ପାଇଲଟ ଏସି ମାତ୍ରା ବୃଦ୍ଧି କରିବାରୁ ଯାତ୍ରୀ ହଟହଟା
ନୂଆଦିଲ୍ଲୀ : କଲିକତାରୁ ବାଗଡୋଗରା ଯାଉଥିବା ଏୟାର ଏସିଆ ବିମାନର ଜଣେ ପାଇଲଟ୍ଙ୍କ ଯୋଗୁ ଯାତ୍ରୀମାନଙ୍କୁ ହଟହଟା ହେବାକୁ ପଡିଛି। ଯାତ୍ରୀମାନେ ଯେଭଳି ବିମାନରୁ ଶୀଘ୍ର ଓହ୍ଲାଇଯିବେ ସେଥିନେଇ ସମ୍ପୃକ୍ତ ପାଇଲଟ୍ ଏୟାର କଣ୍ଡିସନ୍ରର ମାତ୍ର ଏତେ ପରିମାଣରେ ବୃଦ୍ଧି କରିଦେଇଥିଲେ ଯେ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ଜୁନ୍ ୨୦ରେ ବିମାନ କର୍ମଚାରୀ ଏବଂ ଯାତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ଜଣାପଡିଛି। ଉକ୍ତ ଦିନ ବିମାନଟି କୌଣସି କାରଣରୁ ୪ ଘଣ୍ଟା ବିଳମ୍ବରେ ଉଡାଣ ଆରମ୍ଭ କରିଥିଲା। ଏଣୁ ଯାତ୍ରୀମାନେ ବିମାନ କର୍ମଚାରୀଙ୍କ ସହିତ ଯୁକ୍ତିତର୍କ କରିଥିଲେ। ଏଥିରେ ପାଇଲଟ୍ ଜଣକ କ୍ରୋଧାନ୍ୱିତ ହୋଇପଡିଥିଲେ। ବିମାନଟି ବାଗଡୋଗରାରେ ପହଞ୍ଚିବା ବେଳକୁ ସେଠାରେ ପ୍ରବଳ ବର୍ଷା ହେଉଥିବାରୁ ଯାତ୍ରୀମାନେ ବିମାନରୁ ଓହ୍ଲାଇବାକୁ ମନା କରିଦେଇଥିଲେ। ଏହି ସମୟରେ ସମ୍ପୃକ୍ତ ପାଇଲଟ୍ ଜଣକ ଏସିର ମାତ୍ରା ଏତେ ବୃଦ୍ଧି କରିଥିଲେ ଯେ ସମ୍ପୂର୍ଣ୍ଣ ବିମାନରେ ବାୟୁ ଭର୍ତ୍ତି ହୋଇଯାଇଥିଲା। କୁହୁଡି ପ୍ରାୟ ପରିସ୍ଥିତି ସୃଷ୍ଟି ହେବାରୁ ଲୋକେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ। କ୍ରମଶଃ କିଛି ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। କିଛି ମହିଳା ଯାତ୍ରୀଙ୍କର ବାନ୍ତି ମଧ୍ୟ ହୋଇଥିଲା। ସେମାନେ ଭୟଭୀତ ହୋଇ ନିଜ ଆସନରୁ ଉଠି ବାହାରକୁ ଯିବାକୁ ଉଦ୍ୟମ କରିଥିଲେ। ମାତ୍ର ବର୍ଷା ହେଉଥିବାରୁ ତାହା ମଧ୍ୟ ସମ୍ଭବ ହୋଇ ନ ଥିଲା। ଏହି ବିମାନରେ ଉପସ୍ଥିତ ଥିବା ଭାରତୀୟ ତୈଳ ନିଗମର କାର୍ଯ୍ୟନିବାହୀ ନିର୍ଦେଶକ ଦୀପଙ୍କର ରାୟ ଘଟଣାର ଭିଡିଓ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ଛାଡିବା ପରେ ଏୟାର ଏସିଆ ପକ୍ଷରୁ ଏ ନେଇ ସଫେଇ ଦିଆଯାଇଛି। ପାଇଲଟ୍ ଏସି ମାତ୍ରା ବୃଦ୍ଧି କରିଥିବା ଅଭିଯାଗକୁ ଅସ୍ୱୀକାର କରିବା ସହ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ଘଟଣା ଘଟିଥିବା ଏୟାର ଏସିଆ ଦର୍ଶାଇଛି। ଅତ୍ୟଧିକ ଆର୍ଦ୍ରତାରେ ବିମାନରେ ଏସି ଚଳାଇବା ଦ୍ୱାରା ଏଭଳି ଘଟିଥାଏ ବୋଲି କମ୍ପାନୀ କହିଛି।