ଶାନ୍ତିର ଶୁଭଶଙ୍ଖ
ଟଳିଛି ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା। ଏକାଠି ହୋଇଛନ୍ତି ଆମେରିକା ଓ ଉତ୍ତର କୋରିଆର ଦୁଇ ମୁଖ୍ୟ ଦ୍ୱୟ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଉତ୍ତର କୋରିଆର ଶାସନ ମୁଖ୍ୟ କିମ୍ ଜଙ୍ଗ୍ ଉନ୍ ଉଭୟ ଯୁଦ୍ଧଖୋର ମାନସିକତାର ମହାନାୟକ। ସମୁଦାୟ ପୃଥିବୀକୁ ନିଜ ଅଧୀନରେ ରଖିବାକୁ ଚାହୁଁଥିବା ସାମ୍ରାଜ୍ୟବାଦୀ ରାଷ୍ଟ୍ର ମହାଶକ୍ତିଶାଳୀ ଆମେରିକା ଓ ଅନ୍ୟଟି ନିଜେ ସର୍ବକ୍ଷମସଂପନ୍ନ ବୋଲି ବିଚାରୁଥିବା ଏକ ପରମାଣୁ କ୍ଷମତାଧାରୀ କ୍ଷୁଦ୍ରରାଷ୍ଟ୍ର ଉତ୍ତର କୋରିଆ। ଆଣବିକ ଶକ୍ତିଧାରୀ ହେତୁ ପିମ୍ପୁଡ଼ି ହୋଇ ମଧ୍ୟ ରୁଖା ଉପରକୁ ଚଢି ବିଶାଳ ଭୂଖଣ୍ଡକୁ ନିମିଷକେ ଧୂଳିସାତ୍ କରିବାକୁ ବାରମ୍ବାର ଧମକପ୍ରଦାନକାରୀ ଉତ୍ତର କୋରିଆର ସ୍ୱେଚ୍ଛାଚାରୀ ଶାସକ କିମ୍। କିମ୍ ଏବେ ଯୁଦ୍ଧଖୋର ମାନସିକତାରୁ ଓହରି ଶାନ୍ତି ପାଇଁ ଚେଷ୍ଟିତ। ସିଙ୍ଗାପୁରସ୍ଥିତ ସେଣ୍ଟୋସା ଦ୍ୱୀପର କପେଲ୍ଲା ହୋଟେଲ ରଚିଛି ବିଶ୍ୱଶାନ୍ତିର ମଞ୍ଚ। ଉଭୟ ନେତାଙ୍କ ଶାନ୍ତି ପାଇଁ ପ୍ରତିଶ୍ରୁତି ବିଶ୍ୱବାସୀଙ୍କୁ କରିଛି ଆଶ୍ୱସ୍ତ।
ଅତୀତରେ ଗୋଟିଏ ପରେ ଗୋଟିଏ କ୍ଷେପଣାସ୍ତ୍ର ସହ ଉଦ୍ଯାନ ବୋମା ପରୀକ୍ଷଣ କରି କେବଳ ଆମେରିକା ନୁହେଁ; ପୃଥିବୀର ସମସ୍ତ ରାଷ୍ଟ୍ରଙ୍କ ଚିନ୍ତା ବଢାଇଥିବା କିମ୍ ଶେଷରେ ସିଙ୍ଗାପୁର ଶାନ୍ତି ଟେବୁଲରେ ବସି ଟ୍ରମ୍ପ୍ଙ୍କ ସହ ବାର୍ତ୍ତାଳାପ କରିବା କେବଳ ରଣଦୁନ୍ଦୁଭି ଆତଙ୍କିତ ବିଶ୍ୱ ଲାଗି ଏକ ଆଶ୍ୱସ୍ତି ଆଣିନାହାନ୍ତି; ବରଂ ପରମାଣୁ ନିରସ୍ତ୍ରୀକରଣ ଦିଗରେ ଦୀର୍ଘସ୍ଥାୟୀ କାର୍ଯ୍ୟକ୍ରମ ହାତକୁ ନେବାଲାଗି ଏକମତ ହୋଇଛନ୍ତି। କେବଳ ଶାନ୍ତି ନୁହେଁ; ଦୁଇ ପଡୋଶୀ ରାଷ୍ଟ୍ର ଦକ୍ଷିଣ କୋରିଆ ଓ ଉତ୍ତର କୋରିଆ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ଲାଗି ଏହି ଐତିହାସିକ ଆଲୋଚନା ଏକ ମାଇଲଖୁଣ୍ଟ ପ୍ରମାଣିତ ହୋଇଛି। ନିଜନିଜ ଜିଦ୍ରୁ ଉଠି ଉଭୟପକ୍ଷ ସର୍ତ୍ତ ପୂରଣ କରିବାକୁ ରାଜି ହେବା ଶାନ୍ତିପଥରେ ଏକ ବଡ଼ ସଫଳତା। ଦୀର୍ଘ ୮୦ ବର୍ଷ ଧରି ଦକ୍ଷିଣ କୋରିଆ-ଉତ୍ତର କୋରିଆ ମଧ୍ୟରେ ବିସମ୍ବାଦ ଦୂର ଲାଗି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଗୋଟିଏ ପଟେ ଆଣବିକ ନିରସ୍ତ୍ରୀକରଣ ପାଇଁ ଉତ୍ତର କୋରିଆ ରାଜି ହୋଇଥିବାସ୍ଥଳେ ଦକ୍ଷିଣ କୋରିଆକୁ ସାମରିକ ସହାୟତା ଓ ମିଳିତ ସମରାଭ୍ୟାସ ବନ୍ଦ କରିବା ଲାଗି ଆମେରିକା ରାଜି ହୋଇଛି।
ସବୁଠାରୁ ବଡ଼ କଥା ହେଉଛି; କଥାକଥାକେ ଆଣବିକ ଶକ୍ତି ପ୍ରୟୋଗର ଧମକ ଦେଉଥିବା କିମ୍ଙ୍କ ମତ ପରିବର୍ତ୍ତନ ମନ୍ତବ୍ୟ। ଟ୍ରମ୍ପ୍ଙ୍କ ସହ ବୈଠକ ପରେ ବିଶ୍ୱ ଏକ ବୃହତ୍ ପରିବର୍ତ୍ତନ ଦେଖିବାକୁ ଯାଉଛି ବୋଲି କିମ୍ଙ୍କ ବିବୃତି ପୃଥିବୀକୁ ଶାନ୍ତିମୁହାଁ କରିଛି। ଅନ୍ୟପକ୍ଷରେ ଏହି ଐତିହାସିକ ବୈଠକରେ ଯଥେଷ୍ଟ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ଟ୍ରମ୍ପ୍। ଆଶାଠାରୁ ବୈଠକ ଅଧିକ ସକାରାତ୍ମକ ରହିଥିବା ସେ ଟ୍ୱିଟ୍ କରି ସମସ୍ତଙ୍କୁ ଜଣାଇଛନ୍ତି। ଦୁଇ ନେତାଙ୍କ ଶାନ୍ତିପ୍ରୟାସୀ ଉଦ୍ୟମକୁ ବିଶ୍ୱବ୍ୟାପୀ ସ୍ୱାଗତ ଓ ଅଭିନନ୍ଦନ କରାଯାଇଛି। ଟ୍ରମ୍ପ ମଧ୍ୟ କିମ୍ଙ୍କୁ ଏକପ୍ରକାର ସୁରକ୍ଷାର ଅଭୟବର ଦେଇଛନ୍ତି। ଫଳରେ କୋରିଆ ଉପଦ୍ୱୀପରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତିର ବସ୍ତୁତଃ ଅବସାନ ଘଟିଛି।
