ଫୁଟ୍‍ବଲ ବିଶ୍ୱକପ୍‍ ଆଜିଠାରୁ

0
  • ରୁଷିଆ-ସାଉଦି ଆରବ ପ୍ରଥମ ମୁକାବିଲା 

  • ଭାଗ ନେଇଛନ୍ତି ୬ ମହାଦେଶର ୩୨ ଦଳ

ମସ୍କୋ  : ଗୁରୁବାରଠାରୁ ଆରମ୍ଭ ହେଉଛି ବିଶ୍ୱର ସବୁଠାରୁ ଲୋକପ୍ରିୟ ଏବଂ ବହୁ ପ୍ରତୀକ୍ଷିତ କ୍ରୀଡ଼ା ପ୍ରତିଯୋଗିତା ଫିଫା ଫୁଟ୍‍ବଲ ବିଶ୍ୱକପ୍‍। ଏହାର ୨୧ତମ ସଂସ୍କରଣ ରୁଷିଆରେ ଅନୁଷ୍ଠିତ ହେଉଛି। ଗୁରୁବାର ଗୋଟିଏ ମ୍ୟାଚ୍‍ ଥିବା ବେଳେ ଏଥିରେ ଆୟୋଜକ ରୁଷିଆର ମୁକାବିଲା ହେବ ସାଉଦି ଆରବ ସହ। ୩୨ ଦିନ ଧରି ଏହି ଫୁଟ୍‍ବଲ ମହାକୁମ୍ଭ ଚାଲିବ ଏବଂ ଜୁଲାଇ ୧୫ରେ ଫାଇନାଲ ମ୍ୟାଚ୍‍ ଖେଳାଯିବ। ୬ଟି ମହାଦେଶର ୩୨ଟି ଦଳ ଏହି ବିଶ୍ୱକପ୍‍ ଖେଳୁଛନ୍ତି ଏବଂ ସେମାନଙ୍କୁ ୮ଟି ଗ୍ରୁପ୍‍ରେ ରଖାଯାଇଛି। ପ୍ରତି ଗ୍ରୁପ୍‍ରୁ ୨ଟି ଲେଖାଏଁ ଦଳ ପ୍ରିକ୍ୱାର୍ଟରଫାଇନାଲରେ ପହଞ୍ଚିବେ। ଏହି ବିଶ୍ୱକପ୍‍କୁ ନେଇ ଏବେ ସାରାବିଶ୍ୱରେ ଫୁଟ୍‍ବଲ ଫିଭର ଏବଂ ଆମଦେଶ ଫିଫା ମାନ୍ୟତାରେ ୯୭ତମ ସ୍ଥାନରେ ଥିଲେ ହେଁ ଏଠାରେ ମଧ୍ୟ ଫୁଟ୍‍ବଲ ବିଶ୍ୱକପ୍‍କୁ ନେଇ ସମସ୍ତେ ମତୁଆଲା।

