ଅଦିନ ତାତି
ଚଳିତବର୍ଷ ରାଜ୍ୟରେ ମୌସୁମି ଯେତେଶୀଘ୍ର ପ୍ରବେଶ କରି ଖୁସି ଆଣିଦେଇଥିଲା, ସେତିକି ଶୀଘ୍ର ଦଗାଦେଇ ଚାଲି ବି ଯାଇଛି। ଏବେ ଅଧିକାଂଶ ଅଞ୍ଚଳରେ ତତଲା ପବନର ଲହରୀ ଲୋକଙ୍କ ଜୀବନଯାତ୍ରାକୁ ବ୍ୟାହତ କରିଛି। ପାଣିପାଗ ବିଶେଷଜ୍ଞମାନେ କହିଲେଣି ଯେ ଏଭଳି ତାତିରୁ ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ନିସ୍ତାର ମିଳିବ ନାହିଁ। ଶୀତଳଷଷ୍ଠୀରେ ବି ଧରଣୀ ଶୀତଳ ନହୋଇ ତତଲା କଡ଼େଇ ପାଲଟିବା ଅଦିନିଆ ଘଟନା କହିଲେ ଭୁଲ୍ ହେବନାହିଁ; କାରଣ ରଜ, ବସୁମତୀ ସ୍ନାନ ଓ ତା’ ପରବର୍ତ୍ତୀ ଦିବସମାନଙ୍କରେ ବେଶି ନହେଲେ ବି ଅଳ୍ପକିଛି ବର୍ଷା ହୋଇଥାଏ, କିନ୍ତୁ ଏ ବର୍ଷ ସେଥିରେ ଘୋର ବ୍ୟତିକ୍ରମ ଦେଖାଦେଇଛି। ରାଜ୍ୟର ସାତଟି ସ୍ଥାନରେ ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ଦକ୍ଷିଣ ଓଡ଼ିଶା, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଉପକୂଳୀୟ ଆନ୍ଧ୍ରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯଦି ସକ୍ରିୟ ହୁଏ, ତା’ହେଲେ ୨୩ ତାରିଖ ପରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହାର ଅର୍ଥ ହେଉଛି ଅନ୍ତତଃ ମାସର ଶେଷ ସପ୍ତାହ ପର୍ଯ୍ୟନ୍ତ ତାତିରୁ ତ୍ରାହି ନାହିଁ।
ତେବେ ଏଭଳି ଅନିମୟିତ ପାଣିପାଗ ଓ ଅଦିନିଆ ତାତି ଓଡ଼ିଶାରେ ଆଗକୁ ଅଧିକ ଅନୁଭୂତ ହେବ ବୋଲି ଏବେ ଏକ ସରକାରୀ ରିପୋର୍ଟରେ କୁହାଯାଇଛି, ଯାହା ନିଶ୍ଚିତ ଧ୍ୟାନଯୋଗ୍ୟ। ୟୁଏନ୍ଡିପି ଓ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ବାରା ପ୍ରସ୍ତୁତ କମ୍ପୋଜିଟ୍ ହାଜାର୍ଡ ଇଣ୍ଡେକ୍ସ (ସିଏଚ୍ଆଇ) ରିପୋର୍ଟରେ ସମଗ୍ର ଦେଶରେ ତତଲା ବାୟୁ (ହିଟ୍ୱେଭ୍)ର ବିପଦ ଓଡ଼ିଶାରେ ସର୍ବାଧିକ ବୋଲି କୁହାଯାଇଛି। ଏପରିକି ୧୯୯୯ ମହାବାତ୍ୟା, ପାଇଲିନ ଭଳି ବାତ୍ୟା ଆଦି ଓଡ଼ିଶାରେ ମଝିମଝିରେ ଆସୁଥିଲେ ହେଁ ବାତ୍ୟା, ବନ୍ୟା କି ଅନ୍ୟ କୌଣସି ପ୍ରାକୃତିକ ବିତ୍ପାତ ନୁହେଁ, ବରଂ ହିଟ୍ୱେଭ୍ ହିଁ ରାଜ୍ୟ ପାଇଁ ସର୍ବାଧିକ ବିପଜ୍ଜନକ ବୋଲି ଏଥିରେ ସ୍ପଷ୍ଟଭାବେ ଦର୍ଶାଯାଇଛି। ଏହି ସୂଚକାଙ୍କ ଅନୁସାରେ ଓଡ଼ିଶା ସମଗ୍ର ଦେଶରେ ୬.୯୫ ଅଙ୍କ ସହ ସର୍ବାଧିକ ଉତ୍ତପ୍ତ ରାଜ୍ୟ ହେବ ବୋଲି କୁହାଯାଇଛି। ରିପୋର୍ଟଟି ଜିଲାୱାରି ତାପମାତ୍ରା ଓ ଆର୍ଦ୍ରତାକୁ ହିସାବକୁ ନେଇ ଏନ୍ଓଏଏ ପଦ୍ଧତିରେ ପ୍ରସ୍ତୁତ କରାଯାଇଛି। ଏହି ସୂଚକାଙ୍କରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଥିବାବେଳେ ଉତ୍ତରପ୍ରଦେଶ ଦ୍ବିତୀୟ ସ୍ଥାନରେ ରହିଛି। ଅତଏବ ଏହି ରିପୋର୍ଟଟି ଯେ ଓଡ଼ିଶା ପାଇଁ ଏକ ଚେତାବନୀ, ସେଥିରେ ସନ୍ଦେହ ନାହିଁ। ଏହାକୁ ଠିକ୍ରୂପେ ଅନୁଧ୍ୟାନ କରି ସରକାର ବାସ୍ତବ ସ୍ଥିତି ପ୍ରତି ଦୃଷ୍ଟି ଦେବା ସହ ନିରାକରଣ ବ୍ୟବସ୍ଥାମାନ ଆପଣାଇବା ଆବଶ୍ୟକ।
ସମଗ୍ର ଭାରତରେ ତାପମାତ୍ରା ବୃଦ୍ଧି ଏକ ଚିନ୍ତାଜନକ ସ୍ଥିତିରେ ପହଞ୍ଚିସାରିଲାଣି। ଆଇଆଇଟି ଦିଲ୍ଲୀ ପକ୍ଷରୁ ଗତ ଶହେବର୍ଷର ତାପମାତ୍ରା ଅଧ୍ୟୟନ କରାଯିବା ପରେ ଯେଉଁ ନିଷ୍କର୍ଷ ବାହାରିଛି, ତା’ର ସାରକଥା ହେଲା ଉତ୍ତରାଖଣ୍ଡରୁ ଜାମ୍ମୁକାଶ୍ମୀର ପର୍ଯ୍ୟନ୍ତ ବ୍ୟାପିଥିବା ପଶ୍ଚିମ ହିମାଳୟ କ୍ଷେତ୍ରର ତାପମାତ୍ରା ବିଗତ ପାଞ୍ଚ ଦଶନ୍ଧି ଭିତରେ ହିଁ ୩ ଡିଗ୍ରୀ ସେଲ୍ସିୟସ୍ ବଢ଼ିଛି। ଏହାର ଗୁରୁତ୍ବକୁ ଠିକ୍ଭାବେ ବୁଝିହେବ, ଯଦି ଆମେ ମନେ ପକାଇବା ଯେ ପ୍ରାୟ ଅଢ଼େଇ ବର୍ଷ ତଳେ ଅନୁଷ୍ଠିତ ପ୍ୟାରିସ ଜଳବାୟୁ ସମ୍ମିଳନୀରେ ଏକବିଂଶ ଶତାବ୍ଦୀ ଶେଷସୁଦ୍ଧା ପୃଥିବୀର ହାରାହାରି