ଏଭଳି ଏକ ଆଲୋଚନାକୁ ନେଇ ପୂର୍ବରୁ ଯେଉଁ ଆଶା ଓ ଆଶଙ୍କାର ଅଙ୍କ କଷାଯାଉଥିଲା ସେଥିରେ ଅନ୍ତତଃପକ୍ଷେ ଏକପ୍ରକାର ସଫଳତା ଆସିଛି। ଟ୍ରମ୍ପ୍ଙ୍କ ଟ୍ୱିଟ୍ ହେଉଛି- ଶାନ୍ତି ଲାଗି ଉଭୟ ଆମେ ଭୂପତିତ ହୋଇଛୁ। ଆଗକୁ ଦୀର୍ଘପଥ ଅତିକ୍ରମ କରିବାକୁ ବାକି ଅଛି। ଅତୀତରେ ଆମେରିକାର କୌଣସି ରାଷ୍ଟ୍ରପତି ଓ ଉତ୍ତର କୋରିଆର ଶାସନ ମୁଖ୍ୟଙ୍କ ମଧ୍ୟରେ ଏଭଳି ଏକ ଆଲୋଚନାର ହୁଏତ ନଜିର ନାହିଁ। ସତେଯେମିତି ଦଶନ୍ଧିଦଶନ୍ଧି ଧରି ଦୁଇ ରାଷ୍ଟ୍ର ମଧ୍ୟରେ ଜମିରହିଥିବା ହିଂସା, ଦ୍ୱନ୍ଦ୍ୱ ଓ ଶତ୍ରୁତା ରୂପୀ ବରଫର ପାହାଡ଼ ଏବେ ବିଶ୍ୱାସ ଓ ସହନଶୀଳତାର ଅଂଶୁରେ ତରଳିବା ଆରମ୍ଭ କରିଛି। ସମଗ୍ର ଭୂଖଣ୍ଡ ଲାଗି ଏହା ଏକ ନୂଆ ଆଶା ଓ ସମ୍ଭାବନାର ନବୋଦୟ ଘଟାଇଛି। ଆଗକୁ ଉଭୟ ଧ୍ୱଂସ ନୁହେଁ; ସର୍ଜନାର ମଞ୍ଜି ବୁଣିବେ। ପ୍ରାଚ୍ୟ ହେଉ ବା ପାଶ୍ଚାତ୍ୟ; ଯେଉଁ ପଡୋଶୀ ଦେଶମାନଙ୍କ ମଧ୍ୟରେ ଭୂଖଣ୍ଡକୁ ନେଇ ଦୀର୍ଘଦିନର ବିବାଦ ଓ ପାରସ୍ପରିକ ଶତ୍ରୁତା ଲାଗିରହିଛି ସେମାନଙ୍କ ଲାଗି ଏହା ଆଣିଛି ଏକ ମହାଶିକ୍ଷା। ଯୁଦ୍ଧଂଦେହି ଡାକରା ନୁହେଁ; ବରଂ ଶାନ୍ତି ବାର୍ତ୍ତାଳାପରେ ଯେ ସେସବୁର ସମାଧାନ ହୋଇପାରିବ ଏଭଳି ଏକ ବିଶ୍ୱାସ, ଭରସା ଓ ପରମ୍ପରା ସୃଷ୍ଟି କରିଛି ଟ୍ରମ୍ପ୍-କିମ୍ ଆଲୋଚନା। କେହି ଜନ୍ମଗତ ଶତ୍ରୁ ନୁହନ୍ତି; ପରିସ୍ଥିତି ଓ ଅବସ୍ଥା ଏଭଳି ମୋଡ଼କୁ ସମସ୍ତଙ୍କୁ ଠେଲିନେଇଛି; ତାହା ବୁଝିବାକୁ ପଡିବ।
ସମସ୍ୟା ଅଥବା ଦ୍ୱନ୍ଦ୍ୱ ଯାହା ହେଉନା କାହିଁକି, ଯୁଦ୍ଧ ନୁହେଁ; ଶାନ୍ତି ହିଁ ଏକମାତ୍ର ବିକଳ୍ପ। ଏହା ପୁଣିଥରେ ପ୍ରମାଣିତ କରିଛି ଟ୍ରମ୍ପ୍ ଓ କିମ୍ଙ୍କ ଯୁଗଳବନ୍ଦୀ ବାର୍ତ୍ତା। ଯୁଦ୍ଧର ବିଜୟ ଧ୍ୱଂସର ପାଉଁଶଗଦାରେ ଛିଡ଼ା ହୋଇ ପାଳନ କରାଯାଏ, ଯେଉଁଠି ଥାଏ ହତାଶା ଓ ଅଭାବବୋଧ; ମାତ୍ର ଶାନ୍ତିର ବିଜୟରେ ବାଜେ ସାମଗ୍ରିକ ସହାବସ୍ଥାନ ଓ ଶାନ୍ତି-ସୌହାଦର୍ଦ୍ଦ୍ୟ ଶୁଭଶଙ୍ଖ।