ଚିକିତ୍ସା ପାଇଁ ବିଦେଶ ଗସ୍ତ କରିପାରନ୍ତି ପାରିକର
ନୂଆଦିଲ୍ଲୀ: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଚିକିତ୍ସା ନିମନ୍ତେ ବିଦେଶ ଗସ୍ତ କରିପାରନ୍ତି। ଏ ନେଇ ତାଙ୍କ ବ୍ୟକ୍ତିଗତ ସଚିବ ସୋମବାର ପ୍ରକାଶ କରିଛନ୍ତି। ଜଳହୀନତା ଏବଂ ନିମ୍ନ ରକ୍ତଚାପ ଯୋଗୁ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଗୋଆ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୫ ଦିନ ଚିକିତ୍ସା ହେବା ପରେ ଗୁରୁବାର ରାତିରେ ସେ ଘରକୁ ଫେରିଥିଲେ। ବର୍ତ୍ତମାନ ସେ ଗୋଆସ୍ଥିତ ନିଜ ବାସଭନରେ ବିଶ୍ରାମ ନେଉଛନ୍ତି। ଆଗାମୀ ଦିନରେ ମୁମ୍ବଇର ଏକ ହସ୍ପିଟାଲରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଚିକିତ୍ସା ନିମନ୍ତେ ବିଦେଶ ଗସ୍ତ କରିବେ ବୋଲି ବ୍ୟକ୍ତିଗତ ସଚିବ ପ୍ରକାଶ କରିଛନ୍ତି। ବିଗତ ଦୁଇ ସପ୍ତାହ ହେବ ପାରିକର ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିବା ବେଳେ ତାଙ୍କୁ ଫେବୃଆରୀ ୧୫ରେ ପ୍ରଥମେ ମୁମ୍ବଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବାର୍ଷିକ ବଜେଟ୍ ଲାଗି ସେ ଫେବୃଆରୀ ୨୨ରେ ଗୋଆ ଫେରିଥିଲେ। ପରେ ତାଙ୍କୁ ଗୋଆ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।