ନବୀନକେୟାର୍!
ନିର୍ବାଚନ ସମୟ ପାଖେଇ ଆସିଲେ କ୍ଷମତାସୀନ ସରକାର ନାଗରିକଙ୍କ ମନକୁ ଆକର୍ଷିତ କଲାଭଳି ବିଭିନ୍ନ ପ୍ରକାରର ଲୋଭନୀୟ ଘୋଷଣାମାନ କରିଥାନ୍ତି। ଗତ ମଙ୍ଗଳବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ସ୍ବାଧୀନତା ଦିବସରୁ ଯେଉଁ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି, ତାହା ସେହି ଧରଣର ନୁହେଁ ତ? ବିରୋଧୀ ଏବେ ଏହି ପ୍ରଶ୍ନ ପଚାରୁଛନ୍ତି; କାରଣ ଏହା କେବଳ ସାର୍ବଜନୀନ ସ୍ବାସ୍ଥ୍ୟସେବା ସମ୍ପର୍କିତ ନୁହେଁ; ଏଥିରୁ ରାଜନୀତିର ବାସ୍ନା ବି ଆସୁଛି। କେନ୍ଦ୍ରର ମୋଦୀ ସରକାର ତାଙ୍କଦ୍ବାରା ବହୁ ପ୍ରଚାରିତ ‘ଆୟୁଷ୍ମାନ ଭାରତ- ନେସନାଲ ହେଲ୍ଥ ପ୍ରୋଟେକ୍ସନ ସ୍କିମ୍’ ଦେଶସାରା କାର୍ଯ୍ୟକାରୀ କରିବାକୁ ଘୋଷଣା କରିଥିଲେ ହେଁ ଏଥିରେ ବହୁ ପ୍ରକାରର ଦୁର୍ବଳତା ଦେଖାଇ ନିଜ ଲୋକଙ୍କ ପାଇଁ ଲାଗୁ କରିବାକୁ ଅନେକ ରାଜ୍ୟ ପଛଘୁଞ୍ଚା ଦେଇଛନ୍ତି। ଓଡ଼ିଶା ତନ୍ମଧ୍ୟରୁ ଗୋଟିଏ। ଆମେରିକାର ‘ଓବାମାକେୟାର୍’ ଅନୁକରଣରେ ମୋଦୀଙ୍କ ସ୍ବାସ୍ଥ୍ୟସେବା ଯୋଜନାକୁ ‘ମୋଦୀକେୟାର୍’ ଓ ନବୀନଙ୍କ ନୂତନ ଯୋଜନାକୁ ‘ନବୀନକେୟାର୍’ ବୋଲି କୁହାଯାଉଛି। ତେେବ ଏହି ଦୁଇଟିକୁ ନେଇ ଯେଭଳି ରାଜନୀତି କରାଯାଉଛି, ତାହା ଆଦୌ ସ୍ପୃହଣୀୟ ନୁହେଁ।
ନିକଟରେ ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଏବଂ ପବ୍ଲିକ୍ ହେଲ୍ଥ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ତିନିଜଣ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ବାରା କରାଯାଇଥିବା ଗବେଷଣା ଅନୁସାରେ, ଗୋଟିଏ ବର୍ଷରେ ଦେଶର ପ୍ରାୟ ସାଢ଼େ ପାଞ୍ଚ କୋଟିରୁ ଅଧିକ ଲୋକ ନିଜ ସ୍ବାସ୍ଥ୍ୟ ଉପରେ ଏତେ ଖର୍ଚ କରନ୍ତି ଯେ ସେମାନେ ଆର୍ଥିକ ଦୁଃସ୍ଥତା ଭୋଗିବାକୁ ବାଧ୍ୟ ହୁଅନ୍ତି ଏବଂ ପ୍ରାୟ ୪ କୋଟି ଲୋକ କେବଳ ଔଷଧକିଣା ଖର୍ଚ ବହନ କରୁକରୁ ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲିଯାଆନ୍ତି। ଏହି ତଥ୍ୟକୁ ଦେଖିଲେ ଗୋଟିଏ କଥା ଖୁବ୍ ସ୍ପଷ୍ଟ ଯେ ଦେଶର ଅଧିକାଂଶ ଲୋକଙ୍କ ପାଇଁ ସରକାରୀ ସ୍ବାସ୍ଥ୍ୟସେବା