ବିଶ୍ୱର ଦୁଇ କ୍ଷୁଦ୍ର ଦେଶ ପାନାମା ଓ ଆଇସ୍‍ଲାଣ୍ଡ ପ୍ରଥମଥର ପାଇଁ ବିଶ୍ୱକପ୍‍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ତେବେ ପୂର୍ବ ଚମ୍ପିଆନ୍‍ ଇଟାଲୀ ସହ ଚିଲି, ତୁର୍କୀ, କାମେରୁନ୍‍, ଘାନା, ଆଲ୍‍ଜେରିଆ, ଇକ୍ୱେଡର, ଭେନେଜୁଏଲା ଓ ଆୟରଲାଣ୍ଡ ପରି ନାମୀ ଫୁଟ୍‍ବଲ ଦଳ ଏହି ବିଶ୍ୱକପ୍‍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିନାହାନ୍ତି। ରୁଷିଆର ୧୧ଟି ସହରର ୧୨ଟି ଷ୍ଟାଡିୟମ୍‍ରେ ଏହି ବିଶ୍ୱକପ୍‍ର ୬୪ଟି ମ୍ୟାଚ୍‍ ଖେଳାଯିବ। ବିଶ୍ୱକପ୍‍ ଦେଖିବା ପାଇଁ ସାରାବିଶ୍ୱରୁ ଫୁଟ୍‍ବଲପ୍ରେମୀ ରୁଷିଆରେ ପହଞ୍ଚିବାକୁ ଆରମ୍ଭ କରିଛନ୍ତି। ବିଶ୍ୱକପ୍‍ ଭଳି ମେଗା ଟୁର୍ଣ୍ଣାମେଣ୍ଟକୁ
ଦେଖି ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିମାନ ବନ୍ଦରଠାରୁ ଷ୍ଟାଡିୟମ୍‍ ଓ ରାସ୍ତାଘାଟ- ସବୁଠାରେ ନିରାପତ୍ତାରକ୍ଷୀଙ୍କ କଡ଼ା ପହରା। କେବଳ ଫୁଟ୍‍ବଲପ୍ରେମୀ ନୁହଁନ୍ତି; ବିଭିନ୍ନ ଦେଶର ରାଷ୍ଟ୍ରନେତା ମଧ୍ୟ ରୁଷିଆକୁ ଆସିବାର କାର୍ଯ୍ୟକ୍ରମ ରହିଛି। ଏକ ଦଶନ୍ଧି ତଳେ ପ୍ରଥମଥର ପାଇଁ ଫୁଟ୍‍ବଲ ବିଶ୍ୱକପ୍‍ ଆୟୋଜନ ଅଧିକାର ପାଇବା ପରଠାରୁ ରୁଷିଆ ଏହାକୁ ସଫଳ କରିବା ପାଇଁ ଦିନରାତି ଏକ କରିଦେଇଛି। ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ପାଇଁ ରୁଷିଆ ୧୩୦୦୦ ନିୟୁତ ଡଲାର ଖର୍ଚ୍ଚ କରିସାରିଛି।
ଏଥର ବିଶ୍ୱକପ୍‍ କିଏ ଜିତିବ; ସେ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସର୍ବାଧିକ ୫ ଥର ଟାଇଟଲ ଜିତିଥିବା ବ୍ରାଜିଲ ନିଶ୍ଚିତ ଭାବେ ଏଥର ବଡ଼ ଫେଭରିଟ୍‍। ବ୍ରାଜିଲ ମଧ୍ୟ ଏବେ ଭଲ ଫର୍ମରେ ଅଛି। ଗତଥରର ଚମ୍ପିଆନ୍‍ ଜର୍ମାନୀ ମଧ୍ୟ ୫ମ ଟାଇଟଲ ଜିତି ବ୍ରାଜିଲର ସମକକ୍ଷ