ତାପମାତ୍ରାକୁ ୨ ଡିଗ୍ରୀ ସେଲ୍ସିୟସ୍ରୁ ଅଧିକ ବଢ଼ିବାକୁ ନଦେବାର ଲକ୍ଷ୍ୟ ରଖାଯାଇଥିଲା। କେବଳ ପ୍ରାକୃତିକ କାରଣରୁ ବିଶ୍ବ ତାପମାତ୍ରା ବୃଦ୍ଧି ହେଉଛି ବୋଲି ଧରିନେବା ନିର୍ବୋଧତା ହେବ; ଏଥିପାଇଁ ମାନବୀୟ କାରଣ ବି କମ୍ ଦାୟୀ ନୁହେଁ। ରାସ୍ତାରେ ଯାନବାହନ ସଂଖ୍ୟା ବଢ଼ିଚାଲିଥିବାବେଳେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର (ଏସି)ର ବ୍ୟବହାର ମଧ୍ୟ ବୃଦ୍ଧି ପାଉଛି, ଯାହା ତାପମାତ୍ରା ବୃଦ୍ଧିର ଅନ୍ୟତମ ବଡ଼ କାରଣ। ଏହାକୁ ନିୟନ୍ତ୍ରଣ ନକଲେ ଭବିଷ୍ୟତରେ ଏହା ଯେ ଘୋର ଦୁର୍ଦଶାକୁ ଡାକି ଆଣିବ, ସେହି ଆଶଙ୍କା ଆଦୌ ଅମୂଳକ ନୁହେଁ।
ଅପରପକ୍ଷେ, ଆମ ରାଜ୍ୟରେ ବର୍ତ୍ତମାନ ଦେଖାଦେଇଥିବା ଗ୍ରୀଷ୍ମପ୍ରବାହ ଓ ଅନାବୃଷ୍ଟି ଚାଷୀଙ୍କ ପାଇଁ କାଳ ହେବାର ଆଶଙ୍କା ଦେଖାଦେଲାଣି। ଠିକ୍ ସମୟରେ ଯଦି ବର୍ଷା ହୋଇଥାନ୍ତା, ତେବେ ସେମାନେ ବୁଣାବୁଣି କାମ ଆରମ୍ଭ କରିଦେଇଥା’ନ୍ତେ; କିନ୍ତୁ ତାହା ବର୍ତ୍ତମାନ କିମ୍ବା ଆଉ ସପ୍ତାହେ ପର୍ଯ୍ୟନ୍ତ ସମ୍ଭବ ନୁହେଁ। ପାଣିପାଗ ବିଶେଷଜ୍ଞମାନେ ଏବେ ଚାଷୀଙ୍କୁ ଉପଯୁକ୍ତ ବର୍ଷା ନହେବା ପର୍ଯ୍ୟନ୍ତ ଧାନ ନବୁଣିବା ସହ ସ୍ବଳ୍ପମିଆଦି ଧାନବିହନ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି। ଏହା ଅବଶ୍ୟ ପାଳନୀୟ। ତେବେ ରାଜ୍ୟର ଯେଉଁ କେତେକ ସ୍ଥାନରେ ପ୍ରାରମ୍ଭିକ ମୌସୁମୀ ବର୍ଷା ଠିକ୍ ଭାବେ ହୋଇଥିଲା, ସେଠାକାର ଚାଷୀମାନେ ଧାନ ବୁଣିଥିଲେ। ବର୍ଷାଭାବରୁ ଏବଂ ପ୍ରଚଣ୍ଡ ତାତିରେ ସେଗୁଡ଼ିକ ଯେ ନିଶ୍ଚୟ ନଷ୍ଟ ହୋଇଯିବ, ସେଥିରେ ସନ୍ଦେହ ନାହିଁ। ଏହି ସମୟରେ ଚାଷୀମାନଙ୍କୁ ସରକାରଙ୍କ କୃଷି ବିଭାଗ ଓ ସ୍ଥାନୀୟ କୃଷି କାର୍ଯ୍ୟାଳୟର ଅଧିକାରୀମାନେ ଉପଯୁକ୍ତ ପରାମର୍ଶ ଦେବା ଆବଶ୍ୟକ।