ଗରିବ ଜନତାଙ୍କୁ ସୁରକ୍ଷା ମିଳିବ : ଧର୍ମେନ୍ଦ୍ର

ନୂଆଦିଲ୍ଲୀ : କରୋନା ଭୂତାଣୁ ଯୋଗୁଁ ଦେଶକୁ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଲକ୍ଷ ୭୦ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଥିବାରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ସରକାରଙ୍କ ଏହି ଘୋଷଣା ଲକ୍‌ ଡାଉନ୍‌ରେ ସଙ୍କଟରେ ଥିବା ଗରିବ ଜନତାଙ୍କୁ ଖାଦ୍ୟ ଓ ଆର୍ଥିକ ସୁରକ୍ଷା ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଭୂତପୂର୍ବ ସମୟ ଅଭୂତପୂର୍ବ ପଦକ୍ଷେପ ପାଇଁ ଆହ୍ବାନ କରେ। ଆହ୍ବାନମୂଳକ ସମୟରେ ଦାୟିତ୍ବବାନ ଶାସନର ଉଦାହରଣ ହୋଇଛନ୍ତି ମୋଦୀ ସରକାର। ଗୁରୁବାର ଘୋଷିତ ଅନେକ ପଦକ୍ଷେପ ଗ୍ରାମୀଣ ତଥା ସହରାଞ୍ଚଳର ଗରିବ, କୃଷକ, ସ୍ବାସ୍ଥ୍ୟ କର୍ମୀ, ପ୍ରବାସୀ ଶ୍ରମିକ, ବରିଷ୍ଠ ନାଗରିକ ତଥା ସମାଜର ଅନ୍ୟାନ୍ୟ ଦୁର୍ବଳ ଶ୍ରେଣୀଙ୍କ ଉପରେ କରୋନା ମହାମାରୀର ଆର୍ଥିକ ସମସ୍ୟାକୁ ହ୍ରାସ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଯୋଜନାରେ ବ୍ୟାଙ୍କ ଖାତାରେ ଅର୍ଥ ପ୍ରଦାନ, ବୀମା କଭର, ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ସମସ୍ତ ହିତାଧିକାରୀଙ୍କୁ ମାଗଣାରେ ତିନୋଟି ଏଲପିଜି ସିଲିଣ୍ଡର ଆଗାମୀ ୩ ମାସ ପାଇଁ ଯୋଗାଇବା ଓ ଅନ୍ୟ ନିଷ୍ପତ୍ତି ଲକ୍ଷାଧିକ ଗରିବ ଲୋକଙ୍କୁ ଲାଭ ଦେବ ବୋଲି ସେ କହିଛନ୍ତି।
ଆମେ ଏକାଠି ଅଛୁ, ଆମେ ଏହି ଅଦୃଶ୍ୟ ଶତ୍ରୁ ସହିତ ଲଢ଼ିବା ଏବଂ ବିଜୟୀ ହେବା। ସରକାରଙ୍କ ପକ୍ଷରୁ ଦେଶର ଅର୍ଥନୀତି ଏବଂ ସମାଜ ଉପରେ ନକାରାତ୍ମକ ପ୍ରଭାବକୁ କମ୍‌ କରିବାକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି।

Comments are closed.