ହେବାକୁ ଆଶାବାଦୀ। ଯୋଗ୍ୟତା ପର୍ଯ୍ୟାୟରେ ଜର୍ମାନୀ ଚମତ୍କାର ପ୍ରଦର୍ଶନ କରି ଅନ୍ୟତମ ଫେଭରିଟ୍‍ ଭାବେ ଉଭାହୋଇଛି। ଅନ୍ୟ ୟୁରୋପୀୟ ଦେଶ ସ୍ପେନ୍‍ ଦଳରେ ସେପରି ବଡ଼ ତାରକା ଖେଳାଳି ନଥିଲେ ହେଁ ଦଳଗତ ଭାବେ ଏହା ବହୁତ ଶକ୍ତିଶାଳୀ। ୨୦୧୦ରେ ଚମ୍ପିଆନ୍‍ ହୋଇଥିବା ସ୍ପେନ୍‍ ଦଳ ମଧ୍ୟ ଯୋଗ୍ୟତା ପର୍ଯ୍ୟାୟରେ କୌଣସି ମ୍ୟାଚ୍‍ ହାରିନାହିଁ। ୧୯୯୦ରେ ନିଜଦେଶରେ ଏକମାତ୍ର ବିଶ୍ୱକପ୍‍ ଜିତିଥିବା ଫ୍ରାନ୍‍ସକୁ ମଧ୍ୟ ଦୁର୍ବଳ ମଣିବା ଠିକ୍‍ ହେବନାହିଁ। ଫ୍ରାନ୍‍ସ ଦଳରେ ଆଣ୍ଟୋଏନ୍‍ ଗ୍ରିଜ୍‍ମ୍ୟାନ୍‍, ଔସ୍‍ମାନେ ଡିମ୍ବେଲେ ଓ ପଲ୍‍ ପୋଗ୍‍ବାଙ୍କ ପରି ନାମୀ ଖେଳାଳି ରହିଛନ୍ତି। ୨ଥର ବିଶ୍ୱ ଚମ୍ପିଆନ୍‍ ଆଖ୍ୟା ଅର୍ଜନ କରିଥିବା ଆର୍ଜେଣ୍ଟିନା ପାଖରେ ମଧ୍ୟ ଚମ୍ପିଆନ୍‍ ହେବାର ସମସ୍ତ ଗୁଣ ରହିଛି। ୪ ବର୍ଷ ତଳେ ଫାଇନାଲରେ ଅତିରିକ୍ତ ସମୟରେ ଜର୍ମାନୀଠାରୁ ହାରି ଅଳ୍ପକେ ଚମ୍ପିଆନ୍‍ ହେବାରୁ ବଞ୍ଚିତ ହୋଇଥିଲା ଆର୍ଜେଣ୍ଟିନା। ଜୀବନର ଅନ୍ତିମ ବିଶ୍ୱକପ୍‍ ଖେଳିବାକୁ ଯାଉଥିବା ମେସି ଦଳକୁ ଶୀର୍ଷରେ ପହଞ୍ଚାଇବାକୁ ନିଶ୍ଚୟ ଉଦ୍ୟମ କରିବେ। ବେଲ୍‍ଜିୟମ୍‍ ଦଳକୁ ଏହି ବିଶ୍ୱକପ୍‍ରେ ଡାର୍କ ହର୍ସ ବୋଲି କୁହାଯାଉଛି। ଦଳରେ ଏଡେନ୍‍ ହାଜାର୍ଡ, ରୋମେଲୁ ଲୁକାକୁ ଓ କେଭିନ୍‍ ଡି ବ୍ରୁଇନ୍‍ଙ୍କ ପରି ନାମୀ ଖେଳାଳି ଅଛନ୍ତି। ଏହି ୬ଟି ଦଳଙ୍କୁ ଛାଡ଼ି ପର୍ତ୍ତୁଗାଲ, ଉରୁଗୁଏ, ଇଂଲଣ୍ଡ ଓ ଡେନ୍‍ମାର୍କ ପରି ଦଳ ମଧ୍ୟ ଟାଇଟଲ ଜିତିବାରେ ସକ୍ଷମ। ରୁଷିଆମାଟିରେ ମୁଖ୍ୟତଃ ଲିଓନେଲ ମେସି ଓ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍‍ଡୋଙ୍କ ମଧ୍ୟରେ ମୁକାବିଲା ହେବ। ଏଦୁହିଁଙ୍କ ମଧ୍ୟରୁ ପ୍ରକୃତ ସୁପରଷ୍ଟାର କିଏ; ତାହା ଏହି ବିଶ୍ୱକପ୍‍ ସ୍ଥିରକରିବ। ଶେଷରେ ଏତିକି କହିବାକୁ ହେବ ଯେ ମାସାଧିକ କାଳ ସାରାବିଶ୍ୱର କ୍ରୀଡ଼ାପ୍ରେମୀ ଏହି ଫୁଟ୍‍ବଲ ମହୋତ୍ସବର ମଜାନେବେ।

Leave A Reply