ଗଣଶିକ୍ଷା ବିଭାଗର ସଂସ୍କାରମୂଳକ ପଦକ୍ଷେପ
ପ୍ରବୋଧ କୁମାର ମିଶ୍ର
ଓଡ଼ିଶାରେ ହାଇସ୍କୁଲ ସ୍ତରୀୟ ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବା, ସରକାରଙ୍କ ଶିକ୍ଷା ବ୍ୟବସ୍ଥା ସଂସ୍କାରକୁ କାର୍ଯ୍ୟକାରୀ କରାଇବା ଏବଂ ନୂଆ ହୋଇ ଗଢ଼ି ଉଠିଥିବା ମଡ଼େଲ ସ୍କୁଲର ଭିତ୍ତିଭୂମି ସାଙ୍ଗକୁ ସଂପ୍ରସାରିତ ଶିକ୍ଷା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଇବା ପାଇଁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ତତ୍ପର ହୋଇ ଉଠିଥିବା ଜଣାଯାଏ। ଜାଣିବାକୁ ମିଳେ ଯେ ୨୦୧୭ ଅକ୍ଟୋବର ପରଠାରୁ ଗଣଶିକ୍ଷା ବିଭାଗ କେତେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ହାତକୁ ନେଇଛି। ଏବେ ବିଦ୍ୟାଳୟମିଶ୍ରଣ ପ୍ରକ୍ରିୟାରେ ପ୍ରାୟ ୪ହଜାର ବିଦ୍ୟାଳୟ ଚିହ୍ନଟ କରାଯାଇ ନିର୍ଦେଶନାମା ଜାରି ହୋଇଛି। ଏହାବାଦ୍ ଅନ୍ଲାଇନ୍ ଶିକ୍ଷକ ବଦଳି, ଗୋଟିଏ ହତାରେ କିମ୍ବା ପାଖାପାଖି ଥିବା ସରକାରୀ ସ୍କୁଲର ମିଶ୍ରଣ ଏବଂ ଶିକ୍ଷାସ୍ତର ଦୃଷ୍ଟିରୁ ଦୁର୍ବଳ ପିଲାଙ୍କ ପାଇଁ ପ୍ରତିକାର ଓ ମନିଟରିଂ ବ୍ୟବସ୍ଥାରେ ଉନ୍ନତି ପାଇଁ ଉଦ୍ୟମ ହୋଇଥିବା ଜଣାଯାଏ। ବହୁଦିନରୁ ଅସଜଡ଼ା ଥିବା ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାକୁ ଗୋଟିଏ ଢ଼ାଞ୍ଚା ବା ଧାରାରେ ପକାଇବା ପାଇଁ ପ୍ରାୟ ୧୫ଟି ମୁଖ୍ୟ କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି। ଏ କ୍ଷେତ୍ରରେ ଗଣଶିକ୍ଷାମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ନିର୍ଦିଷ୍ଟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ଜଣାଯାଏ। ବିଦ୍ୟାଳୟଗୁଡ଼ିକର ମିଶ୍ରଣ ଫଳରେ ଶିକ୍ଷାଦାନ ବ୍ୟବସ୍ଥାରେ ଉନ୍ନତି ହୋଇଥିବା ଆଶା କରାଯାଏ। ଶିକ୍ଷକଙ୍କ ପାଇଁ ଅନ୍ଲାଇନ୍ ବଦଳି ବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିବା କୁହାଯାଉଛି।
