କରୋନା ମୁକାବିଲା ପାଇଁ ସିନ୍ଧୁ ଦେଲେ ୧୦ ଲକ୍ଷ ଟଙ୍କା

ହାଇଦରାବାଦ୍‌ : କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ବିଶ୍ବବ୍ୟାପୀ ଭୟାବହ ପରିସ୍ଥିତି ହୋଇଥିବା ବେଳେ ସଂକ୍ରମଣ ଯେପରି ନ ବ୍ୟାପେ ସେଥିପାଇଁ ବିଭିନ୍ନ ଦେଶର ସରକାର ନାନା ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିସହ ସଂକ୍ରମିତଙ୍କ ଚିକିତ୍ସା ପାଇଁ ସରକାରଙ୍କ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ସେହିପରି ଖଟିଖିଆ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ବ୍ୟକ୍ତି ଯେପରି ତାଲାବନ୍ଦୀ ପରିସ୍ଥିତିରେ ଭୋକିଲା ନ ରୁହନ୍ତୁ ସେଥିପାଇଁ ମଧ୍ୟ ବିଭିନ୍ନ ଦେଶ ଓ ରାଜ୍ୟ ସରକାରମାନେ ପଦକ୍ଷେପ ଗ୍ରହଣ କରୁଛନ୍ତି। ଡାକ୍ତରଖାନାରେ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ପାଇଁ ମଧ୍ୟ ନାନା ପଦକ୍ଷେପ ହାତକୁ ନେଇଛନ୍ତି ସରକାର। ଏ ସବୁ ପାଇଁ ସରକାରଙ୍କୁ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଆଗେଇ ଆସିଛନ୍ତି କ୍ରୀଡ଼ାବିତ୍‌, ସେଲିବ୍ରେଟି ଓ ଥିଲାବାଲା ଲୋକେ।
ମହିଳା ସିଙ୍ଗଲ୍‌ସରେ ବିଶ୍ବ ଚମ୍ପିଆନ୍‌ ହୋଇଥିବା ଭାରତର ପିଭି ସିନ୍ଧୁ ଗୁରୁବାର ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫାଣ୍ଠିକୁ ୫ ଲକ୍ଷ ଟଙ୍କା ଲେଖାଏଁ ଦାନ କରିଛନ୍ତି। କରୋନା ମୁକାବିଲା ପାଇଁ ସିନ୍ଧୁ ଏହି ଅର୍ଥ ଦାନ କରିଥିବା ଜଣାପଡିଛି। ଏ ସଂପର୍କରେ ଟ୍ବିଟ୍‌ କରି ସିନ୍ଧୁ ଦର୍ଶାଇଛନ୍ତି ବର୍ତ୍ତମାନ ଯେପରି ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ଦୃଷ୍ଟିରେ ରଖି ସମସ୍ତ ସକ୍ଷମ ବ୍ୟକ୍ତି ନିଜ ସୁବିଧା ଅନୁଯାୟୀ ସରକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଆବଶ୍ୟକ। କରୋନା ବିରୋଧରେ ସରକାର ଲଢ଼େଇ ଜାରି ରହିଥିବା ବେଳେ ସେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫାଣ୍ଠିକୁ ୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନାଥାଉକି ବର୍ତ୍ତମାନ କେନ୍ଦ୍ର ସରକାର ଭାରତରେ ତାଲାବନ୍ଦୀ ଘୋଷଣା କରିଛନ୍ତି।
ସମଗ୍ର ବିଶ୍ବରେ ୪ ଲକ୍ଷରୁ ଅଧିକ ବ୍ୟକ୍ତି କରୋନା ଭାଇରସ ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ବିଶ୍ବବ୍ୟାପୀ କ୍ରୀଡ଼ା ପ୍ରତିଯୋଗିତା ଗୁଡ଼ିକ ସ୍ଥଗିତ କିମ୍ବା ବାତିଲ ହୋଇଯାଇଛି। ଟୋକିଓ ଅଲିମ୍ପିକ୍‌ସକୁ ମଧ୍ୟ ଆସନ୍ତା ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

Comments are closed.