦ ପୂରଣ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି। ଜିଲାପାଳ ଅରବିନ୍ଦ ଅଗ୍ରୱାଲ, ଆରକ୍ଷୀ ଅଧିକ୍ଷକ ଡାକ୍ତର ସାର୍ଥକ କୁମାର ଷଡ଼ଙ୍ଗୀ, ପ୍ରଶାସକ (ନୀତି) ପ୍ରଦୀପ କୁମାର ଦାଶଙ୍କ ସମେତ କମିଟିର ଅନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ।

Leave A Reply