ଇତିହାସ ରଚିଲେ ତାମିଲନାଡୁ ବାଳିକା
ସେଣ୍ଟ ପିଟସ୍ବଗ : ରୁଷିଆରେ ଖେଳାଯାଉଥିବା ବିଶ୍ୱକପ୍ ଫୁଟବଲରେ ଇତିହାସ ରଚିଛନ୍ତି ତାମିଲନାଡୁର ୧୧ ବର୍ଷୀୟା ବାଳିକା ନାଥାନିଆ ଜନ୍ କେ। ଶୁକ୍ରବାର ବ୍ରାଜିଲ୍ ଓ କୋଷ୍ଟାରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ନାଥାନିଆ ବ୍ରାଜିଲ ଦଳ ସହ ପଡ଼ିଆକୁ ପ୍ରବେଶ କରିଥିଲେ। ନାଥାନିଆ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଏକ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି। ଫିଫା ତରଫରୁ ବିଶ୍ୱକପ୍ ପୂର୍ବରୁ ଆୟୋଜିତ ଏକ ପ୍ରତିଯୋଗିତାରେ ବିଜୟିନୀ ହୋଇ ସେ ଏହି ସୁଯୋଗ ପାଇଥିଲେ। ରୁଷିଆ ଯିବା ପୂର୍ବରୁ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ନାଥାନିଆ କହିଥିଲେ ବିଶ୍ୱକପ୍ ଷ୍ଟାଡ଼ିୟମରେ ପ୍ରବେଶ କରିବାକୁ ସୁଯୋଗ ପାଇଥିବାରୁ ସେ ବେଶ୍ ଖୁସି ଅଛନ୍ତି। ବିଦ୍ୟାଳୟସ୍ତରରେ ସେ ଫୁଟବଲ୍ ଖେଳୁଥିବାରୁ ଫିଫା ତରଫରୁ ଆୟୋଜିତ ପ୍ରତିଯୋଗିତାରେ ବିଜୟିନୀ ହେବାକୁ ସେ ସକ୍ଷମ ହୋଇଥିଲେ। ଆର୍ଜେଣ୍ଟିନାର ଲିଓନେଲ୍ ମେସି ଓ ବ୍ରାଜିଲ୍ର ନିଏମାର ତାଙ୍କର ସବୁଠାରୁ ପସନ୍ଦଯୋଗ୍ୟ ଖେଳାଳି ବୋଲି ନାଥାନିଆ ସୂଚନା ଦେଇଛନ୍ତି। ନିଏମାର ଯେତେବେଳେ ବାର୍ସିଲୋନା କ୍ଲବ ଛାଡ଼ି ଦେଲେ ତାହା ତାଙ୍କୁ ବହୁତ ଦୁଃଖ ଦେଇଥିବା ନାଥାନିଆ କହିଛନ୍ତି। ବିଶ୍ୱକପ୍ ସମୟରେ ନିଏମାରଙ୍କୁ ସାକ୍ଷାତ କରି ନିଜ ସ୍ୱପ୍ନ ପୂରଣ କରିବେ ବୋଲି ନାଥାନିଆ କହିଥିଲେ।