ବାପାଙ୍କ ନିଷ୍ପତ୍ତି ବିଜେପିକୁ ଅପପ୍ରଚାର ପାଇଁ ସୁଯୋଗ ଦେଇଛି : ପ୍ରଣବଙ୍କ ଝିଅ

0

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ(ଆରଏସ୍‍ଏସ୍‍) କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ବୁଧବାର ନାଗପୁରରେ ପହଞ୍ଚିଛନ୍ତି। ଗୁରୁବାର ତାଙ୍କର ଏଠାରେ ଉଦ୍‍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହାକୁ ନେଇ ଗତ କିଛି ଦିନ ହେବ ବିବାଦୀୟ ପରିସ୍ଥିତି ଲାଗି ରହିଥିବାବେଳେ ପ୍ରଣବଙ୍କ ଝିଅ ତଥା କଂଗ୍ରେସ ନେତ୍ରୀ ସର୍ମିଷ୍ଠା ମୁଖାର୍ଜୀ ବୁଧବାର କଠୋର ଭାଷାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ‘ବିଜେପି ଏହାକୁ ନେଇ କୁତ୍ସିତ ରାଜନୀତି ଚଳାଇଛି। ମୁଁ ବିଜେପିରେ ଯୋଗଦେଉଥିବା ପ୍ରଚାର ଚଳାଇଛି। ଆରଏସ୍‍ଏସ୍‍ ମଧ୍ୟ ଭାବୁଛି କି ପ୍ରଣବ ତାଙ୍କ ଭାଷଣରେ ସଙ୍ଘର ଆଦର୍ଶକୁ ପ୍ରଶଂସା କରିବେ।’ ଏହି ପ୍ରସଙ୍ଗରେ ସେ ପ୍ରଣବଙ୍କୁ ଚେତାଇ ଦେଇଛନ୍ତି। ସେ କହିଛନ୍ତି ଯେ ‘ବାପା ମନେରଖିବା ଉଚିତ ଯେ ତାଙ୍କ ଭାଷଣକୁ କ୍ରମେ ଲୋକେ ଭୁଲିଯିବେ; ହେଲେ ଏହାର ଦୃଶ୍ୟପଟ ଦୀର୍ଘସ୍ଥାୟୀ ରହିବ।’

ବସ୍ତୁତଃ କଂଗ୍ରେସ ନେତୃବୃନ୍ଦ ଆରଏସ୍‍ଏସ୍‍କୁ ଏକ ସାମ୍ପ୍ରଦାୟିକ ଦଳ ଭାବେ ବର୍ଣ୍ଣନା କରିବା ସହ ଧର୍ମନିରପେକ୍ଷ ରାଜନୀତିରେ ବିଶ୍ୱାସ ରଖୁଥିବା ପ୍ରଣବ ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିବା ଉଚିତ ବୋଲି ନିବେଦନ କରିଆସୁଥିଲେ। କିନ୍ତୁ କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ସର୍ମିଷ୍ଠା ମଧ୍ୟ ବାପାଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ପ୍ରଣବ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ସମ୍ମତି ପ୍ରଦାନ କରି ବିଜେପି ଓ ସଙ୍ଘ ପରିବାରକୁ ଅନେକଗୁଡ଼ିଏ ମିଛ କଥା କହିବାର ସୁଯୋଗ ଦେଇଛନ୍ତି ବୋଲି ସର୍ମିଷ୍ଠା କହିଛନ୍ତି। ‘ପ୍ରଣବ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସର୍ମିଷ୍ଠାଙ୍କ ବିଜେପି ପ୍ରବେଶକୁ ସୁଗମ କରୁଛନ୍ତି’ ବୋଲି ବିଭିନ୍ନ ମହଲରେ ପ୍ରଚାର ହେବା ପରେ ସେ ଏଭଳି ମନ୍ତବ୍ୟ ରଖିଛନ୍ତି। ସେ ବିଜେପିରେ ଯୋଗଦେବା ଭଳି ଅପପ୍ରଚାର କରିବାକୁ ପ୍ରଣବ ସଙ୍ଘ ଓ ବିଜେପିକୁ ଖୋଲା ହାତ ଛାଡ଼ି ଦେଇଛନ୍ତି; ଯାହା ବର୍ତ୍ତମାନର ପରିସ୍ଥିତିରେ ସେ ବୁଝୁଥିବେ ବୋଲି ସର୍ମିଷ୍ଠା ଦର୍ଶାଇଛନ୍ତି। ବିଜେପି ତାଙ୍କ ନାମରେ ମିଛ ପ୍ରଚାର କରି ଯେଉଁ ରାଜନୈତିକ ଫାଇଦା ହାସଲ କରିବାକୁ ପ୍ରୟାସ କରୁଛି ତାହା ଚରିତାର୍ଥ ହେବା ନାହିଁ। ‘ମୁଁ ରାଜନୀତି ଛାଡ଼ିଦେବି ପଛକେ ବିଜେପିରେ ଯୋଗ ଦେବି ନାହିଁ’ ବୋଲି ସର୍ମିଷ୍ଠା ଦୃଢ଼ତା ପ୍ରକାଶ କରିଛନ୍ତି।

Leave A Reply