ଦିଲ୍ଲୀରେ କଟା ହେବ ୧୭ ହଜାର ବୃକ୍ଷ
ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ସମ୍ପ୍ରତି ପ୍ରଦୂଷଣ ଏକ ଗୁରୁତର ସମସ୍ୟା ପାଲଟିଥିବା ବେଳେ ପରିବେଶ ସୁରକ୍ଷା ଦିଗରେ ପଦକ୍ଷେପ ନିଆଯିବା ପରିବର୍ତ୍ତେ ବୃକ୍ଷ କାଟିବାକୁ ସ୍ଥିର କରାଯାଇଛି। ଦକ୍ଷିଣ ଦିଲ୍ଲୀର ପ୍ରାୟ ୧୭,୦୦୦ ବୃକ୍ଷ କଟାଯିବ। କେନ୍ଦ୍ର ସରକାରଙ୍କ ଅଧୀନ ବାସଭବନଗୁଡିକର ପୁନରୁଦ୍ଧାର ଉଦ୍ଦେଶ୍ୟରେ ଏହି ବୃକ୍ଷଗୁଡିକ କାଟିବାକୁ ନିଷ୍ପତ୍ତି ହୋଇଥିବା ବନ ବିଭାଗର ଜଣେ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି। ସମ୍ପୃକ୍ତ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ନୌରାଜୀ ନଗର, ନେତାଜୀ ନଗର ଏବଂ ସରୋଜିନୀ ନଗର ସମେତ ବିଭିନ୍ନ ସ୍ଥାନରେ ଥିବା ବୃକ୍ଷ ଏହି ତାଲିକାରେ ରହିଛି। କେବଳ ସରୋଜିନୀ ନଗରରେ ୧୧ ହଜାର ବୃକ୍ଷ କାଟିବାକୁ ସ୍ଥିର ହୋଇିଛି। ଦିଲ୍ଲୀରେ ପ୍ରଦୂଷଣସ୍ତର ଖରାପରୁ ଅତି ଖରାପ ସ୍ତରରେ ପହଞ୍ଚିଥିବା ନିକଟରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିଅନୁଯାୟୀ ଜୁନ୍ ୧୩ରେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳ (ଏନ୍ସିଆର୍)ରେ ପ୍ରଦୂଷଣସ୍ତର ଯଥାକ୍ରମେ ୮୨୪ ଏବଂ ୭୭୮ରେ ପହଞ୍ଚିଥିଲା। ଦିଲ୍ଲୀରେ ବୃକ୍ଷ କାଟ ଯୋଜନା ଚାଲିଥିବା ବେଳେ ଗ୍ରେଟର ମୁମ୍ବଇରେ ବୃକ୍ଷର ସୁରକ୍ଷା ନିମନ୍ତେ ଲୋକେ ନ୍ୟାୟାଳୟଙ୍କ ଆଶ୍ରୟ ନେଇଛନ୍ତି। ଏଠାକାର କେତେକ ଘରୋଇ ସଂସ୍ଥା ପରିସରରେ ଥିବା ବୃକ୍ଷ କାଟିବାକୁ ମହାନଗର ପାଳିକା (ବିଏମ୍ସି) ଅନୁମତି ପ୍ରଦାନ କରିଥିବାରୁ ଜୁନ୍ ୧୯ରେ ଏହାକୁ ବମ୍ବେ ହାଇକୋର୍ଟ ଭତ୍ସନା କରିଥିଲେ। ଏଥିସହ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ନିର୍ଦେଶ ଦେଇଥିଲେ।