ପ୍ରଧାନମନ୍ତ୍ରୀଙ୍କୁ ସୋନିଆଙ୍କ ଚିଠିରେ ଖର୍ଚ୍ଚକାଟ ପ୍ରସ୍ତାବ- ବିଜ୍ଞାପନ ବନ୍ଦ, ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖାଯାଉ
ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚିଠି ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ସୋନିଆଙ୍କ ସମେତ ବିଭିନ୍ନ ରାଜନେତାଙ୍କ ସହିତ ଫୋନ ଯୋଗ କଥା ହୋଇ କରୋନା ମହାମାରୀ ମୁକାବିଲା ଲାଗି ଆବଶ୍ୟକ ପ୍ରସ୍ତାବ ଲୋଡିଥିଲେ। ଏହି ଆଧାରରେ ସୋନିଆ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖି କରୋନା ମୁକାବିଲା ଲାଗି କେତେକ ପ୍ରସ୍ତାବ ଦେଇଛନ୍ତି। ସୋନିଆ ଲେଖିଛନ୍ତି ଯେ କୋଭିଡ-୧୯ର ମୁକାବିଲା ପାଇଁ ପର୍ଯ୍ୟାପ୍ତ ଅର୍ଥର ଆବଶ୍ୟକତା ରହିଛି। ତେଣୁ ବର୍ତ୍ତମାନ ସମୟରେ ସରକାର ଖର୍ଚ୍ଚକାଟ ଉପରେ ସର୍ବାଧିକ ଗୁରୁତ୍ୱ ଦେବା ଦରକାର। ସରକାରୀ ଖର୍ଚ୍ଚକାଟ ଲାଗି ସୋନିଆ ପ୍ରଧାନମନ୍ତ୍ରୀଙ୍କୁ ୫ଟି ପ୍ରସ୍ତାବ ଦେଇଛନ୍ତି। ପ୍ରଥମ ଖର୍ଚ୍ଚକାଟ ପ୍ରସ୍ତାବରେ ୨୦ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକାର ସୌନ୍ଦର୍ଯ୍ୟକରଣ ଓ ନିର୍ମାଣ ପ୍ରକଳ୍ପକୁ ବନ୍ଦ କରିବାକୁ ସୋନିଆ କହିଛନ୍ତି। ଏହି ଅର୍ଥକୁ କୋଭିଡ-୧୯ର ମୁକାବିଲା ଲାଗି ବିନିଯୋଗ କରାଯାଉ। ଦ୍ୱିତୀୟରେ ଆଗାମୀ ୨ବର୍ଷ ପାଇଁ ଗଣମାଧ୍ୟମରେ କୌଣସି ସରକାରୀ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ବିଜ୍ଞାପନ ପ୍ରକାଶନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଉ। ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମ ସହିତ ଅନଲାଇନ ବିଜ୍ଞାପନକୁ ନିଷିଦ୍ଧ କରାଯାଉ। ତୃତୀୟରେ କେନ୍ଦ୍ର ସରକାରଙ୍କ ବଜେଟ ଖର୍ଚ୍ଚକୁ ୩୦ପ୍ରତିଶତ ହ୍ରାସ କରାଯାଉ। ସରକାରୀ କର୍ମଚାରୀଙ୍କ ଦରମା ଓ ପେନସନ ବ୍ୟତୀତ ଅନ୍ୟ ସମସ୍ତ ବଜେଟକୁ ୩୦% ହ୍ରାସ କରାଯାଉ ବୋଲି ସୋନିଆ ଲେଖିଛନ୍ତି। ଚତୁର୍ଥରେ ସମସ୍ତ ପ୍ରକାର ସରକାରୀ ବିଦେଶ ଗସ୍ତକୁ ସ୍ଥଗିତ ରଖାଯାଉ। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟମନ୍ତ୍ରୀ ଓ ଅମଲାତନ୍ତ୍ର ଅଧିକାରୀଙ୍କ ବିଦେଶଗସ୍ତକୁ ସ୍ଥଗିତ ରଖିବା ଲାଗି ସେ ପ୍ରସ୍ତାବ ଦେଇଛନ୍ତି। ତେବେ ଜାତୀୟ ସ୍ୱାର୍ଥ ସମ୍ବଳିତ କିମ୍ବା ଜରୁରୀ ଆବଶ୍ୟକତା କ୍ଷେତ୍ରରେ ଆବଶ୍ୟକ ବିଦେଶଗସ୍ତକୁ ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଅନୁମତି ଦିଆଯିବ। ପଞ୍ଚମରେ କରୋନା ପାଇଁ ଗଠିତ ପାଣ୍ଠି ‘ପିଏମ୍ କେୟାର୍ସ’ର ସମସ୍ତ ଅର୍ଥକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିକୁ ସ୍ଥାନାନ୍ତର କରାଯାଉ। ଯଦ୍ଦ୍ୱାରା ଏହି ଅର୍ଥର ଉପଯୁକ୍ତ ବିନିଯୋଗ ସହିତ ଏଥିରେ ସ୍ୱଚ୍ଛତା ବଜାୟ ରହିବ। ଏହି ପାଣ୍ଠି କେଉଁ ଉପାୟରେ କେତେ ଖର୍ଚ୍ଚ ହୋଇଛି ତାହାର ଉପଯୁକ୍ତ ଅଡିଟ୍ କରାଯାଇପାରିବ।
ସୋନିଆଙ୍କ ଏହିସବୁ ପ୍ରସ୍ତାବକୁ ନେଇ ଆଗାମୀ ଦିନରେ ରାଜନୈତିକ ବିବାଦ ସୃଷ୍ଟି କରିବାର ସମ୍ଭାବନା ରହିଛି। କାରଣ କରୋନ ମୁକାବିଲା ପାଇଁ ସରକାର ପିଏମ୍ କେୟାର୍ସ ନାମରେ ପାଣ୍ଠି ସଂଗ୍ରହ କରୁଥିବାବେଳେ କଂଗ୍ରେସ ଏହା ଉପରେ ପ୍ରଶ୍ନ ଉଠାଇ ଆସିଛି। କଂଗ୍ରେସ ସାଂସଦ ଶଶୀ ଥରୁର୍ ପ୍ରଥମେ ଏହା ଉପରେ ପ୍ରଶ୍ନ ଉଠାଇଥିଲେ। ୧୯୪୮ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି ଗଠନ କରିଥିଲେ। ଏଥିପାଇଁ ଗଠିତ ବୋର୍ଡରେ କଂଗ୍ରେସ ଅଧ୍ୟକ୍ଷଙ୍କୁ ସ୍ଥାୟୀ ସଦସ୍ୟ ରଖାଯାଇଛି। ତେବେ ପିଏମ୍ କେୟାର୍ସ ପାଇଁ ଗଠିତ ବୋର୍ଡରେ ପ୍ରଧାନମନ୍ତ୍ରୀଙ୍କ ସହିତ ସ୍ୱରାଷ୍ଟ୍ରମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ସଦସ୍ୟ ରହିଛନ୍ତି। ବିଜେପି କହିଛି ଯେ ପିଏମ୍ କେୟାର୍ସ ବୋର୍ଡରୁ କଂଗ୍ରେସ ଅଧ୍ୟକ୍ଷଙ୍କୁ ସଦସ୍ୟ ରଖା ନଯିବାରୁ ଏହା ଉପରେ ପ୍ରଶ୍ନ ଉଠାଯାଉଛି। କରୋନା ପାଇଁ ପାଣ୍ଠିର ଜରୁରୀ ଆବଶ୍ୟକତା ଥିବାବେଳେ ଏଥିପାଇଁ ଅର୍ଥ ମଞ୍ଜୁର କରିବାକୁ ବୋର୍ଡ ବୈଠକ ଡକାଇ ଅନୁମୋଦନ କରାଇବା ସମୟ ସାପେକ୍ଷ।
କରୋନା ଲଢେଇ ପାଇଁ ଆବଶ୍ୟକ ଅର୍ଥ ଯୋଗାଡ ପୂର୍ବକ ସରକାର ସମସ୍ତ ସାଂସଦଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିକୁ ୨ବର୍ଷ ପାଇଁ ସ୍ଥଗିତ ରଖିଛନ୍ତି। ଏହା ସହିତ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟପାଳ, ସମସ୍ତ କେନ୍ଦ୍ରମନ୍ତ୍ରୀ ଓ ସାସଂଦଙ୍କ ଦରମାକୁ ୧ବର୍ଷ ପାଇଁ ୩୦% ଲେଖାଏଁ ହ୍ରାସ କରାଯାଇଛି। ସାଂସଦ ଉନ୍ନୟନ ପାଣ୍ଠି ସ୍ଥଗିତ ବାବଦକୁ ସରକାର ୭,୯୦୦କୋଟି ଟଙ୍କା ପାଇବାକୁ ଥିବାବେଳେ ଦରମା କାଟ ବାବଦକୁ ୨୯କୋଟି ଟଙ୍କା ପାଇବେ।
Comments are closed.