ନିହାତି ଜରୁରୀ ହୋଇପଡ଼ିଥିବାବେଳେ ତାହା ସେମାନଙ୍କୁ ଠିକ୍ ସମୟରେ ମିଳିପାରେ ନାହିଁ। ତେଣୁ ସେମାନେ ଘରୋଇ ଡାକ୍ତରଖାନାକୁ ଯାଇ ତଳିତଳାନ୍ତ ହୁଅନ୍ତି। ଏହି ପରିପ୍ରେକ୍ଷୀରେ ମୋଦୀକେୟାର ଓ ନବୀନକେୟାର ଖୁବ୍ ଗୁରୁତ୍ବପୂର୍ଣ୍ଣ ହୋଇଉଠେ। ତେବେ ଏହି ଦୁଇଟି ଭିତରେ କେତେକ ମୌଳିକ ପାର୍ଥକ୍ୟ ରହିଛି। ପ୍ରଥମ ଓ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ପ୍ରଭେଦଟି ହେଲା ୨୦୧୮-୧୯ରେ କେନ୍ଦ୍ର ବଜେଟରେ ଘୋଷିତ ହୋଇଥିବା ‘ଆୟୁଷ୍ମାନ ଭାରତ’ ଏକ ସ୍ବାସ୍ଥ୍ୟବୀମା ଯୋଜନା, ଯାହା ବାର୍ଷିକ ଗୋଟିଏ ପରିବାର ପାଇଁ ପାଞ୍ଚଲକ୍ଷ ଟଙ୍କାର ବୀମା ସହାୟତା ପ୍ରଦାନ କରିବ। ଏହା ଦେଶର ଦଶକୋଟି ପରିବାର ପାଇଁ କରାଯିବ ବୋଲି ସରକାର ଘୋଷଣା କରିବା ପରେ ସ୍ବଳ୍ପ ବଜେଟ୍ ପାଇଁ ଏହା ଆରମ୍ଭରୁ ହିଁ ସମାଲୋଚିତ ହୋଇଥିଲା। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଘୋଷିତ ଯୋଜନାଟି ସ୍ବାସ୍ଥ୍ୟବୀମା (ଇନ୍ସ୍ୟୁରାନ୍ସ) ଯୋଜନା ନୁହେଁ, ବରଂ ସ୍ବାସ୍ଥ୍ୟ ସୁରକ୍ଷା (ଆସ୍ୟୁରାନ୍ସ) ଯୋଜନା। ଏଥିରେ ସରକାର ବାର୍ଷିକ ପାଞ୍ଚଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଜ୍ୟର ୭୦ ଲକ୍ଷ ପରିବାର ବା ସାଢ଼େ ତିନି କୋଟି ଲୋକଙ୍କୁ ସ୍ବାସ୍ଥ୍ୟ ସୁରକ୍ଷା ଯୋଗାଇବେ। ଏଥିରେ ନଗଦବିହୀନ (କ୍ୟାସ୍ଲେସ୍) ଚିକିତ୍ସାର ବ୍ୟବସ୍ଥା ରହିବ ଏବଂ ରାଜ୍ୟ ଓ ରାଜ୍ୟ ବାହାରର ବଛାବଛା ଡାକ୍ତରଖାନାରେ ରୋଗୀମାନେ ଚିକିତ୍ସିତ ହୋଇପାରିବେ। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏକ ଟ୍ରଷ୍ଟ୍ ଗଠନ କରିବ, ଯାହା ଜରିଆରେ ଡାକ୍ତରଖାନାଗୁଡ଼ିକୁ ଚିକିତ୍ସା ଖର୍ଚ ପ୍ରଦାନ କରାଯିବ।
ମୁଖ୍ୟମନ୍ତ୍ରୀ ଆଉ ଯେଉଁ ଦୁଇଟି ଘୋଷଣା କରିଛନ୍ତି, ତାହା ମଧ୍ୟ କମ୍ ଗୁରୁତ୍ବପୂର୍ଣ୍ଣ ନୁହେଁ। ଏହି ନୂତନ ଯୋଜନା ଅଧୀନରେ ରାଜ୍ୟର ସମସ୍ତ ସ୍ବାସ୍ଥ୍ୟ ଉପକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ସଂପୂର୍ଣ୍ଣ ମାଗଣା ଚିକିତ୍ସା ଉପଲବ୍ଧ ହେବ ଏବଂ କୌଣସି ପ୍ରକାରର ୟୁଜର୍ସ ଫି’ ନିଆଯିବ ନାହିଁ। ଅନ୍ୟଟି ହେଲା ସରକାରୀ ଡାକ୍ତରଖାନାକୁ ଆସୁଥିବା ସମସ୍ତ ପ୍ରସୂତି ଓ ଅସୁସ୍ଥ ଶିଶୁମାନଙ୍କୁ ନିଜ ଗୃହକୁ ଫେରିବା ନିମନ୍ତେ ୫୦୦ ଟଙ୍କା ଯାତାୟାତ ଖର୍ଚ ପ୍ରଦାନ କରାଯିବ।
ଏହି ସମସ୍ତ ଘୋଷଣା ନିଶ୍ଚିତ ଭାବେ ସାର୍ବଜନୀନ ସ୍ବାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ଏକ ବୃହତ୍ ପରିବର୍ତ୍ତନ ଆଣିବାରେ ସମର୍ଥ; କିନ୍ତୁ ତାହା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିବ ତ? ନିର୍ବାଚନକୁ ନଜରରେ ରଖି ହେଉପଛେ, ଯଦି ସରକାର ଘୋଷିତ ଯୋଜନାକୁ ଠିକ୍ଭାବେ ଲାଗୁ କରିପାରିବେ, ତାହା ନିଶ୍ଚୟ ଜନମଙ୍ଗଳକାରୀ ହେବ। ବର୍ତ୍ତମାନ ସୁଦ୍ଧା ଯାହା ମନେହେଉଛି, ସରକାର ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ନିଜକୁ ଠିକ୍ଭାବେ ପ୍ରସ୍ତୁତ କରିନାହାନ୍ତି। ସ୍ବାଧୀନତା ଦିବସ ପୂର୍ବରୁ, ଅର୍ଥାତ ଆସନ୍ତା ଦୁଇମାସ ଭିତରେ ଠୋସ୍ ପଦକ୍ଷେପ ନେଇ ଏଥିପାଇଁ ଅାନୁଷଙ୍ଗିକ ବ୍ୟବସ୍ଥାସବୁ କରାଯିବା ଆବଶ୍ୟକ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ରାଜ୍ୟର ସତୁରି ଶତାଂଶ ଲୋକଙ୍କ ଚିକିତ୍ସା ସୁରକ୍ଷା ପାଇଁ ଯେଉଁ ଖର୍ଚ ହେବ, ତା’କୁ ସରକାର କେଉଁଠୁ ଭରଣା କରିବେ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସରକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନିରାମୟ, ନିଦାନ, ସହାୟ, ସୁନେତ୍ର ଆଦି ବିଭିନ୍ନ ଯୋଜନା ସମେତ ମାଗଣା ଆମ୍ବୁଲାନ୍ସ ସେବା ପ୍ରଚଳନ କରିଛନ୍ତି; କିନ୍ତୁ ଅନେକ ସମୟରେ ଏଗୁଡ଼ିକ ଶାସନ-ପ୍ରଶାସନର ଉଦାସୀନତା ଓ ଅଙ୍ଗୀକାରବଦ୍ଧତା ଅଭାବରୁ ସୁଚାରୁ ରୂପେ କାର୍ଯ୍ୟ କରୁନାହିଁ। ସେହିପରି ଡାକ୍ତରଖାନାଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି ଓ ଯନ୍ତ୍ରପାତି ନଥିବାବେଳେ ଡାକ୍ତର-ସ୍ବାସ୍ଥ୍ୟ କର୍ମଚାରୀ ମଧ୍ୟ ନାହାନ୍ତି। ସରକାର ସ୍ବାସ୍ଥ୍ୟସେବାକୁ ପ୍ରକୃତରେ ଯଦି ସାର୍ବଜନୀନ, ସୁଲଭ ଓ ଗୁଣାତ୍ମକ କରିବାକୁ ଚାହୁଁଥାନ୍ତି, ତେବେ ଏହି ମୌଳିକ ସମସ୍ୟାଗୁଡ଼ିକର ସମାଧାନ କରିବାକୁ ଅଗ୍ରପ୍ରାଧାନ୍ୟ ଦିଅନ୍ତୁ।