ଅନୁଧ୍ୟାନରୁ ଜଣାଯାଇଛି ଯେ ଗଣଶିକ୍ଷା ବିଭାଗରେ ଥିବା ୧୧ଟି ନିର୍ଦେଶାଳୟକୁ ଭାଙ୍ଗି ୫ଟି ନିର୍ଦେଶାଳୟରେ ପରିଣତ କରାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଧନ୍ଦାମୂଳକ ଶିକ୍ଷା ନିର୍ଦେଶାଳୟକୁ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦେଶାଳୟରେ ମିଶାଯାଇଛି। ଓମସାମ ଓ ପ୍ରାଥମିକ ଶିକ୍ଷା ପ୍ରକଳ୍ପ (ଓପେପା)କୁ ମିଶ୍ରଣ କରାଯାଇ ଓଡ଼ିଶା ଶିକ୍ଷା ପ୍ରକଳ୍ପ ପ୍ରାଧିକରଣରେ ପରିଣତ କରିବା ଉଦ୍ୟମ ଚାଲିଛି। ଉଲ୍ଲେଖନୀୟ ଯେ ପ୍ରତି ଜିଲାପାଇଁ ନୋଡାଲ ଅଫିସର ରଖିବା ଓ ଏମାନଙ୍କ ଦ୍ବାରା ବିଭାଗୀୟ କାର୍ଯ୍ୟକ୍ରମ ତଦାରଖ ବ୍ୟବସ୍ଥା ହୋଇଛି। ବିଭିନ୍ନ ଅଦାଲତ ମାମଲା, ପେନସନ୍, ଅଭିଯୋଗ, ବକେୟା ରାଶି ପାଇବା ଦିଗରେ ଏହି ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ ସମୀକ୍ଷା କରାଯିବା ପାଇଁ ଓ ଏ ସମ୍ପର୍କିତ ଜିଲା ରିପୋର୍ଟକୁ ପ୍ରମୁଖ ଶାସନ ସଚିବ ପ୍ରତି ମାସରେ ସମୀକ୍ଷା କରି କାର୍ଯ୍ୟାନୁଷ୍ଠାନ ନେବାପାଇଁ ବ୍ୟବସ୍ଥା ହୋଇଛି। ଫଳରେ ବହୁଦିନ ଧରି ପଡ଼ିରହିଥିବା ଶିକ୍ଷକମାନଙ୍କର ବକେୟା ପ୍ରାପ୍ୟ ୨୦୧୭-୧୮ ଆର୍ଥିକ ବର୍ଷର ଦିଆଯାଇଥିବା ଜଣାଯାଏ। ଯାହା ଦେଖାଯାଏ କିଛିବର୍ଷ ପୂର୍ବେ ଗଣଶିକ୍ଷା ବ୍ୟବସ୍ଥାରେ ସ୍ଥାଣୁତା ଓ ଅବହେଳା ଭଳି ପଦକ୍ଷେପ ଶିକ୍ଷକ ସମାଜକୁ ଏକପ୍ରକାର ହତାଶ କରିଥିଲା। ମାତ୍ର ବର୍ତ୍ତମାନ ମନ୍ତ୍ରୀ ଓ ପ୍ରମୁଖ ସଚିବଙ୍କ ସକାରାତ୍ମକ ଦୃଷ୍ଟିଭଙ୍ଗୀ ଫଳେର ଅନେକ ସମସ୍ୟାର ସମାଧାନ ହୋଇଥିବା ଜଣାଯାଇଛି। କୌତୂହଳର କଥା ଜଣେ ଶିକ୍ଷୟିତ୍ରୀ ୧୭ବର୍ଷ ଧରି ବକେୟା ବେତନପାଇଁ ଆବେଦନ କରି ନିରାଶ ହେବା ପରେ ବର୍ତ୍ତମାନ ଶାସନ ସଚିବ ଏହି ଫାଇଲକୁ ତର୍ଜମା କରି ପ୍ରାୟ ୧୭ଲକ୍ଷ ଟଙ୍କା ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଶିକ୍ଷା ସହାୟକ ପଦର ନାମ ବଦଳାଇ ଜୁନିଅର ଶିକ୍ଷକ ନାମରେ ନାମିତ କରିବା, ପ୍ରାୟ ୧୮,୮୨୨ ଶିକ୍ଷକଙ୍କୁ ନିୟମିତ କରିବା ଉଦ୍ୟମ ଚାଲିଛି ଏବଂ ୨୨,୫୨୨ ଗଣଶିକ୍ଷକଙ୍କୁ ନିୟମିତ କରାଯାଇଥିବା ଜଣାଯାଏ। ସେହିପରି ଚୁକ୍ତିଭିତ୍ତିକ ଶିକ୍ଷକଙ୍କର ୬ବର୍ଷରେ ଚାକିରିକୁ ନିୟମିତ କରିବା ପାଇଁ ସରକାରୀ ବ୍ୟବସ୍ଥା ଚାଲିଛି। ଜିଆଇଏ ନିୟମ ସଂଶୋଧନ କରି ଅନୁଦାନ ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କର ଦରମା ବଢ଼ାଯାଇଛି। ଉନ୍ନୀତ ଉଚ୍ଚବିଦ୍ୟାଳୟଗୁଡ଼ିକୁ ଆର୍ଡି ଏବଂ ପିଡବ୍ଲ୍ୟୁଡି ବିଭାଗକୁ ହସ୍ତାନ୍ତର କରାଯାଉଥିବା କୁହାଯାଉଛି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୂନ୍ୟସ୍ଥାନ ପୂରଣ ପାଇଁ ୧୦ହଜାରରୁ ଅଧିକ ଜୁନିୟର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଉଚ୍ଚମାଧ୍ୟମିକ ସ୍କୁଲରେ ସ୍ବତନ୍ତ୍ର ପିଜି ଶିକ୍ଷକ ନିଯୁକ୍ତି ପାଇଁ ନିୟମ ପ୍ରଣୟନ ହୋଇଛି।
ଅନୁଧ୍ୟାନରୁ ଜଣାଯାଏ ଯେ ଏହି ବିଭାଗରେ ପ୍ରାୟ ୭୪ ହଜାର ମୋକଦ୍ଦମାର ତଦାରଖ ପାଇଁ ନିଷ୍ପତ୍ତି ନିଆଯାଇଛି। ଏତେସଂଖ୍ୟକ ମାମଲା ବର୍ଷବର୍ଷଧରି ପଡ଼ି ରହିଥିଲେ ହେଁ ସଂପୃକ୍ତ ଉଚ୍ଚ ଅଧିକାରୀମାନେ ସେଥିପ୍ରତି ଧ୍ୟାନ ଦେଇନଥିବା ଫଳରେ ଏହି ଅବ୍ୟବସ୍ଥା ଉପୁଜୁଛି। ସେହିପରି ଜାତୀୟ ସ୍ତରରେ ସ୍ବତନ୍ତ୍ର ଶିକ୍ଷା ମର୍ଯ୍ୟାଦା ପାଇଥିବା ସଂସ୍କୃତ ଶିକ୍ଷକଙ୍କୁ ପ୍ରତି ଦୀର୍ଘ ଅବହେଳା ଦେଖା ଦେଇଥିଲା। ସଂସ୍କୃତ ଟୋଲ, ହାଇସ୍କୁଲ ଶିକ୍ଷକଙ୍କ ସମସ୍ୟା ବୁଝି ୨୦୧୧ ମସିହାରେ ତତ୍କାଳୀନ ଗଣଶିକ୍ଷା ସଚିବ ଯେଉଁ ନିଷ୍ପତ୍ତି ନେଇଥିଲେ, ପରବର୍ତ୍ତୀ କାଳରେ ବିଭାଗୀୟ ସଚିବମାନେ ଏହି ବ୍ୟବସ୍ଥାକୁ କର୍ତ୍ତନ,ପରିବର୍ତ୍ତନ କରି ଏକ ଅବ୍ୟବସ୍ଥିତ ଢାଞ୍ଚା ତିଆରି କରିବା ଫଳରେ ଆଚାର୍ଯ୍ୟ ଓ ଏମଏ ଡିଗ୍ରୀଧାରୀ ଶିକ୍ଷକଙ୍କୁ ହତାଶ ହେବାକୁ ପଡ଼ିଥିଲା। ବର୍ତ୍ତମାନ ସରକାର ଏହିଭଳି ଅନେକ ନିଷ୍ପତ୍ତିର ତର୍ଜମା ଆରମ୍ଭ କରିଥିବା କୁହାଯାଇଛି।
ରାଜ୍ୟସରକାର କିଛି ବର୍ଷ ହେଲା ହାଇସ୍କୁଲ ଓ କଲେଜ ଶିକ୍ଷାର ବିକାଶ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି। ଓପେପା, ରାମସା ଓ ଅନ୍ୟ କେତେକ ସଂସ୍ଥା ଜରିଆରେ ଏହି କାର୍ଯ୍ୟ ଚାଲିଥିଲେ ହେଁ ଆଶାନୁରୂପ ପରିବର୍ତ୍ତନ ହୋଇପାରୁନାହିଁ। ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ସରକାରଙ୍କର ଉତ୍ସାହପ୍ରଦ କାର୍ଯ୍ୟକ୍ରମ। ମାତ୍ର କ୍ଷେତ୍ର ଅଭିଜ୍ଞତାରୁ ଜଣାଯାଏ ଯେ ଅନେକ ବିଦ୍ୟାଳୟେର ଭିତ୍ତିଭୂମି ଓ ଶିକ୍ଷକ ଅଭାବ । ଗଣଶିକ୍ଷା ବିଭାଗକୁ ଏକ ଶିକ୍ଷାକ୍ରାନ୍ତିକାରୀ ବିଭାଗ ଭାବେ ଗ୍ରହଣ କରାଗଲେ ପ୍ରାୟ ୬୦ ଭାଗ ଶିକ୍ଷା ଓ ଶିକ୍ଷକ ସମସ୍ୟାର ସମାଧାନ ହୋଇପାରିବ। ସହିଦନଗର, ଭୁବନେଶ୍ବର