ଆଇନଜୀବୀଙ୍କ ତାଲିମ ଉପରେ ପ୍ରଧାନ ବିଚାରପତିଙ୍କ ଗୁରୁତ୍ବ

0

କଟକ : ଯୁବ ଆଇନଜୀବୀମାନେ ବରିଷ୍ଠଙ୍କଠାରୁ ଶିକ୍ଷା ଗ୍ରହଣ କରିଥାନ୍ତି । ବରିଷ୍ଠଙ୍କ ସହିତ ଏକାଡେମୀ ମାଧ୍ୟମରେ ସେମାନେ ଅନେକ ଅଭିଜ୍ଞତା ହାସଲ କରିଥାନ୍ତି । ଯଦି ରାଜ୍ୟ ସରକାର ଏକାଡେମୀ ନିମନ୍ତେ ଜମି ସହିତ ଭିତ୍ତିଭୂମି ବିକାଶ ଦିଗରେ ପଦକ୍ଷେପ ନେବେ ତା’ହେଲେ ଏହା ସମଗ୍ର ଦେଶରେ ପ୍ରଥମ ରାଜ୍ୟ ହେବ। ଓଡ଼ିଶା ଏଭଳି କାର୍ଯ୍ୟ କରି ସମଗ୍ର ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରପାରିବ ବୋଲି ଓଡିଶା ଜୁଡିସିଆଲ ଏକାଡେମୀଠାରେ ଆୟୋଜିତ ଓଡ଼ିଶା ଲୟର୍ସ ଏକାଡେମୀ(ଟିଏଲଏଓ)ର ପଞ୍ଚମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ମତବ୍ୟକ୍ତ କରିଛନ୍ତି।
ଦିନକୁ ଦିନ ବହୁ ନୂଆ ଆଇନ୍‌ ଆସୁଛି। ଦେଶର କୋଣ ଅନୁକୋଣରେ ଆଇନକୁ ନେଇ ଆଲୋଚନା, କର୍ମଶାଳା ଅନୁଷ୍ଠିତ ହେଉଛି। ପ୍ରତ୍ୟେକ ଆଇନଜୀବୀ ଉପଯୁକ୍ତ ତାଲିମ୍‌ ନେବାର ଆବଶ୍ୟକତା ରହିଛି। ଲୟର୍ସ ଏକାଡେମୀ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି। ରାଜ୍ୟର ବିଭିନ୍ନ ଆଇନ ମହାବିଦ୍ୟାଳୟ ବା ବିଶ୍ୱବିଦ୍ୟାଳୟ ସହ ମିଶି ତାଲିମ କାର୍ଯ୍ୟକ୍ରମ ହାତକୁ ନିଆଯିବା ଦରକାର। କିପରି ପାଠ୍ୟକ୍ରମ ଓ କର୍ମଶାଳା ପ୍ରସ୍ତୁତ ହେବ ତାହା ଯୋଜନା ମାଧ୍ୟମରେ କରାଗଲେ ଲୟର୍ସ ଏକାଡେମୀର ଲକ୍ଷ୍ୟସାଧନ ହୋଇପାରିବ ବୋଲି ପ୍ରଧାନବିଚାରପତି ମିଶ୍ର କହିଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ବିନୀତ୍‌ ଶରଣ ଯୋଗଦେଇ କହିଥିଲେ, ଆଇନଜୀବୀ ଏକାଡେମୀ ମାଧ୍ୟମରେ ଅନେକ ଅଭିଜ୍ଞତା ହାସଲ କରିଥାନ୍ତି । ବେଞ୍ଚ କିମ୍ବା ବାର୍‌ରେ ଆତ୍ମବିଶ୍ୱାସର ସହ ନିଜକୁ ସାମିଲ୍‌ କରିପାରିଲେ ଯୁବ ଆଇନଜୀବୀ ସଫଳ ହୋଇପାରିବେ। ଅନ୍ୟତମ ଅତିଥିଭାବେ ଆଡଭୋକେଟ ଜେନେରାଲ ସୂର୍ଯ୍ୟପ୍ରସାଦ ମିଶ୍ର, ଓଡିଶା ହାଇକୋର୍ଟ ବାର ଆସୋସିଏସନ ସଭାପତି ଏସ.କେ. ନାୟକ, ବରିଷ୍ଠ ଆଇନଜୀବୀ ତଥା ଟିଏଲଏଓର କାର୍ଯ୍ୟକାରୀ ନିର୍ଦେଶକ ଜଗବନ୍ଧୁ ସାହୁ ପ୍ରମୁଖ ଯୋଗଦେଇ ଏକାଡେମୀର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ। ବିଚାରପତି ଓ ଆଇନଜ୍ଞମାନେ ଯୋଗଦେଇ କୌଣସି ସ୍ୱତନ୍ତ୍ର ବିଷୟରେ ଶିକ୍ଷା ପ୍ରଦାନ କରିଥାନ୍ତି ବୋଲି ସେମାନେ କହିଥିଲେ। ଆଇନସେବା କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବରିଷ୍ଠ ଆଇନଜୀବୀ ଡ. ବିପିନବିହାରୀ ରଥ, ବିଜୟକୁମାର ମହାନ୍ତି ଓ ଅଶୋକ ମୁଖାର୍ଜୀଙ୍କୁ ପ୍ରଧାନବିଚାରପତି ଦୀପକ ମିଶ୍ର ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଟିଏଲଏଓ ନୂତନ ୱେବ୍‌ସାଇଟ୍‌ ଓ ସ୍ୱତନ୍ତ୍ର ବୁଲେଟିନକୁ ଜଷ୍ଟିସ ମିଶ୍ର ଉନ୍ମୋଚନ କରିଥିଲେ । କ୍ରାର୍ଯ୍ୟକ୍ରମ ପ୍ରାରମ୍ଭରେ ଆଇନଜୀବୀ ତଥା ଟିଏଲଏଓ ଅଧ୍ୟକ୍ଷ ଏନ.ସି ପାଣିଗ୍ରାହୀ ସ୍ୱାଗତ ଭାଷଣ, ଟିଏଲଏଓ ମ୍ୟାନେଜିଂ ଟ୍ରଷ୍ଟି ଶୁଭବିକାଶ ପଣ୍ଡା ବିବରଣୀ ପାଠ କରିଥିବା ବେଳେ ନିର୍ଦେଶକ କୈଳାସ ଚନ୍ଦ୍ର କର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply